ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ନଭେମ୍ବର :୨୦୨୪ , ପ୍ରଥମ ବର୍ଷ : ଏକାଦଶ ସଂଖ୍ୟା ରେ ପ୍ରକାଶିତ )

centered image
 
ଗପ

ପ୍ରକୃତ ସୁଖ

ଲେଖା : ଶ୍ରୀମତୀ ଜ୍ଯୋତ୍ସ୍ନା ସିଂହ

ଗୋଟିଏ ଗାଁରେ ରଘୁବୀର ନାମକ ଧନୀ ଲୋକଟିଏ ବାସ କରୁଥିଲେ। ତାଙ୍କର ଘରବାରି ଟଙ୍କା ସୁନା ଅଳଙ୍କାର ବହୁତ ଥିଲା। ତଥାପି ସେ ନିଜ ପାଇଁ କିମ୍ବା ଅନ୍ୟମାନଙ୍କ ପାଇଁ କେବେ କିଛି ଖର୍ଚ୍ଚ କରିବାକୁ ଭଲ ପାଉ ନ ଥିଲେ। ବରଂ କେଉଁ ବାଟରେ କେମିତି ଭାବରେ ଧନ ବଢ଼ିବ ସେହି କଥା ସେ ଦିନ ରାତି ଚିନ୍ତା କରୁଥିଲେ।
ଥରେ ସେହି ଧନୀ ବ୍ୟକ୍ତି ଜଣକ ଶୁଣିଲେ ନଈ ପାଖରେ ଥିବା ମନ୍ଦିରର କିଛି ଜମି ବିକ୍ରି ହେବ। ସେହି ଜମିରେ ପ୍ରଚୁର ସୁନା ଥିବାର କେତେକ ବୁଢ଼ା ଲୋକ କହିବାକୁ ଲାଗିଲେ। ଏକଥା ଚାରିଆଡ଼େ ପ୍ରଚାର ହୋଇଗଲା। ଧନୀ ବ୍ଯକ୍ତି ଜଣକ ସୁନା ମିଳିବା କଥା ଶୁଣି ସେହି ଜମିକୁ କିଣିବାକୁ ଚାହିଁଲେ। ଧନ ଲାଳସାରେ ଅଧିକ ଟଙ୍କା ଦେଇ ଧନୀ ବ୍ଯକ୍ତି ଜଣଙ୍କ ସେ ଜମିକୁ କିଣିନେଲେ। ଏହା ପରେ ଲୋକ ଲଗାଇ ଜମି ଖୋଳିବା ଆରମ୍ଭ କରିଦେଲେ। ଜମି ଖୋଳିବାକୁ ଅନେକ ଟଙ୍କା ଖର୍ଚ୍ଚ ହୋଇଗଲା। ହେଲେ ମାଟି ତଳୁ କୌଣସି ଧନ ମିଳିଲା ନାହିଁ। ଧନୀ ବ୍ଯକ୍ତି ଜଣକ ଦୁଃଖରେ ଭାଙ୍ଗି ପଡ଼ିଲେ। କାରଣ ଧନ ମିଳିବା ଆଶାରେ ସେ ପ୍ରଚୁର ଟଙ୍କା ଖର୍ଚ୍ଚ କରି ସାରିଥିଲେ। ସେ ଜମିକୁ ଧନୀ ବ୍ଯକ୍ତି ଜଣଙ୍କ ବିକ୍ରି କରିଦେବାକୁ ଚାହିଁଲେ। ହେଲେ ଜମିରୁ କୌଣସି ଧନ ନ ମିଳିବାର କଥା ଶୁଣି ଲୋକେ ସେ ଜମିକୁ ଆଉ କିଣିବାକୁ ଚାହିଁଲେନି। ସେତେବେଳକୁ ସେ ଜମିର ଦର ବହୁତ କମିଗଲା।
ସେହି ସମୟରେ ଧନୀ ବ୍ଯକ୍ତି ଜଣଙ୍କର ଜଣେ ଗରିବ ବନ୍ଧୁ ଆସି କହିଲେ ତୁମେ ଏତେ ଦୂର ମାଟି ଖୋଳିଲଣି।ନିରାଶ ନ ହୋଇ ଧର୍ଯ୍ଯର ସହ ଆଉ ଚାରି ପାଞ୍ଚ ଫୁଟ ଖୋଳି ଦେଖ କାଳେ ଧନ ମିଳି ଯାଇପାରେ। ହେଲେ ଧନୀ ବ୍ଯକ୍ତି ଜଣଙ୍କର ସେତେ ବେଳକୁ ଧର୍ଯ୍ଯର ସୀମା ଟପି ଯାଇଥିଲା। ସେ ଦୁଃଖ ଓ ବିରକ୍ତିଭାବ ପ୍ରକାଶ କରି କହିଲେ ଅଯଥାରେ ଏତେ ଅର୍ଥ ପାଣିରେ ପଡ଼ିଲାଣି,ଆଉ ଅଧିକ ଖର୍ଚ୍ଚ କରି ଅର୍ଥ ବରବାଦ୍ କରିବାକୁ ଚାହୁଁନି। ଭାଗ୍ୟରେ ଯାହାଥିଲା ତାହାଁହି ଘଟିଲା। ଖୁବ୍ ଅଳ୍ପ ଦରରେ ଜମିକୁ ସେହି ଗରିବ ବନ୍ଧୁକୁ ବିକିଦେଲେ।
ଗରିବ ବନ୍ଧୁ ଜଣକ ଖୁବ୍ ପରିଶ୍ରମୀ ଥିଲେ। ସେ ଜାଣିଥିଲେ ଯେ କୌଣସି କାର୍ଯ୍ୟରେ ନିଷ୍ଠା,ଶ୍ରଦ୍ଧା ଓ ଧୈର୍ଯ୍ଯ ଥିଲେ କାର୍ଯ୍ଯରେ ସଫଳ ଲାଭ କରିହୁଏ। ଜମିରେ ଚାଷ କାମ କରିବା ପୂର୍ବରୁ ବ୍ଯକ୍ତି ଜଣକ ଖୋଳା ହୋଇଥିବା ଜମିକୁ ଆଉ ପାଞ୍ଚ ଛଅ ଫୁଟ ଖୋଳି ଦେଖିବାକୁ ଚାହିଁଲେ। ନିରାଶ ନ ହୋଇ ଧୈର୍ଯ୍ଯ ସହକାରେ ଜମିକୁ ଖୋଳିବାକୁ ଲାଗିଲା। ସତକୁ ସତ ସେ ମାଟି ତଳୁ ପ୍ରଚୁର ଧନ ମିଳିଲା। ଗରିବ ଲୋକଟି ଏତେ ଧନ ଦେଖି ଆଶ୍ଚର୍ଯ୍ଯ ହୋଇଗଲା। ହେଲେ ଏତେ ଧନ ଦେଖି ମଧ୍ଯ ଲୋକଟିର ମନରେ ଟିକେହେଲେ ଲୋଭ ଆସୁ ନ ଥାଏ। ସେ ମନେ ମନେ ଭାବିଲା ଏ ଧନ ତ ମୋ ପରିଶ୍ରମର ଫଳ ନୁହେଁ,ତେଣୁ କାହିଁକି ମୁଁ ଏ ଧନକୁ ରଖିବି ?ଏ ତ ପର ଧନ।ଏଣୁ ଏ ଧନକୁ ପର ହିତରେ ଲଗାଇ ଦେବି। ସେ ଗାଁରେ ଡାକ୍ତରଖାନାଟିଏ ନ ଥିଲା। ଲୋକମାନେ ଚିକିତ୍ସା
ପାଇଁ ବହୁତ ହଇରାଣ ହେଉଥିଲେ। ଚିକିତ୍ସା ପାଇଁ ବହୁତ ଦୂର ସ୍ଥାନକୁ ବହୁ ହଇରାଣ ହୋଇ ଲୋକମାନଙ୍କୁ ଯିବାକୁ ପଡ଼ୁଥିଲା। ତେଣୁ ଗରିବ ଲୋକଟି ସେହି ଅର୍ଥରେ ଗାଁରେ ଡାକ୍ତରଖାନାଟିଏ ବସାଇଲା। ଲୋକମାନେ ସୁବିଧାରେ ଚିକିତ୍ସା ପାଇ ବହୁତ ଖୁସି ହେଲେ। ଗରିବ ଲୋକଟିକୁ ବହୁତ ପ୍ରଶଂସା କଲେ। ସେମାନେ ପରସ୍ପର କୁହାକୁହି ହେଲେ‐ ଦେଖିଲତ,ଭଗବାନ କେମିତି ସତ୍ ପାତ୍ରରେ ଧନ ଦାନ କରନ୍ତି। ଗ୍ରାମବାସୀମାନେ ଲୋକଟିକୁ ବହୁତ ଭକ୍ତି ଓ ସମ୍ମାନ ଦେଖାଇଲେ। ହେଲେ ଲୋକଟି ମନରେ ଟିକେ ହେଲେ ଗର୍ବ କି ଲୋଭ ସ୍ପର୍ଶ କରୁ ନ ଥାଏ। ବରଂ ସେ ଲୋକଙ୍କୁ କହୁ ଥାଆନ୍ତି ଆରେ,ଏ ଧନକୁ ଯଦି ମୋର କହି ପେଡ଼ିରେ ସାଇତି ରଖିଥାନ୍ତି ତେବେ ମୁଁ କଣ ତୁମମାନଙ୍କର ସ୍ନେହ ମମତା ଭଳି ଧନ କଣ ପାଇ ଥାଆନ୍ତି ? ଏହା ମୋ ପରିଶ୍ରମର ଫଳ ନୁହେଁ। ବୋଧହୁଏ ଭଗବାନ ଆମ ସମସ୍ତଙ୍କ ପାଇଁ ଏ ଧନକୁ ଦାନ କରିଛନ୍ତି। ମୁଁ କେବଳ ତାର ଜଗୁଆଳୀ। ଧନର ଠିକ୍ ଉପଯୋଗ ହୋଇ ପାରିଲେ ଏହାର ମହତ୍ତ୍ବ ଅଧିକ ବଢ଼ିଯାଏ। ତାର ମୂଲ୍ୟ ଅଧିକ ବଢ଼ିଯାଏ। କିନ୍ତୁ ପେଡ଼ିରେ ସାଇତି ହୋଇ ରହିଥିବା ଧନ ମୂଲ୍ୟହୀନ ଅଟେ। ଏହା ଛଡ଼ା ସତ୍ ଉପଯୋଗରେ ଲାଗୁଥିବା ଧନ ମନରେ ଅସୀମ ସୁଖ ଶାନ୍ତି ଭରିଦିଏ। ସେଥିରୁ ଆତ୍ମସନ୍ତୋଷ ମିଳେ। ଏହା ହିଁ ଚିର ଶାଶ୍ବତ ସୁଖ ଅଟେ। ସୁଖ ଶାନ୍ତି ବାଣ୍ଟୁଥିବା ଧନ ହିଁ ପ୍ରକୃତ ଧନ ଅଟେ। ମୁଁ ଯଦି ଏ ସବୁ ଧନକୁ ନେଇ ପେଡ଼ିରେ ସାଇତି ରଖିଥାଆନ୍ତି ତେବେ ତୁମମାନଙ୍କ ମନରେ ହସ ଟିକେ କ`ଣ ଦେଖି ଥାଆନ୍ତି? ନା ତୁମମାନଙ୍କର ସ୍ନେହ,ଶ୍ରଦ୍ଧା,ମମତା ଟିକେ ପାଇଥାଆନ୍ତି? ଯେଉଁ ଧନ କାହାର ଆଖିରୁ ଲୁହ ଟିକେ ପୋଛି ମୁହଁରେ ହସ ଟିକେ ଫୁଟାଇ ପାରେନି,ସେ ଧନ ପାଖରେ ରହି ଲାଭ କଣ? ଧନକୁ ଯଦି ପାଖରେ ରଖି ଥାଆନ୍ତି ତେବେ ଚୋର ଖଣ୍ଟଙ୍କ କବଳରୁ ରକ୍ଷା ପାଇବା ପାଇଁ ଦୁଶ୍ଚିନ୍ତାରେ ଦୁଃଖ କାଟି ଥାଆନ୍ତି। ତେବେ ଏତେ ଦୁଃଖ ଦୁଶ୍ଚିନ୍ତା ବଦଳରେ ଯେଉଁ ସୁଖ,ଆନନ୍ଦ ଓ ଶାନ୍ତି ପାଉଛି,ତାହା ହିଁ ମୋ ପାଇଁ ଶ୍ରେୟସ୍କର ଧନ ଅଟେ।
ଲୋକମାନେ ଗରିବ ଲୋକଟିର ଏଭଳି କଥା ଶୁଣି ଭକ୍ତି ସମ୍ମାନରେ ମୁଣ୍ଡ ନୁଆଇଁ ଦେଉ ଥାଆନ୍ତି। ବୟସ୍କ ଲୋକମାନେ ଆଶୀର୍ବାଦ କରି ତାର ମଙ୍ଗଳ କାମନା କରୁଥାଆନ୍ତି।
ସମସ୍ତଙ୍କ ମୁହଁରୁ ଗରିବ ଲୋକଟିର ପ୍ରଶଂସା ଶୁଣିବାକୁ ମିଳିଲା। ଗରିବ ଲୋକଟିର ପ୍ରଶଂସା ଧନୀ ଲୋକଟିର କାନରେ ବାଜିଲା। ସେ ଦିନେ ହେଲେ ଏଭଳି ପ୍ରଶଂସା କାହାଠୁ ଶୁଣିବାକୁ ପାଇନି। ତା ମନରେ ପରିବର୍ତ୍ତନ ଆସିଲା। ସେ ଭାବିଲା ସତ କଥାତ,ଧନକୁ କେବଳ ସାଇତି ରଖି କଣଟା ପାଉଛି? ମୋର ମୃତ୍ଯୁ ପରେ ଲୋକେ କେବଳ ମୋତେ ନିନ୍ଦା କରିବେ। ସାଇତି ରଖିଥିବା ଧନକୁ ଯଦି ଲୋକଙ୍କ ଉପକାରରେ ଲଗାନ୍ତି,ତେବେ ଲୋକେ ମୋତେ ସବୁଦିନ ପାଇଁ ମନେ ରଖନ୍ତେ। ପ୍ରଶଂସା ମଧ୍ୟ କରନ୍ତେ। ସେ ଧନୀ ଲୋକ ଜଣକ ସାଇତି ରଖାଥିବା ସମସ୍ତ ଧନକୁ ଖର୍ଚ୍ଚ କରି ଗ୍ରାମରେ ମନ୍ଦିର ତୋଳାଇଲା। ଲୋକଙ୍କ ପାଇଁ ପୋଖରୀଟିଏ ଖୋଳାଇଲା। ଲୋକେ ଧନୀ ବ୍ୟକ୍ତିଟିର ପରିବର୍ତ୍ତନ ଦେଖି ଆଶ୍ଚର୍ଯ୍ଯ ହୋଇଗଲେ। ସେମାନେ ବହୁତ ପ୍ରଶଂସା ମଧ୍ୟ କଲେ।
ଏତେ ଦିନକେ ଧନୀ ବ୍ୟକ୍ତି ଜଣକ ଜୀବନରେ ପ୍ରକୃତ ସୁଖକୁ ଅନୁଭବ କରି ପାରିଲେ। ସେ ଅନୁଭବ କରି ପାରିଲେ ପେଡ଼ିରେ ସାଇତି ରଖା ଯାଇଥିବା ଧନର ମହତ୍ତ୍ବ କିଛି ନାହିଁ। ଅନ୍ୟର ଉପକାରରେ ଲାଗୁଥିବା ଧନର ମହତ୍ତ୍ବ ଅଧିକ ହୋଇଥାଏ। ଲୋକଙ୍କ ମୁହଁରେ ହସ ଫୁଟାଇ ସେ ଯେଉଁ ସୁଖ ଅନୁଭବ କରୁଥିଲେ ତାହା ଥିଲା ତାଙ୍କ ପାଇଁ ପ୍ରକୃତ ସୁଖ। କାରଣ ସେଭଳି ସୁଖ ସେ ଜୀବନରେ କେବେବି ଅନୁଭବ କରିପାରି ନ ଥିଲେ ।


ଅବସରପ୍ରାପ୍ତ ଶିକ୍ଷୟିତ୍ରୀ
ନିଆଳୀ,କଟକ‐୭୫୪୦୦୪

ପଣତକାନୀ

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion