ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜାନୁୟାରୀ:୨୦୨୪ , ପ୍ରଥମ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

centered image
 
ସଂପାଦକୀୟ

କଥା ପଦେ

ଲେଖା : ଦାଶ ବେନହୁର

ବଡମାନଙ୍କଠାରୁ ଆରମ୍ଭ କରି ପିଲା, ସମସ୍ତଙ୍କ ଲାଗି ବହି ଅପେକ୍ଷା ପତ୍ରିକା ଅଧିକ ଆକର୍ଷଣୀୟ । ତାର କାରଣ ବହିଟିର ମଲାଟ ପଢି ଜାଣି ହୋଇଯାଏ ଯେ ଏହାର ବିଷୟ ବସ୍ତୁ କଣ। ବହି ଗୋଟିଏ ଏକକ । ଗପବହି, ଗୀତବହି, ଉପନ୍ୟାସବହି ଓ ନାଟକବହି । ବହିର ବିଷୟବସ୍ତୁ ନିର୍ଦ୍ଦିଷ୍ଟ । ଅପର ପକ୍ଷରେ ପତ୍ରିକା ଅନେକ ବିଷୟବସ୍ତୁର ଏକ ଅନୁପମ ସମାହାର । ବିବିଧ ରୋଚକ ଖାଦ୍ଯର ଏକ ବଡ ଥାଳି ଭଳି ଏଥିରେ ପରଷା ଯାଇ ଥାଏ କେତେ ନା କେତେ କଥା । ଗପ, ଗୀତ, ଛବି, ଜଣାଅଜଣା କଥା, ହସଖୁସିର ବାର୍ତ୍ତାଳାପ, ପୁଣି ବ୍ୟଙ୍ଗଧର୍ମୀ ଚିତ୍ର ମାଧ୍ୟମରେ ଭିନ୍ନ ଭିନ୍ନ ବିଷୟ ବସ୍ତୁ । ବହି ସମୀକ୍ଷା, ଜୀବନ କଥା, ବିଜ୍ଞାନ କାହାଣୀ ।
ପତ୍ରିକା ସବୁରି ପ୍ରିୟ । ସହଜ ପଠନ ଧାରା ସାଙ୍ଗକୁ ସେଥିରେ ଅଳ୍ପ ଅବଧିର ପାଠ୍ୟବସ୍ତୁ ଥିବା କାରଣରୁ ବିଶ୍ରାମ ସମୟରେ ଅନେକେ ବହି ବଦଳରେ ପତ୍ରିକାଟିଏ ଧରି ବସିଥାନ୍ତି । ଏହା ଏକ ସମଷ୍ଟି । ନାନାବିଧ ଲେଖାର ଏକ ଫୁଲ ଚାଙ୍ଗୁଡି ।
ଏବେ ବୈଷୟିକ ଓ ପ୍ରଯୁକ୍ତି ବିଦ୍ୟାର ଯୁଗରେ ଅନେକ ବୈଜ୍ଞାନିକ ପରିବର୍ତ୍ତନ ଆମ ଜୀବନକୁ ପ୍ରଭାବିତ କରୁଛି । ମାତ୍ର କେତେ ବର୍ଷ ତଳେ ମୋବାଇଲ ଫୋନ ଥିଲା ସ୍ଵପ୍ନ । ମାତ୍ର ଆଜି ଅନେକରେ ଏକ ଭଳି ମୋବାଇଲ ମାଧ୍ୟମରେ କେତେ କଥା କରି ହେଉଛି । ପଢିବା, ଶୁଣିବା, ଦେଖିବା, ଲେଖିବା ଆଦି ସବୁକିଛି । ଇନ୍ଟରନେଟ ବା ନଭଜାଲ ସାରା ପୃଥିବୀକୁ ଯୋଡି ରଖିଛି । ସବୁ ଦେଶର ଭାଷା, ତାରିଖ, ସଂସ୍କୃତି, ଖବର ଟବର, ଆମ ଆଙ୍ଗୁଠି ଟିପରେ ବାଛି ହୋଇ ଆଖି ସାମ୍ନାକୁ ଚାଲି ଆସୁଛି । ଅତଏବ ବିଗତ ଦିନର କାଗଜରେ ଛପା ଅକ୍ଷର ବଦଳରେ ମୋବାଇଲ, କମ୍ପୁଟର, ଟାବ୍ଲେଟ ଆଦିର କାଚ ପରଦାରେ ସେସବୁ ଆହୁରି ଅଧିକ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି ।
ସେଇ କାରଣରୁ ପତ୍ରିକା ମଧ୍ୟ ତାର ସ୍ୱରୂପ ବଦଳାଇଲାଣି । ଅନେକ କାଗଜରେ ଛପା ପତ୍ରିକା ଏବେ ଆମ ଲାଗି ବଜାରରେ ଉପଲବ୍ଧ ହେଉଛି ସତ , ତା ସହିତ ଇ-ପତ୍ରିକା ଓ ୱେବ ପତ୍ରିକା ମଧ୍ୟ ଆମ ଆଖି ଆଗରେ ସହଜରେ ସୁଲଭ ଧାରାରେ ପହଞ୍ଚି ଯାଉଛି ।
ଏହି ସୁଯୋଗକୁ ହାତ ଛଡା ନ କରି ଓଡିଆ ଶିଶୁ କିଶୋର ଏକାଡେମି ଏକ ୱେବ ପତ୍ରିକା ଆରମ୍ଭ କରୁଛି । ପତ୍ରିକାଟିର ନାମ ଶିଶୁ କିଶୋର.କମ । କାଗଜରେ ଛପା ଗୁଣ ସହିତ ଏହା ଦେଶ ବିଦେଶର ପ୍ରତିଟି ପାଠକ ପାଠିକାଙ୍କ ନିକଟରେ ଅନାୟାସରେ ପହଞ୍ଚି ପାରିବ । ଏହା ଆରମ୍ଭ ମାତ୍ର । ଆମର ପ୍ରଚେଷ୍ଟା ରହିବ ଏହାକୁ କେମିତି ସୁନ୍ଦର ପରିପାଟୀରେ ଓ ମନାଛୁଆଁ ବିଷୟବସ୍ତୁ ଆଧାରରେ ଉପଲବ୍ଧ କରାଇବା । ଏ ସକାଶେ ସମସ୍ତଙ୍କର ସହଯୋଗ ଏକାନ୍ତ କାମ୍ଯ । ଏହା ପ୍ରଥମ ସଂଖ୍ୟା । ପତ୍ରିକାଟି ପିଲାଙ୍କୁ ଭଲଲାଗୁ । ଏତିକି ସବୁଠାରୁ ବଡ କାମନା ।
ସଭାପତି, ଓଡିଶା ଶିଶୁ କିଶୋର ଏକାଡେମି

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion