ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜାନୁୟାରୀ:୨୦୨୪ , ପ୍ରଥମ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

centered image
 
ଗପ

ଦଶ ଟଙ୍କା

ଲେଖା : ଦାଶ ବେନହୁର

ଗୋଟିଏ କାଠି ଆଇସକ୍ରିମର ଦାମ ଦଶ ଟଙ୍କା।
ଗାଁକୁ ବେଳେବେଳେ ଆଇସକ୍ରିମବାଲା ଠେଲା ଗାଡି ଆଣି ଆଇସିକ୍ରିମ ବିକେ । ସେଦିନ ଥିଲା ରବିବାର । ଦିପହର ବେଳ । ବିନୋଦର ସ୍କୁଲ ଛୁଟି । ସେ ଘରେ ଥାଏ । ହଠାତ ଆଇସକ୍ରିମବାଲା ର ଘଣ୍ଟି ଠଁ ଠଁ ଶୁଭିଲା ମନ ହେଲା ଆଇସକ୍ରିମ ଖାଆନ୍ତି । ହେଲେ ପଇସା କାହିଁ ? ପୁଣି ଗୋଟାକ ଦଶ ଟଙ୍କା । ପ୍ରଥମେ ଭବିଲା, ନା , ଥାଉ । ହେଲେ ମନ ବୁଝୁଛି କେତେକେ । ଜେଜେ ତାକୁ ବହୁତ ଭଲ ପାନ୍ତି । କେତେ ଗପ ଗୀତ କହନ୍ତି । ମୁଣ୍ଡ ଆଉଁସି ଦିଅନ୍ତି । ବିନୋଦ କଥା ଶୁଣି ଜେଜେ ହସିଦେଲେ । ପିନ୍ଧିଥିବା ଜାମା ପକେଟରୁ ଦଶ ଟଙ୍କା କାଢି ତ ହାତକୁ ବଢେଇ ଦେଲେ ।
ବିନୋଦର ମନ କୁଣ୍ଢେ ମୋଟ । ସେ ଧାଇଗଲା ଗାଁ ଦାଣ୍ଡ କୁ । ସେତେବେଳକୁ ଆଇସକ୍ରିମବାଲା ଖଣ୍ଡେ ଦୂର କୁ ଚାଲି ଗଲାଣି । ଆଇସକ୍ରିମବାଲା ଠାରୁ ଦୁଇଜଣ ପିଲା ଆଇସକ୍ରିମ କିଣୁଥାନ୍ତି । ସେ ଯେମିତି ପାଖକୁ ଯାଇଛି ଦେଖିଲା , ଆଉ ଜଣେ କିଏ ସାଇକେଲରେ ବିଜ୍ଞାପନ କାଗଜ ଝୁଲେଇ ଡାକ ଛାଡୁଛନ୍ତି ` ଲଟେରୀ , ` ଲଟେରୀ `। ଦଶ ଟଙ୍କାରୁ ଦଶ ଲକ୍ଷ । ଭାଗ୍ୟରେ ଥିଲେ ମିଳିବ । ପ୍ରଥମ ପୁରସ୍କାର ଦୁଇ ଲକ୍ଷ । ଦ୍ଵିତୀୟ ପୁରସ୍କାର ଦେଢ ଲକ୍ଷ । ତୃତୀୟ ପୁରସ୍କାର ଲକ୍ଷେ । ଏ ମାସ ଶେଷରେ ଲଟେରୀ ଉଠାଣ । ନିଅ, ନିଅ । ଭାଗ୍ୟ ପରୀକ୍ଷା କର ।
ଥମ କରି ଠିଆ ହୋଇଗଲା ବିନୋଦ। ମନେ ପଡିଲା , ଜେଜେ ସବୁବେଳେ କହନ୍ତି । ତୁମ କର୍ମ । ତୁମ ଭାଗ୍ୟ । ଭାଗ୍ୟ ବୋଲି କହି କାମ ନ କଲେ ନିଜର କ୍ଷତି । କର୍ମ କଲେ ଭାଗ୍ୟ ଆପେ ବଦଳିବ ।
ଆଇସକ୍ରିମବାଲା, ଲଟେରିବାଲା । ଉଭୟ ପାଖାପାଖି ଠିଆ ହୋଇଥାନ୍ତି । ବିନୋଦ ବିଚାରକଲା । ଦଶ ଟଙ୍କାରୁ ଦଶ ଲକ୍ଷ ! ବଢିଆ ତ! !! !।
ଗତକାଲି ଜେଜେଙ୍କ ସହିତ ବିନୋଦ ଯାଇଥିଲା ମନ୍ଦିର । ସେଇଠି ଦେଖା ହୋଇଥିଲେ ଜେଜେଙ୍କର ଜଣେ ପ୍ରିୟ ବନ୍ଧୁ । ନବଘନ ଲେଙ୍କା । ଜେଜେଙ୍କ ଠାରୁ ସାନ। ବନ୍ଧୁ ଭଳି ନିଜର । ଗୋଡ ତାଙ୍କର ଫୁଲି ଯାଇଥିଲା । ଦୁର୍ବଳ ଦେହ । ଚାଲିପାରୁ ନ ଥିଲେ। ଦୁଇ ଜଣଙ୍କ କଥାବାର୍ତ୍ତାରୁ ବିନୋଦ ଶୁଣିଥିଲା , ନବଘନ ଜେଜେଙ୍କର କିଡନୀ ବେମାର । କିଡନୀ ଲଗାଇବାକୁ ପଡିବ । ଅସ୍ତ୍ରୋପଚାର ଲୋଡା । ଅନ୍ୟୁନ ଦୁଇ ଲକ୍ଷ । ସେ ଗରିବ ଲୋକ ଚାଷବାସ କରି ଚଳୁଥିଲେ । ଏତେ ପଇସା କୋଉଠୁ ଆଣିବେ?
ବାଟସାରା ଜେଜେ ମନଦୁଃଖ କରି ଫେରିଲେ ଘରକୁ । କହିହେଉଥିଲେ- ଆହା । ବିଚରା କେତେ ଦୁଃଖ ପାଉଛି । ମୁଁ ସାହାଯ୍ୟ କରିବାକୁ ଚାହିଁଲେ ବି କରିବି କଣ? ଏତେ ଗୁଡାଏ ଟଙ୍କା!
ଜେଜେଙ୍କ ମନକଥା ବୁଝିପାରୁଥାଏ ବିନୋଦ । ତାର ବି ମନଦୁଃଖ ହୋଇଗଲା ନବଘନ ଜେଜେଙ୍କ ପାଇଁ ।
ହଠାତ ଲଟେରିବାଲାର ଦଶ ଟଙ୍କାରୁ ଦୁଇ ଲକ୍ଷ ଟଙ୍କା କଥା ଶୁଣି, ମନ ତାର ଚହଲିଗଲା ।
ଭାବୁଥାଏ କଣ କରିବ? ଏ ପଟେ ଆଇସକ୍ରିମ ସେପଟେ ଲଟେରୀ । ଲଟେରୀକୁ ଜୁଆ ବୋଲି କହି ଜେଜେ ନାପସନ୍ଦ କରିବାର କେବେକେବେ ଶୁଣିଛି ସେ । ନାଇଁ ଛାଡ । ଲଟେରୀ କିଣିବା କଥା ଶୁଣିଲେ ଜେଜେ ରାଗିବେ । କିନ୍ତୁ ମନ ହେଉ ନ ଥାଏ ଦଶ ଟଙ୍କା ଦେଇ ଆଇସକ୍ରିମ ଖାଇବାକୁ । ଓଲଟ ପାଲଟ ହୋଇଗଲା ଭାବନା।
ଶେଷରେ ସେ ଲଟେରିବାଲା ପାଖରେ ଠିଆ ହୋଇ ଦଶ ଟଙ୍କିଆ ନୋଟଟି ବଢାଇଦେଲା । ଲଟେରିବାଲା ପଚାରିଲା, ନାଁ ଓ ଠିକଣା କଣ ?
କଣ ଭାବି ବିନୋଦ କହିଲା, ନବଘନ ଲେଙ୍କା, ତାଳସରୀ, ମୁଗପଦା ।
ଲଟେରୀ ଟିକେଟ ବଢେଇ ଦେଲା ବେଳେ ଲଟେରିବାଲା କହିଲା , ଆସନ୍ତା ୩୦ ତାରିଖ ଲଟେରୀ ଉଠାଣ ହୋଇ ୩୧ ତାରିଖରେ ଖବରକାଗଜରେ ବାହାରିବ । ଦେଖିନେବ । କାଳେ ତମ ଭାଗ୍ୟରେ ଥିବ। ଟିକେଟ ହଜେଇବନି । ନମ୍ବର ତ ମୂଳ ।
୩୧ ତାରିଖ ଆସିଲା । ବିନୋଦର ମନ ଛଟପଟ ହେଉଥାଏ । କିଛି ନ ହେଲେ ତୃତୀୟ ପୁରସ୍କାରଟା ମିଳିଥାଉ । ନବଘନ ଜେଜେ ପାଇବେ ଟଙ୍କା । ଜେଜେ ନିଜେ କେତେ ଖୁସୀ ହେବେ । ମିଳି ଯାଆନ୍ଟା କି? ଠାକୁରଙ୍କୁ ହାତଯୋଡି ପ୍ରାର୍ଥନା କଲା ସେ । ସ୍କୁଲରୁ ଫେରି ଜେଜେ ପଢୁଥିବା ଖବର କାଗଜଟା ଟାଣି ନେଇ ସେ ଲଟେରୀ ଫଳ ଖୋଜି ଲାଗିଲା । ଧାଇଁଯାଇ ନମ୍ବର ଆଣି ମିଳେଇଲା ।
ହେ ଭଗବାନ! ଖୁସିରେ ଡେଇଁଲା ବିନୋଦ । କି ଆନନ୍ଦ । ଏ କଣ ସତ । !!! !
ଜେଜେ ପଚାରିଲେ, କଣ ହେଲା?
ବିନୋଦ କହିଲା, ନବଘନ ଜେଜେଙ୍କର ଦୁଇ ଲକ୍ଷ ଲଟେରୀ ଉଠିଛି । ସେ ବଞ୍ଚିଯିବେ ।
ଘରେ ସମସ୍ତେ ସବୁକଥା ଜାଣିଲେ । ଜେଜେ କହିଲେ , ମୋ ବିନୋଦ ହୀରାଟାଏ ।
ଯେ ଶୁଣିଲା, ବାହାବାହା କଲ।।

ଲେଖା ସମ୍ପର୍କୀୟ ମତାମତ

ଅନନ୍ତ କୁମାର ସେନାପତି

22-08-2024 / 18:12:07

ଗଳ୍ପରେ ଅନେକ ଉତ୍ସାହ ଓ ଶିଖିବାର କଥା ଅଛ

ଜୟକୃଷ୍ଣ ସାହୁ

04-02-2024 / 16:40:52

ପିଲାଙ୍କ ପାଇଁ ସୁନ୍ଦର ଶିକ୍ଷଣୀୟ ଗପଟିଏ। ମନକୁ ଛୁଇଁଲା।

ବୃନ୍ଦାବନ କୁମ୍ଭାର

31-01-2024 / 16:24:51

ଗପ ଟି ବହୁତ୍ ମନ ଛୁଆଁ ହୋଇଛି, ପିଲାଙ୍କ ପାଇଁ ଉପାଦେୟ।

ଦେବରାଜ ପାଣିଗ୍ରାହୀ

30-01-2024 / 17:44:02

ଗଳ୍ପଟି ସୁନ୍ଦର ଓ ଶିକ୍ଷଣୀୟ ହୋଇଛି । ନୈତିକ ମୂଲ୍ୟବୋଧ ପ୍ରତିଫଳିତ ହୋଇଛି ।

ହରିପ୍ରିୟା ପଟ୍ଟନାୟକ

29-01-2024 / 17:22:39

ମୂଲ୍ୟବୋଧ ଭିତ୍ତିକ ଲେଖା ଭଲ ହେଇଛି।କିନ୍ତୁ ପିଲାଙ୍କର ଲଟେରୀ ଟିକେଟ କିଣିବା ଠିକ ନୁହେଁ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion