ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁଲାଇ:୨୦୨୬ , ତୃତୀୟ ବର୍ଷ : ସପ୍ତମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ତୁମ ଦୁଆରରେ ଶଙ୍ଖନାଦ ଶୁଭେନାହିଁ

ଲେଖା : କୈଳାସ ଚନ୍ଦ୍ର ବେହେରା

ଅଳକାନନ୍ଦାର ତଟ ଦେଶେ ତୁମ
ପୁଣ୍ୟ ବଦରିକା ଧାମ
ବିଷ୍ଣୁନାମ ବହି ପୂଜା ପାଉଅଛ
ଜ୍ୟୋତିପୀଠ ଯାର ନାମ l
ହିମଗିରି ଘେରା ଉତ୍ତରାଖଣ୍ଡର
ଉତ୍ତରକୁ ବାଛିନେଲ
ଦେବଭୂମି, ସ୍ୱର୍ଗଭୂମି, ତପଭୂମି
ନାମରେ ପ୍ରକାଶ କଲ l
ତୁଷାର ମଣ୍ଡିତ ହୀରକ ମୁକୁଟେ
ହିମକୂଟ ଶୋଭାରାଶି
ଦର୍ଶନେ ବିଭୋର ଭକତ ସକଳ
ଭକ୍ତିଭାବେ ଯାନ୍ତି ଭାସି l
ଅଳକାନନ୍ଦାରୁ ଆବିର୍ଭୁତ ହେଲ
ଶାଳଗ୍ରାମ ରୂପ ଥାଇ
ତପ୍ତକୁଣ୍ଡ ପାର୍ଶ୍ଵ ଗୁମ୍ଫାରେ ସ୍ଥାପିଲେ
ପ୍ରଥମ ଶଙ୍କର ନେଇ l
ଗଡ଼ୱାଲ ରାଜା ମନ୍ଦିର ତୋଳିଲେ
ଷୋଡଶ ଶତାବ୍ଦୀ ବେଳେ
ପ୍ରତିଷ୍ଠିତ ହୋଇ ପୂଜା ପାଉଅଛ
ଥାଇ ବଦ୍ରିବୃକ୍ଷ ତଳେ l
ସୁବର୍ଣ୍ଣ ଚନ୍ଦୁଆ ମସ୍ତକେ ବିରାଜେ
ଧ୍ୟାନମଗ୍ନ ରୂପ ଦେଖି
ଭକ୍ତ ହୃଦଗତେ ଚେତନା ଜାଗ୍ରତେ
ଆଖି ରହିଯାଏ ଲାଖି l
ତପ୍ତକୁଣ୍ଡେ ସ୍ନାନ ରୋଗ ନାଶକରେ
ମନରେ ଆଣଇ ଭକ୍ତି
କାଜୁ, କିସମିସ, ମିଶ୍ରି, ତୁଳସୀରେ
ପୂଜି ଲଭିଥାନ୍ତି ମୁକ୍ତି l
ଅକ୍ଷି ତୃତୀୟାରୁ ଦୀପାବଳୀ ଯାଏ
ମର୍ତ୍ତ୍ୟବାସୀ ଛଅମାସେ
କେରଳ ବ୍ରାହ୍ମଣେ ପୂଜା କରୁଥାନ୍ତି
ଦୀପଜାଳି ତୁମ ପାଶେ l
ଆଉ ଛଅମାସ ବରଫରେ ଢାଙ୍କି
ଦେବାଳୟ ଥାଏ ରହି
ଅକ୍ଷି ତୃତୀୟରେ ପୂଜକ ଦେଖନ୍ତେ
ଦୀପଶିଖା ଥାଏ ଚେଇଁ l
ସେ ଛଅ ମାସରେ ଦେବଲୋକ ବାସୀ
ପୂଜନ୍ତି ପ୍ରଦୀପ ଜାଳି
ଦେବତାଙ୍କ ମେଳେ ରହିଣ ସେ କାଳେ
କରୁଥାଅ ନାନା କେଳି l
ତପୋବନ ଘେରା ମନ୍ଦିରେ ତୁମର
ପ୍ରିୟ ଶଙ୍ଖ ବାଜେ ନାହିଁ
ଦେବତାଙ୍କ ଧ୍ୟାନ ଋଷିଙ୍କ ତପସ୍ୟା
ଭଗ୍ନ ଭୟ ଥାଏ ରହି l
ଶଙ୍ଖଚୂଡ଼ ବଦ୍ଧ କଲ ହୃଷିକେଶ
ଲକ୍ଷ୍ମୀ ମାତା ତପ କାଳେ
ମନାଇ ନଥିଲ ବିଜୟ ଉତ୍ସବ
ଶଙ୍ଖ ଫୁଙ୍କି ସେଇ ବେଳେ l
ଶବ୍ଦ ତରଙ୍ଗରେ ବରଫ ପାହାଡ଼େ
ଫାଟ ମାନ ସୃଷ୍ଟି ହୋଇ
ତୁଷାର ଝଡ଼ ଵା ହିମ ସ୍ଖଳନ ରେ
ସମ୍ଭାବନା ଆଣେ ନେଇ l
ହିମଗିରି ମଧ୍ୟେ ନାଗ ସର୍ପଙ୍କର
ବାସସ୍ଥନ ଥାଏ ରହି
ଶଙ୍ଖ ଧ୍ୱନି ତାଙ୍କ ବ୍ୟଥାର କାରଣ
ସେଥିପାଇଁ ବାଜେ ନାହିଁ l
ତୁମ ପ୍ରିୟ ବସ୍ତୁ ଶବ୍ଦ ନ ଶୁଣିବି
ମନରେ ନ ବହି ଦୁଃଖ
ପ୍ରସନ୍ନ ଚିତ୍ତରେ ମରତ ବାସୀଙ୍କୁ
ବାଣ୍ଟୁଛ ସରଗ ସୁଖ l

ତେମଳା,
ଶଂଖୋ,
କେନ୍ଦୁଝର

ଲେଖା ସମ୍ପର୍କୀୟ ମତାମତ

Dillip Mohanty

20-07-2026 / 15:57:30

Kabita ti bahut bhala lagila aau bahuta manamugdhakar

Ananya Rout

15-07-2026 / 20:08:03

This song is a beautiful masterpiece. The lyrics touch my soul. Every single word reflects what I have kept hidden inside my heart for so long. The singer put their entire soul into this melody. I get goosebumps every time this plays. It heals me in ways I cannot explain. Thank you for this art.

Bikash Kumar behera

01-07-2026 / 21:04:33

କବିତା ଟି ବହୁତ ସୁନ୍ଦର ଲାଗିଲା ଏବଂ ବହୁତ ହୃଦୟ ସ୍ପର୍ଶି.

ରବୀନ୍ଦ୍ର ପ୍ରସାଦ ଚାନ୍ଦ

30-06-2026 / 22:09:38

ମତାମତ ତୁରନ୍ତ କବିତାର ଶୈଳୀ ଚମତ୍କାର ତବ ସାଧନାର ପଥ ଭକ୍ତିମୟ ପ୍ରତିଭାର ତେଜ ରହିଛି ଅନେକ ଆଗକୁ ଆହୁରି ସାହିତ୍ୟ ସଂସ୍କୃତି ସଂସ୍କାର ମଞ୍ଚରେ ଚିରସ୍ମରଣୀୟ/ ଯୁକ୍ତିମୟ । ରବୀନ୍ଦ୍ର ପ୍ରସାଦ ଚାନ୍ଦ ଭାଇ ଆନନ୍ଦପୁର କେନ୍ଦୁଝରରୁ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion