ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅକ୍ଟୋବର:୨୦୨୫ , ଦ୍ବିତୀୟ ବର୍ଷ:ଦଶମ ସଂଖ୍ୟାରେ ପ୍ରକାଶିତ )

centered image
 
ଗପ

ଶ୍ରୀରାମଙ୍କ ଦେବୀ ପୂଜା

ଲେଖା : ସୁଵାସିନୀ ଧଳ

ତ୍ରେତୟା ଯୁଗର କଥା । ମହାପ୍ରତାପି ରାବଣ ଲଙ୍କାର ରାଜା ହୋଇ ଦେବତା ମାନଙ୍କୁ ଵହୁ ଅତ୍ୟାଚାରିତ କରୁଥିଲା। ତାର ଦଶଟି ମୁଣ୍ଡ ଥିଵାରୁ ସମସ୍ତେ ତାକୁ ଦଶାନନ ଓ କୋଡିଏଟି ହାତ ଥିବାରୁ ସମସ୍ତେ ତାକୁ ବିଂଶ ପାଣି ଵୋଲି ଜାଣିଥିଲେ। ଵିଶ୍ରଵାଋଷି ଓ ନିକଷା ରାକ୍ଷସୀ ର ପୁତ୍ର ହୋଇ ଥିବାରୁ ରାଵଣର ଦୁଇ ପ୍ରକାରର ଗୁଣ ସୁଗୁଣ ଆଉ ଦୁର୍ଗୁଣ ଥିଲା। ରାଵଣର ଆରାଧ୍ୟ ଦେଵାଦେଵୀ ଥିଲେ ଶିଵ ଓ ପାର୍ବତୀ। ଅତ୍ୟନ୍ତ ଭକ୍ତି ସହକାରେ ସେ ଶିଵ-ପାର୍ଵତୀଙ୍କୁ ପୂଜାର୍ଚ୍ଚନା କରୁଥିଲା। ପୁଣି ଯନ୍ତ୍ର,ତନ୍ତ୍ର,ମନ୍ତ୍ରର ସାହାଯ୍ୟ ନେଇ ଆରାଧନା କରୁଥିଲା। ରାଵଣର ଶିବ ତାଣ୍ଡବ ଶୁଣି ଶିଵ ମୁଗ୍ଧ ହୋଇ ତାଙ୍କୁ ଅଭୟ ବର ପ୍ରଦାନ କରିଥିଲେ ଓ ଶକ୍ତିସ୍ଵରୂପିଣୀ ମାତା ପାର୍ବତୀ ତାଙ୍କୁ ଶକ୍ତି ପ୍ରଦାନ କରିଥିଲେ। ସେଥିପାଇଁ ରାବଣ ଇନ୍ଦ୍ର ଚନ୍ଦ୍ର ମାନୁ ନଥିଲା। ସ୍ଵର୍ଗର ଦେବାଦେବୀଙ୍କୁ ଆଣି ପାଦ ତଳେ ଖଟାଇଲା। ନିଜକୁ ଅମର ଭାବି ସ୍ବର୍ଗ ମର୍ତ୍ତ୍ୟ ପାତାଳ କୁ ଥରାଇଵାକୁ ଲାଗିଲା।
ଅଯୋଧ୍ୟାର ରାଜା ଦଶରଥଙ୍କର ଚାରିପୁତ୍ର ଥିଲେ। ଜ୍ୟେଷ୍ଠ ପୁତ୍ର ଶ୍ରୀରାମ ପିତୃସତ୍ୟ ପାଳନ କରି ପଞ୍ଚଵଟୀ ଅରଣ୍ୟରେ ଅନୁଜ ଲକ୍ଷ୍ମଣ ଓ ସୀତାଙ୍କ ସହ କୁଡ଼ିଆ କରି ରହୁଥିଲେ । ଜନକନନ୍ଦିନୀ ସୀତା ଖୁବ୍ ସୁନ୍ଦରୀ ଥିଵାରୁ ଦଶାନନ ରାଵଣ ତାଙ୍କୁ ଚୋରାଇ ନେଵାକୁ ଚାହିଁଲା। ସେଥିପାଇଁ ସେ ସୁବର୍ଣ୍ଣର ଏକ ମାୟାମୃଗ ସୀତାଙ୍କ ପାଖକୁ ପଠାଇଥିଲା ଓ ନିଜେ ମଧ୍ୟ କପଟୀ ସନ୍ନ୍ୟାସୀ ଵେଶରେ ସୀତାଙ୍କୁ ଅପହରଣ କରିଵା ପାଇଁ କୁଡ଼ିଆ ଵାହାରେ ଜଗି ରହିଥିଲା। ସୀତା ସୁବର୍ଣ୍ଣ ମୃଗ ଦେଖି ଖୁବ୍ ମୋହିତ ହୋଇଗଲେ ଓ ସ୍ବାମୀଙ୍କୁ ତାହାକୁ ଧରିଆଣି ଦେବାକୁ ଅନୁରୋଧ କଲେ। ସୀତାଙ୍କ ଅନୁରୋଧରେ ଶ୍ରୀରାମ ଧନୁଶର ଧରି ସୁବର୍ଣ୍ଣ ମୃଗ ପଛେ ପଛେ ଧାଇଁଲେ। ଅନେକ ଦୂର ଯିବା ପରେ ମାୟାମୃଗକୁ ସେ ଶରବିଦ୍ଧ କରି ମାରିଦେଲେ। ମଲାଵେଳେ ମୃଗ କଣ୍ଠର ଲକ୍ଷ୍ମଣ...ଲକ୍ଷ୍ମଣ....ଡାକ ଶୁଣି ସୀତା ଚିନ୍ତାରେ ପଡ଼ିଗଲେ ଓ ଲକ୍ଷ୍ମଣଙ୍କୁ ରାମଙ୍କ ପାଖକୁ ଯିଵାକୁ ଅନୁରୋଧ କଲେ। ଲକ୍ଷ୍ମଣ କୁଡ଼ିଆ ଦ୍ଵାରରେ ତିନୋଟି ଗାର ଟାଣି ଗାର ନ ଡେଇଁଵାକୁ କହି ଚାଲିଗଲେ। ସୀତା ଏକାକିନୀ ଥିଲାବେଳେ ରାବଣ ଭିକ୍ଷା ମାଗିଵାକୁ ଆସି ସୀତାଙ୍କୁ ଚୋରେଇ ନେଲା। ସୀତା ରାବଣ ପୁରରେ ଅଶୋକ ଵନରେ ଵସି ଆଖିରୁ ଲୁହ ଗଡାଉଥାନ୍ତି। ହନୁମାନ ସୀତାଙ୍କୁ ଠାଵ କରି ରାମଙ୍କୁ ମାତା ସୀତାଙ୍କୁ ଉଦ୍ଧାର ପାଇଁ କହିଲେ। କିନ୍ତୁ ରାଵଣ ନମଲେ ସୀତା ଉଦ୍ଧାର ହେଵେ ଵା କେମିତି? ରାଵଣର ଭାଇ ଵିଭିଷଣ କହିଲେ,"ରାବଣଙ୍କୁ ମା`ଦୁର୍ଗା ସହାୟିକା ଅଛନ୍ତି। ତାଙ୍କୁ ଯଦି ପୂଜାରେ ସନ୍ତୁଷ୍ଟ କରା ଯାଇ ପାରନ୍ତା ତେବେ ରାଵଣ ବଦ୍ଧ ସହଜ ହୋଇ ପାରନ୍ତା।" ଏହା ଶୁଣି ରାମ ଲକ୍ଷେ ନୀଳପଦ୍ମ ତୋଳି ଆଣିଵାକୁ ହନୁମାନଙ୍କୁ ପଠାଇଲେ। ହନୁମାନ ମଧ୍ୟ ଖୁବ୍ ଶୀଘ୍ର ଯାଇ ଲକ୍ଷେ ନୀଳପଦ୍ମ ତୋଳି ଆଣିଲେ। ଲକ୍ଷ୍ମଣ ସେଗୁଡିକୁ ଗୋଟି ଗୋଟି କରି ଗଣି ରଖିଲେ। କିନ୍ତୁ ଶ୍ରୀରାମ ଯେତେବେଳେ ମନ୍ତ୍ର ସହ ଦେବୀଙ୍କୁ ଗୋଟିଏ ଗୋଟିଏ ନୀଳପଦ୍ମ ଅର୍ପଣ କଲେ ଶେଷରେ ଜଣାଗଲା ଯେ ଗୋଟିଏ ପଦ୍ମ କମ୍ ଅଛି।ଶ୍ରୀରାମ କ`ଣ କରିଵେ ଚିନ୍ତା କରି ପାରିଲେ ନାହିଁ। ଭାଵିଲେ ଦେଵୀ ନିଶ୍ଚୟ ତାଙ୍କ ଉପରେ ରୋଷ କରିଛନ୍ତି। ଏହି ସମୟରେ ତାଙ୍କର ମନେ ପଡ଼ିଗଲା ତାଙ୍କର ନୀଳପଦ୍ମ ପରି ଆଖିକୁ ଦେଖି ସମସ୍ତେ ତାଙ୍କୁ ପଦ୍ମଲୋଚନ ଵୋଲି ଡାକନ୍ତି। ତେଣୁ ସେ ନିଜର ଗୋଟିଏ ଆଖି ତାଡ଼ି ଦେଵୀଙ୍କୁ ଅର୍ପଣ କରିବାକୁ ଯିବା ମାତ୍ରେ ଦୁର୍ଗା ସଙ୍ଗେ ସଙ୍ଗେ ସେଠାରେ ଆବିର୍ଭାବ ହୋଇ କହିଲେ,"ପ୍ରଭୁ! ଆପଣ ଏ କ`ଣ କରୁଛନ୍ତି? ମୁଁ ଆପଣଙ୍କୁ କେଵଳ ପରୀକ୍ଷା କରିଵା ପାଇଁ ଗୋଟିଏ ନୀଳପଦ୍ମ ଲୁଚାଇ ରଖିଥିଲି। ମୋତେ କ୍ଷମା କରି ଦିଅନ୍ତୁ।" ଦେଵୀଙ୍କୁ ସମ୍ମୁଖରେ ପାଇ ଶ୍ରୀରାମ ଆନନ୍ଦରେ ଗଦ୍ ଗଦ୍ ହୋଇ ଉଠିଲେ ଓ ସେହି ଶେଷ ନୀଳପଦ୍ମଟି ନେଇ ଦେବୀଙ୍କୁ ଅର୍ପଣ କରି ପୂଜା ଶେଷ କଲେ। ଦେଵୀଙ୍କ ଆଶୀର୍ବାଦ ନେଇ ଶ୍ରୀରାମ ରାବଣଙ୍କୁ ମାରି ସୀତାଙ୍କୁ ଉଦ୍ଧାର କଲେ। ଆଶ୍ଵିନ ଶୁକ୍ଳ ଦଶମୀ ତିଥିରେ ଶ୍ରୀରାମଙ୍କର ଵିଜୟ ହୋଇ ଥିଵାରୁ ଏହି ଦିନକୁ ଵିଜୟା ଦଶମୀ ନାମରେ ଅଭିହିତ କରାଗଲା।

ଜଗନ୍ନାଥ ୱରିଅର ରେସିଡେନ୍ସି
ଫ୍ଲାଟ୍ ନ- ଏ-୫/୫୦୩
କାଇମାଟିଆ।, ଭୁବନେଶ୍ୱର
ମୋ- ୯୮୬୧୩୨୯୮୮୪

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion