ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଏପ୍ରିଲ:୨୦୨୫ , ଦ୍ଵିତୀୟ ବର୍ଷ : ଚତୁର୍ଥ ସଂଖ୍ୟା ରେ ପ୍ରକାଶିତ )

centered image
 
ଗପ

ମାଛ ଓ ବେଙ୍ଗ

ଲେଖା : ସନ୍ତୋଷ କୁମାର ସାହୁ

ଗୋଟିଏ ପୋଖରୀରେ ମାଛ ଓ ବେଙ୍ଗ ଦୁଇ ବନ୍ଧୁ ରହୁଥିଲେ। ସେ ଦିହେଁ ଏତେ ଘନିଷ୍ଟ ଥିଲେ ଯେ କେହି କାହାକୁ ଛାଡି ରହିପାରୁନଥିଲେ। ବର୍ଷା ଦିନେ ପୋଖରୀଟି ପୂର୍ଣ ହୋଇଯାଉଥିଲା, ତେଣୁ ବର୍ଷସାରା ସେମାନଙ୍କର କିଛି ଅସୁବିଧା ହେଉନଥିଲା। ହେଲେ ଏ ବର୍ଷ ବର୍ଷାହେବାର ନାଁ ନେଉନଥିଲା, ବର୍ଷା ଦିନ ଯାଇ ଖରା ହେଲା ପଛେ ବର୍ଷା ହେଉନଥାଏ। ପୋଖରୀଟି ଧୀରେ ଧୀରେ ଶୁଖିବାକୁ ଲାଗିଲା। ମାଛ, ବେଙ୍ଗ ଏମାନଙ୍କ ମଧ୍ୟରେ ଭାଲେଣି ପଡିଲା, ଯଦି ପୋଖରୀଟି ସମ୍ପୂର୍ଣ ଶୁଖିଯାଏ ତେବେ ସମସ୍ତଙ୍କ ଜୀବନ ଚାଲିଯିବ। ସେଦିନ ସଞ୍ଜବେଳେ ମାଛ ଓ ବେଙ୍ଗ ଦିହେଁ ବସି ବିଚାର କଲେ ଯେ କେମିତି ଦୁଇ ପରିବାର କୁ ବଞ୍ଚେଇବେ। କାରଣ ବର୍ଷା ଉପରେ ଆଉ ଭରଷା କରିହେବନି। ମାଛ ବେଙ୍ଗକୁ କହିଲା, ବନ୍ଧୁ ମୁଁ ତ ପାଣିକୁ ଛାଡି ବାହାରେ ବେସିସମୟ ରହିପାରିବିନାହିଁ, ତା`ଛଡା ମୋର ଅନ୍ୟ ଜୀବଜନ୍ତୁଙ୍କ ଭୟ। ତୁମେ ଗୋଟେ କାମ କର, ସଞ୍ଜ ନଇଁଗଲା ପରେ ଯାଇ ଦେଖ ଆଖ ପାଖରେ କାଳେ କେଉଁଠି ଅନ୍ୟ ପୋଖରୀ କିମ୍ଵା କୌଣସି ଜଳାଶୟ ଥିବ, ସେଠାରେ ଯାଇ ରହିବା। ନହେଲେ ପରିସ୍ଥିତି ଯାହା ହେଲାଣି ଆଉ ଦିନ କେଇଟାରେ ଆମମାନଙ୍କ ଜୀବନ ଚାଲିଯିବ। ବେଙ୍ଗଟି ମାଛ ର କଥାକୁ ସମ୍ମାନ ଜଣାଇ କହିଲା, ହଉ ଠିକ ଅଛି ମୁଁ ଆଜି ଯାଇ ଦେଖିଆସୁଛି ଯଦି କେଉଁଠି ଜଳାଶୟ ମିଳିଯାଏ ତେବେ ଆମେ ଏଠାରୁ ଚାଲିଯିବା। ଠିକ ସଞ୍ଜ ନଇଁବା ପରେ ବେଙ୍ଗ ବାହାରିଲା ଜଳାଶୟ ଖୋଯିବାରେ ମାଛ ତାର ଆସିବା ବାଟକୁ ଚାହିଁ ରହିଥାଏ।
ରାତି ଯାଇ ଦିନ ହେଲା, ହେଲେ ବେଙ୍ଗ ଫେରିଲାନାହିଁ। ମାଛଟି ପୋଖରୀ ଭିତରେ ଏପଟ ସେପଟ ହେଉଥାଏ। ମନରେ ତାର ଅସୁମାରୀ ଭୟ ଓ ସନ୍ଦେହ, ତାର ପ୍ରିୟ ବନ୍ଧୁ ର କିଛି ହେଇଯାଇନିତ! ନା ଆଖପାଖରେ କୌଣସି ଜଳାଶୟର ସନ୍ଧାନ ନ ପାଇ ଖରା ତରା ଏମିତି ଖୋଜି ବୁଲୁଛି। ଏମିତି ଅନେକ ପ୍ରଶ୍ନ ମାଛ ମନରେ ଉଙ୍କି ମାରୁଥିଲା। ଦିନ ଯାଇ ପୁଣି ସଂଧ୍ୟା ହେଲା, ମାଛ ଡହଳ ବିକଳ ହୋଇ ଏଣେତେଣେ ବୁଲୁଥାଏ ଓ ବେଙ୍ଗ ର ଆସିବ ବାଟକୁ ଚାହିଁରହିଥାଏ। ଠିକ ଏତିକି ବେଳକୁ ବେଙ୍ଗ ଝାଳନାଳ ହୋଇ ପହଁଚିଲା। ବେଙ୍ଗକୁ ମାଛ ଦେଖି ଖୁସିରେ ଆତ୍ମହରା ହୋଇପଡିଲା। ବେଙ୍ଗ ଟିକେ ଆଶ୍ୱସ୍ତ ହୋଇ କହିଲା ଜାଣିଲକି ବନ୍ଧୁ, ଏ ପୃଥିବୀରେ ପାଣିର ଘୋର ଅଭାବ, ଆମ ଆଖ ପାଖ କେଉଁଥିବି ଜଳାଶୟ ନାହିଁ। ଯେଉଁ କେତୋଟି ଅଛି ସେ ବି ଆଉ ଅଳ୍ପ ଦିନରେ ଶୁଖିଯିବ। ମାଛଟି ର ମନ ଦୁଃଖରେ ଭାଙ୍ଗିପଡ଼ିଲା ଓ କହିଲା, କ`ଣ ଆମେ ବଞ୍ଚିବା ପାଇଁ ଏ ପୃଥିବୀରେ କେଉଁଠି ବି ଟିକେ ଜାଗାନାହିଁ? ମାଛର ମନ ଉଣା ଦେଖି ବେଙ୍ଗ କହିଲା, ଆମ ପୋଖରୀ ଠାରୁ ଅଳ୍ପ କିଛି ଦୂରରେ ଗୋଟିଏ ଭଙ୍ଗା କୂଅ ଅଛି। ସେଠାରେ ମୋର ବଂଶଧର ସବୁ ରହୁଛନ୍ତି। ତାଙ୍କ କହିବା ଅନୁସାରେ ସେଠାରେ କେବେବି ପାଣିର ଅସୁବିଧା ହୁଏନାହିଁ। ଏବେ ମଧ୍ୟ ପ୍ରଚୁର ପାଣି ସେଠାରେ ଅଛି। ହେଲେ ସେମାନେ କୌଣସି ମାଛଙ୍କୁ ନେବାକୁ ରାଜିହେଉନାହାନ୍ତି। ମାଛ ଟିକେ ମନଦୁଃଖ କରି କହିଲା ତୁମେ ଗୋଟିଏ କାମ କର ତୁମ ପରିବାରକୁ ନେଇ ସେଠାରେ ଛାଡିଦେଇ ଆସ।
ବେଙ୍ଗ କିଛି ନ କହି ସେହି ରାତିରେ ତାର ପରିବାରକୁ ନେଇ କୂଅରେ ଛାଡିଦେଲା। ପରଦିନ ସଖାଳେ ବେଙ୍ଗ ଆସି ମାଛ କୁ କହିଲା, ସେମାନେ ତୁମମାନଙ୍କୁ ରହିବାକୁ ଅନୁମତି ଦେଇଛନ୍ତି। ମାଛ ଆଶ୍ଚଯ୍ୟ ହୋଇ ପଚାରିଲା, କେମିତି? ବେଙ୍ଗ କହିଲା, କାଲି ଆମେମାନେ ଗଲାବେଳେ କଥାହୋଇ ଯାଇଥିଲୁ ଯେ ମୁଁ ଯାହା କହିବି ସେମାନେ ହଁ ମାରିବାକୁ। ସେଠାରେ ମୁଁ କୂଅରେ ଥିବା ବେଙ୍ଗମାନଙ୍କୁ କହିଲି , ଆମେ ଆସିଲା ବେଳେକୁ କିଛିଲୋକ କଥାହେଉଥିଲେ ପାଖ କୂଅରେ ଯଦି ମାଛ ଥାନ୍ତି ତେବେ କୂଅଟିକୁ ମାଛ ବଢିବାପାଇଁ ଛାଡିଦେବା, ନ ହେଲେ କୂଅଟିକୁ ପୋତିଦେବା। ମୋ କଥାକୁ ପୋଖରୀରୁ ଯାଇଥିବା ବେଙ୍ଗ ସବୁ ସମ୍ମତି ଜଣାଇଲେ। ସେମାନେ ଭୟରେ ତୁମମାନଙ୍କୁ ନେବାପାଇଁ କହିଛନ୍ତି। ସେଥିପାଇଁ ତ ମୁଁ ଆସିଛି। ଆଉ ସତ କଥା ହେଉଛି ଆମେ କୌଣସି ମଣିଷଙ୍କୁ ଦେଖିନଥିଲୁ। ମାଛଟି ବେଙ୍ଗକୁ ଧନ୍ୟବାଦ ଜଣାଇ, ବେଙ୍ଗ ଭଳି ସାଙ୍ଗ ପାଇ ନିଜକୁ ଧନ୍ୟ ମାନେକଲା।

ଶିକ୍ଷା : ପ୍ରକୃତ ବନ୍ଧୁ ସବୁବେଳେ ପାଖେ ପାଖେ ଥାଏ ଓ ତା`ର ବୁଦ୍ଧି ଖଟାଇ ତୁମକୁ ବିପଦ ରୁ ମୁକ୍ତିକରେ।


ଲେଖା ସମ୍ପର୍କୀୟ ମତାମତ

Sanjukta parichha

01-04-2025 / 13:03:55

ପ୍ରକୃତ ବନ୍ଧୁ ଉପରେ ସୁନ୍ଦର ଶିକ୍ଷଣୀୟ ଗପ ।ଭଲ ଲାଗିଲା ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion