ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁଲାଇ:୨୦୨୬ , ତୃତୀୟ ବର୍ଷ : ସପ୍ତମ ସଂଖ୍ୟାରେ ପ୍ରକାଶିତ )

centered image
 
ଗପ

କାହା ମନେ କଷ୍ଟ ଦେବାନି କେବେ

ଲେଖା : ଶୁଭନାରାୟଣ ଶତପଥୀ

ଗୋଲାପ ଗଛଟି ଖିଲିଖିଲି ହୋଇ ହସୁଥାଏ । ଏତିକିବେଳେ ତାର ନଜର ପଡିଲା ଗୋଟିଏ ସଁବାଳୁଆ ଉପରେ । ପାଖରେ ଥିବା ମଧୁମାଳତୀ ଗଛକୁ କହିଲା ସାଙ୍ଗ ଦେଖୁନୁ ସଁବାଳୁଆକୁ । ଶରୀର ସାରା ଟାଆଁସିଆ ବାଳ । ବିକୃତ ଚେହେରା । ଧୀର ଚାଲି । ମଣିଷମାନେ ଦେଖିବାକ୍ଷଣି ମାରିବାକୁ ଗୋଡାନ୍ତି, ନଚେତ ତା ପାଖରୁ ଦୂରେଇ ଯାଆନ୍ତି । ଅପରିଷ୍କାର ଜନ୍ତୁଟା । ମଧୁମାଳତୀ ଗଛ କହିଲା, ବୁଝିଲୁ ସାଙ୍ଗ, ଈଶ୍ବର କାହାକୁ କେମିତି ଗଢିଛନ୍ତି । ଏମିତି କହିବାଟା ଜମାରୁ ଠିକ୍ ନୁହେଁ । ଦେଖୁନୁ ତୋ ଦେହରେ ବି କଂଟା ଅଛି । ହଁ ତୁ ତୋର ଏଇ ଗୋଲାପଫୁଲକୁ ନେଇ ଗର୍ବ କରୁଛୁ । କାରଣ ମାଲିକ ତୋର ଯତ୍ନ ନେଉଛି ଏଇ ଫୁଲ ପାଇଁ । ଯଦି ତୋ ଦେହରେ ଏତେ ସୁନ୍ଦର ଫୁଲ ଫୁଟୁନଥାନ୍ତା ତେବେ କଣ ତୁ ଆଜି ଅନ୍ୟକୁ ଥଟ୍ଟା କରୁଥାନ୍ତୁ । ଏତିକିକଥା ଶୁଣି ମଧୁମାଳତୀ ଉପରେ ଗୋଲାପ ଭୀଷଣ ରାଗିଗଲା । କହିଲା, ଯା` ତୋ ସହ ମୋର ବନ୍ଧୁତା ଆଜିଠୁ କଟିଲା । ତୁ ସହି ନପାରି ଏମିତି କଥାବାର୍ତ୍ତା କରୁଛୁ । ଏକଥା ସବୁ ଶୁଣୁ ଥାଏ ପାଖରେ ଥିବା ସଁବାଳୁଆଟି । ଆଉ ନିଜକୁ ସମ୍ଭାଳି ପାରିଲାନି ସଁବାଳୁଆ । କହିଲା, ମୋତେ ନେଇ ତୁମ ଦୁଇଜଣ କାହିଁକି ଝଗଡା ଲାଗୁଛ ? ତୁମର ଶତ୍ରୁତା ପାଇଁ ମୋତେ ସମସ୍ତେ ଦାୟୀ କରିବେ । ତେଣୁ ମୁଁ ଯେମିତି ଦେଖାଯାଉଛି ତାହାକୁ ଗ୍ରହଣ କରିବାରେ ଅସୁବିଧା କ`ଣ ?
ସଁବାଳୁଆ କଥା ଶୁଣି ଗୋଲାପ ଗଛକୁ ମଧୁମାଳତୀ କହିଲା, ଦେଖିଲୁ ତ ସେ କେତେ ଉଦାର ଓ ସରଳ । ତା` ପାଇଁ ଅନ୍ୟ କେହି ଶତ୍ରୁତା ଆଚରଣ କରିବା ପୂର୍ବରୁ ସମସ୍ତଙ୍କ ଭଲ ପାଇଁ ନିନ୍ଦାକୁ ବି ଗ୍ରହଣ କରିନେଉଛି ସେ । ଗୋଲାପ ଗଛ ପୁଣି ହସିଦେଇ କହିଲା, ଏଇଟା ତା`ର ଉଦାରତା ନୁହେଁ ଚାଲାକି ।
ମଧୁମାଳତୀ କହିଲା, ତୁମ ପରି ଚିନ୍ତାଧାରା ରହିଲେ କାହାରି ଭଲଗୁଣ ଦେଖାଯିବନି ।
କିଛିଦିନ ପରେ ଏକ ପ୍ରଜାପତି ଉଡିଉଡି ଆସି ଗୋଲାପଫୁଲରେ ବସିଲା । ଏକ ସୁନ୍ଦର ପ୍ରଜାପତି । ସବୁଦିନ ସେ ଆସିବାରୁ ଗୋଲାପ ଗଛର ମନ ଭାରି ଖୁସି । ଅତି ଖୁସି ହୋଇ ଗୋଲାପ ଗଛ ତାତ୍ସଲ୍ୟ କରି ମଧୁମାଳତୀକୁ କହିଲା, ଦେଖ ମୋ ପାଖକୁ ସବୁଦିନ ସୁନ୍ଦର ପ୍ରଜାପତିଟି ଉଡିଆସି କେମିତି ବସୁଛି ।
ମଧୁମାଳତୀ ହସିଦେଇ କହିଲା, ତୁ ଯେଉଁ ପ୍ରଜାପତି କଥା କହୁଛୁ ସେ ହେଉଛି ସେହି ସଁବାଳୁଆ ଯାହାକୁ ତୁ ଆଗରୁ ନିନ୍ଦା କରୁଥିଲୁ, ସେ ଏବେ ପ୍ରଜାପତି ରୂପରେ ତୋ ଉପରେ ବସୁଛି। ସେ ମୋ ସହ କଥା ହେଲାବେଳେ କହୁଥିଲା । ଏଥର ଗୋଲାପ ଫୁଲ ନିଜର ଭୁଲ ବୁଝିପାରିଲା । ପ୍ରଜାପତିକୁ କହିଲା, ମୁଁ ତୁମ ମନରେ କଷ୍ଟ ଦେଇଥିବାରୁ ଦୁଃଖିତ । ପ୍ରଜାପତି ଏକଥା ଶୁଣି କହିଲା ମୁଁ ତୁମକଥାକୁ ନେଇ କେବେ ମନଦୁଃଖ କରିନି । ସମୟ ସହ ଜୀବନ ଯାତ୍ରା ବଦଳି ଯାଏ । ଏଣୁ ଦିନେ ହେଲେ ବନ୍ଧୁ ମୋ କଥାକୁ ବୁଝିବେ ବୋଲି ଆଶା ଥିଲା ।
ସେଦିନଠୁ ଗୋଲାପ ଗଛ କାହାକୁ ତାତ୍ସଲ୍ୟ କରେ ନାହିଁ କି, କାହା ମନରେ କଷ୍ଟ ହେଲାଭଳି କଥା କୁହେ ନାହିଁ ।

ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ- ୯୪୩୮୪୩୨୦୨୩

ଲେଖା ସମ୍ପର୍କୀୟ ମତାମତ

gitanjali swain

02-07-2026 / 15:17:41

ଖୁବ ସୁନ୍ଦର ଲେଖାଟି

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion