ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁଲାଇ:୨୦୨୬ , ତୃତୀୟ ବର୍ଷ : ସପ୍ତମ ସଂଖ୍ୟାରେ ପ୍ରକାଶିତ )

centered image
 
ଜ୍ଞାନବିଜ୍ଞାନ

କାଳିଆ ଓ କଳା ବିଲେଇ

ଲେଖା : ଡ଼କ୍ଟର କମଳାକାନ୍ତ ଜେନା

ଆଜି ସବୁ କ୍ଷେତ୍ରରେ ବିଜ୍ଞାନକୁ ବ୍ୟବହାର କରାଯାଉଛି । ଆଜିକୁ ପ୍ରାୟ ତିନି ଶହ ବର୍ଷ ତଳେ ବିଜ୍ଞାନ ଯୁଗ ଆରମ୍ଭ ହୋଇଛି । ଆମେ ସମସ୍ତେ ବିଜ୍ଞାନ ଯୁଗର ପିଲା ବୋଲି ଗର୍ବ କରୁ । ବିଜ୍ଞାନ ଠିକ୍ କଥା କହେ । ଯୁକ୍ତି ଓ ପ୍ରମାଣରେ ବିଶ୍ୱାସ କରେ । ତେଣୁ ବିଜ୍ଞାନ ଯୁଗର ମଣିଷ ହିସାବରେ ଆମର ସବୁ କଥା ଓ ସବୁ ବିଶ୍ୱାସ ଯୁକ୍ତି ଯୁକ୍ତ ହେବା ଦରକାର । କିନ୍ତୁ ଦୁଃଖର କଥା, ଆଜି ବି ଆମର ଅନେକ ବିଶ୍ୱାସ ପଛରେ କୌଣସି ବିଜ୍ଞାନ ସମ୍ମତ କାରଣ ନଥାଏ । ଅନେକ ଲୋକ ଅନ୍ଧ ଭାବରେ ଅନେକ ମିଛ କଥାକୁ ବିଶ୍ୱାସ କରନ୍ତି । ତେଣୁ ସେସବୁ କଥାକୁ ଅନ୍ଧବିଶ୍ୱାସ ବୋଲି କୁହାଯାଏ ।
ଅନ୍ଧବିଶ୍ୱାସ ପ୍ରସଙ୍ଗ ଆସିଲେ ବିଲେଇ କଥା ମନେ ପଡେ । ସ୍କୁଲ୍ ଯିବା ସମୟରେ ଆମ ସାମନାରେ ବିଲେଇ ଚାଲିଗଲେ ଅଶୁଭ ବୋଲି ଧରି ନେଉ । ବିଲେଇ ଆମର ରାସ୍ତାକାଟିଲେ ସ୍କୁଲରେ ଗାଳି ପଡିବ ବୋଲି ଆମେ ଭାବୁ । ଆମ ବାପା ଦାଦା କୌଣସି ଅଫିସ୍ କାମରେ ଯାଉଥିଲେ ତାଙ୍କ ସାମନାରେ ବିଲେଇ ଚାଲିଗଲେ ସେ କାମ ଆଉ ହେବନି ବୋଲି ସେମାନେ ଭାବନ୍ତି । ମଜାର କଥା, ବିଲେଇ ରାସ୍ତା ଅତିକ୍ରମ କରିବା କାହିଁକି ଅଶୁଭ, ସେକଥା କେହି ଜାଣନ୍ତି ନାହିଁ । କିନ୍ତୁ, ଅଶୁଭ ବୋଲି ଧରି ନିଅନ୍ତି । ସତ କହିଲେ, ଏହା ପଛରେ କୌଣସି ସତ୍ୟତା ବି ନାହିଁ । କୌଣସି ବିଜ୍ଞାନ ସମ୍ମତ କାରଣ ବି ନାହିଁ ।
ଆଜି ବିଜ୍ଞାନ ଯୁଗରେ ବୁଦ୍ଧିଆ ମଣିଷମାନେ ବିଲେଇକୁ ନେଇ ଏମିତି ଭୟଭୀତ ହେବା ପ୍ରସଙ୍ଗ ସତରେ ଲାଜ କଥା । ଅଲଗା ରଙ୍ଗର ବିଲେଇ ଦେଖିଲେ ଚଳିବ, କିନ୍ତୁ କଳା ବିଲେଇ ରାସ୍ତା ଅତିକ୍ରମ କଲେ କଥା ସଇଲା । କଳା ବିଲେଇ ବେଶି ଅଶୁଭ ବୋଲି ଆମେ ବିଶ୍ୱାସ କରୁ । କଳା ବିଲେଇକୁ ଦେଖିଲେ ଭୟ ଲାଗେ । କିନ୍ତୁ କଳା ଗାଈ ଆମର ପସନ୍ଦ । ଆମେ କହୁ କଳା ଗାଈ କ୍ଷୀର ମିଠା । କଳା କୁକୁର ବି ଆମକୁ ଭଲ ଲାଗେ । ହେଲେ ବିଲେଇ ଦେହରେ କଳା ରଙ୍ଗ ରହିଲେ ଆମକୁ ଭଲ ଲାଗେନି । ବିଜ୍ଞାନ ଅନୁସାରେ ସବୁ କଳା ରଙ୍ଗ ସମାନ । ତାହା ବିଲେଇ ଦେହରେ ଥାଉ କି କୁକୁର ଦେହରେ ଥାଉ । ବିଲେଇ ଦେହର କଳା ରଙ୍ଗ ସବୁ ରଙ୍ଗର ଆଲୋକକୁ ଶୋଷିନିଏ । କୁକୁର ଓ ଗାଈ ଦେହର କଳା ରଙ୍ଗ ବି ସବୁ ରଙ୍ଗର ଆଲୋକକୁ ଶୋଷିନିଏ । ତେଣୁ ବିଲେଇ, କୁକୁର ଓ ଗାଈ କଳା ଦେଖାଯାଆନ୍ତି ।
ଜୁଲାଇ ମାସରେ ରଥ ଯାତ୍ରା । କାଳିଆ ଠାକୁରର ବଡ ଯାତ୍ରା । କଳାରଙ୍ଗ କଥା କହିଲେ କାଳିଆର କଥା ବି ମନକୁ ଆସୁଛି । କାଳିଆର କଳାରଙ୍ଗ ବିଜ୍ଞାନଠାରୁ ଉପରେ । କାଳିଆ ଠାକୁର ପାଖରେ ବିଜ୍ଞାନ ଫେଲ୍ । ବୈଜ୍ଞାନିକ ଦୃଷ୍ଟି କୋଣରୁ ଯୁକ୍ତିଯୁକ୍ତ ବିଚାର କଲେ, ବିଲେଇ ଦେହର କଳା ଯଦି ଆମକୁ ଖରାପ ଲାଗୁଛି, ତେବେ କାଳିଆର କଳା ରଙ୍ଗ ବି ଖରାପ ଲାଗିବା କଥା । କିନ୍ତୁ, କାଳିଆର କଳା ଆମକୁ ଭଲ ଲାଗେ, ପବିତ୍ର ଲାଗେ । କାଳିଆର କଳାକୁ ନିଜ ଦେହରେ ବୋଳି ହେବା ପାଇଁ ଇଚ୍ଛା ହୁଏ । କାଳିଆ ଠାକୁରର କଳାକୁ ସ୍ମରଣ କରି ମାଆ ନିଜ କୁନିପୁଅର କପାଳରେ କଳା-ଟୀକା ଲଗେଇଦିଏ । ଜେଜେମା କାଳିଆ ଠାକୁରକୁ ସାକ୍ଷୀ ରଖି ନାତି ନାତୁଣୀଙ୍କ ହାତରେ କଳାସୂତା ବାନ୍ଧିଦିଏ । କାଳିଆର କଳା ରଙ୍ଗ ଆମ ମନରେ କେବେ ଭୟ ସୃଷ୍ଟି କରେ ନାହିଁ ।
ଏବେ ମୋ ମନରେ ପ୍ରଶ୍ନ ଉଠୁଛି, ଆମେ ତ ବିଜ୍ଞାନ ଯୁଗର ଲୋକ । ତେଣୁ ଆମର ବିଚାର ବିଜ୍ଞାନ ସମ୍ମତ ହେବା ଉଚିତ୍ । କିନ୍ତୁ କଳା ବିଲେଇ କଥାରେ ଆମର ଚିନ୍ତାଧାରା ଠିକ୍ ନୁହଁ । ଗୋଟେ ପଟେ ଆମେ କାଳିଆର କଳାକୁ ପବିତ୍ର ବୋଲି କହୁ, ଅନ୍ୟ ପଟେ କଳାରଙ୍ଗର ବିଲେଇକୁ ଅଶୁଭ ବୋଲି କହୁ । ଗୋଟିଏ ଭାବନା ସହିତ ଅନ୍ୟଟିର ତାଳ ମେଳ ରହୁ ନାହିଁ । ଆମେ କଳା ବିଲେଇକୁ ଡରିବା କିମ୍ବା ଘୃଣା କରିବା ଠିକ୍ ନୁହେଁ । ତା` ମୁହଁ ଚାହିଁଲେ କାମ ବିଗିଡି ଯାଏ ବୋଲି କହିବା ବି ଠିକ୍ ନୁହେଁ । ବିଲେଇର କଳା ରଙ୍ଗ ଆମର କିଛି କ୍ଷତି କରେ ନାହିଁ । ଯେମିତି କଳା ଗାଈ, କଳା କୁକୁର ଓ ଅନ୍ୟ ପ୍ରାଣୀଙ୍କ ପ୍ରତି ଆମର ସ୍ନେହ ମମତା ରହିଛି, ସେମିତି କଳା ବିଲେଇ ପ୍ରତି ଆମର ଭଲପାଇବା ରହିବା ଉଚିତ । ଆମେ ଯେହେତୁ ବିଜ୍ଞାନ ଯୁଗର ପିଲା, ଆମ ବିଚାରରେ କିଛି ଭୁଲ ନ ରହୁ ।

ଓ. ଇ. ଏସ. (ପଦାର୍ଥ ବିଜ୍ଞାନ),
ପରୀକ୍ଷା ନିୟନ୍ତ୍ରକ,
ଫକୀର ମୋହନ ବିଶ୍ୱବିଦ୍ୟାଳୟ, ନୂଆପାଢୀ,
ବାଲେଶ୍ୱର - 756089, ଫୋନ-୯୪୩୯୫୦୧୬୫୨

ଲେଖା ସମ୍ପର୍କୀୟ ମତାମତ

Sanjukta parichha

30-06-2026 / 18:49:12

କଳାବିଲେଇ ପ୍ରତି ଲୋକଙ୍କର ଭାବନା ବଦଳି ଯିବ । ଲେଖା ଟି ଭଲ ହୋଇଛି ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion