ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁନ:୨୦୨୪ , ପ୍ରଥମ ବର୍ଷ : ଷଷ୍ଠ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ମିଳିମିଶି ରଜ ପାଳିବା

ଲେଖା : ଧୀରେନ ମିଶ୍ର

ବଣ ରାଇଜରେ ହୁରିହାଟ ହେଲା
ପାଳନ ହୋଇବ ରଜ
ଯେତେ ପଶୁ ଥିଲେ ଆନନ୍ଦ ମନରେ
ସଭିଏଁ ହୋଇଲେ ସଜ ।
ଭାଲୁ ଯୋଗାଡିଲା ରଶି,
ବାଉଁଶ ହାଣିଲା ହନୁମାଙ୍କଡ ଟା
ଟାଙ୍ଗିଆ କଟୁରୀ ଘଷି । ୧ ।
ପଟା ଆଣିଦେଲା ଗଧିଆ ବାପୁଡା
ଦୋଳି ବାନ୍ଧିଗଲା ଓଟ
ମୋବାଇଲ ଧରି ଚଗଲା ଠେକୁଆ
ଉଠାଇଲା ତା`ର ଫଟ ।
ବାଘର ଆଦେଶ ପାଇ,
ବଳିଆ କୁକୁର ପଟା ସଳଖିଲା
ଦୋଳି ପାଖେପାଖେ ଥାଇ । ୨ ।
ହରିଣ ଧରିଲା ଚାଉଳର ଡାଲା
ନଈରେ ଧୋଇବ ନେଇ
ପିଠଉ ବାଟିବ ଶିଆଳ ଜଗିଲା
ଶିଳ ଶିଳପୁଆ ଠାଇଁ ।
ସମ୍ବର, ଗୟଳ ବୁଲି,
ବଣ ଗୋଟାକରୁ କାଠ ଆଣିଦେଲେ
ଜାଳିବା ପାଇଁକି ଚୂଲୀ । ୩ ।
ତାଉଆ, ପାତିଆ ଯୋଗାଡିଲା ପୁଷି
ଚଞ୍ଚଳ କରିବ ପିଠା
ଭାଡିତଳେ ବସି ହାତୀ କରୁଥିଲା
ପାନ ମସଲାର ଚିଠା ।
ସବୁ ଚିଜ ହେଲା ଅଣା,
ଏତେକଥା ଏତେ ସଅଳ ଘଟିଲା
ମୂଷାକୁ ନଥିଲା ଜଣା । ୪ ।
ମନେମନେ ମୂଷା ବହୁତ ରାଗିଲା
ଭାବିଲା, `ମୁଁ ସିନା ସାନ
ତେଣୁ ମୋତେ ସବୁ ଅଣଦେଖା କଲେ
ଦେବି ତାଙ୍କୁ ଗୋଟେ ପାନ` ।
ଛପିଛପି ଗଛେ ଉଠି,
ଟିକିଟିକି କରି କାଟି ପକାଇଲା
ବନ୍ଧା ଯେତେ ରଶି ଗଣ୍ଠି । ୫ ।
ପଟୁଆର କରି ସବୁ ପଶୁଗଣ
ସିଂହ କୁ ଆଣିଲେ ଡାକି
ରାଜା ଆଗ ଖେଳ ଆରମ୍ଭ କରିଲେ
ଆଉ ଯେତେ ଯାହା ବାକି ।
ଦୋଳିରେ ଯତନେ ଚଢି,
ଥରେ ନବାହୁଣୁ ରଶି ଛିଡିଗଲା
ସିଂହ ଗଲା ତଳେପଡି । ୬ ।
କଚଡା ଖାଇଣ ଅଣ୍ଟାକୁ ସଳଖି
ଗର୍ଜନ-ତର୍ଜନ କରି
କମ୍ପାଇଲା ରାଗେ, ଯେତେ ପଶୁ ଥିଲେ
ଲୁଚିଗଲେ ଡରିମରି ।
ମୂଷା ଦେଖୁଥିଲା ମଜା,
ମିଳିମିଶି ରଜ ନପାଳିଲେ ବୋଲି
ପାଇଲେ ଏପରି ସଜ୍ଜା । ୭ ।


ଶୁଶୁଡା,ଅନୁଗୋଳ
ମୋ - 7978087891

ଲେଖା ସମ୍ପର୍କୀୟ ମତାମତ

Sanjukta parichha

21-06-2024 / 15:14:57

ମିଳିମିଶି ରଜ ପାଳିବାର ବାର୍ତ୍ତା ଭଲ ଲାଗିଲା ।ହେଲେ ମୂଷାର କାମ ଠିକ୍ ଲାଗିଲାନି ।

ଲକ୍ଷ୍ମୀକାନ୍ତ ଦଳେଇ

01-06-2024 / 10:56:12

ବଢ଼ିଆ ଲେଖା

କବିଜ୍ୟୋତି ନିରଞ୍ଜନ ପତି

01-06-2024 / 09:50:32

ବହୁତ ବଢିଆ ଭାବ ବ୍ୟଞ୍ଜକ ମଜା କବିତା ରଜକୁ ନେଇ। ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରୁଛି କବି ମ‌ହାଶୟ ଜୟ ଜଗନ୍ନାଥ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion