ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମଇ:୨୦୨୫ , ଦ୍ଵିତୀୟ ବର୍ଷ-ପଞ୍ଚମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଶୁଣିଛ କେବେ ତାହା

ଲେଖା : ଡକ୍ଟର ସଚ୍ଚିଦାନନ୍ଦ କର

ଗହନ ବନେ ମଧୁର ତାନେ
ଝରଣା ଗାଏ ଯାହା
ହୋଇ ଅଧୀର ନିକଟେ ତା`ର
ଶୁଣିଛ କେବେ ତାହା ।।

ରାତି ପାହିଲେ ସକାଳ ହେଲେ
ପକ୍ଷୀଟି ଗାଏ ଯାହା
ନିଦ ଭାଙ୍ଗିଲେ ଆଖି ଖୋଲିଲେ
ଶୁଣିଛ କେବେ ତାହା ।।

ଫୁଲରେ ବସି ରସ ତା` ଶୋଷି
ଭଅଁର ଗାଏ ଯାହା
ମନ ଲଗାଇ ଥରୁଟେ ପାଇଁ
ଶୁଣିଛ କେବେ ତାହା ।।

ମଧୁମାସରେ ଆମ୍ବତୋଟାରେ
କୋଇଲି ଗାଏ ଯାହା
ସେଆଡ଼େ ଆସି ସେଇଠି ବସି
ଶୁଣିଛ କେବେ ତାହା ।।

ଯିବା ବାଟରେ ଖୁସିଖୁସିରେ
ନଈଟି ଗାଏ ଯାହା
ତା` କୂଳେ ରହି ଘଡ଼ିଏ ପାଇଁ
ଶୁଣିଛ କେବେ ତାହା ।।

ସାଗର ତୀରେ ଝାଉଁବଣରେ
ପବନ ଗାଏ ଯାହା
ନିରବ ଥାଇ ମନ ହଜେଇ
ଶୁଣିଛ କେବେ ତାହା ।।

ନାଚିନାଚିକା ଖେଳିଖେଳିକା
ଲହରୀ ଗାଏ ଯାହା
ବିଭୋର ହୋଇ ତା` ଆଡ଼େ ଚାହିଁ
ଶୁଣିଛ କେବେ ତାହା ।।

କେଡ଼େ ସୁନ୍ଦର ଏହି ସଂସାର
ନାନା ସଙ୍ଗୀତେ ଭରା
ଶୁଣିଛି ଯିଏ ଜୀବନକୁ ସେ
କରିଛି ମଧୁଝରା ।।


ନୂଆପଡ଼ା, ନୟାବଜାର, କଟକ - ୦୪
ମୋ. – ୯୮୬୧୨୧୧୦୫୧

ଲେଖା ସମ୍ପର୍କୀୟ ମତାମତ

ବୀରେନ୍ଦ୍ର ମହାନ୍ତି

02-05-2025 / 14:05:23

ଖୁବ୍ ସୁନ୍ଦର କବିତା

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion