ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁନ:୨୦୨୪ , ପ୍ରଥମ ବର୍ଷ : ଷଷ୍ଠ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ନୁହେଁ କେ ଏକାପରି

ଲେଖା : ଶିବ ପ୍ରସାଦ ସାହୁ

ଗୋଟିଏ କଥା ଶୁଣରେ ପିଲେ
ଗଛଟେ ଥିଲା ପୋଖରୀ କୂଳେ
ଗଛମୂଳରେ ବେଙ୍ଗ
ଗଛ ଉପରେ ରହଇ କାଉ
ଦେଖାଇ କେତେ ରଙ୍ଗ । ।

ଗରବେ ବେଙ୍ଗ କହିଲା ଦିନେ
କହିବି କଥା ରଖିଛି ମନେ
କହିବୁ ମୋତେ କାଉ
ପାଣି ଭିତରେ ମୋ ଭଳିଆ
ବୁଡି ପାରିବୁ ତୁଉ । ।

ଫକର ଫକ ଭୂମି ଉପରେ
ଡେଇଁ ପାରିବୁ ସତରେ କିରେ
ଯାହାତ ମୁହିଁ ପାରେ
ମୁଣ୍ଡ ହଲାଇ କହିଲା କାଉ
ପାରିବି ନାହିଁ ମୁଁ, ରେ । ।

ଆହୁରି ବେଙ୍ଗ ଉଠିଲା ଫୁଲି
ମୁହଁରେ ହସ ତା ଖିଲି ଖିଲି
ଫୁଟାଇ କହେ ରହ
କଅଣ ତୁହି କରିପାରିବୁ
ମତେରେ ଟିକେ କହ । ।

ରାଗରେ ତାକୁ କହିଲା କାଉ
ବିରକ୍ତ ମୋତେ କରନା ଆଉ
ଆକାଶେ ମୁହିଁ ଉଡେ
ମାନେନା ବର୍ଷା ଶୀତ ଓ ଖରା
ରହେ ମୁଁ ଗଛ ନୀଡେ । ।

ଆସିଲେ ମାଡି ଶୀତ ଓ ଖରା
ଦେଖା ମିଳେନା ତୋହର ପରା
ଲୁଚୁ ପଥର କଡେ
ମୋର ଆଗରେ କହୁଛୁ କିଆଁ
କଥାତୁ ବେଶୀ ଭିଡେ । ।
ଶୁଣିଲା ଗଛ ଦୁହିଁଙ୍କ କଥା
କହିଲା ତାର ହଲାଇ ମଥା
କଥାଟି ମୋର ମାନ
ବିଧାତା ପରା ଗଢିଦେଇଛି
ଯାହାର ଯାହା କାମ । ।

ଦିନ କାଟୁଥା ମିଳି ଓ ମିଶି
ଚଳୁଥା କରି ହସ ଓ ଖୁସିି
କିଆଁ କରୁଛ କଳି
ବିଶାଳ ଏହି ସଂସାରେ ପରା
ନୁହେଁ କେ ଏକା ପରି । ।

ଦୁହେଁ ଯେ ଶୁଣି କଥା ଗଛର
ଭୂଲ୍ ବୁଝିଲେ ନିଜେ ନିଜର
କାଉକୁ କହେ ବେଙ୍ଗ
ମନରେ ଆମେ ଗର୍ବ ନ ରଖି
ହୋଇବା ଏବେ ସାଙ୍ଗ । ।


ଗୋପିନାଥପୁର ସାହି, ଚାନ୍ଦପୁର, ନୟାଗଡ଼
ମୋ – ୭୯୯୨୫୭୩୧୨୫

ଲେଖା ସମ୍ପର୍କୀୟ ମତାମତ

Nirupama Mahapatra

05-06-2024 / 21:32:16

କବିତାଟି ଶିଶୁ ମନଛୁଆଁ ହୋଇପାରିଛି।

କୁଞ୍ଜବିହାରୀ ସାହୁ

01-06-2024 / 14:22:11

ବିରକ୍ତ, ବର୍ଷା, ଗର୍ବ ଶବ୍ଦର ସରଳକରଣୀ କରିଥିଲେ ଭଲ ହୋଇଥାନ୍ତା । ଭୂଲ ନୁହେଁ ଭୁଲ ହେବ । ଗପ ଛଳରେ ଆତ୍ମବଡିମାକୁ କୁହାଯାଇଛି । ଆହୁରି ସରଳ ତରଳ ଓ ଉପଧା ମିଳନ କରିପାରିଥିଲେ କବିତାଟି ମନଛୁଆଁ ଲାଗିଥାନ୍ତା ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion