ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅକ୍ଟୋବର:୨୦୨୪ , ପ୍ରଥମ ବର୍ଷ : ଦଶମ ସଂଖ୍ୟା ରେ ପ୍ରକାଶିତ )

centered image
 
ଜ୍ଞାନବିଜ୍ଞାନ

ମଝି ଆକାଶରେ ପିଠା ଓ ବଟୁଆ

ଲେଖା : ରବୀନ୍ଦ୍ରନାଥ ମାଝୀ

ମୁଁ ସେଇ ଦେଶକୁ ଯାଇଥିଲି, ଯେଉଁଠି `ଟମ୍‌କକା`ଙ୍କର ଘର ଥିଲା । ଟମ୍‌କକାଙ୍କ ଭଳି ଯେତେସବୁ କଳାଲୋକ ଗୋଟାଏ ସମୟରେ ଏଇଠି ଦାସ (ଭୂତ୍ୟ) ହୋଇ ଖଟୁଥିଲେ । ଗାଈ ଛେଳିଙ୍କ ପରି ସେମାନଙ୍କୁ ବିକ୍ରୀ କରାଯାଉଥିଲା । ଗାଈହାଟ ପରି ଦାସ ହାଟର ନାଆଁ ଥିଲା କେନ୍‌ଚୁକୀ । ଆମ କୁନାକୁନି ଆଜି ସେଇ ଅଞ୍ଚଳର ଫ୍ରାଏଡ଼ ଚିକେନ ଖାଉଛନ୍ତି । ଆମ ଦେଶ ଓ ରାଜ୍ୟରେ କେ.ଏଫ୍‌.ସି (କେନ୍‌ଚୁକୀ ଫ୍ରାଏଡ଼ ଚିକେନ )ଖୁବ୍ ଲୋକପ୍ରିୟ ।
ସେଇ କେନ୍‌ଚୁକୀ ଓ `ଚମ୍‌କକାଙ୍କର ଘର` ଥିଲା ଆମେରିକାରେ । ସୁଯୋଗ ବେଳେ ବେଳେ ଅଚାନକ ଆସେ । ମୋତେ ବି ସେମିତି ଏକ ସୁଯୋଗ ମିଳିଥିଲା ଆମେରିକା ଯିବା ପାଇଁ । ଆମେରିକାରେ ଜନ୍ମ ହେଲା ମୋର ପ୍ରଥମ ନାତି । । ତାକୁ ଦେଖିବାକୁ ଆମେ ଅଜାଆଈ ପ୍ରସ୍ତୁତ ହୋଇଗଲୁ । ଭୁବନେଶ୍ୱର ଛାଡିବାର ସମୟ ଥିଲା ୨୪ ଅଗଷ୍ଟ ୨୦୧୪ । ଦିଲ୍ଲୀରେ ପହଞ୍ôଚ ବିଶ୍ରାମ ନେଲୁ । ମଧ୍ୟରାତ୍ରରେ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଜାପାନୀ ବିମାନ `ଆନା`ରେ ଦିଲ୍ଲୀ ଛାଡ଼ିଲୁ । `ଆନା` (ଅଲ୍ ନିପନ୍ ଏଆରୱେଜ) ଭାରତ ସୀମା ଅତିକ୍ରମ କରି ଚୀନ ଭୂଖଣ୍ଡ ଉପରେ ଉଡିଯାଉଥାଏ । ରାତି ଯୋଗୁଁ ସମୁଦ୍ର ,ସ୍ଥଳଭାଗ କି ଆକାଶ କିଛି ଦିଶୁ ନ ଥିଲା । ବିମାନ ଭିତରେ ଆମ ସମ୍ମୁଖରେ ଗୋଟିଏ କମ୍ପ୍ୟୁଟର ପରଦା ଲାଗିଥାଏ । ସେଇ କମ୍ପ୍ୟୁଟର ପରଦାରେ ସମୟ, ବିମାନର ଗତି, ବାହାରେ ପାଗର ସ୍ଥିତି ଓ ଆକାଶରେ ଆମେ କେଉଁଠି, କେତେବାଟ ଉଡ଼ି ଆସିଲୁଣି ଏବଂ ଜାପାନର `ନରିତା` ଆଉ କେତେ ବାଟ.... ସବୁକଥାର ସୂଚନା ମିଳି ଯାଉଥିଲା ।
ଜାପାନ ଇଲାକାରେ ପହଞ୍ôଚବା ବେଳକୁ ସକାଳ ହୋଇଆସୁଥାଏ । ଜାପାନୀମାନେ ସେମାନଙ୍କ ଦେଶକୁ ସୂର୍ଯ୍ୟୋଦୟର ଦେଶ (ନିପନ) ବୋଲି କହିଥା`ନ୍ତି । ବିମାନର ଝରକାବାଟେ ଦେଖିଲୁ ସୂର୍ଯ୍ୟ ଉଇଁ ଆସୁଛି । ସକାଳର ଭସା ମେଘ କମଳା ରଙ୍ଗୀ ଦିଶୁଥାଏ । ଖୁବ୍ ସୁନ୍ଦର ଥିଲା ସେ ଦୃଶ୍ୟ । ଆକାଶରେ ସୂର୍ଯ୍ୟୋଦୟ ଦେଖିବାରେ ଏହା ଥିଲା ମୋ ପାଇଁ ପ୍ରଥମ ସୁଯୋଗ ।
ଠିକ୍ ସମୟରେ ସକାଳର ଜଳଖିଆ ପରଷିବାକୁ ଆସିଲେ ବିମାନ ପରିଚାରିକା ।ସମସ୍ତେ ଥିଲେ ଜାପାନୀ । ଭାରତୀୟ ନିରାମିଷ ଖାଦ୍ୟ ପାଇଁ ଆମେ ଲେଖି ଜଣାଇଥିଲୁ ।
ଜଳଖିଆ ରହିଥିଲା ଗୋଟାଏ ସୁନ୍ଦର ଜରି ପୁଡିଆରେ । ଏଇଟିକୁ ଜରିପୁଡିଆ କହିଲେ ଠିକ୍ ହେବନାହିଁ । ଏଇଟି ଥିଲା ଗୋଟିଏ ଆଧୁନିକ ବଟୁଆ । ବଟୁଆରେ ଦୁଇଟି ଡୋର ଥାଏ । ଗୋଟିକୁ ଟାଣିଲେ ବନ୍ଦ ହୁଏ । ଅନ୍ୟଟିକୁ ଟାଣିଲେ ଖୋଲିଯାଏ । ପଲିଥିନ ଉପରେ ପଟ୍ଟଚିତ୍ର ପରି ସୁନ୍ଦର ଚିତ୍ର ଥିଲା । ଏଇ ପଲିଥିନ ବଟୁଆଟିକୁ ଖୋଲି ଦେଖିଲି, ତା ଭିତରେ ଅଛି ଗୋଟିଏ କାକରା ପିଠା, କିଛି ସାଲାର୍ଡ଼ ଓ ନିରାମିଷ କେକ୍‌ଟିଏ । କାକରା ପିଠା ଭିତରେ ଥିଲା ନଡିଆ ପୁର । ଏହାର ଧାର କୁଞ୍ଚ କୁଞ୍ଚ ହୋଇଥିଲା । ଖୁବ୍ ସୁମିଷ୍ଟ ଥିଲା ପିଠାଟି ।
ମୁହୂର୍ତ୍ତକ ପାଇଁ ମୁଁ ଭାବବିହ୍ୱଳ ହୋଇଗଲି । ଆମେ ଲୋକେ ଆମକୁ କ`ଣ ଏମିତି ପିଠା ଦେଇଥା`ନ୍ତେ? ପରେ ଜାଣିବାକୁ ପାଇଲି ଯେ ଆମ ଭଳି ଜାପାନ, ଚୀନ ଓ କୋରିଆଲୋକେ ଚାଉଳ ପିଠାର (ମଣ୍ଡାପିଠାଠାରୁ ଆରମ୍ଭ କରି ଗେଟେଇ ଅଟକାଳି ଯାଏ) ସଂସ୍କୃତିକୁ ବଞ୍ଚେଇ ରଖିଛନ୍ତି । ନୂଆବର୍ଷରେ ଚୀନ ଦେଶରେ ହିଁ ମଣ୍ଡାପିଠାରେ ବଜାର ଭରିଯାଏ । ମଣ୍ଡାପିଠା ପ୍ରସ୍ତୁତ ହୁଏ ମେସିନରେ ।
ବିଦେଶୀ ଆକାଶ ଓ ପୁଣି ବିମାନ ଭିତରେ କାକରା ଓ ବଟୁଆ କୌଶଳର ଉପଯୋଗ ମୋତେ ଏତେ ଖୁସି କରି ଦେଇଥିଲା ଯେ ମୁଁ କ୍ଷଣକ ପାଇଁ ଭୁଲିଯାଇଥିଲି ଯେ ଜାପାନ ଆକାଶରେ ଆମେ ଉଡୁଛୁ... । ମନରେ ପ୍ରଶ୍ନ ଆସିଥିଲା ଆମ ଲୋକେ ନିଜ ସଂସ୍କୃତି ଓ ପରଂପରାକୁ ଭୁଲି ଯାଆନ୍ତି କିପରି ? ଚୀନ ଓ କୋରିଆବାସୀ ମଣ୍ଡାପିଠା, ଗେଟେଇ ଅଟକାଳି ଭୁଲି ନାହାଁନ୍ତି । ଜାପାନର ନରିତା ବିମାନ ବନ୍ଦରରେ `ସୁସି` ପିଠା ପାଇଁ ଲମ୍ବା ଭିଡ ଲାଗିଥିବାର ଦେଖିଲି । ଗୋଟା ଚିଙ୍ଗୁଡିଥିବା ପିଠାଟି `ଆମାଇବି ସୁସି` (ମିଠା ଚିଙ୍ଗୁଡି) ନାମରେ ବେଶ୍ ଲୋକପ୍ରିୟ । ନରିତା ବିମାନ ବନ୍ଦରରେ ତିନି ଘଂଟାର ରହଣି ପରେ ବିମାନ ବଦଳାଇ ସାନଫ୍ରାନସିସ୍‌କୋ ଯାଉଥିବା ବିମାନରେ ଚଢି ଜାପାନ ଛାଡିଲୁ । ପିଠା ଓ ବଟୁଆର ସ୍ମୃତି ନେଇ ଜାପାନକୁ ସାୟନାରା କଲୁ ।


କବିତା ଭବନ, ପ୍ଲଟ ନଂ-୧୧୩ / ୩୩୯୫,ଜୟଦେବ ବିହାର. ଭୁବନେଶ୍ୱର-୭୫୧୦୧୩

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion