ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଡିସେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ଦ୍ବାଦଶ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଅତି ଆପଣାର କପିଳା ଅଜା

ଲେଖା : ଶରତ କୁମାର ଦାସ

ଛୁଆଠାରୁ ବଡ଼ ସଭିଙ୍କ ନିଜର
ଅତି ଆପଣାର କପିଳା ଅଜା,
କଥାଟି ତାଙ୍କର ଭାରି ସୁଆଦିଆ
ଶୁଣିଲେ ଥରେଟି ଲାଗଇ ମଜା ।

ପାକୁଆ ପାଟିରେ ପାନ ଖିଲେ ଖାଇ
ଗାଆଁ ଦାଣ୍ଡେ ଧରି ବଙ୍କୁଲି ବାଡ଼ି,
ନଇଁ ନଇଁ ଧୀରେ ଚାଲୁଥାନ୍ତି ବାଟ
ହସିହସି ଦୁଇଗୋଡ଼କୁ କାଢ଼ି ।

ପୁନେଇ ପରବ ମେଳା ମଉଛବ
ହସୁଥାଏ ତାଙ୍କ ପାଇଁଟି ସିନା,
ସବୁଥିରେ ଅଜା ରହିଥାନ୍ତି ଆଗେ
କିଛି ବି ହୁଏନି ତାଙ୍କରି ବିନା ।

ମେଳ କରି ସବୁ ପିଲାଙ୍କୁ ବୁଝାନ୍ତି
ଗାଆଁ ପରିମଳ କରିବା ପାଇଁ ,
ପରିବେଶ ହେଲେ ସଫାସୁତୁରା ଟି
ରୋଗ ବଇରାଗ ମାଡ଼ିବ ନାହିଁ ।

ବଖାଣନ୍ତି ତାଙ୍କ ପିଲାବେଳ କଥା
ଦୁନିଆ କେମିତି ସରଳ ଥିଲା,
ସିନିହ ଶରଧା କିଣୁଥିଲା ମନ
ଏବେ ପରା ସବୁ ହେଲାଣି ଢିଲା ।

ଗୁରୁଗୁରୁଜନେ ଭରିରହିଥିଲା
ମାନ ସନମାନ ଭକତି ଭାବ,
ପର ଉପକାରେ ପୂରିଥିଲା ଖୁସି
ହିଂସା କପଟର ନଥିଲା ଠାବ।

ଡାକତରଖାନା ନଥିଲା ପାଖରେ
ଯେବେବା ଦେହଟି ଖରାପ କା`ର,
ବଇଦ ବାପୁଡ଼ା ଚେରମୂଳି ଦେଇ
କରୁଥିଲେ ଉପଚାରଟି ତା`ର ।

ବଦଳୁଛି ଯୁଗ ଯେତିକି ଆଗକୁ
ସେତିକି ତଳକୁ ଖସୁଛି ଆମେ,
କୁଆଡ଼େ ଗଲାଣି ଶାନ୍ତି ସଦଭାବ
ମନଟି ସଦା ତ ଖରାପ କାମେ ।
କିଏ କାହା ଆଉ କଥାରେ ନାହାନ୍ତି
କପିଳା ଅଜାଙ୍କ ମନରେ ଦୁଃଖ ,
କିଏ ନେଇଗଲା ସେ ସୁନାର ଦିନ
କାହିଁ ହଜିଲା ସେ ସରଗ ସୁଖ।

ସଭିଙ୍କୁ ଆଦରେ କହନ୍ତି ସରାଗେ
``ନାତିନାତୁଣୀଏ ଶୁଣରେ ଶୁଣ,
ମିଳିମିଶି ତମେ ରହିବ ଏକାଠି
ଦୂରେଇ ଦେଇକି ଯେତକ ଖୁଣ ।" ----------------------------

ଅଧ୍ୟାପକ, ରାଜନୀତି ବିଜ୍ଞାନ ବିଭାଗ
ବଡବିଲ ମହାବିଦ୍ୟାଳୟ, ବଡବିଲ
ଜିଲ୍ଲା-କେନ୍ଦୁଝର


ମୋ-୮୨୪୯୧୩୭୦୯୧

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion