ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅକ୍ଟୋବର:୨୦୨୫ , ଦ୍ବିତୀୟ ବର୍ଷ:ଦଶମ ସଂଖ୍ୟାରେ ପ୍ରକାଶିତ )

centered image
 
ଗପ

ଆସ, ମହାକାଶ କେନ୍ଦ୍ରରେ ଖାଇବା

ଲେଖା : ଡକ୍ଝର କମଳାକାନ୍ତ ଜେନା

ଉପରକୁ ଟେକା ଫିଙ୍ଗିଲେ କିଛି ବାଟ ଗଲା ପରେ ତାହା ପୁଣି ଫେରିଆସି ତଳେ ପଡେ । ଗଛରୁ ଆମ୍ବ ଝଡିଲେ ଭୂଇଁ ଉପରେ ପଡେ । କାଚଗିଲାସ ହାତରୁ ଖସିଲେ ଚଟାଣରେ ପଡି ଭାଙ୍ଗିଯାଏ । ଏସବୁ ଆମ ପାଇଁ ସାଧାରଣ କଥା, କାରଣ ଆମେ ପୃଥିବୀରେ ରହୁ । ପୃଥିବୀର ମାଧ୍ୟାକର୍ଷଣ ବଳ ସବୁ ଜିନିଷକୁ ତଳକୁ ଟାଣେ । ଭୂଇଁଠାରୁ ୪୦୦ କି.ମି. ଉଚ୍ଚତାରେ ରହି ଆଇ.ଏସ୍.ଏସ୍. ମହାକାଶ ଗବେଷଣା କେନ୍ଦ୍ର ଆମ ପୃଥିବୀ ଚାରିପଟେ ବୁଲୁଛି । ପ୍ରକୃତରେ ଏହା ହେଉଛି ମୁକ୍ତ ଭାବରେ ତଳକୁ ପଡୁଥିବା ବସ୍ତୁ । ବୈ÷ଜ୍ଞାନିକମାନେ ଏହାକୁ ଏପରି ଦିଗରେ ଛାଡିଛନ୍ତି, ଯେମିତି ତାହା ଭୂଇଁକୁ ଛୁଇଁ ପାରିବ ନାହିଁ, କିନ୍ତୁ ମାଧ୍ୟାକର୍ଷଣ ବଳ ଦ୍ବାରା ଟାଣି ହୋଇ ପୃଥିବୀ ଚାରିପଟେ ବୁଲୁଥିବ । ଭୂଇଁଠାରୁ ୪୦୦ କି.ମି. ଉଚ୍ଚତାରେ ମାଧ୍ୟାକର୍ଷଣ ବଳ ରହିଛି, କିନ୍ତୁ ମହାକାଶ କେନ୍ଦ୍ର ମୁକ୍ତ ଭାବରେ ଖସୁଥିବାରୁ ତାହା ଭିତରେ ମାଧ୍ୟାକର୍ଷଣ ବଳ ଅନୁଭବ କରି ହେବ ନାହିଁ । ତାହାକୁ `ଜିରୋ-ଗ୍ରାଭିଟୀ` କୁହାଯାଏ । ତା` ଭିତରେ ସମସ୍ତେ ଶୂନ୍ୟରେ ଭାସି ବୁଲିବେ । ନାହିଁ
ଏବେ ଚାଲ ଆଇ.ଏସ୍.ଏସ୍. ମହାକାଶ କେନ୍ଦ୍ରକୁ ଯିବା ଓ ସେଠାରେ ଜଳଖିଆ ଖାଇବା । କିନ୍ତୁ, ତୁମ ଇଚ୍ଛା ଅନୁସାରେ ଖାଇ ପାରିବନି । ଖାଦ୍ୟ ଉପରେ ଲୁଣ ବା ଲଙ୍କାଗୁଣ୍ଡ ଛିଂଚି ପାରିବନି । `ଜିରୋ-ଗ୍ରାଭିଟୀ` ହେତୁ ତାହା ଖାଦ୍ୟରେ ନପଡି ଶୂନ୍ୟରେ ଭାସିବୁଲିବ । ସେଠାରେ ବୋତଲ ଟେକି ପାଣି ପିଇଲେ ପାଟି ଭିତରକୁ ପାଣି ନଯାଇ ମୁହଁ ପାଖରେ ଭାସିବୁଲିବ । ବିସ୍କୁଟ୍ କାମୁଡି କାମୁଡି ଖାଇପାରିବନି । ବିସ୍କୁଟ୍ ଗୁଣ୍ଡ ମହାକାଶ କେନ୍ଦ୍ର ଭିତରେ ଏଣେ ତେଣେ ଭାସିବୁଲିବ । ଭାସିବୁଲୁଥିବା କଣିକା ଯଦି କୋଉ ଯନ୍ରପାତି ଭିତରେ ପଶିବ, ତେବେ ଅସୁବିଧା ହେବ ।
ମହାକାଶଯାନ ଭିତରେ ମିଳୁଥିବା ଖାଦ୍ୟପଦାର୍ଥ ପାଉଡର କିମ୍ବା ମଲମ ରୂପରେ ଥାଏ । ସେଗୁଡିକୁ ପ୍ୟାକେଟ୍ ବା ପାଉଚ୍ କରି ଫ୍ରୀଜ୍ ଭିତରେ ରଖାଯାଇଥାଏ । ଲୁଣ ହେଉ କି ଲଙ୍କାଗୁଣ୍ଡ, ସେସବୁ ପାଉଚ୍ ଭିତରେ ତରଳ ଅବସ୍ଥାରେ ଥାଏ, ଯାହାକୁ ମହାକାଶଚାରୀମାନେ ଶୋଷି ଶୋଷି ଖାଆନ୍ତି । ଏମିତି ଜଗି ଜଗି ଖାଇଲେ ଖାଦ୍ୟ କଣିକାଗୁଡିକ ସୂକ୍ଷ୍ମ ଯନ୍ରପାତି ଭିତରେ ପଶି ଅଡୁଆ ପରିସ୍ଥିତି ସୃଷ୍ଟି କରେ ନାହିଁ । ଆରେ, ତୁମେ ବୁଲି ବୁଲି ଖାଇପାରିବନି । ଖାଇବା ସମୟ ହେଲେ ଯାନ ଭିତରେ ଭାସି ଭାସି ଡାଇନିଙ୍ଗ୍ ହଲକୁ ଯିବ । କାନ୍ଥ ବା ଟେବୁଲ ସହିତ ତୁମକୁ ବନ୍ଧା ହେବ । କୋଳରେ ଥାଳି ବନ୍ଧା ହେବ । ତୁମେ ନିଜର ଖାଦ୍ୟ ପ୍ୟାକେଟକୁ ଥାଳିରେ ରଖିଲେ ତାହା ସେଇଠି ଚୁମ୍ବକ ପରି ଲାଗି ରହିବ । ତୁମେ ଗୋଟିଏ ଗୋଟିଏ ପ୍ୟାକେଟକୁ କଇଁଚିରେ କାଟି ତା` ଭିତରେ ଥିବା ଖାଦ୍ୟକୁ ଛୁରୀ, ଫର୍କ ଓ ଚାମଚରେ ଖାଇବ । ବୋତଲରୁ ଛୋଟ ପିଲାଙ୍କ ପରି ନଳୀରେ ଶୋଷି ଶୋଷି ପାଣି ପିଇବ । କଫି ଓ ଅନ୍ୟାନ୍ୟ ପାନୀୟ ସବୁ ପାଉଡର ରୂପରେ ଥାଏ । ମହାକାଶଯାନରେ ଉଭୟ ଥଣ୍ଡାପାଣି ଓ ଗରମପାଣି ମିଳେ । ପାଉଚ୍ ଭିତରେ ପାଉଡରରେ ପାଣି ମିଶେଇ ପାନୀୟ ତିଆରି କରିବ ଓ ନଳୀରେ ଶୋଷି ଶୋଷି ପିଇବ । ଏପରିକି ରନ୍ଧା ମାଛମାଂସ ବି ଶୁଖିଲା ଅବସ୍ଥାରେ ଥାଏ । ଯଦି ଖାଇବ ତେବେ ସେଥିରେ ପାଣି ମିଶେଇ ଗରମ କରି ଖାଇପାରିବ । କିନ୍ତୁ, ସୁଆଦିଆ ଲାଗିବ ନାହିଁ ।
ଏତିକି ଶୁଣିଲା ପରେ ତୁମକୁ ମହାକାଶରେ ଯାଇ ଖାଇବାକୁ ଆଉ ଇଚ୍ଛା ହେବ ନାହିଁ । ତଥାପି ସତ କଥାଟା ଜାଣି ରଖ । ମହାକାଶଚାରୀଙ୍କ ପାଇଁ ପ୍ରଚୁର ଖାଦ୍ୟ ରହିଥାଏ । କିନ୍ତୁ ଦୁଃଖର କଥା, ସେମାନେ ଭଲ ଭାବରେ ଖାଦ୍ୟର ବାସନା ଶୁଙ୍ଘିପାରନ୍ତି ନାହିଁ କିମ୍ବା ସ୍ବାଦ ବାରିପାରନ୍ତି ନାହିଁ । ତେଣୁ ସେମାନଙ୍କର ଖାଦ୍ୟପ୍ରତି ସେତେଟା ଆସକ୍ତି ନଥାଏ । ନିଜର ଇଚ୍ଛା ମୁତାବକ ସେମାନେ ସବୁଖାଦ୍ୟ ପାଆନ୍ତି ନାହିଁ । ତୁମ ପରି ସେମାନେ ଭାତ, ପଖାଳ, ବରା, ସିଙ୍ଗଡା ଖାଇ ପାରନ୍ତି ନାହିଁ । ସେମାନଙ୍କୁ ଅଧିକ କ୍ୟାଲୋରିଯୁକ୍ତ କମ୍ ପରିମାଣର ଖାଦ୍ୟ ଦିଆଯାଏ । ଅନେକ ସମୟରେ ସେମାନେ ଗବେଷଣାରେ ମଜି ଯାଇ ଖାଇବାକୁ ବି ଭୁଲିଯାଆନ୍ତି ।

ଓ.ଇ.ଏସ୍.-୧, ପ୍ରାଧ୍ୟାପକ, ପଦାର୍ଥ ବିଜ୍ଞାନ (ଫିଜିକ୍ସ୍) ବିଭାଗ,
ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ-୭୫୬୧୦୦,
ଫୋନ୍–୯୪୩୯୫୦୧୬୫୧

ଲେଖା ସମ୍ପର୍କୀୟ ମତାମତ

ମୋହନ କୁମାର ସ୍ୱାଇଁ

02-10-2025 / 21:47:50

ଖୁବ୍ ସୁନ୍ଦର ଲାଗିଲା

Dhananjaya swain

01-10-2025 / 17:55:57

ସୁନ୍ଦର ଓ ଉପାଦେୟ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion