ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁଲାଇ:୨୦୨୫ , ଦ୍ବିତୀୟ ବର୍ଷ:ସପ୍ତମ ସଂଖ୍ୟାରେ ପ୍ରକାଶିତ )

centered image
 
ଗପ

ପୁଷି ବିଲେଇ

ଲେଖା : ସନ୍ତୋଷ କୁମାର ସାହୁ

ସକାଳୁ ସକାଳୁ ମାଛ ଭଜାର ବାସ୍ନା ପାଇଁ ପୁଷି ବିଲେଇର ନିଦ ଭାଙ୍ଗିଗଲାଣି ।  ପଡିଶା ଘରେ ବୋଧେ ମାଛ ରନ୍ଧା ହେଉଛି, ହେଲେ ସେଠି ତ କାଳିଆ ଭୁଆ ଜଗିଥିବ, ସେ କଣ ଯିବାକୁ ଦେବ କି? ତଥାପି ଥରେ ନଜର କରି ଆସିବ ଭାବି, ଉଠିଲା ଅଳସ ଭାଙ୍ଗି ଚାରିଆଡକୁ ଚାହିଁ ଚାଲିଲା ପଡୋଶୀ ଘରର ଆଟୁ ଉପରକୁ । ମାଛ କାତି, କଣ୍ଟା ସବୁ କାଳିଆ ଭୁଆ ମହା ଆନନ୍ଦରେ ଖାଉଛି। ପୁଷିବିଳେଇର ପାଟିରୁ ଲାଳ ଗଡ଼ିଲା । ହେଲେ କଣ କରିବ ସେ ତ ତା ସହ ଲଢ଼ିପାରିବନି, ସେ ଭାରି ଧୃତ ଓ କପଟିଆଟିଏ । ସେଥିପାଇଁ କିଛି ସମୟ ଚୁପଚାପ ବସିରହିଲା ସିନା, ହେଲେ ତା ମନରୁ ମାଛ କଣ୍ଟାର ଲୋଭ ଯାଉନଥାଏ । ସେଥିପାଇଁ ସେ ଭୁଆ ପାଖକୁ ଯାଇ ଛିଡା ହେଲା, କାଳିଆ ଭୁଆ ତାକୁ ଦେଖି ରାଗରେ କଡ଼ ମଡ଼ ହୋଇ କହିଲା, "ଏଇଟା ହେଉଛି ମୋ ଘର, ତୁ ଏଠାକୁ କାହିଁକି ଆସିଲୁ । ଯା ଏଠୁ, ନହେଲେ ମାରି ଗୋଡ଼ାଇବି ।" ତାର ଏମିତି ଖରାପ ବ୍ୟବହାର ଦେଖି ପୁଷି ବିଲେଇ ମନ ଦୁଃଖରେ ଫେରିଲା । ସେ ଦେଖିଲା ରାସ୍ତା କଡରେ ଜଣେ ମାଛ ବିକାଳୀ ମାଛ କାଟୁଛି, କାତି କଣ୍ଟା ସବୁ ପାଖରେ ପକାଉଛି । ସେ ମନଖୁସିରେ ଧାଇଁଲା ସେଠାକୁ । ସେ ଲୋକଟି ବି ପୁଷି ବିଲେଇକୁ ଦେଖି ସବୁତକ କାତି କଣ୍ଟା ପକେଇଦେଲା ତା ଆଗକୁ । ଠିକ୍ ଏତିକି ବେଳକୁ ସେ ଭୁଆ କେଉଁଠି ଥିଲା କେଜାଣି ଝମ୍ପା ମାରି ମାଡ଼ିବସିଲା ପୁଷି ମୁହଁ ପାଖରୁ । ସେ ଲୋକଟି ହେ... ହେ... କହୁ କହୁ ସବୁତକୁ ମାଛ କାତି କଣ୍ଟା ଧରି ଚମ୍ପଟ ମରିଲା । ପୁଷି ମନଦୁଃଖ କରି ମୁଣ୍ଡ କାନ ଆଉଁସି ଘରକୁ ଫେରିଲା । ସେ ଭୁଆ ବିଲେଇଟା ସବୁବେଳେ ପୁଷିକୁ ହଇରାଣ କରିବାର ବିଲୁଆ ନନା ଦେଖେ, କିନ୍ତୁ ପୁଷି ଯେହେତୁ କିଛି ଅଭିଯୋଗ ଆଣେନି ସେଥିପାଇଁ ସେ ବି କିଛି ପଚାରେନି, ଚୁପଚାପ ରୁହେ ।
ଆଜି କିନ୍ତୁ ପୁଷି ବିଲେଇର ମନ ଦୁଃଖ ଦେଖି ବିଲୁଆ ନନା ଘରପାଖକୁ ଯାଇ ପୁଷିକୁ ଡାକିଲେ । ପୁଷି ମନଦୁଃଖରେ ବିଲୁଆ ନନାକୁ କାନ୍ଦି କାନ୍ଦି ଭୁଆ ତାକୁ ହଇରାଣ କରୁଥିବା କଥା କହିଲା । ସେ କେମିତି ସବୁ ସମୟରେ ପୁଷିର ଖାଇବା ଛଡାଇ ନେଉଛି ଓ ଡରାଇ ଧମକାଇ ରଖିଛି ସବୁ ଗୋଟି ଗୋଟି କରି କହିବାକୁ ଲାଗିଲା । ବିଲୁଆ ନନା ଟିକେ ଚୁପ ରହି ପୁଷିକୁ ବୁଝାଇ କହିଲା - ସଠିକ ସମୟ ଆସୁ ସେ ଭୁଆକୁ ପାନେ ଦେବା ।
କିଛି ଦିନ ଯାଇଛି କି ନାହିଁ ବର୍ଷାଦିନ ଆସିଲା । ଚାରିଆଡେ ଖାଲି ପାଣି କାଦୁଅ । ଏବେ ତ ଘରେ ଘରେ ମାଛ, ଶୁଖୁଆ । ସେଇ ବାସ୍ନାରେ ଭୁଆ ପୁରା ପାଗଳ ପରି ଏ ଘରରୁ ସେ ଘର, ସେ ଘରରୁ ଏ ଘର ଧାଉଁଛି । ବିଲୁଆ ନନା ପୁଷିକୁ ଡାକି କହିଲା - ଏଇଟା ହେଉଛି ଠିକ୍ ସମୟ, ମୁଁ ଯେମିତି କହିବି ତୁ ସେଇଆ କରିବୁ, ଆଜି ଭୁଆ ଯେମିତି ଏ ଗାଁ ଛାଡି ଯିବ । ପୁଷି ବିଲୁଆ ନନା କଥାରେ ହଁ ମାରି ସବୁ ଶୁଣିଲା ଓ ସଂଗେ ସଂଗେ ଭୁଆ ବସିଥିବା ଜାଗାକୁ ଧାଇଁଲା । ବର୍ଷା ପାଇଁ ଭୁଆ କୁଆଡେ ନ ଯାଇ ଚୁପଚାପ ସୋଇଛି । ପୁଷି ବିଲେଇଟି ଜାଣିଶୁଣି ଭୁଆ ଶୋଇଥିବା ଆଖ ପାଖରେ କିଛି ମାଛ କଣ୍ଟା, ମାଛ ମୁଣ୍ଡ ପକାଇ ଶୁଣେଇଲା ଭଳି କହିଲା - ଓହୋ.... ଏତେ ଦିନ ପରେ ପେଟ ଭରି ମାଛ ଖାଇବାକୁ ମିଳିଲା । ଯାହାହେଉ ସେ ଭୁଆ ବୋଧେ ନାହିଁ, ସେଥିପାଇଁ ଭଲ ଭଲ ମାଛ ଖାଇବାକୁ ମିଳୁଛି । ଯାଏ ପଡିଶାଘରୁ କ୍ଷୀରତକ ପିଇଦେଇ ଆସେ ।
ଭୁଆ କ୍ଷୀର ନା ଶୁଣୁଶୁଣୁ ଚେଇଁ ଉଠିଲା ଓ ଚୁପି ଚୁପି ପୁଷି ପଛେ ପଛେ ଧାଇଁଲା । ବିଲୁଆ ନନା ଆଗରୁ ପଡିଶାଘର ରୋଷେଇ ଘରଟିକୁ ଖୋଲି ଲୁଚି ବସିଥିଲା, ପୁଷି ଚୁପକିଣା ଆସି ରୋଷେଇ ଘରେ ପଶିଗଲା । ଭୁଆ ତା ପଛେ ପଛେ ଯେମିତି ପଶିଛି ପୁଷିସଂଗେ ସଂଗେ ବାହାରକୁ ଆସିଗଲା ଓ ବିଲୁଆ ନନା କବାଟଟିକୁ ବନ୍ଦ କରି ଧରିଥିବା ଥାଳିଟିକୁ ଧଡ୍‌ କିଣା ପକାଇଦେଲା । ଭୁଆ ତ ଭିତରେ ଅଛି, ଏତିକି ବେଳକୁ ଘରମାଲିକ ଧାଇଁଆସିଲା, ଝରକା ପାଖେ ଭୁଆ କ୍ଷୀର ପିଉଥିବା ଦେଖି ରାଗରେ ତାତି ଉଠିଲା । ଠେଙ୍ଗାଟିଏ ଧରି ଚୁପକିଣା କବାଟ ଖୋଲି ଭୁଆକୁ ଏମିତି ପିଟିଲା ଯେ ସେ ବିଳି ବିଳି ହୋଇ କୁଆଡେ ଯିବ ବାଟ ପାଇଲନି । ପୁଷି ବିଲେଇ ଓ ବିଲୁଆ ନନା ଖୁସିରେ ନାଚି ଉଠିଲେ । ଭୁଆ ଅଇଁଠା କରିଥିବା କ୍ଷୀର ତ ସେ ଆଉ ପିଇବେନି ତେଣୁ ବିଲୁଆ ନନାକୁ ଡାକି ଦିଆଗଲା । ବିଲୁଆ ନନା ପୁଷିକୁ ଡାକିଲେ ଓ ଦୁହେଁ ଆନନ୍ଦରେ ପେଟେ ପେଟେ କ୍ଷୀର ପିଇ ମନ ଖୁସିରେ ବୁଲିଲେ । ସେଇଦିନୁ ଭୁଆ କାହିଁ ଆଉ ଆଖ ପାଖରେ ବି ଦେଖାଦିଏନି ।
ଶିକ୍ଷା : ଦୁଷ୍ଟ ସାଙ୍ଗ ସବୁବେଳେ ତାର ମଙ୍ଗଳ ଦେଖେ, ହେଲେ ଭଲ ସାଙ୍ଗ ନିଜ ମଙ୍ଗଳ ଦେଖିବା ସହ ସାଙ୍ଗର ବି ମଙ୍ଗଳ ମନାସି ଥାଏ।

ଲେଖା ସମ୍ପର୍କୀୟ ମତାମତ

Sanjukta parichha

01-07-2025 / 11:17:30

ପିଲାଙ୍କ ପାଇଁ ଭଲ ଶିକ୍ଷଣୀୟ ଗପ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion