ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅକ୍ଟୋବର:୨୦୨୫ , ଦ୍ବିତୀୟ ବର୍ଷ:ଦଶମ ସଂଖ୍ୟାରେ ପ୍ରକାଶିତ )

centered image
 
ଗପ

ସତ୍ୟର ଶକ୍ତି

ଲେଖା : ଶୁଭନାରାୟଣ ଶତପଥୀ

ସତିଆ ହେଉଛି ସବୁବେଳେ ସତ କହୁଥିବା ପିଲାଟିଏ । ଗାଁଠାରୁ ବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତେ ଜାଣନ୍ତି ସତିଆର କଥା ସତ । ଯେଉଁଠି ସତ୍ୟକୁ ଜାଣିବାର ଆବଶ୍ୟକତା ପଡେ ସେଠି ସତିଆକୁ ଡକରା ହୁଏ । କାରଣ ସେ ହିଁ ସବୁ ପରିସ୍ଥିତିରେ ସତ କହିପାରିବ । ସାଙ୍ଗମାନେ ତାକୁ ଆଦର କରନ୍ତି ସତ କିନ୍ତୁ ସତିଆ ସତ କହିଲା ବେଳେ ମିଛ କହୁଥିବା ସାଙ୍ଗଟା ତା ଉପରେ ମୁହଁ ଫୁଲାଏ । ତାକୁ ହଇରାଣ ହରକତ କରେ । ବେଳେବେଳେ କେହିକେହି ଥଟ୍ଟା ପରିହାସ ବି କରନ୍ତି । କିନ୍ତୁ ସେ କେବେ ସତ୍ୟପଥରୁ ବିଚ୍ୟୁତ ହୋଇନାହିଁ । ଏମିତି ପରିସ୍ଥିତିରେ ସେ ଯାଏ ଗୁରୁଜୀ ଓ ପିତାମାତାଙ୍କ ପାଖକୁ । ସେମାନେ ସତିଆକୁ ବୁଝାଇ ଦିଅନ୍ତି । ମହାତ୍ମା ଗାନ୍ଧୀଙ୍କ ଫଟୋକୁ ଦେଖାଇ କୁହନ୍ତି ଗାନ୍ଧିଜୀ ବି ସତ୍ୟର ପୁଜାରୀ ଥିଲେ । ସତ୍ୟ ତାଙ୍କର ବଡ ଅସ୍ତ୍ର ଥିଲା । ସେଥିପାଇଁ ସେ ମହାପରୁଷ ଓ ଜାତିର ଜନକ । ଏସବୁ ଶୁଣିବା ପରେ ସତିଆର ମନ ପରିବର୍ତ୍ତନ ହୋଇଯାଏ । ଭୁଲିଯାଏ କିଏ ତାକୁ ଥଟ୍ଟା ପରିହାସ କରିଥିଲା ବା ହଇରାଣ ହରକତ କରିଥିଲା ବୋଲି ।
ପରୀକ୍ଷା ସମୟ ଚାଲିଥାଏ । ସତିଆ ବିଦ୍ୟାଳୟରେ ପରୀକ୍ଷା ଦେଉଥାଏ । ସତିଆର ବାମ କଡରେ ବସିଥାଏ ତାର ସାଙ୍ଗ ସନ୍ତିଆ । ସେ ପାଠରେ ଦୁର୍ବଳ ବୋଲି ସମସ୍ତେ ଜାଣନ୍ତି । ଏଥର କିନ୍ତୁ ସନ୍ତିଆ ମୁହଁକୁ ପୋତି ଖାତାରେ କଣ ସବୁ ଲେଖି ଚାଲିଥାଏ । ସନ୍ତିଆର ଏ ପରିବର୍ତନ ସତିଆକୁ ଅଶ୍ଚର୍ଯ୍ୟ କଲା । ସତିଆ ମଝିରେ ମଝିରେ ସନ୍ତିଆକୁ ନଜର କରୁଥାଏ । କିଛି ବୁଝିପାରୁନଥାଏ । ଶେଷରେ ପରୀକ୍ଷା ସରିଲା । ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଦିନ ପରୀକ୍ଷା ଫଳ ପ୍ରକାଶିତ ହେଲା । ଆଶ୍ଚର୍ଯ୍ୟର କଥା ସନ୍ତିଆ ଶ୍ରେଣୀରେ ପ୍ରଥମ ହୋଇଥିଲା । ତାପଛକୁ ଥିଲା ସତିଆ । ଏମିତି କେମିତି ହେଲା ବୋଲି ସମସ୍ତେ ଜାଣିବାକୁ ଇଚ୍ଛା ପ୍ରକାଶ କରୁଥାନ୍ତି । କିନ୍ତୁ ସେ ବିଷୟରେ ସଠିକ ଭାବରେ କିଛି ଜାଣାପଡିଲା ନାହିଁ । ସେହିଦିନ ବି ବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତା ଚାଲିଥାଏ । ସନ୍ତିଆ ଚିତ୍ରାଙ୍କନରେ ଭାଗ ନେଇଥାଏ । ଆଉ ସତିଆ ବତକୃତାରେ । ଚିତ୍ରାଙ୍କନ ସରିବା ପରେ ବିଦ୍ୟାଳୟର ସବୁ ଛାତ୍ରଛାତ୍ରୀମାନେ ସଭାଗୃହରେ ବସିଲେ । ବିଚାରପତିମାନେ ବି ଆସନ ଗ୍ରହଣ କଲେ । ଗାନ୍ଧିଜୀଙ୍କ ସ୍ମୃତିଚାରଣ କରିବା ପରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କ ବକ୍ତୃତା ପ୍ରତିଯୋଗିତା ଆରମ୍ଭ ହେଲା । ବିଷୟ ଥିଲା ସତ୍ୟର ଶକ୍ତି । ସବୁ ପିଲାମାନେ ବକ୍ତୃତା ଦେଉଥାନ୍ତି । ଶେଷରେ ପାଳି ପଡିଲା ସତିଆର । ସେ ତାର ବତକୃତାରେ ଗାନ୍ଧିଜୀଙ୍କ ପିଲାବେଳର କଥାଠାରୁ ନିଜେ ପାଳନ କରୁଥିବା ସତ୍ୟ ଓ ତାର ମାନ ପ୍ରାଣରେ ପଡୁଥିବା ପ୍ରଭାବ ବିଷୟରେ କହିଲା । ସେ କହିଲା ମୁଁ ସତ କହିବା ଦ୍ୱାରା ମୋତେ ଅତ୍ମସନ୍ତୋଷ ମିଳେ । ସମସ୍ତେ ମୋତେ ଭଲ ପାଆନ୍ତି । ସତ ପାଇଁ ମୋତେ ଖୋଜନ୍ତି । ମୁଁ ଅନୁଭବ କରିପାରୁଛି ଯେ ସତପଥରେ ଯିବା ଦ୍ୱାରା ମୋ ଅସୁବିଧାରେ ଇଶ୍ୱର ମୋତେ ସହାୟ ହେଉଛନ୍ତି । ଶେଷରେ ସତିଆ କହିଲା ମୁଁ ଯଦି କେବେ ସତକୁ ଛାଡି ମିଥ୍ୟାର ଆଶ୍ରୟ ନିଏ ତେବେ ମୋର ମୃତ୍ୟୁ ହୋଇଛି ବୋଲି ଭାବିନେବାକୁ ହେବ । ନଚେତ ସତ କହି ମୁଁ ପୃଥିବୀରେ ଅମର ହେବାକୁ ଚାହେଁ । ଏକଥା ସନ୍ତିଆର ମନରେ ରେଖାପାତ କଲା । ସେ ଘରକୁ ଫେରିଲା ସତ କିନ୍ତୁ ରାତିସାରା ଶୋଇପାରିଲା ନାହିଁ । ସକାଳ ହେବାକ୍ଷଣି ଦୈାଡିଗଲା ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ପାଖକୁ । କହିଲା ସାର, ମୁଁ ଅସତ୍ ଉପାୟରେ ପରୀକ୍ଷାରେ ପ୍ରଥମ ହୋଇଛି । ମୁଁ କପି କରିଛି କିନ୍ତୁ ଧରାପଡି ନାହିଁ । ସାର କହିଲେ, ତୁ ସତ ମାନିଲୁ ତାହା ସବୁଠାରୁ ବଡକଥା । ଆଜିଠୁ ନିଜକୁ ପରିବର୍ତ୍ତନ କର । ସତ କୁହ । ସତ୍ୟର ଶକ୍ତି ଅପାର । ସତ୍ୟ ଆଗରେ ସବୁ ମଳିନ ପଡିଯାଏ । ଦେଖିଲୁ ତୁ ଅସତ୍ ଉପାୟରେ ଦେଇଥିବା ପରୀକ୍ଷା ଆଉ ସତିଆ ସତ୍ ଉପାୟରେ ଦେଇଥିବା ପରୀକ୍ଷା ଭିତରେ କେତେ ଫରକ । ତୁ ରାତିରେ ଶାନ୍ତିରେ ଶୋଇପାରିଲୁନି । କିନ୍ତୁ ସତିଆ ଖୁସିରେ ଅଛି । ଏକଥା ଶୁଣି ସନ୍ତିଆ ସ୍ଵର ବଦଳିଗଲା । ମହାତ୍ମାଗନ୍ଧୀଙ୍କ ଫଟୋଚିତ୍ରକୁ ଚାହିଁ ଶପଥ କରି କହିଲା, ମୁଁ ବି ସତ କହିବି ଓ ସତ ପଥରେ ଯିବି ।

ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ-୯୪୩୮୪୩୨୦୨୩

ଲେଖା ସମ୍ପର୍କୀୟ ମତାମତ

ମୋହନ କୁମାର ସ୍ୱାଇଁ

02-10-2025 / 21:44:43

ଖୁବ୍ ସୁନ୍ଦର ଲାଗିଲା ଗଳ୍ପ ଟି

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion