ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ସେପ୍ଟେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ନବମ ସଂଖ୍ୟାରେ ପ୍ରକାଶିତ )

centered image
 
ଜ୍ଞାନବିଜ୍ଞାନ

ପଥର ଘେରାରେ ଘର

ଲେଖା : ଡକ୍ଟର କମଳାକାନ୍ତ ଜେନା

୨୦୦୩ ମସିହା ସେପ୍ଝେମ୍ବର ୨୭ ତାରିଖ ସଂଧ୍ୟାରେ ଆମ ଓଡିଶାରେ ଏକ ବିରଳ ଘଟଣା ଘଟିଥିଲା । ପ୍ରଚଣ୍ଡ ଶବ୍ଦ କରି କେତେକ ପଥରଖଣ୍ଡ ଆକାଶରୁ ଜଳି ଜଳି ଆସି ଭୂଇଁରେ ପଡିଲା । ଲୋକମାନେ ଭୟଭୀତ ହୋଇ ପଡିଲେ । ବାରିପଦା, କପ୍ତିପଦା, ମୟୁରଭଂଜ, କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ ଓ ସୁବର୍ଣ୍ଣପୁର ଇତ୍ୟାଦି ସ୍ଥାନରେ ଏସବୁ ପଥର ପଡିଥିଲା । ପଥରର ରଙ୍ଗ ଥିଲା କଳା । ପଟ୍ଟାମୁଣ୍ଡାଇରେ ପଡିଥିବା ଖଣ୍ଡିଏ ପଥର ଅଧା କିଲୋଗ୍ରାମ୍ରୁ ଅଧିକ ଥିଲା । ଆକାଶରୁ ଜଳି ଜଳି ଆସି ଭୂଇଁରେ ପଡୁଥିବା ପଥରକୁ `ଉଲ୍କା` (ମେଟିଓର) ବୋଲି କୁହାଯାଏ । ପୃଥିବୀରେ `ଉଲ୍କା` ପଥର ପଡିବା ନୂଆ କଥା ନୁହେଁ । କାହିଁକି ନା, ଆମେ ରହୁଥିବା ପୃଥିବୀ ଗ୍ରହକୁ ଚାରିପଟରୁ ଛୋଟବଡ ପଥର ଘେରିରହିଛି । ସେହି ପଥରଗୁଡିକୁ `ଗ୍ରହାଣୁ` ବୋଲି କୁହାଯାଏ । ସେଗୁଡିକର ଆକାର ଛୋଟ ଛୋଟ ଗୋଡିରୁ ଆରମ୍ଭ କରି ବଡ ବଡ ପଥର ପରି ହୋଇଥାଏ । ସେମାନଙ୍କ ଭିତରେ ସବୁଠାରୁ ବଡ ପିଣ୍ଡ ହେଉଛି ସେରିସ୍, ଯାହାର ଓସାର ୯୫୦ କିଲୋମିଟର । ଏହା ହେଉଛି ଗୋଟିଏ ବାମନଗ୍ରହ । ତା` ତଳକୁ ୬୦୦ କିଲୋମିଟର ଓସାରର ଅଳ୍ପ କିଛି ପିଣ୍ଡ ବି ଅଛନ୍ତି । ପ୍ରାୟ ୨୦୦ରୁ ଅଧିକ ଗ୍ରହାଣୁର ଓସାର ୧୦୦ କିଲୋମିଟରରୁ ଅଧିକ ବୋଲି ଜଣାପଡିଛି । ସେମିତି ଗ୍ରହାଣୁର ଗୋଟିଏ ପାଖରେ ଭଦ୍ରକ ରହିଲେ, ଆର ପାଖରେ ରହିବ କଟକ । ତେଣୁ ବସ୍ରେ ବସି ସେଇ ଗ୍ରହାଣୁର ଏମୁଣ୍ଡରୁ ସେମୁଣ୍ଡକୁ ଗଲେ ଦୁଇ ଘଂଟା ଲାଗିବ ।
ଗ୍ରହାଣୁପୁଞ୍ଜ
ସବୁ ଗ୍ରହାଣୁର ଆକାର ସମାନ ନୁହେଁ । ଗୋଟିଏ ଗୋଟିଏ `ଗ୍ରହାଣୁ`ର ଲମ୍ବ ୨୪ କିଲୋମିଟର । ତା` ଉପରେ କଟକ-ଭୁବନେଶ୍ବର ପରି ସହର ରହିପାରିବ । ସୂର୍ଯ୍ୟ ଚାରିପଟେ ଆମ ପୃଥିବୀ ଭଳି ୮ଟି ଗ୍ରହ, ପ୍ଲୁଟୋ ଭଳି ୫ଟି ବାମନଗ୍ରହ, ଚନ୍ଦ୍ର ପରି ଅତି କମ୍ରେ ୯୫୩ଟି ଉପଗ୍ରହ ଓ ୪୦୦୦ରୁ ଅଧିକ ଧୂମକେତୁ ବୁଲୁଛନ୍ତି । ସୂର୍ଯ୍ୟଠାରୁ ଦୂରତାକ୍ରମରେ ଗ୍ରହଗୁଡିକୁ ସଜେଇଲେ ପ୍ରଥମେ ଆସିବ ବୁଧଗ୍ରହ । ତା` ପରେ ରହିବେ ଶୁକ୍ର, ପୃଥିବୀ, ମଙ୍ଗଳ, ବୃହସ୍ପତି, ଶନି, ୟୁରାନସ୍ ଓ ଶେଷରେ ନେପ୍ଚୁ୍ୟନ୍ । ମଙ୍ଗଳଗ୍ରହ ଓ ବୃହସ୍ପତିର କକ୍ଷପଥ ଭିତରେ ବଳୟ ରୂପରେ ଛୋଟ ବଡ ଅସଂଖ୍ୟ ପଥର ଅଛନ୍ତି । ସେହି ବଳୟର ନାମ `ଗ୍ରହାଣୁପୁଞ୍ଜ` । ସୂର୍ଯ୍ୟ ଚାରିପଟେ `ଗ୍ରହାଣୁପୁଞ୍ଜ` ବୁଲୁଛି । ସୂର୍ଯ୍ୟଠାରୁ କିରଣ ଆସି ପୃଥିବୀରେ ପହଂଚିବା ପାଇଁ ୮ ମିନିଟ୍ ଲାଗେ ଓ `ଗ୍ରହାଣୁପୁଞ୍ଜ` ନିକଟରେ ୧୬ ମିନିଟ୍ରେ ପହଂଚିଥାଏ । ତେଣୁ ଆମଠାରୁ ସୂର୍ଯ୍ୟ ଯେତିକି ଦୂରରେ ଅଛି, ପ୍ରାୟ ସେତିକି ଦୂରରେ ପଥର ବଳୟ ରହିଛି । ତେଣୁ ଆମେ ପଥର ଘେରା ଭିତରେ ପୃଥିବୀରେ ଘରଦ୍ବାର କରି ରହିଛୁ ।
ବିପଦ କେତେବେଳେ ଆସିବ କହିହେବ ନାହିଁ
କେବଳ `ଗ୍ରହାଣୁପୁଞ୍ଜ` ବଳୟ ଭିତରେ ସବୁ ପଥରପିଣ୍ଡ ନାହାନ୍ତି । ବଳୟ ବାହାରେ ବି କିଛି ପଥରପିଣ୍ଡ ବିଛେଇ ହୋଇ ରହିଛନ୍ତି । ସବୁଠାରୁ ଚିନ୍ତାର ବିଷୟ, ପୃଥିବୀ ନିକଟରେ ୩ ଲକ୍ଷରୁ ଅଧିକ ଗ୍ରହାଣୁ ରହିଥିବାର ଜଣାପଡିଛି । ସେଥିରୁ ୧୨,୦୦୦ ରୁ ଅଧିକ ପଥରପିଣ୍ଡକୁ ଠାବ କରାଯାଇଛି, ଯାହାର ଓସାର ୧ ମିଟରରୁ ୩୨ କିଲୋମିଟର ପର୍ଯ୍ୟନ୍ତ ହେବ ବୋଲି ପ୍ରମାଣ ମିଳିଛି । ସେଗୁଡିକ ଭିତରୁ ୫୦୦୦ ଗ୍ରହାଣୁ ପୃଥିବୀର ମାଧ୍ୟାକର୍ଷଣ ବଳୟ ଭିତରକୁ ପଶି ଆସି ପୃଥିବୀପୃଷ୍ଠରେ ଧକ୍କା ହେବାର ଅଧିକ ସମ୍ଭାବନା ରହିଛି । ସେହି ୫୦୦୦ ଗ୍ରହାଣୁ ଏବେ ବି ଆମ ପୃଥିବୀ ଚାରିପଟେ ବୁଲୁଛନ୍ତି । ତେଣୁ ଆମ ମୁଣ୍ଡ ଉପରେ ପଥର ଭାସୁଛି । କେତେବେଳେ ପଡିବ ଆମେ କହିପାରିବା ନାହିଁ।
ଈଶ୍ବରଙ୍କ ଦୟାରେ ଆମେ ବଂଚିଛୁ
ସୃଷ୍ଟିକର୍ତ୍ତା ଏତେ ନିର୍ଦ୍ଦୟ ନୁହନ୍ତି । ଆମ ପାଇଁ ସେ ପୃଥିବୀ ଚାରିପଟେ ଘନ ବାୟୁମଣ୍ଡଳ ରଖିଛନ୍ତି । ରଖିବାର ପ୍ରଥମ ଉଦ୍ଧେଶ୍ୟ, ଜୀବଜଗତ ବଂଚିବା ପାଇଁ ବାୟୁମଣ୍ଡଳରୁ ଅମ୍ଳଜାନ ପାଇବ । ଆଉ ଗୋଟିଏ ଉଦ୍ଦେଶ୍ୟ, ଜୀବଜଗତକୁ ପଥରମାଡରୁ ବାୟୁମଣ୍ଡଳ ରକ୍ଷା କରିବ । ଗ୍ରହାଣୁପିଣ୍ଡ ପୃଥିବୀର ମାଧ୍ୟାକର୍ଷଣ ବଳ ଦ୍ବାରା ଟାଣି ହେଇ ଆମର ବାୟୁମଣ୍ଡଳକୁ ପ୍ରବେଶ କଲେ ବାୟୁକଣିକା ସହିତ ଘଷି ହୁଏ । ଘଷି ହେଲେ ତାପ ସୃଷ୍ଟି ହୁଏ । ତାପମାତ୍ରା ଏତେ ବଢିଯାଏ ଯେ, ପିଣ୍ଡଟି ଜଳିବା ଆରମ୍ଭ କରେ । ଜଳି ଜଳି କ୍ଷୀପ୍ର ବେଗରେ ଖସି ପଡୁଥିବା ସେହି ପଥରଖଣ୍ଡକୁ ଆମେ `ଉଲ୍କା` ବୋଲି କହୁ । ସାଧାରଣତଃ ସେଗୁଡିକ ଭୂଇଁ ଛୁଇଁବା ପୂର୍ବରୁ ଜଳି ପାଉଁଶ ହୋଇଯାଆନ୍ତି । କିନ୍ତୁ ବଡ ପିଣ୍ଡଗୁଡିକ ପୂରା ଜଳି ପାରନ୍ତି ନାହିଁ । ଜଳି ନଥିବା ଅଂଶ ଆସି ଭୂଇଁରେ ପଡେ, ଯାହାକି ୨୦୦୩ ମସିହାରେ ଦେଖିବାକୁ ମିଳିଥିଲା । ବଡ ବଡ ଗ୍ରହାଣୁଗୁଡିକ ଜଳିଲା ପରେ ଭୂଇଁକୁ ଛୁଇଁବା ବେଳକୁ ସେଗୁଡିକାର ଆକାର ଖୁବ୍ ଛୋଟ ଥିବାରୁ ସେତେ ଅସୁବିଧା ହୋଇନାହିଁ । ବାୟୁମଣ୍ଡଳ ନଥିଲେ ଯଦି ୧୦୦-୨୦୦ କିଲୋମିଟର ଓସାରର ପଥର ଆସି ପୃଥିବୀରେ ପଡନ୍ତା, ତେବେ ଅବସ୍ଥା ଅସମ୍ଭାଳ ହୁଅନ୍ତା ।
ବୈଜ୍ଞାନିକ ସହାୟତା
ମହାକାଶ ବିଜ୍ଞାନୀମାନେ ଗ୍ରହାଣୁପଥରଗୁଡିକ ଉପରେ ନଜର ରଖିଛନ୍ତି । ଶହେ ବର୍ଷ ପରେ କେଉଁ ପଥର ଆସି ପୃଥିବୀର କୋଉ ଅଂଚଳରେ ବାଡେଇବାର ସମ୍ଭାବନା ରହିଛି, ତାହା ସେମାନଙ୍କୁ ଜଣା ଅଛି । କୌଣସି ବିଶାଳ ପଥର ଆସି ଆମ ପୃଥିବୀରେ ବାଡେଇବାର ଯଥେଷ୍ଟ ପୂର୍ବରୁ ବୈଜ୍ଞାନିକମାନେ ନିଶ୍ଚୟ ଜାଣିପାରିବେ । ତେଣୁ ପୃଥିବୀ ସହିତ ସେହି ପଥରର ସଂଘର୍ଷକୁ ଏଡେଇବା ଦିଗରେ ସେମାନେ ପ୍ରୟାସ ମଧ୍ୟ କରିବେ । କିନ୍ତୁ, ସୃଷ୍ଟିକର୍ତା ହେଉଛନ୍ତି ସବୁଠାରୁ ବଡ଼ ବୈଜ୍ଞାନିକ। ତେଣୁ ସୃଷ୍ଟିକର୍ତାଙ୍କୁ ପ୍ରାର୍ଥନା କରିବା, ମଣିଷଜାତି ମହାକାଶରୁ ଆସୁଥିବା ବିଶାଳ ପଥରମାଡର ସମ୍ମୁଖୀନ ନ ହେଉ ।

ଓ.ଇ.ଏସ୍.-୧,
ପ୍ରାଧ୍ୟାପକ, ପଦାର୍ଥ ବିଜ୍ଞାନ (ଫିଜିକ୍ସ୍) ବିଭାଗ,
ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ-୭୫୬୧୦୦,
ଫୋନ୍ ନମ୍ବର – ୯୪୩୯୫୦୧୬୫୧

ଲେଖା ସମ୍ପର୍କୀୟ ମତାମତ

ହରିପ୍ରିୟା ପଟ୍ଟନାୟକ।

02-09-2025 / 17:41:30

ବିଜ୍ଞାନ ଲେଖାଟି ଭଲଲାଗିଲା।

ଡ. ବିଜୟା ପାତ୍ର।

01-09-2025 / 18:31:50

କମଳାକାନ୍ତଂକ କଲମରୁ ଏହା ଏକ ସୁନ୍ଦର ତଥ୍ଯ ଭିତ୍ତିକ ଲେଖା। ଭଲ ଲାଗିଲା।

Minati pattnayak

01-09-2025 / 13:56:50

ପିଲାଙ୍କ ପାଇଁ ଉପାଦେୟ

ଧୀରେନ ମିଶ୍ର

01-09-2025 / 13:48:26

ସୁନ୍ଦର ତଥ୍ଯ ଭିତ୍ତିକ ଉପସ୍ଥାପନ । ଅନେକ ଅନେକ ଅଭିନନ୍ଦନ ଭାଇ । ଜୟ ଶ୍ରୀରାଧେକୃଷ୍ଣ ।

ନିରଞ୍ଜନ ପତି

01-09-2025 / 11:55:02

ସୁନ୍ଦର, ସାବଲୀଳ ଭାଷା ରେ ବିଜ୍ଞାନ ଆମ ପିଲାମାନେ ବୁଝିଲା ପରି ଲେଖିଛନ୍ତି ,ତା ପୁଣି ଆଧୁନିକ ଓ ଆଧ୍ୟାତ୍ମିକ । ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରୁଛି ଭାଇ ।ଜୟ ଜଗନ୍ନାଥ ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion