ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଫେବୃଆରୀ:୨୦୨୪ , ପ୍ରଥମ ବର୍ଷ : ଦ୍ଵିତୀୟ ସଂଖ୍ୟା ରେ ପ୍ରକାଶିତ )

centered image
 
ଗପ

ମାଆର ମମତା

ଲେଖା : ସୁବାସିନୀ ଧଳ

ଜାନୁଆରୀ ମାସର ଶୀତ ସକାଳ। ଆଠଟା ବାଜିବାକୁ ବସିଲାଣି। ତଥାପି କୁହୁଡ଼ି ହଟେଇ ଖରା ଟିକେ ତଳେ ପଡ଼ିନାହିଁ। ମୁନୁର ମାଆ ପଲ୍ଲବୀ ତରତର ହୋଇ ବାହାରୁଥିଲେ ଅଫିସ୍ ଯିବା ପାଇଁ। ଭୁବନେଶ୍ୱରର କେଉଁ ଏକ କମ୍ପାନୀରେ ସେ କାମ କରନ୍ତି। ଆଉ ତା`ର ବାପା ଅସିତ୍ କାମ କରନ୍ତି ଅନ୍ୟ ଏକ କମ୍ପାନୀରେ। ଆୟାଟିଏ ଘରେ ଥାଏ ରୋଷେଇବାସ କରି ମୁନୁର ଯତ୍ନ ନେବା ପାଇଁ। ପଲ୍ଲବୀ ବ୍ୟାଗପତ୍ର ସଜାଡ଼ି ମୁନୁ ପାଖକୁ ଆସିଲେ। ଟିକିଏ ଗେଲ କରି ଦେଇ ହାତ ହଲେଇ ଚାଲିଗଲେ ବାହାରକୁ।
ମୁନୁ ଝରକା ଦେଇ ଛଳଛଳ ଆଖିରେ ଚାହିଁ ରହିଥିଲା ମାଆର ଯିବା ବାଟକୁ। ସ୍କୁଟିରୁ ଧୂଆଁ ଉଡ଼େଇ ମାଆ ଚାଲିଲେ ଆଗକୁ ଆଗକୁ। ସାତ ବରଷର ପୁଅ ମୁନୁ ଆଖିରୁ ଝରି ପଡ଼ିଲା ଲୁହ କେଇବୁନ୍ଦା। ଆଉ କିଛି ସମୟ ପରେ ବାପା ବାହାରିବେ ଅଫିସ୍। ତା`ପରେ ତା` ପାଳି ପଡ଼ିବ ସ୍କୁଲ୍ ଯିବା ପାଇଁ। କିଛିଦିନ ତଳେ ଜେଜେବାପା ଜେଜେମାଆ ଆସିଥିଲେ ମୁନୁର ଦେଖାଶୁଣା କରିବା ପାଇଁ। ଜେଜେବାପା ସାଙ୍ଗରେ ବଜାର ବୁଲିଯିବା, ଜେଜେମାଆ ଠାରୁ କାହାଣୀ ଶୁଣିବା, ତାକୁ ଖୁବ୍ ଭଲ ଲାଗୁଥିଲା। କିନ୍ତୁ ଜେଜେମାଆ ଯେଉଁଦିନ ତାକୁ କାଖେଇ ଜହ୍ନମାମୁ ଦେଖାଉଥିଲେ, ସେଦିନ ମାଆ ତାକୁ ଝିଙ୍କି ନେଇ କହିଲେ- `ଜହ୍ନମାମୁ ଆଉ ମାମୁ ହୋଇ ରହିନାହିଁ। ଜହ୍ନରେ କେମିତି ଘର କରିବୁ ସେମିତି ପାଠ ପଢ଼୍`। ପରଦିନ ଜେଜେବାପା ଓ ଜେଜେମାଆ ଗାଆଁକୁ ମନଦଃୁଖରେ ଫେରିଗଲା ପରେ ମୁନୁ ହୋଇଗଲା ଏକୁଟିଆ।
ଆୟା ବାସନ୍ତୀ ଆସି ଧମକେଇ ଡାକିଲା- `ସ୍କୁଲକୁ ଯିବନି କି? ବସ୍ ଆସିବା ବେଳ ପରା ହେଲାଣି। ମାଆ ଆସିଲେ କହିଦେବି- କେମିତି ମତେ ହଇରାଣ କରୁଛ`। ମୁନୁ ଚାରିଆଡ଼କୁ ଆଖି ପକେଇଲା। ଦେଖିଲା ପାପା କେତେବେଳୁ ଅଫିସ୍ ଚାଲିଗଲେଣି। ସେଥିପାଇଁ ବାସନ୍ତୀ ମୋତେ ଡରାଉଛି। ମନେ ମନେ ଭାରି କାନ୍ଦିଲା ମୁନୁ। ଘରେ ତା`ର ଭାଇ ଅଛି ନା ଭଉଣୀ ଅଛି, କାହା ସାଙ୍ଗରେ ସେ ଖେଳିବ? ତା` ସାଙ୍ଗସାଥୀମାନେ ସ୍କୁଲରୁ ଫେରି ଖେଳିବାକୁ ଯାଉଥିଲାବେଳେ ସେ ପଢ଼ୁଥାଏ ଟ୍ୟୁସନ ସାର୍ଙ୍କ ପାଖରେ। ରାତିରେ ବାପା ଓ ମାଆ ଫେରିଲା ପରେ ସେ ଯେତେବେଳେ ଖୁସିରେ ସେମାନଙ୍କ ପାଖକୁ ଦଉଡ଼ି ଯାଏ, ସେତେବେଳେ ତା` କାନରେ ବାଜେ ବାପା-ମାଆଙ୍କ ଝଗଡ଼ା। ବାପା ତା`ମାଆକୁ ଚାକିରୀ ଛାଡ଼ି ପୁଅର ଯତ୍ନ ନେବା କଥା କହୁଥିଲାବେଳେ, ମାଆ ବାପାଙ୍କୁ କହୁଥା`ନ୍ତି- `ତୁମେ ଆଗ ଚାକିରୀ ଛାଡ଼`। ମୁନୁ ଫେରିଆସେ ମନଦଃୁଖରେ।
ଆୟା ବାସନ୍ତୀ ମୁନୁର ପିଠିରେ ଦୁଇଟା ବିଧା ବସେଇ ଦେଇ କହିଲା-` ତୁ ସ୍କୁଲକୁ ଯିବୁନି ତ କ`ଣ ମୋ ଚାକିରୀ ନେବୁ? ଏଥର ମୁନୁ ରାଗି ଯାଇ ଖୁବ୍ ଜୋରରେ କହିଲା- `ନା, ମୁଁ ସ୍କୁଲକୁ ଯିବି ନାହିଁ`। ମୁନୁ ସ୍ଥିର କଲା- ଯେଉଁଦିନ ପର୍ଯ୍ୟନ୍ତ ତା` ମାଆ ତାକୁ ସ୍ନେହରେ ସ୍କୁଲକୁ ନ ପଠାଇଛନ୍ତି ଓ ତା`ଫେରିବାକୁ ଅପେକ୍ଷା ନ କରିଛନ୍ତି, ସେ ପର୍ଯ୍ୟନ୍ତ ସେ ସ୍କୁଲକୁ ଯିବ ନାହିଁ। ଜଣଙ୍କର ରୋଜଗାର ଓ ଅନ୍ୟ ଜଣଙ୍କର ମମତା ପାଇଲେ ସେ ଖୁବ୍ ବେଶି ପଢ଼ି ପାରିବ।
ଏହା ମଧ୍ୟରେ ଦୁଇଦିନ ହେଲାଣି ମୁନୁ ସ୍କୁଲକୁ ଯାଇ ନ ଥାଏ। ପଲ୍ଲବୀ ଘରକୁ ଫେରି ଦେଖନ୍ତି ତ ମୁନୁ ଜରରେ କମ୍ପୁଛି। ମୁନୁର ଶୁଖିଲା ମୁହଁକୁ ଦେଖି ମାଆ ମନ ତରଳି ଗଲା। ସେ ମୁନୁକୁ ଗେଲ କରି କଇଁ କଇଁ ହୋଇ କାନ୍ଦି ଉଠିଲେ। କହିଲେ - `ତୋତେ ଛାଡ଼ି ମୁଁ ଆଉ କୁଆଡ଼େ ବି ଯିବି ନାହିଁ ରେ ଧନ! ତୁ ତ ମୋର ଧନ, ଆଉ ଧନ ମୋର କ`ଣ ହେବ? ଚାକିରୀ ଚାହିଁଲେ ପରେ ମୁଁ କରି ପାରିବି। କିନ୍ତୁ, ତୋ ପିଲାଦିନ କ`ଣ ଆଉ ମୁଁ ଫେରି ପାଇବି`?
ମାଆର ମମତା ବୋଳା ହାତର ସ୍ପର୍ଶ ପାଇ ମୁନୁ ଉଠି ବସିଲା। ମାଆକୁ ଜାବୁଡ଼ି ଧରି କହିଲା - ` ମାଆ, ତମେ ସତ କହୁଛ`?
-ହଁ ମୁଁ ସତ କହୁଛି ରେ ଧନ, ତୋତେ ଛାଡ଼ି ମୁଁ ଆଉ ଚାକିରୀ କରିବାକୁ ଯିବି ନାହିଁ। ପଲ୍ଲବୀ ମୁନୁକୁ କୋଳେଇ ନେଇ ବାରମ୍ବାର ଗେଲ କରୁଥିଲେ। ମୁନୁ ମାଆ ପାଖରେ ଗେହ୍ଲେଇ ହୋଇ କହିଲା - `ମାଆ, ସତରେ ତୁମେ କେତେ ଭଲ!`ମାଆ ପୁଅଙ୍କ ଖୁସି ଦେଖି ବାପା ଅସିତ୍ ଆନନ୍ଦରେ ବିଭୋର ହୋଇ ଉଠିଲେ।

ସିଦ୍ଧମହାବୀର ଛକ,ପୁରୀ
ମୋ-୯୮୬୧୩୨୯୮୮୪

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion