ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜାନୁୟାରୀ:୨୦୨୪ , ପ୍ରଥମ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

centered image
 
ଗପ

ଆମେ ବୁଲିଯିବା ମାମୁଁ ରାଇଜ

ଲେଖା : କବିତା ମିଶ୍ର

ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ମହାକାଶଯାନ ଚନ୍ଦ୍ରାୟନ ବିଷୟରେ ବହୁତ କଥା ପିଲାମାନଙ୍କୁ କହିଲେ । ଟିଭି ପରଦାରେ ସମସ୍ତଙ୍କୁ ଦେଖାଇଲେ। ଚନ୍ଦ୍ରାୟନ-୩ କିପରି ଆକାଶରେ ଉଡିଗଲା। ପିଲାମାନେ ଭାରି ଖୁସି, ସମସ୍ତେ କହି ଉଠିଲେ, ଜୟ ଭାରତ, ଜୟ ବିଜ୍ଞାନ ।
ଗୁରୁଜୀ କହିଲେ “ଚନ୍ଦ୍ରାୟନ-୩ ” ଚନ୍ଦ୍ରପୃଷ୍ଠରେ ପହଞ୍ଚିବାକୁ ଦେଢମାସ (୪ ୫ଦିନ) ଲାଗିଯିବ। ଘଣ୍ଟାକୁ ତିନିହଜାର କିଲୋମିଟର ବେଗରେ ଯାଉଛି। ସୁମନ ପଚାରିଲା, ଏତେ ଦିନ କାହିକି ଲାଗିବ? ଚନ୍ଦ୍ର ପୃଥିବୀର ଉପଗ୍ରହ। ଆମ ପଡ଼ୋଶୀ । ଗୁରୁଜୀ କହିଲେ, ଚନ୍ଦ୍ର ଆମ ପଡ଼ୋଶୀ ହେଲେ ମଧ୍ୟ ଆମଠାରୁ ତିନିଲକ୍ଷ ଚୌରାଅଶୀରୁ ଅଧ୍ଵକ କିଲୋମିଟର ଦୂରରେ ଅଛି। ତେଣୁ ଯାନଟି ଚନ୍ଦ୍ରପୃଷ୍ଠରେ ପହଞ୍ଚିଲା ବେଳକୁ ତାକୁ ଦେଢ଼ମାସ ସମୟ ଲାଗିବ।
ବାବୁନାଟା ଭାରି ଚଗଲା ପିଲା । ସେ କହିଲା କାହିକି ? ମୋ `ମାମା ତ ହାତ ବଢ଼ାଇଲେ ଆମ ଜହ୍ନମାମୁଁ ଚାଲିଆସନ୍ତି। ମୁଁ ତାଙ୍କୁ ଆମ ଛାତ ଉପରେ ବହୁତ ପାଖରେ ଦେଖେ, ମୁଁ ଜହ୍ନମାମୁଁ ପାଖକୁ ଯିବି । ସବୁ ପିଲା, ଗୁରୁଜୀ, ଗୁରୁମା ହସି ଉଠିଲେ । ବିଜ୍ଞାନ ଗୁରୁଜୀ ବାବୁନା ମୁଣ୍ଡରେ ହାତ ବୁଲାଇ କହିଲେ, ତୁ ମନ ଦେଇ ଭଲ ପାଠ ପଢ଼ । ବଡ ବୈଜ୍ଞାନିକ ହୋଇ ନିଶ୍ଚୟ ଜହ୍ନମାମୁଁ ପାଖକୁ ଯିବୁ।
ସ୍କୁଲ ଛୁଟି ହେଲା, ସମସ୍ତେ ଘରକୁ ଫେରିଲେ।
ବାବୁନା ଆସି ସବୁକଥା ତା ମାମାକୁ କହିଲା। ମାମା ଶୁଣି କହିଲେ, ତୁ ତ ଚଗଲା ହେଉଛୁ। ମନ ଦେଇ ପାଠ ପଢୁନାହୁଁ। କେମିତି ଜହ୍ନମାମୁଁ ପାଖକୁ ଯିବୁ ? ବାବୁନା ସଂଧ୍ୟାବେଳେ ଛାତ ଉପରକୁ ଯାଇ ଜହ୍ନମାମୁଁକୁ ମନ ପୁରେଇ ଦେଖିଲା । ବାପା ଅଫିସ୍‌ରୁ ଆସି
ଡାକିବାରୁ ତଳକୁ ଆସିଲା। ମନ ତାର ଏ ସବୁ ବିଷୟରେ ଅଧିକ କିଛି ଜାଣିବାକୁ ଚାହିଁବାରୁ, ବାବା କହିଲେ, ବୁଝିଲୁ ପୁଅ, “ଚନ୍ଦ୍ରାୟନ-୩” ପାଇଁ ଆମ ଓଡ଼ିଶାର ଇଞ୍ଜନିୟର ମାନେ ରାତିଦିନ ଗବେଷଣା କରି ଅନେକ ଯନ୍ତ୍ରପାତି ତିଆରି କରି ଇଶ୍ରୋକୁ ପଠାଇଛନ୍ତି । ଅନ୍ୟାନ୍ୟ ବୈଜ୍ଞାନିକ ସଂଗଠନ କ୍ରମାଗତ ଭାବରେ ଚନ୍ଦ୍ର ମିଶନର ବିକାଶ କରୁଛନ୍ତି । ଯାହା ଆମକୁ ଚନ୍ଦ୍ରପୃଷ୍ଠରେ ଜଳ,ବାୟୁମଣ୍ଡଳ ଓ ଜୀବନ ଧାରଣାର ସମ୍ଭାବନା ବିଷୟରେ ଅଧିକ ସୂଚନା ଦେବ। ତୁ ସେମିତି ଭଲ ପାଠ ପଢ଼ିଲେ ବୈଜ୍ଞାନିକ ହୋଇ ସବୁ ଜାଣିବୁ । ବାବା କହିଲେ, ଆମେ କାହିଁକି ତାଙ୍କୁ ଜହ୍ନମାମୁଁ ଡାକୁ ଜାଣିଛୁ? ପୃଥିବୀ ଆମର ମାଆ। ଚନ୍ଦ୍ର ତାର ଭାଇ। ତେଣୁ ସେ ଆମ ସମସ୍ତଙ୍କର ଜହ୍ନମାମୁଁ। ବଡହେଲେ ମାମୁଁ ରାଇଜ ବୁଲି ଦେଖିବୁ ।
ବାବୁନା ମନକୁ ଏ ଗୁଡିକ ବେଶ ପାଇଲା। ଠାକୁରଙ୍କୁ ପ୍ରଣାମ କରି ପାଠ ପଢ଼ି ବସିଲା। ରାତିରେ ଖାଇସାରି ଶୋଇ ପଡିଲା । ଚାରିଆଡ଼ ଅନ୍ଧାର । ବାବୁନାକୁ ପ୍ରବଳ ନିଦ, ସେ ଦେଖୁଛି ଜହ୍ଵମାମୁଁ ତାକୁ ଦେଖୁ ହସୁଛନ୍ତି। ଆକାଶସାରା ବାଦଲରେ ପଶି, ତାରାମାନଙ୍କ ସହିତ ମାମୁଁ ହସି ହସି ଲୁଚକାଳି ଖେଳୁଛନ୍ତି। ବାବୁନା ଯେତେ ଡାକିଲା , ହାତ ବଢ଼ାଇଲା, ତାକୁ ଧରା ଦେଉ ନାହାନ୍ତି। ବାବୁନା କାନ୍ଦି କାନ୍ଦି କହିଲା, ରାତି ପାହିଯିବ, ତୁମେ ଆମକୁ ଆଉ ଦିନସାରା ଦେଖା ଦେବ ନାହି | ହେ ଜହ୍ଵମାମୁଁ! !, ତୁମେ ଆକାଶରୁ ଥରେ ଆମ ଦେଶକୁ ଆସ। ତୁମ ଦେଶ କଥା ଜାଣିବାକୁ ମୋର ଭାରି ଇଚ୍ଛା। ତା କଥାଶୁଣି ଜହ୍ନମାମୁଁ ହସି ହସି କହିଲେ, ଆରେ ବାବୁନା ମୋର କଣ କିଛି ଯାନବାହନ ଅଛି ଯେ, ମୁଁ ତୁମ ପାଖକୁ ଯିବି। ତୁମେ ତ ଜ୍ଞାନ ବିଜ୍ଞାନ ବଳରେ ବହୁ ଗବେଷଣା କରି ଆମ ରାଇଜକୁ ଉଡ଼ି ଆସିବାକୁ ବହୁତ ଯନ୍ତ୍ରପାତି ତିଆରି କଲଣି। ତୁମେ ଆମ ରାଇଜକୁ ବୁଲି ଆସ। ଏଠାରେ ରହି ରାସ୍ତାଘାଟ କଳକାରଖାନା, ସ୍କୁଲ ଘରଦ୍ବାର ତିଆରି କରି ଆରାମରେ ରହିପାରିବ । ବାବୁନା କହିଲା, ମୁଁ ତ ଛୋଟପିଲା, କେମିତି ଯିବି ? ଜହ୍ଵମାମୁଁ କହିଲେ, ତୁ ଭଲପାଠ ପଢ଼ି ବଡ଼ ବୈଜ୍ଞାନିକ ହେବାକୁ ଚେଷ୍ଟାକର । ତାପରେ ଆମ ରାଇଜକୁ ବୁଲି ଆସିବୁ। ଏଇଠି ଖେଳି ବୁଲି ମଜ୍ଜା କରିବା। ବାବୁନା ଖୁସିରେ କହି ଉଠିଲା, ମୁଁ ଭଲ ପାଠ ପଢ଼ି ବଡ ବୈଜ୍ଞାନିକ ହେବି। ଆକାଶରେ ଉଡି ଉଡ଼ି ତୁମ ପାଖକୁ ଯିବି। ତୁମ ରାଜ୍ଯରେ ମୁଁ ଆଗ ଯାଗା କିଣି ଘର କରି ରହିବି। ଜହ୍ନମାମୁଁ କହିଲେ, ରାତି ପାହିଗଲାଣି, ମୁଁ ଯାଉଛି। କାଲି ସଂଧ୍ୟାରେ ପୁଣି ଦେଖାହେବ। ବାୟ. .ବାୟ.. କହି ଜହ୍ନ ଲୁଚିଗଲେ।
ବାବୁନା ନିଦରୁ ଉଠି ଦେଖିଲା,ବିଛଣାରେ ବସିଛି। ଖୁସିରେ କାଲି ରାତି କଥା ମାମା, ବାବାଙ୍କୁ କହି ପକାଇଲା। ସ୍କୁଲ ଯାଇ
ସାଂଗସାଥୀ ମାନଙ୍କୁ ସବୁ କହିଲା । ସମସ୍ତେ କହିଲେ, ହଁରେ ବାବୁନା, ଆମେ ଭଲ ପାଠ ପଢ଼ି ବଡ଼ ବୈଜ୍ଞାନିକ ହେବା। ଜହ୍ନମାମୁଁ ପାଖକୁ ନିଶ୍ଚୟ ବୁଲିଯିବା।
ଅବସରପ୍ରାପ୍ତ ଶିକ୍ଷୟିତ୍ରୀ
ସେକୃର-୩/୫୫ ,
ନୀଳାଦ୍ରୀ ବିହାର, ଭୁବନେଶ୍ବର- ୨୧
ମୋ.ନଂ : ୯୯୩୭୦୩୩୭୫୦

ଲେଖା ସମ୍ପର୍କୀୟ ମତାମତ

ହରିପ୍ରିୟା ପଟ୍ଟନାୟକ

29-01-2024 / 18:30:50

ଭାରି ସୁନ୍ଦର ହେଇଛି ଗପଟି

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion