ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମାର୍ଚ୍ଚ:୨୦୨୫ , ଦ୍ଵିତୀୟ ବର୍ଷ : ତୃତୀୟ ସଂଖ୍ୟା ରେ ପ୍ରକାଶିତ )

centered image
 
ଗପ

ପଶୁଙ୍କ ଚାଟଶାଳୀ ଗଲା ଫସର ଫାଟି

ଲେଖା : ଡକ୍ଟର ବସନ୍ତ କିଶୋର ସାହୁ

ପଶୁଙ୍କ ଚାଟଶାଳୀ ଖୋଲାଯିବା ଘୋଷଣା ପର ଦିନ ଠିକ୍ ସକାଳ ଦଶଟା ବାଜିବା ପୂର୍ବରୁ ଝରଣା କୂଳ ପଡିଆରେ ପିଲାମାନଙ୍କ ସହିତ ପିତାମାତାଙ୍କ ଗହଳି ବଢ଼ିଗଲା । ସମସ୍ତେ ନିଜ ନିଜ ପିଲାଙ୍କୁ ସ୍କୁଲରେ ଛାଡିବାକୁ ଆସିଥାନ୍ତି । ହାତୀ ଗେଟ ପାଖରେ ଛିଡା
ହୋଇ କେବଳ ପିଲାମାନଙ୍କୁ ସ୍କୁଲ ଭିତରକୁ ଛାଡିଲା । ପିଲାମାନେ ନିଜ ବାପାମାଆଙ୍କୁ ଛାଡ଼ି କାନ୍ଦି କାନ୍ଦି ସ୍କୁଲ ଭିତରକୁ ଗଲେ । ପଶୁପକ୍ଷୀଙ୍କ ସାବକମାନଙ୍କ କେଁ କାଁ, ଭେଁ ଭାଁ, ଖେଁ ଖାଁ ଓ ଘୋ ଘାରେ ସ୍କୁଲ ପରିସର କମ୍ପମାନ ହେବାକୁ ଲାଗିଲା । ନିଜ ମନକୁ ବୁଝାଇ ସମସ୍ତ ପିତାମାତା ନିଜ ନିଜ ଘରକୁ ବାହୁଡି ଗଲେ ।
ଯେଊଁମାନଙ୍କ ଘର ଦୂର ସେମାନେ ଟିକିଏ ଦୂରକୁ ଯାଇଁ ନିଜ ପିଲାଙ୍କୁ ସାଙ୍ଗରେ ନେବା ପାଇଁ ଅପେକ୍ଷା କରି ରହିଲେ ।
ଚାହୁଁ ଚାହୁଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ପାଠ ପଢ଼ାଇବା ପାଇଁ ଗୋଟିଏ ଗୋଟିଏ ଗଛ ମୂଳରେ ବସିଗଲେ । ପିଲାମାନେ ନିଜ ନିଜ ସ୍ଥାନରେ ବସିବା ସହିତ ଖାତା କଲମ ବାହାର କରି ବସିଲେ । ପ୍ରଧାନ ଶିକ୍ଷକ ପିଅନକୁ କହି ପ୍ରାର୍ଥନା ବେଲ୍ ବଜାଇ ଦେଲେ ।
ସମସ୍ତେ ନିଜ ନିଜ ସ୍ଥାନରେ ଠିଆ ହୋଇ ମାଇକ୍‌ରେ ବୋଲା ଯାଉଥିବା ପ୍ରାର୍ଥନା ଉଚ୍ଚାରଣ କରି ଗାଇବାକୁ ଚେଷ୍ଟା କଲେ । ତା ପରେ ସମସ୍ତେ ସେଇ ଅନୁଯାୟୀ ମନେ ମନେ ବା ପାଟି କରି ପ୍ରାର୍ଥନା ଗାଇଲେ । ପ୍ରାର୍ଥନା ସରିଲା ପରେ ପାଠ ପଢ଼ା ଆରମ୍ଭ ହେଲା । ପାଠ ପଢ଼ା ପୂର୍ବରୁ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ପିଲାମାନଙ୍କୁ ସେମାନଙ୍କ ନାମ ପଚାରି ନିଜ ନିଜ ରୋଲ୍‌ ନମ୍ବର କହିଦେଲେ । ଉପସ୍ଥାନ ଖାତାରେ ସମସ୍ତଙ୍କ ନାମ ଦେଖି ପିଲାମାନେ ଖୁସି ହେଲେ । ତା ପରେ ପାଠ ପଢ଼ା ଆରମ୍ଭ ହେଲା । ଜୀବନରେ କେବେ ସ୍କୁଲ ମାଡି ନଥିବା ପଶୁ ପକ୍ଷୀ ସାବକମାନେ ପରସ୍ପର ମଧ୍ୟରେ କଳି ଝଗଡ଼ା ଆରମ୍ଭ କରିଦେଲେ । କିଏ କାହାକୁ ଖୁମ୍ପିଲାଣି ତ କିଏ କାହାକୁ ପାଖରେ ବସାଇ ନଦେବା ପାଇଁ ଜିଦ୍ ଧରି ବସିଲାଣି । ଏହି ସବୁ କଥା ଦେଖି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମସ୍ତଙ୍କୁ ବୁଝାଇବାକୁ ଚେଷ୍ଟା କଲେ । ହେଲେ କଣ ହେବ? କେହି କାହା କଥା ଶୁଣିବାକୁ ପ୍ରସ୍ତୁତ ନୁହଁନ୍ତି ।
ଏହା ଦେଖି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମୁଣ୍ଡ ଗରମ ହୋଇଗଲା । ସେମାନେ ସମସ୍ତଙ୍କୁ ଅଲଗା ଅଲଗା ସ୍ଥାନରେ ବସିବା ପାଇଁ ମାଇକ୍‌ରେ ଘୋଷଣା କଲେ । ବିଲୁଆ ମନ୍ତ୍ରୀ ବି ସ୍କୁଲର ଅବସ୍ଥା ଦେଖି ବିଚଳିତ ହୋଇ ପଡିଲେ । ଯେତେ ବୁଝାବୁଝି କଲେ ବି ଶାବକମାନେ କାହାରି କଥା ଶୁଣିବା ପାଇଁ ପ୍ରସ୍ତୁତ ହେଲେ ନାହିଁ । ଚିଁ ଚାଁ, ଭେଁ ଭାଁ ଶବ୍ଦରେ ଖଣ୍ଡ ମଣ୍ଡଳ କମ୍ପିବାରେ ଲାଗିଲା । କଥା ଯାଇଁ ଭାଲୁ ରାଜାଙ୍କ କାନରେ ପଡିଲା । ରାଜା ଅବସ୍ଥା ନୀରିକ୍ଷଣ କରିବା ପାଇଁ ସ୍କୁଲରେ ଆସି ପହଞ୍ଚି ଗଲେ । ସ୍କୁଲର ପରିସ୍ଥିତି ଓ ଅବସ୍ଥା ଦେଖି
ସେ ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ । ପିଲାମାନଙ୍କୁ ଆଜି ଦିନଟି କିପରି ସମ୍ଭାଳି ରଖିବେ ସେଥିପାଇଁ ସମସ୍ତଙ୍କୁ ଚେଷ୍ଟା କରିବା ପାଇଁ ଅନୁରୋଧ କଲେ ।
ଏ ଭିତରେ ମାଡଗୋଳ ହୋଇ ହରିଣ ଛୁଆର ଗୋଡ ଭାଙ୍ଗି ଯାଇଥିଲା । ସେ ଭୋ ଭୋ ହୋଇ ଖାଲି କାନ୍ଦୁଥିଲା । ଅନ୍ୟ ହରିଣ ଛୁଆ ନିଜ ସାଙ୍ଗର ଏପରି ଅବସ୍ଥା ଦେଖି ସମସ୍ତଙ୍କୁ ମୁଣ୍ଡିଆ ମାରି ଲହୁ ଲୁହାଣ କରି ପକାଉଥାନ୍ତି । ରାଜା ଭାଲୁ ସେଠାରେ ପହଞ୍ଚି ହରିଣ
ଛୁଆଟିକୁ ସଙ୍ଗେ ସଙ୍ଗେ ପଶୁମାନଙ୍କର ବଇଦ ବଣ ଓଧ ପାଖକୁ ପଠାଇ ଦେଲା । ବଇଦ ହରିଣ ଗୋଡରେ ଚେରମୂଳିର ଲେପ ଦେଇ ପଟି ବାନ୍ଧି ଦେବାରୁ ହରିଣ ଛୁଆକୁ ଟିକେ ଭଲ ଲାଗିଲା । ତାର କାନ୍ଦ ବନ୍ଦ ହୋଇଗଲା । ସେହିପରି କଜଳପାତି ଛୁଆକୁ କାଉ ଛୁଆ ଖୁମ୍ପି ଖୁମ୍ପି ଖଣ୍ଡିଆ ଖାବରା କରିଦେଲା । ବଣି ଚଢ଼େଇ ଛୁଆ ଓ ବାଇ ଚଢ଼େଇ ଛୁଆ ବି ପରସ୍ପର ଭିତରେ ଝଗଡ଼ା ଲାଗିଗଲେ । ବଣ ଭୂଆଁ ଛୁଆ କୁନି କୁନି ପକ୍ଷୀମାନଙ୍କୁ ଖାଇବା ପାଇଁ ଟାକି ବସିଲା । ହେଲେ ପକ୍ଷୀ ଶାବକମାନେ ଏହା ଜାଣି ପାରି ଡରି ଡରି ତା ପାଖରୁ ଦୂରେଇ ଗଲେ ।
ସ୍କୁଲର ଏପରି ଅବସ୍ଥା ଦେଖି ରାଜା, ମନ୍ତ୍ରୀ ଓ ପ୍ରଧାନ ଶିକ୍ଷକଙ୍କର ଅକଲ ଗୁଡମ୍ । କ`ଣ କରିବେ ନ କରିବେ କିଛି ସ୍ଥିର କରି ପାରିଲେ ନାହିଁ । ପାଠ ପଢ଼ିବା ଆମ ଦେଇ ହେବ ନାହିଁ ବୋଲି ସେମାନେ ସ୍ଥିର କଲେ ଯଦି ଆଉ ଗୋଟିଏ ଦିନ ସ୍କୁଲ ଚାଲିବ ତା ହେଲେ ନିଶ୍ଚୟ ଝରଣା କୂଳ ପଡିଆରେ ମହାଭାରତ ଯୁଦ୍ଧ ଆରମ୍ଭ ହୋଇଯିବ । ଆଜି ସିନା ପିଲାମାନଙ୍କ ଭିତରେ ଝଗଡ଼ା ଲାଗୁଛି କାଲିଠୁ ବାପାମାଆଙ୍କ ଭିତରେ ଲଢ଼େଇ ଲାଗିଯିବ । ଏଣୁ ମହାଭାରତ ଯୁଦ୍ଧ ହେବା ଆଗରୁ ରାଜା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍କୁଲ ବନ୍ଦ କରିଦେବାକୁ ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଲେ । ପ୍ରଧାନ ଶିକ୍ଷକ ସଙ୍ଗେ ସଙ୍ଗେ ସ୍କୁଲ ଛୁଟି ହେବାର ବହୁ ପୂର୍ବରୁ ଛୁଟି ଘନ୍ଟା। ବଜାଇ
ସ୍କୁଲ ଛୁଟି କରିଦେଲେ । ଯାହାର ପିତାମାତା ଉପସ୍ଥିତ ଥିଲେ ସେମାନେ ନିଜ ନିଜ ପିଲାଙ୍କୁ ଧରି ଘରକୁ ଫେରି ଗଲେ । ଯାହାର ପିତାମାତା ଘରକୁ ପଳାଇ ଯାଇଥିଲେ ସେମାନଙ୍କୁ ଖବର ଦିଆଗଲା ଆସି ନିଜ ନିଜ ପିଲାଙ୍କୁ ନେଇ ଯିବାକୁ । ବିଲୁଆ ମନ୍ତ୍ରୀ ରାଜାଙ୍କୁ କହିଲେ ଯେତିକି ଗଙ୍ଗା ଗଲୁ ସେତିକି ଫଳ ପାଇଲୁ । ଆଉ ଜୀବନରେ କେବେ ପାଠ ପଢ଼ିବା ନାଆଁ ଆମେ ଧରିବା ନାହିଁ । ଏ
ସବୁ ମଣିଷମାନଙ୍କ କାମ । ଆମ ପଶୁ ମାନଙ୍କର ନୁହେଁ ବୋଲି ଭାଲୁ ସମସ୍ତଙ୍କୁ କହିଦେଲେ । 

ସାହିତ୍ୟିକ ଓ ଶିକ୍ଷାବିତ୍‌
କୁସୁପୁର, କୁଆଁପାଳ-୭୫୪୨୦୪
କଟକ(ଓଡ଼ିଶା)
ମୋ : ୯୪୩୭୫୨୬୨୦୧

ଲେଖା ସମ୍ପର୍କୀୟ ମତାମତ

Jayakrushna Sahu

10-03-2025 / 20:02:53

ପଶୁ ପକ୍ଷୀଙ୍କୁ ନେଇ ସୁନ୍ଦର ଗପଟିଏ ଲେଖିଛନ୍ତି। ଭଲଲାଗିଲା।

ଲଷ୍ମୀ କାନ୍ତ ଖୁଣ୍ଟିଆ

01-03-2025 / 11:50:54

ପଶୁପକ୍ଷୀ ଙ୍କୁ ନେଇ ଏଇ ଗପ ଟି ଭଲ ଲାଗିଲା. ବସନ୍ତ ଭାଇ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion