ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅଗଷ୍ଟ:୨୦୨୫ , ଦ୍ବିତୀୟ ବର୍ଷ:ଅଷ୍ଟମ ସଂଖ୍ୟାରେ ପ୍ରକାଶିତ )

centered image
 
ଗପ

ଠେକୁଆ, ବିଲୁଆ ନନା ଓ କୁମ୍ଭୀର

ଲେଖା : ସନ୍ତୋଷ କୁମାର ସାହୁ

ନଦୀକୁ ଲାଗି ଗୋଟିଏ ଛୋଟ ପଡିଆ ଓ ତାକୁ ଲାଗି ଏକ ବିରାଟ ଜଙ୍ଗଲ ଥିଲା। ନଦୀଟି ବହୁତ ଗଭୀର ଥିଲା। ସେଠାରେ ଭୟଙ୍କର କୁମ୍ଭୀର ସବୁ ବାସ କରୁଥିଲେ। ପଡ଼ିଆରେ ବହୁତ ଠେକୁଆ ରହୁଥିଲେ। ସେମାନେ ଥିଲେ ବୁଦ୍ଧିଆ ଓ କ୍ଷିପ୍ର ଧାବକ। ଜଙ୍ଗଲରେ ଏକ ବିଲୁଆ ସବୁଦିନ ଆସି ଠେକୁଆ ମାନଙ୍କୁ ଦେଖେ ଆଉ ପାଟିରୁ ଲାଳ ଗଡାଏ, ହେଲେ କେବେବି କୌଣସି ଠେକୁଆକୁ ଧରିପାରେନି। ନଦୀ ମଧ୍ୟରୁ ଏକ ବୁଢା କୁମ୍ଭୀର ଠେକୁଆ ମାନଙ୍କୁ ଚାହିଁଥାଏ ଆଉ ମନେ ମନେ ଭାବୁଥାଏ ଏତେବର୍ଷ ଏଠାରେ ରହିଲି ହେଲେ ଠେକୁଆର କଅଁଳିଆ ମାଉସ ଟିକେ ଖାଇପାରିଲିନାହିଁ। ଦିନେ କେତୋଟି ଠେକୁଆ ନଦୀକୁ ପାଣି ପିଇବାକୁ ଯାଇଥିଲେ, ଠିକ ଏହି ସମୟରେ କୁମ୍ଭୀର ଜଗିବସିଥାଏ । ହେଲେ ଠେକୁଆମାନେ ତ ଭାରି ଚାଲାଖ କୁମ୍ଭୀର ର ଚତୁରତା ସେମାନଙ୍କୁ ଜଣା, ତେଣୁ ସେମାନେ ନଦୀକୂଳରେ ଏକ ଚୁଆ ଖୋଳି ପାଣି ପିଇଲେ। କୁମ୍ଭୀର ତ ଜଳରୁ ବାହାରକୁ ଆସିଲେ ଦୌଡିପାରିବ ନାହିଁ, ତେଣୁ ଠେକୁଆ ମାନେ ଏମିତି କଲେ ଓ ସେଠାରୁ ଫେରିଆସିଲେ। ଏପାଖରେ ବିଲୁଆ ବାରମ୍ବାର ଚେଷ୍ଟା ସତ୍ତ୍ୱେ ମଧ୍ୟ ଠେକୁଆ କୁ ଧରିପାରେନି। ଥରେ ବିଲୁଆ ଏକ ଉପାୟ ଚିନ୍ତା କଲା ଓ ଯାଇ ପଡିଆ ମଝିରେ ସୋଇରହିଲା। ଠେକୁଆମାନେ ଭୟରେ କେହି ବାହାରିଲେ ନାହିଁ। ଏମିତି ବହୁତ ସମୟ ପରେ ଗୋଟିଏ ଠେକୁଆ ଆସି ବିଲୁଆକୁ ପଚାରିଲା, ବିଲୁଆ ନାନା ଆପଣଙ୍କର ଏ କି ଅବସ୍ଥା। ଆପଣ ଜଙ୍ଗଲ ଛାଡି ଏ ପଡ଼ିଆରେ କାହିଁକି ସୋଇଛନ୍ତି, ତା`ଛଡା ଆପଣଙ୍କ ଭୟରେ ଆମେମାନେ ବାହାରକୁ ଆସିପାରୁନାହୁଁ। ବିଲୁଆ ପୁରା ଶାନ୍ତ ହୋଇ କହିଲା, ଆରେ ମୋତେ ଜମା ଡ଼ରନାହିଁ, ମୁଁ ପରା କେବେଠାରୁ ଜୀବହତ୍ୟା ଛାଡି ଜଙ୍ଗଳରୁ ଫଳ ମୂଳ ଖାଇ ବଞ୍ଚୁଛି। ମୁଁ ତୁମମାନଙ୍କ ସହ ବନ୍ଧୁତା କରିବାକୁ ଚାହୁଁଛି। ଠେକୁଆଟି ଅନ୍ୟ ସମସ୍ତ ଙ୍କୁ ଡାକି କହିଲା, ଆରେ ଡରିବାର କିଛି ନାହିଁ ବିଲୁଆ ନାନା ଆମମାନଙ୍କର କିଛି କ୍ଷତି କରିବେନାହିଁ।
ଏମିତି ଅନେକଦିନ ବିଲୁଆ ଆସି ସେହି ପଡ଼ିଆରେ ବସିରହେ, ତେଣୁ ଠେକୁଆ ମାନଙ୍କ ସହ ବନ୍ଧୁତା ବଢିଯାଏ। ତାର ମିଠା ମିଠା କଥା ଶୁଣିବାକୁ ସମସ୍ତେ ରୁଣ୍ଡ ହୋଇଯାଆନ୍ତି। ବିଲୁଆ କିନ୍ତୁ ମନ ଭିତରେ ଲାଳ ଗଡାଉଥାଏ, ହେଲେ ଉପରେ ଉପରେ ସେମାନଙ୍କୁ କଥାରେ ଭସାଇ ନେଉଥାଏ। ଏହା ମଧ୍ୟରେ ବିଲୁଆ ଯାଇ କୁମ୍ଭୀର ସହ ବନ୍ଧୁତା ବାନ୍ଧି ଦେଇଥାଏ। ଦିନେ ସକାଳୁ ସକାଳୁ ବିଲୁଆ ଯାଇ କୁମ୍ଭୀର କୁ କହିଲା, ଜାଣିଲକି କୁମ୍ଭୀର ଭାଇ ମୁଁ ଆଜିଠାରୁ ତୁମକୁ ଗୋଟିଏ ଲେଖାଏଁ ଠେକୁଆ ଖାଇବାକୁ ଦେବି ହେଲେ ତୁମେ ମୋ ପାଇଁ ଗୋଟିଏ କାମ କରିବାକୁ ପଡିବ। କୁମ୍ଭୀର ବହୁତ ଖୁସି ହୋଇଗଲା ଓ କହିଲା ଠେକୁଆ ଖାଇବାପାଇଁ ତୁମେ ଜାହାକହିବ ମୁଁ ତାହା କରିବି। ବିଲୁଆ ସଙ୍ଗେ ସଙ୍ଗେ କହିଲା ତାହାହେଲେ ମୁଁ କାଲିଠାରୁ ଦୁଇଟି ଲେଖାଏଁ ଠେକୁଆ ଧରି ଆସିବି ଓ ସେମାନଙ୍କୁ ଆରପାରିକୁ ନେବାପାଇଁ କହିବି, ତୁମେ ଲୁଚି ଆସି ତୁମର ପିଠିରେ ସେପାରିକୁ ନେଇଯିବ ଆଉ ସେଠାରେ ଆମେ ମିଶି ଦୁଇଜଣଙ୍କୁ ଖାଇଦେବା। କୁମ୍ଭୀର ହଁ କହିଲା । ପରଦିନ ବିଲୁଆ ଆସି ଚୁପଚାପ ବସିରହିଲା, କାହାରିକୁ କିଛି କହିଲା ନାହିଁ। ଠେକୁଆମାନେ ଆସି ବିଲୁଆନନଙ୍କର କ`ଣ ହୋଇଛି ବୋଲି ପଚାରିଲେ। ବିଲୁଆ କହିଲା ନଦୀ ଆରପାରିରେ ଗୋଟିଏ ମନ୍ଦିର ଅଛି ସେଠାରେ ଅନେକ ଫଳ ଗଛ ଓ ସୁନ୍ଦର ପଡିଆ ଅଛି। ପଡିଆରେ ଅନେକ ପ୍ରକାରର ଘାସ ଆଉ ଫୁଲ ଗଛ ଅଛି। ମୁଁ ଆଜି ସେଇ ମନ୍ଦିର କୁ ଯାଉଛି, ହେଲେ ଏକୁଟିଆ ଜମା ଇଚ୍ଛା ହେଉନାହିଁ। ଜଙ୍ଗଲରେ ମୋର ସାଥୀମାନଙ୍କୁ କହିଲି ହେଲେ ସେମାନେ ମୋ ସହ ଯିବାପାଇଁ ମନା କରିଦେଲେ। ସେଥିପାଇଁ ମନଟା ଟିକେ ଦୁଃଖ ଅଛି। ସଂଗେ ସଂଗେ ଗୋଟିଏ ଠେକୁଆ କହିଲା, ତାହାଲେ ଆମେ ତୁମ ସାଙ୍ଗରେ ଯିବୁ, ହେଲେ ନଦୀରେ ଆମେ ପହଁରା ଶିଖିନାହୁଁ। ପୁଣି ସେ କୁମ୍ଭୀରର ଭୟ। ବିଲୁଆ କହିଲା ଆରେ ବ୍ୟସ୍ତ ହୁଅ ନାହିଁ ମୁଁ ତୁମକୁ ମୋର ପିଠିରେ ବସେଇକି ନେଇଯିବି। ସେଠାରେ ଏକ ଡ଼ଙ୍ଗା ଅଛି, ଯେଉଠାରେ କୁମ୍ଭୀର ଆମମାନଙ୍କର କିଛି କରିପାରିବନାହିଁ।
ପରଦିନ ବିଲୁଆସହ ଦୁଇଟି ଠେକୁଆ ଗଲେ ଓ କୁମ୍ଭୀର ଆସି ଡଙ୍ଗାଭଳି ସେମାନଙ୍କୁ ଆର ପାରିକୁ ନେଇଗଲା ଓ ଦିହେଁ ମିଶି ଠେକୁଆ ଦୁହିଁଙ୍କୁ ଖାଇଦେଲେ। ଏମିତି କିଛିଦିନ ଗଲା, ଗୋଟିଏ ଠେକୁଆ ଚିନ୍ତା କଲା ଦିନକୁ ଦିନ ଠେକୁଆ କମିବାରେ ଲାଗିଛି, ବିଲୁଆନନା କହୁଥିଲେ ଯେ ସମସ୍ତେ ସେଠାରୁ ଆସୁନାହାନ୍ତି କହୁଛନ୍ତି ସେହିଠାରେ ରହିବାପାଇଁ। ଆଉ ଦିନକୁ ଦୁଇଟି ଲେଖାଏଁ ନେଇକି ଯାଉଛି ଓ ପୁଣି ଫେରିଆସୁଛି। ସେଥିପାଇଁ ଠେକୁଆଟି ଏକ ଉପାୟ କଲା, ଆଜି ଯେତେବେଳେ ବିଲୁଆନନା ଆସି ପହଁଚିଲା, ଏ ଠେକୁଆଟି କହିଲା ଆଜି ମୁଁ ଏକା ଯିବି । ବିଲୁଆ କିଛି କହିବା ପୂର୍ବରୁ ଅନ୍ୟ ଠେକୁଆ ଯିବାକୁ ମାନାକରିଦେଲେ। ବିଲୁଅନନା କହିଲା ହଉ ଠିକ ଅଛି। ଠେକୁଆ ତା ସଙ୍ଗରେ ଗୋଟେ ଛୋଟ ଗଛର ବକଳ ଓ ଲାଠି ଖଣ୍ଡେ ନେଇ ବିଲୁଆ ପିଠିରେ ବସିଲା। ନଦୀକୂଳରେ କୁମ୍ଭୀର ଜଗିଥାଏ, ବିଲୁଆ ଜୀବାକ୍ଷଣି ସେ ଡଙ୍ଗାପରି ଭାସି ଉଠିଲା। ଅଧାବାଟ ଯାଇଛନ୍ତି କୁମ୍ଭୀର ବିଲୁଆକୁ ପଚାରିଲା ଆଜି କ`ଣ ଗୋଟିଏ ଠେକୁଆ। ବିଲୁଆ ଉତ୍ତର ଦେଲା ଆଜି ଏଇ ଗୋଟାକରେ ଦିହେଁ ଭୋଜନ କରିବା କାଲି ତିନୋଟି ଆଣିବି। କୁମ୍ଭୀର କହିଲା ନା ତୋର ଆଜି ଉପବାସ ମୁଁ ଏକା ଭୋଜନ କରିବି। ଏମିତି ଦୁହେଁ ଝଗଡ଼ା ଆରମ୍ଭ କରିଦେଲେ, ଠେକୁଆ ସବୁ ବୁଝିପାରିଲା ବିଲୁଆ କେମିତି ତାଙ୍କୁ ଠକି ଆସୁଥିଲା। ସେ ସଂଗେ ସଂଗେ ବିଲୁଆନନାର ପିଠିରୁ ଧୀରେ ଭାବରେ ନଦୀକୁ ଖସି ଆସିଲା ଓ ଜୀବନ ବିକଳରେ ଲାଠି ସାହାଯ୍ୟରେ ଏ ପାରିକୁ ଲେଉଟି ଆସିଲା। ସେ ପାରିରେ କୁମ୍ଭୀର ଯେତେବେଳେ ଦେଖିଲା ଠେକୁଆଟି ନାହିଁ, ତା`ର କ୍ରୋଧ ସମ୍ଭାଳି ନ ପାରି ବିଲୁଆକୁ ମାରି ଖାଇଦେଲା। ଠେକୁଆମାନେ ବିଲୁଆନନା ର ସବୁ ଚାଲ ବୁଝିପାରିଲେ ଓ ସାଥୀମାନଙ୍କୁ ହରାଇଥିବାରୁ ମନ ଦୁଃଖ କରିବା ସହ ସାହସୀ ଠେକୁଆକୁ କୃତଜ୍ଞତା ଦେଲେ ଏବଂ ସତର୍କ ର ସହ ରହିଲେ।
ଶିକ୍ଷା : ଅପରିଚିତ ଓ ଅଜଣା ଜାଗା ସବୁବେଳେ ବିପଦ। ଆଖ ପାଖରେ ଥିବା ଅଜଣା ବନ୍ଧୁଙ୍କୁ ଏତେ ବିଶ୍ୱାସ କରିବା ବିପଦର କାରଣ।

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion