ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁନ:୨୦୨୪ , ପ୍ରଥମ ବର୍ଷ : ଷଷ୍ଠ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଲିସା ଦିଶା ଦୁହେଁ ହସିଲେ

ଲେଖା : ଲକ୍ଷ୍ମୀଧର ନାୟକ

ଲିସା ଦିଶା ଦୁହେଁ ଅଳି କଲେ ଆସି
ଚାଲ ବାପା ଯିବା ଗାଆଁକୁ,
ସହରରେ ରହି ଜାଣି ପାରୁ ନାହୁଁ
ରଜ ଖାଲି ଶୁଣୁ ନାଆଁକୁ ।
ଆମ୍ବ ତୋଟା ନାହିଁ ରଜ ଦୋଳି କାହିଁ
ରଜକୁ ପାଳିବୁ କିପରି,
ସଜ ହେବୁ ସିନା ଏଇଠି ଟିକିଏ
ଖୁସି କି ମିଳିବ ସେପରି ।
ଗାଆଁର ଦୋଳି ତ କଟକଟ ଡାକେ
ଗୀତ ଗାଇ ଦୁହେଁ ଝୁଲିବୁ,
ସଜ ଆମେ ହୋଇ ରଜ ପାନ ଖାଇ
ଗାଆଁ ସାରା ଆମେ ବୁଲିବୁ ।
ସାଇ ପଡ଼ିଶାଙ୍କ ଘରକୁ ଯାଇକି
ମିଳିମିଶି ସବୁ ଖାଇବୁ,
ଲୁଡୁ ପୁଣି ପୁଚି ଖେଳିବୁ ସେଇଠି
କେତେ ଖୁସି ଆମେ ହୋଇବୁ ।
ଦେଖିବୁ କବାଡି ପାଇକ ଖେଳକୁ
ମେଳାରେ ବୁଲିବୁ ହରଷେ,
ବିଦ୍ୟାଳୟ ଛୁଟି ଏବେ ମନା କଲେ
ଅନାଇବ କିଏ ବରଷେ ।
ଦୁଇ ଝିଅଙ୍କର ଅଳି ଦେଖି ବାପା
ଗାଆଁ ଯିବା ପାଇଁ କହିଲେ,
ତାଙ୍କ କଥା ଶୁଣି ବଡ଼ ପାଟି କରି
ଲିସା ଦିଶା ଦୁହେଁ ହସିଲେ ।


ବାଉଁଶିଆପଡା, ନୟାଗଡ଼
୮୨୭୦୩୭୨୪୯୮

ଲେଖା ସମ୍ପର୍କୀୟ ମତାମତ

KunjaBihari Sahu

01-06-2024 / 15:01:12

ସବୁଠୁ ଭଲ ଓ ଭଲ କବିତା,ଏଭଳି ଭାବର କବିତା ଆବଶ୍ୟକ । ଗାଁର ରଜମଉଜ ବାସ୍ତବିକ ମଉଜ ପରି ଲାଗେ । ସହରଟା ଦେଖାଣିଆ । ଶେଷ ଧାଡିରେ ଲିସା ଦିଶା ହସି ଡେଇଁଲେ ଲେଖିଥିଲେ ଆହୁରି ଭଲ ଲାଗିଥାନ୍ତା

ଧୀରେନ ମିଶ୍ର

01-06-2024 / 11:36:22

ଆଜିକାର ପିଲା ଗାଆଁମନସ୍କ ହେବା ନିହାତି ଆଶ୍ଚର୍ଯ୍ୟ ନହେଲେ ମଧ୍ଯ ସ୍ବାଗତଯୋଗ୍ୟ । କବିବନ୍ଧୁଙ୍କର ଚିନ୍ତାଧାରାକୁ ସମ୍ମାନ ଜଣାଉଛି ।

କବିଜ୍ୟୋତି ନିରଞ୍ଜନ ପତି

01-06-2024 / 10:03:30

ବହୁତ ବଢିଆ ଭାବ ବ୍ୟଞ୍ଜକ ଶିଶୁ କିଶୋର ମନଲାଖି କବିତା। ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରୁଛି ଯୁବ କବି ଙ୍କୁ,,,, ଜୟ ଜଗନ୍ନାଥ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion