ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜାନୁୟାରୀ:୨୦୨୪ , ପ୍ରଥମ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

centered image
 
ଜ୍ଞାନବିଜ୍ଞାନ

ପେଂଟିୟମ୍ ଚିପ୍‌

ଲେଖା : ହିମାଂଶୁ ଶେଖର ଫତେସିଂହ

ମାଇକ୍ରୋପ୍ରୋସେସର ବା ଚିପ୍ ହେଉଛି କମ୍ପ୍ୟୁଟରର ମସ୍ତିଷ୍କ । ଏହାର ବ୍ୟବହାର ଫଳରେ କମ୍ପ୍ୟୁଟରର ଆକାର ବହୁମାତ୍ରାରେ ହ୍ରାସ ପାଇଛି । କିଛି ବର୍ଷ ପୂର୍ବେ ଅଧିକାଂଶ କମ୍ପ୍ୟୁଟର ବା ଲାପଟପ୍‌ରେ ଇଂଟେଲ ନିର୍ମିତ ପେଂଟିୟମ ଚିପ୍ ବ୍ୟବହୃତ ହେଉଥିଲା । ସେତେବେଳେ ଏହି ପେଂଟିୟମ୍ ନାମ କମ୍ପ୍ୟୁଟର ବ୍ୟବହାର କରୁଥିବା ପ୍ରତିଟି ଲୋକ ନକଟରେ ପରିଚିତ ହୋଇପାରିଥିଲା । ଏହି ଜନପ୍ରିୟ ଚିପ୍‌ର ଉଦ୍ଭାବକ ଥିଲେ, ଆମ ଦେଶର କମ୍ପ୍ୟୁଟର ବିଜ୍ଞାନୀ ବିନୋଦ ଧାମ୍ । ତେଣୁ ସେ ପେଂଟିୟମ ଚିପ୍ ର ଜନକରୂପେ ପରିଚିତ ।
ବିନୋଦ ଧାମ ୧୯୫୦ ମସିହାରେ ଭାରତର ପୁନେ ସହରରେ ଜନ୍ମ ଗ୍ରହଣ କରିଥିଲେ । ସେ ୨୧ ବର୍ଷ ବୟସରେ ଦିଲ୍ଲୀ ଇଂଜିନିୟରିଂ କଲେଜ ବି.ଇ. ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ଉଚ୍ଚ ଶିକ୍ଷାପାଇଁ ଆମେରିକା ଯାତ୍ରା କରିଥିଲେ । ସେତେବେଳେ ତାଙ୍କ ପକେଟରେ ମାତ୍ର ଆଠ ଡଲାର ଥିଲା । ସେ ଓହିଓସ୍ଥିତ ସିନସିନ୍ନାଟି ବିଶ୍ୱବିଦ୍ୟାଳୟରୁ ଏମଏସ୍ ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ଆମେରିକାର ବିଶ୍ୱପ୍ରସିଦ୍ଧ ଇଂଟେଲ କର୍ପୋରେସନରେ ଜଣେ ଇଂଜିନିୟର ଭାବେ ଯୋଗ ଦେଇଥିଲେ । ୧୯୮୦ ମସିହା ବେଳକୁ ଚାରିଆଡେ ବ୍ୟକ୍ତିଗତ କମ୍ପ୍ୟୁଟରର ବ୍ୟବହାର ବୃଦ୍ଧିପାଇଲା । ପ୍ରତ୍ୟେକ ଘରେ ଓ ଅଫିସରେ ଏହାର ବ୍ୟବହାର ଦେଖିବାକୁ ମିଳିଲା । ସେତେବେଳେ ମାଇକ୍ରୋସଫ୍ଟ, ଆଇବିଏମ୍‌, ଆପଲ୍‌,ମୋଟୋରଲା, କମ୍ପାକ୍ ଆଦି ବହୁ କମ୍ପାନୀ ବ୍ୟକ୍ତିଗତ କମ୍ପ୍ୟୁଟର ପାଇଁ ଏକ ଉନ୍ନତ ମାଇକ୍ରୋ ପ୍ରୋସେସର ବାହାର କରିବାପାଇଁ ଗବେଷଣା କରୁଥିଲେ । ବିନୋଦ ଇଂଟେଲର ମାଇକ୍ରୋପ୍ରୋସେସର ବିଭାଗରେ ଯୋଗ ଦେଇଥିଲେ । ସେଠାରେ ସେ ଇଂଟେଲର ପ୍ରଥମ ପ୍ରଥମ ଫ୍ଲାସ୍ ମିମୋରୀ ଜ୍ଞାନକୌଶଳ ବା ଇଟୋକ୍ସର ଜଣେ ସହ-ଉଦ୍ଭାବକ ଥିଲେ । ଏହାପରେ ସେ ଇଂଟେଲର ଏକ ନୂତନ ପ୍ରୋସେସର ବା ସଂସାଧିତ୍ରର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ସେ ପ୍ରଥମ ପିଢ଼ିର ଦୁଇଗୋଟି ମାଇକ୍ରୋ ପ୍ରୋସେସର ୮୦୩୮୬ ଓ ୮୦୪୮୬ ର ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହାପରେ ଇଂଟେଲରୁ ୮୦୫୮୬ ନାମରେ ଏକ ଉନ୍ନତ ଧରଣର ପ୍ରୋସେସର ନିର୍ମିତ ହେଲା । ବିନୋଦ ଧାମ୍ ଏହି ପ୍ରକଳ୍ପର ମହା ପ୍ରବନ୍ଧକ ଥିଲେ । ତାଙ୍କ ନେତୃତ୍ୱରେ ଏହି ନୂତନ ପ୍ରୋସେସର ନିର୍ମିତ ହୋଇଥିଲା । ଏଥିରେ ୩.୧ ନିୟୁତ ଟ୍ରଞ୍ଜିଷ୍ଟର ବ୍ୟବହୃତ ହୋଇଥିଲା । ୧୯୯୩ ମସିହା ମାର୍ଚ୍ଚ ୨୨ ତାରିଖ ଦିନ କମ୍ପାନୀ ଏହାର ଉଦ୍ଭାବନ ସମ୍ପର୍କରେ ଘୋଷଣା କରିଥିଲା । ଇଂଟେଲ କମ୍ପାନୀ ଏହାର ନାମ ପେଂଟିୟମ ମାଇକ୍ରୋପ୍ରୋସେସର ରଖିଥିଲା । ଉନ୍ନତ କାର୍ଯ୍ୟ ଦକ୍ଷତାହେତୁ ଏହି ଚିପ୍‌କୁ ପ୍ରତ୍ୟେକ ବ୍ୟକ୍ତିଗତ କମ୍ପ୍ୟୁଟରରେ ବ୍ୟବହାର କରାଗଲା । ତେଣୁ ବିନୋଦ ପେଂଟିୟମ ଚିପ୍ ଇଂଜିନିୟର ନାମରେ ପରିଚିତ ହୋଇଥିଲେ । ବିନୋଦ ଧାମ ୧୯୯୫ ମସିହାରେ ଇଂଟେଲ କମ୍ପାନୀ ଛାଡ଼ି ନେକ୍ସଜେନ୍‌ରେ ଯୋଗ ଦେଇଥିଲେ । ସେ ଇଂଟେଲ କମ୍ପାନୀରେ ଯୋଗ ଦେବାବେଳକୁ କମ୍ପାନୀର ରାଜସ୍ୱ ଥିଲା ମାତ୍ର ୧ ନିୟୁତ ଡଲାର । ମାତ୍ର ସେ କମ୍ପାନୀ ଛାଡ଼ିବାବେଳକୁ କମ୍ପାନୀର ରାଜସ୍ୱ ୧୬୨୦ କୋଟି ଡଲାରରେ ପହଂଚିଥିଲା ।

ଲେଖା ସମ୍ପର୍କୀୟ ମତାମତ

ହରିପ୍ରିୟା ପଟ୍ଟନାୟକ

29-01-2024 / 18:45:54

ବହୁତ ସୁନ୍ଦର ଲେଖା। ଅନେକ ଅଜଣା କଥା ଜିଣିହେଲା। ଧନ୍ୟବାଦ ସାର୍।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion