ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅଗଷ୍ଟ:୨୦୨୫ , ଦ୍ବିତୀୟ ବର୍ଷ:ଅଷ୍ଟମ ସଂଖ୍ୟାରେ ପ୍ରକାଶିତ )

centered image
 
ଗପ

ଆ...ଲୋ ବଣି ଆ

ଲେଖା : ପ୍ରବାସିନୀ ମିଶ୍ର

ଲିପୁନ ଘର ପଛପଟ ବାଡିରେ ଗୋଟିଏ ପଣସ ଗଛ ଥାଏ l ସେ ଗଛରେ ଗୋଟିଏ ବଣି ଚଢେଇ ରହୁଥାଏ l ସକାଳ ହେବା ମାତ୍ରେ କୁଆଡେ କୁଆଡେ ଉଡି ବୁଲୁଥାଏ l ସନ୍ଧ୍ୟା ହେବା ପୂର୍ବରୁ ଗଛରେ ଥିବା ତା ` ବସାକୁ ଫେରିଆସେ l ସବୁବେଳେ ଲିପୁ ଦେଖି ଭାରି ଖୁସି ହୁଏ l ବଣିର ଚିଇଁ ଚିଇଁ ଟିଇଁ ଟିଇଁ ଶବ୍ଦରେ ସେ ଜାଣି ଯାଏ ତା ଯିବାର ଆଉ ଘର ବାହୁଡ଼ାର ବେଳ l ସେହି ସମୟକୁ ଚାହିଁ ରହିଥାଏ l କେତେ ଆଦରରେ ଆ, ଆ ଡାକେ ହେଲେ ବଣି ଲିପୁକୁ ଚାହିଁ ଟିକିଏ ହସି ଦେଇ ଉଡି ପଳାଏ l
ଗୋଟେ ଦିନ ମାଆଙ୍କୁ ପଚାରି ଖୁଦ ଚାଉଳ ବୁଣି ଦେଇ କହିଲା -
" ଆ..ଲୋ ବଣି ଆ
ଖୁଦ ଚାଉଳ ଖାଆ
ହୋଇବା ଆମେ ମିତ
ଗାଇବା ମିଠା ଗୀତ l"
ଲିପୁର ମିଠା ମିଠା ଗୀତ ଶୁଣି ବଣି ତଳକୁ ଓହ୍ଲାଇ ଆସି କହିଲା- ମୁଁ ଖାଦ୍ୟ ଲୋଭରେ ଆସିନି l ତୋ ସ୍ନେହ ଆଦର କଅଁଳ ଡାକରେ ପଳେଇ ଆସିଲି l ପରିଶ୍ରମ କରି ଖାଇଲେ ଭଲ l ମୁଁ ଉଡି ଉଡି ଯାଇ ବିଲରେ ବୁଲି ବୁଲି ଝଡ଼ି ଥିବା ଶସ୍ୟ ଖୁଣ୍ଟି ଖୁଣ୍ଟି ଖାଏ l ବାଟରେ କେତେ ସବୁଜ ବନ, ନଦୀ, ନାଳ, ପାହାଡ଼ ଦେଖେ l ଭଲ ପବନ ପାଏ l ଶରୀର ଶକ୍ତ ହୁଏ ଡେଣା ମଜଭୁତ ହୁଏ l ଲିପୁ କହିଲା- ତୁ କେମିତି ଏତେ କଥା ଜାଣିଲୁ? ବଣି କହିଲା ଯେତେବେଳେ ନୂଆ କରି ଖଣ୍ଡି ଉଡ଼ା ଦେଉଥିଲି ମୋ ମାଆ ସବୁ କହିଥିଲା
ହଁ ମୋ ମାଆ ମଧ୍ଯ ଏମିତି ଅନେକ କଥା କହେ l ସୂର୍ଯ୍ୟ ଉଦୟ ପୂର୍ବରୁ ଉଠ, ଯୋଗ କର, ମନ ଦେଇ ପାଠ ପଢ,ଲିପୁ କହିଲା
ବଣି କହିଲା ମୁଁ ଏବେ ଯାଉଛି ମୋ କାମରେ l
ହଉ ଠିକ୍ ଅଛି, ତୁ କିନ୍ତୁ ସବୁଦିନ ମୋ ପାଖକୁ ଆସିବୁ l ମୋର ଗୋଟିଏ ନେଉଳ ସାଙ୍ଗ ଅଛି ତା ସହିତ ତୋତେ ସାଙ୍ଗ କରିଦେବି l ତିନି ସାଙ୍ଗ ଖେଳିବା l ବହୁତ ମଜା ହେବ l
ନିଶ୍ଚୟ ଆସିବି କହି ମୁଣ୍ଡକୁ ଟୁଙ୍ଗାରି ଦେଇ ବଣି ଫୁର୍ କିନା ଉଡିଗଲା l
ତା ପରଦିନ ଲିପୁ ନେଉଳ ସହିତ ଖେଳୁଥିବା ଦେଖି ବଣି ଫୁର୍ କିନା ଉଡି ଆସିଲା l ଲିପୁ ଭାରି ଖୁସି ହୋଇଗଲା l ନେଉଳ ଚଙ୍ଗ ଚଙ୍ଗ ହୋଇ ପଳେଇ ଯିବାର ଦେଖି ଲିପୁ କହିଲା ସାଙ୍ଗ ଡରି ଯାଉଛୁ କି? ତୋ ପରି ଏ ଚଢେଇ ମୋର ଆଉ ଗୋଟିଏ ସାଙ୍ଗ l ଆମେ ତିନି ଜଣ ସାଙ୍ଗ ହୋଇ ଖେଳିବା, ଗପସପ ହେବା l ବଣି ତା ରାଇଜ କଥା ତୁ ତୋ ଦୁନିଆ କଥା ଆଉ ମୁଁ ମୋ କଥା କହିବି l ବଢିଆ ହେବ l ସଙ୍ଗେ ସଙ୍ଗେ ତିନି ଜଣ ଯାକ ସାଙ୍ଗ ହୋଇଗଲେ l ଲିପୁ ଘର ଭିତରକୁ ଯାଇ ନେଉଳ ପାଇଁ ମାଛ ଭାତ, ବଣି ପାଇଁ ଗହମ ଆଉ ଚାଉଳ ନେଇ ଆସିଲା l ଦୁଇ ସାଙ୍ଗ ମନ ଖୁସିରେ ଖାଇ ଯିଏ ଯେଝା କାମକୁ ଗଲେ l ଏମିତି ପ୍ରାୟ ସକାଳେ କିଛି ସମୟ ଓ ସନ୍ଧ୍ୟାରେ କିଛି ସମୟ ଏକାଠି ହୋଇ ହସ ଖୁସି କରନ୍ତି l
ଦିନକର କଥା ଭୋର୍ ଭୋରରୁ ବଣି ଚଢେଇ ଲିପୁ ଦୁଆର ମୁହଁ ପାଖରେ ବିକଳରେ ଚିଇଁ ଚିଇଁ ହେବାରେ ଲାଗିଛି l ନିଦ ମଳି ମଳିରେ ତରତର ହୋଇ ଉଠି ଆସି ଲିପୁ ପଚାରେତ ବଣି କହିଲା- ସାଙ୍ଗ ମୋ ସଂସାର ଭାସି ଯିବ l ତୁ ରକ୍ଷାକର l କାଲି ମୁଁ ତିନୋଟି ଅଣ୍ଡା ଦେଇଛି l ସେ ଅଣ୍ଡା ଫୁଟିଲେ ଛୁଆ ହେବ l ଫୁର୍ ଫୁର୍ ହୋଇ ଉଡ଼ିବେ l ଆମେ ସମସ୍ତେ ସାଙ୍ଗ ହୋଇ ଖେଳିବା l ପ୍ରଥମ କରି ମୁଁ ମାଆ ହେବାକୁ ଯାଉଛି l ହେଲେ ଦେଖେ ଗଛ ମୂଳରୁ ଗୋଟିଏ ସାପ ବାହାରି କେମିତି ଗଛ ଉପରକୁ ଫଣା ଟେକି ଚାହିଁଛି l ସେ ଯଦି ଗଛ ଉପରକୁ ଯାଇ ବସାରୁ ଅଣ୍ଡାକୁ ଆଣି ଖାଇଦେବ ତେବେ ସବୁ ଶେଷ l
ଆରେ ସତରେ ତ ଗଛ ଆଡକୁ ମୁହାଁଇଲାଣି l
ଲିପୁ ସଙ୍ଗେ ସଙ୍ଗେ ସାଙ୍ଗ ନେଉଳକୁ ଡାକ ପକାଇଲା l ଅବେଳରେ ଲିପୁର ଡାକ ଶୁଣି ନେଉଳ ତର ତର ହୋଇ ଆସି ଦେଖିଲା ସାପଟି ଗଛ ଉପରକୁ ଚଢୁଛି l ନେଉଳ ଗୋଟେ ଡିଆଁ ମାରି ସାପଟିକୁ ତଳେ ପକାଇ ଦେଲା l ସାପ ଜାଣି ଗଲା ନେଉଳ ପାଖରୁ ନିସ୍ତାର ନାହିଁ l କାନ୍ଦି କାନ୍ଦି କହିଲା ମୁଁ କେବେ ତୋ ସାଙ୍ଗ ଚଢ଼େଇର କ୍ଷତି କରିବିନି l ମୋତେ ଦୟା କର l ମୋତେ ଛାଡି ଦେ l ସାପ କଥାରେ ନେଉଳ ମନ ତରଳି ଗଲା l କହିଲା - ଯେବେ ତୋତେ ଦେଖିବି ଗଛ ଉପରକୁ ଯିବାର ସେହିଦିନ ତୋର ଶେଷ ଦିନ ହେବ l
ନାହିଁ ନାହିଁ କେବେ ଏ ଭୁଲ୍ ହେବନି କହି ନେଉଳ ଗୋଡ ତଳେ ଲମ୍ବ ହୋଇ ମୁଣ୍ଡିଆ ମାରିଲା l ନେଉଳ ତାକୁ ଛାଡ଼ିଦେଲା l
ତଥାପି ତିନି ସାଙ୍ଗଙ୍କର ବିଶ୍ୱାସ ହେଉ ନଥାଏ l ଚଢେଇଟି ତା ଛୁଆ ପାଇଁ ବ୍ୟସ୍ତ ହୋଇ ଯାଉଥାଏ l ନେଉଳ କହିଲା- ସାଙ୍ଗ ତୁ ଆଦୌ ବ୍ୟସ୍ତ ହୁଅନା l ମୁଁ ତୋ ଛୁଆ ବଡ ହେବା ପର୍ଯ୍ୟନ୍ତ ସବୁବେଳେ ସାପ ଉପରେ ନଜର ରଖିବି l ତୁ ନିର୍ଭୟରେ ରହ l ସେଇ କଥା ହେଲା l ନେଉଳ ସବୁବେଳେ ସତର୍କର ସହ ନଜର ରଖିଥାଏ l ବଣିର ତିନୋଟି ଗୁଲୁଗୁଲିଆ ଛୁଆ ଆସ୍ତେ ଆସ୍ତେ ବଡ ହୋଇ ଟିକେ ଟିକେ ଉଡ଼ିବା ଶିଖିଲେଣି l ଲିପୁ, ନେଉଳ ଆଉ ବଣି, ଛୁଆ ସାଙ୍ଗରେ ଖେଳି ବହୁତ ଆନନ୍ଦ ପାଉଛନ୍ତି l
ଲିପୁ କହିଲା- ସତରେ ବଣି , ତୁ ଭାରି ଚତୁର l ବିପଦ ଦେଖି ଯଦି ଉପସ୍ଥିତ ବୁଦ୍ଧି ଖଟାଇ ନଥାନ୍ତୁ ଆମେ ଆଜି ତୋର ଏଇ କଉତୁକିଆ ଛୁଆକୁ ପାଇ ନଥାନ୍ତେ l ବଣି କହିଲା- ହଁ ସାଙ୍ଗ ତୁମେ ଦୁଇ ଜଣ ମୋତେ ସାହାଯ୍ୟ କରିବାରୁ କେଡ଼େ ବଡ ବିପଦ ଟଳିଗଲା l ଆମେ ଏମିତି ସବୁବେଳେ ଭଲ ସାଙ୍ଗ ହୋଇ ରହିବା l ସମସ୍ତଙ୍କର ଅସୁବିଧା ସମୟରେ ବୁଦ୍ଧି ଖଟାଇ ସମାଧାନ କରିବା l ଆଉ ହସ ଖୁସି କରିବା l
ସମସ୍ତେ ଏକ ସ୍ଵରରେ ଗାଇଲେ ଆ..ଲୋ ଛୁଆ ବଣି ଆ
ଗେଲବସରରେ ବଡ ହେଉ ଥାଆ ..... l

ଶ୍ରୀବିହାର ରାସ୍ତା
ପୁରୀ
ମୋ- 6371072059

ଲେଖା ସମ୍ପର୍କୀୟ ମତାମତ

ରମେଶ ପ୍ରସାଦ ମେହେର

03-08-2025 / 10:08:12

ବହୁତ ସୁନ୍ଦର ଗପଟିଏ l ସରଳ ଭାଷାରେ ଲିଖିତ l ଲେଖକଙ୍କୁ ଅଜସ୍ର ଅଭିନନ୍ଦନ l ସମ୍ପାଦକଙ୍କୁ ଅନେକ ଅନେକ ସାଧୁବାଦ l ଲେଖାଟି ଅତ୍ୟନ୍ତ ପ୍ରେରଣlଦାୟୀ l ମିଳିମିଶି ଚଳିଲେ - ବିପଦ ନ ଆସଇ କେବେ l

ପ୍ରବାସିନୀ ମିଶ୍ର

01-08-2025 / 14:22:57

ଧନ୍ଯବାଦ ସହିତ ପ୍ରଣାମ କରୁଛି

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion