ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜାନୁୟାରୀ:୨୦୨୪ , ପ୍ରଥମ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

centered image
 
ସଂପାଦକୀୟ

ଅଭିନନ୍ଦନ ଓ ଶୁଭେଚ୍ଛା

ଲେଖା : ଜାନୁଆରୀ – ୨୦୨୪ : ପ୍ରଥମ ବର୍ଷ : ପ୍ରଥମ ସଂଖ୍ୟା

ଶିଶୁ କିଶୋର ଡଟ କମ (shishukishora.com) ୱେବ ପତ୍ରିକାର ଏଇ ଆତ୍ମପ୍ରକାଶ ଅବସରରେ ଆମେ ସମସ୍ତ ସହଯୋଗୀ ଓ ଶୁଭେଛୂମାନଙ୍କୁ ଅଭିନନ୍ଦନ ଜଣାଉଛୂ । ଆମ ଅନୁଷ୍ଠାନର ଏକ ସ୍ଵପ୍ନ ଏହି ପତ୍ରିକା ପ୍ରକାଶନ ମାଧ୍ୟମରେ ପୂରଣ ହେବାକୁ ଯାଉଛି । ଏହି ପତ୍ରିକା ହେଉଛି ଓଡିଶାରେ ଏ ପ୍ରକାର ସର୍ବପ୍ରଥମ ଉଦ୍ୟମ । ଶିଶୁ କିଶୋରମାନଙ୍କ ପାଇଁ ଯଦିଓ ୱେବ ମାଧ୍ୟମରେ ଅନେକ ଉପାଦାନ ଉପଲବ୍ଧ ହେଉଛି, କିନ୍ତୁ ଏକ ବିଧିବଦ୍ଧ ୱେବଜିନ ନାହିଁ । ଏହି ପତ୍ରିକା ସେଇ ଅଭାବକୁ ପୂରଣ କରିପାରିବ ବୋଲି ଆଶା ।
ସବୁ ପତ୍ରିକା ପରି ଆରମ୍ଭରୁ ଆମକୁ ଚିନ୍ତା କରିବାକୁ ପଡିବ ଯେ ଏହି ପତ୍ରିକାଟି କାହାପାଇଁ ? ଶିଶୁକିଶୋରମାନଙ୍କ ପାଇଁ ନା ଶିଶୁକିଶୋରମାନଙ୍କ ପାଇଁ କଲମ ଚାଳନା କରୁଥିବା ଲେଖକ ଲେଖିକାଙ୍କ ସୃଜନ ପ୍ରକାଶ ପାଇଁ? ଏ ସମ୍ପର୍କରେ ଆଲୋଚନା ବିବାଦ ଓ ବିତର୍କ ଚାଲିଛି । ଲେଖକ ଓ ପାଠକ ପରସ୍ପର ପରିପୂରକ । ଜଣକୁ ଛାଡି ଅନ୍ୟର ସ୍ଥିତି ନାହିଁ । ଶିଶୁକିଶୋରମାନେ ଯଦି ନ ପଢିବେ, ସେମାନଙ୍କ ନିକଟରେ ଯଦି ଏ ସାହିତ୍ଯ ନ ପହଞ୍ଚିବ, ତେବେ ଶିଶୁକିଶୋରଙ୍କ ପାଇଁ ଲେଖୁଥିବା ଲେଖକମାନଙ୍କର ଏ ବିଶାଳ ସୃଷ୍ଟି ସମ୍ଭାର ନିରର୍ଥକ ହୋଇ ଯିବ । ଆମକୁ ଆରମ୍ଭରୁ ଏକଥା ସ୍ପଷ୍ଟ କରିଦେବା ଉଚିତ ହେବ ଯେ ଏହି ପତ୍ରିକା ଉଭୟଙ୍କ ପାଇଁ । ତେଣୁ ସମସ୍ତଙ୍କୁ ବିନୀତ ନିବେଦନ ଯେ ସମସ୍ତ ଲେଖା ଶିଶୁକିଶୋରମାନଙ୍କ ମନଲାଖି ହେବାପାଇଁ ଆମ ଲେଖକ ଲେଖିକାମାନେ ଯତପରୋନାସ୍ତି ଉଦ୍ୟମ କରନ୍ତୁ। ଭଲ ଲେଖା ସବୁ ଦିନକୁ ଭଲ ହୋଇ ରହେ । ତେଣୁ ପ୍ରକାଶନ ନୁହେଁ ଭଲ ଲେଖା ଆମସମସ୍ତଙ୍କର ପ୍ରଚେଷ୍ଟା ହେଉ ।
ଦ୍ଵିତୀୟ ଉଦ୍ଦେଶ୍ୟଟି ହେଲା ଶିଶୁକିଶୋରମାନଙ୍କୁ ଏହି ଆନ୍ଦୋଳନରେ ସାମିଲ କରିବା । ଏହି ପତ୍ରିକାରେ ଶିଶୁ କିଶୋରମାନଙ୍କ ପାଇଁ ଏକ ସ୍ଵତନ୍ତ୍ର ବିଭାଗର ପରିକଳ୍ପନା କରାଯାଇଛି । ଅଧିକରୁ ଅଧିକ ଶିଶୁ କିଶୋର ଏଥିରେ ସାମିଲ ହେବା ପାଇଁ ଆମ ସମସ୍ତଙ୍କର ସମ୍ମିଳିତ ଉଦ୍ୟମ ଲୋଡା । ଏଥିରେ ଲେଖକ, ଅଭିଭାବକ ଓ ଶିକ୍ଷକମାନଙ୍କର ଗୁରୁ ଦାୟିତ୍ଵ ରହିଛି । ଏହାକୁ ନିଷ୍ଠାପରଭାବରେ ସମସ୍ତେ ପାଳନ କରିବେ ଓ ଅଧିକ ସଂଖ୍ଯାରେ ଶିଶୁ କିଶୋର ଏଥିରେ ସାମିଲ ହେବେ, ଏହି ଆଶା କରାଯାଉ। ପିଲାମାନଙ୍କ ଲେଖା, ଚିତ୍ର ଅଧିକ ପ୍ରକାଶ ପାଇଲେ ସେମାନେ ଉତ୍ସାହିତ ହେବେ ଓ ନିଜ ସୃଜନ ପ୍ରତିଭା ବିକଶିତ କରିବାର ସୁଯୋଗ ପାଇବେ । ଏହା ସେମାନଙ୍କର ମଞ୍ଚ ହେଉ । ଏକ ଶିଶୁସାହିତ୍ଯ ଆଂଦୋଳନର ଆରମ୍ଭ ହେଉ ।
ଏହା ଏକ ୱେବ ପତ୍ରିକା । ଏହା ସାରା ବିଶ୍ବରେ ପହଞ୍ଚି ପାରିବାର କ୍ଷମତା ରଖେ । ସେଥିପାଇଁ ପ୍ରଚାର ଓ ପ୍ରସାରର ବ୍ୟାପକ ଆବଶ୍ୟକତା ରହିଛି । ଅନୁରୋଧ, ସାମାଜିକ ଗଣ ମାଧ୍ୟମରେ ଏହାର ପ୍ରଚାର ପାଇଁ ଲେଖକ ଓ ଶୁଭେଛୁମାନେ ଦାୟିତ୍ଵ ନିଅନ୍ତୁ । ଏହା ସମସ୍ତଙ୍କ ନିକଟରେ ପହଞ୍ଚି ପାରିଲେ ହିଁ ପ୍ରକାଶନର ଲକ୍ଷ ସାଧିତ ହୋଇପାରିବ ।
ଯେହେତୁ ଏହାର ଉପଭୋକ୍ତା ସାରା ବିଶ୍ବରେ ଅଛନ୍ତି, ଆମର ଲେଖାଗୁଡ଼ିକ ବିଶ୍ଵସ୍ତରୀୟ ହେବା ଉଚିତ। ଲେଖକଲେଖିକାମାନଙ୍କୁ ଅନୁରୋଧ, ସେମାନେ ସେମାନଙ୍କର ଶ୍ରେଷ୍ଠ ଲେଖାଗୁଡ଼ିକ ଏହି ପତ୍ରିକାରେ ପ୍ରକାଶନ ପାଇଁ ଦିଅନ୍ତୁ । ଏମିତି ନୁହେଁ ଯେ, ଆମେ ନୂଆ ଓ ଅପ୍ରକାଶିତ ଲେଖା ପ୍ରକାଶ କରିବୁ । ଲେଖା ଚୟନରେ ଶ୍ରେଷ୍ଠ ଓ ସର୍ବକାଳୀନ ରଚନାକୁ ଗୁରୁତ୍ଵ ଦିଆଯିବ, ତାହା ପୂର୍ବରୁ ପ୍ରକାଶିତ ହୋଇଥାଉ ବା ହୋଇ ନ ଥାଉ । ସେଥିପାଇଁ ପ୍ରକାଶ ପାଇଥିବା କିଛି କିଛି ଲେଖାକୁ ପର୍ଯାୟକ୍ରମେ ଅପସାରଣ କରାଯିବ । ଲେଖକ ଲେଖିକାମାନେ ଏହାକୁ ସାଦରେ ସ୍ଵାଗତ କରିବେ ବୋଲି ଆଶା ।
ଆମେ ଏହି ସଂଖ୍ଯାରେ ଅଧିକ କବିତା ପ୍ରକାଶ କରିଛୁ । ଶିଶୁ କିଶୋର ସାହିତ୍ଯ କେବଳ ଗପ କବିତା ମଧ୍ୟରେ ସୀମିତ ନୁହେଁ । ଆମକୁ ଶିଶୁ ମନଲାଖି ଅନ୍ଯାନ୍ଯ ଲେଖା ମଧ୍ୟ ପ୍ରକାଶ କରିବା ପ୍ରୟୋଜନ । ବିଜ୍ଞାନ କଥା, ଗଣିତ କଥା, ହସ କଥା, ଆବିଷ୍କାର ଓ ଉଦ୍ଭାବନ ଓ ଅନ୍ଯାନ୍ଯ ସମୟୋପଯୋଗୀ ଲେଖା ପ୍ରସ୍ତୁତିର ଆବଶ୍ୟକତା ରହିଛି । ଏଥି ପ୍ରତି ଲେଖକଲେଖିକାମାନେ ଧ୍ୟାନ ଦେବେ ବୋଲି ଆମର ଆଶା ।
ଏହି ପ୍ରଥମ ସଂଖ୍ୟା ଉପରେ ଆପଣମାନେ ଅଧିକରୁ ଅଧିକ ମତାମତ ଓ ପରାମର୍ଶ ଦେଇ ଏହାର ଆସନ୍ତା ସଂଖ୍ୟାଗୁଡିକୁ ଅଧିକ ଶିଶୁ ଉପଯୋଗୀ ଓ ଚିତ୍ତାକର୍ଷକ କରିବାରେ ସାହାଯ୍ୟ କରିବେ ବୋଲି ଆଶା କରୁଛୁ । ସମସ୍ତଙ୍କର ମଙ୍ଗଳ ହେଉ । ସମସ୍ତେ ଭଲରେ ରୁହନ୍ତୁ । ଭଲର ବିଜୟ ହେଉ ।
ସମ୍ପାଦନା ମଣ୍ଡଳୀ

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion