ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଫେବୃଆରୀ:୨୦୨୪ , ପ୍ରଥମ ବର୍ଷ : ଦ୍ଵିତୀୟ ସଂଖ୍ୟା ରେ ପ୍ରକାଶିତ )

centered image
 
ଗପ

ଉଦ୍ୟମ କଲେ ସଫଳତା ମିଳେ

ଲେଖା : ପ୍ରଭାସିନୀ ବରାଡ

ଗୋଟିଏ ବିଦ୍ୟାଳୟ ପାଖରେ ଝଙ୍କାଳିଆ ଆମ୍ବ ଗଛଟିଏ ଥାଏ । ସେହି ଆମ୍ବ ଗଛ ମୂଳରେ ଏକ ସିମେଣ୍ଟ ଚେୟାର ପଡିଥାଏ । ଚେୟାର ରେ ଜଣେ ଭଦ୍ର ବ୍ୟକ୍ତି ପ୍ରାୟ ସମୟ ଆସି ବସନ୍ତି । ଅଭିଭାବକ ମାନେ ସ୍କୁଲରେ ପିଲାଙ୍କୁ ଛାଡିବା ଓ ନେବା ସମୟରେ ସେ ସବୁବେଳେ ଦେଖୁଥା`ନ୍ତି ।
ଜଣେ ଅଭିଭାବକ ବେପରୁଆ ଢଙ୍ଗରେ ଗାଡି ଚଲାଇ ଫୋନରେ ଗପି ଗପି ଦାୟିତ୍ବ ହୀନ ଭାବେ ପିଲାଟିକୁ ଛାଡନ୍ତି ଓ ନିଅନ୍ତି । ଏମିତି ସବୁବେଳେ ଦେଖି ଦେଖି ବ୍ୟକ୍ତି ଜଣକ ଦିନେ ଅଭିଭାବକଙ୍କୁ ପଚାରିଲେ, " ଆଜ୍ଞା ପିଲାଟି କେମିତି ପଢୁଛି ? "
ଅଭିଭାବକ ଚଟାପଟ୍ ଉତ୍ତର ଦେଲେ , “ ମୋତେ ବେଳ କାହିଁ ଏ ସବୁ କଥା ଜାଣିବାକୁ ମୋ କାମ ଭଲ ତ ମୁଁ ଭଲ । ତା` ପାଇଁ ଦି ଦି`ଟା ଟିୟୁସନ ଖଞ୍ଜି ଦେଇଛି ଆଜ୍ଞା ।"
କିଛି ଦିନ ପରେ ସେହି ପିଲାଟି ସ୍କୁଲ ସାମ୍ନାରେ ଜିଦ୍ ଖୋର୍ ହେଉଥିବାର ଦେଖି ଅଭିଭାବକଙ୍କୁ ବ୍ୟକ୍ତି ଜଣକ ପଚାରିଲେ , " ଆଜ୍ଞା ପିଲାଟି ଠିକ୍ ଠାକ୍ ପଢୁଛି ତ ?"
ଅଭିଭାବକ କହିଲେ, " ନାଇଁ ଆଜ୍ଞା ଏବେ ଭାରି ଚଗଲା ଓ ଜିଦିଖୋର ହେଉଛି , କଥା ଟିକେ ମାନୁ ନାହିଁ ।"
ବ୍ୟକ୍ତି ଜଣକ ବୁଝାଇ କହିଲେ , “ କିଛି ଖରାପ ଭାବିବେନି ଆଜ୍ଞା, ଆପଣ ସବୁ କାମ ଯେପରି ସମୟ ଦେଇ କରୁଛନ୍ତି ଠିକ୍ ସେହିପରି ପିଲାଟିର ଦାୟିତ୍ବ ନିଅନ୍ତୁ ତା`ର ଭଲମନ୍ଦ କଥା ସମୟ ଦେଇ ପଚାରି ବୁଝନ୍ତୁ । ତା` ସହ ମିଶି ପ୍ରତି କଥାକୁ ପରଖନ୍ତୁ । ତା` ସହ ସମୟ ଦେଇ ସାଙ୍ଗ ହୋଇ କିଛି ସମୟ ପ୍ରତିଦିନ ବିତାନ୍ତୁ ଦେଖିବେ ଆପଣ ବହୁତ କିଛି ଜାଣି ପାରିବେ । ଏହି ଶିଶୁ ମାନେ ଆମର ଭବିଷ୍ୟତ ଓ ଜାତୀୟ ସଂପତ୍ତି ପରା । " ଏମାନଙ୍କୁ ଅଣଦେଖା କରନ୍ତୁ ନାହିଁ ।
ଅଭିଭାବକ ଜଣକ ଟିକେ ବିଚଳିତ ହୋଇ ଚିନ୍ତା କଲେ । ତା` ପରଠାରୁ ସମୟ ଦେଇ ପିଲାଟିର ଯତ୍ନ ନେଲେ କିଛି ଦିନ ପରେ ପିଲାଟି ସଂପୂର୍ଣ୍ଣ ବଦଳି ଗଲା । ଧୀରେ ଦେଖାଗଲା ସେ ଗୁରୁଜନ ମାନଙ୍କୁ ଭକ୍ତି କରୁଛି , ସତ କହୁଛି , ସମସ୍ତଙ୍କୁ ଧୀର ଓ ନମ୍ର ବ୍ୟବହାର କରିବା ସହ ସମୟର ମୂଲ୍ୟ ବୁଝି ପଢାପଢି କରୁଛି । କେତୋଟି ଦିନ ଭିତରେ ନିଜର ଚେଷ୍ଟା ଓ ବାପାଙ୍କର କଥା ମାନି ପିଲାଟି ସବୁଥିରେ ଦକ୍ଷ ହୋଇ ପାରିଲା ।
ଦିନେ ସ୍କୁଲରେ ପିଲାଟିକୁ ଛାଡି ଅଭିଭାବକ ଜଣକ ସିଧା ଭଦ୍ର ବ୍ୟକ୍ତିଙ୍କ ପାଖକୁ ଯାଇ ଧନ୍ୟବାଦ ଦେଇ କହିଲେ , " ଆପଣଙ୍କ କଥା ମାନି ପିଲାଟିର ଦାୟିତ୍ବ ନେଲି । ଏବେ ସେ ଭଲ ପିଲା ହୋଇ ଯାଇଛି ,ପାଠରେ ଯେମିତି ଆଚାର ବ୍ୟବହାର ରେ ମଧ୍ୟ ସେମିତି । ଆଜ୍ଞା , ଦୟାକରି ଟିକିଏ ଆପଣଙ୍କ ପରିଚୟ ଜାଣି ପାରେ କି ? "
ସ୍ମିତ ହସି ଭଦ୍ର ବ୍ୟକ୍ତି ଜଣକ ନିଜର ପରିଚୟ ଦେଲେ , ସେ ଜଣେ ଅବସର ପ୍ରାପ୍ତ କଲେକ୍ଟର । ଅବସର ପରେ ବସିବାକୁ ଚାହୁଁ ନ ଥିବାରୁ ପାଖରେ ଥିବା ନିଜ ଫାର୍ମ ହାଉସରେ କାମ କରନ୍ତି । ପନିପରିବା , ଫଳ ଓ ଫୁଲ ଗଛ ର ଯତ୍ନ ନେଇ ସେ ଖୁସି ଅନୁଭବ କରନ୍ତି । ମଝିରେ ମଝିରେ ଏଇ ଗଛମୂଳେ ଆସି ବସନ୍ତି , କାରଣ ସେ ପିଲାମାନଙ୍କୁ ବହୁତ ଭଲ ପାଆନ୍ତି ।
ଅଭିଭାବକ ଜଣକ ବ୍ୟକ୍ତିଙ୍କ କଥା ଶୁଣି ସ୍ତବ୍ଧ ହୋଇଗଲେ । ହାତ ଯୋଡି କହିଲେ , ଆପଣ ମହାନ ଆଜ୍ଞା ମୋ ଆଖି ଖୋଲି ଦେଲେ ।
ବ୍ୟକ୍ତି ଜଣକ ଅଭିଭାବକଙ୍କୁ ସାଥିରେ ନେଇ ନିଜର ଫାର୍ମ ବୁଲାଇଦେଲେ । ନାନା ପ୍ରକାର ଫୁଲ ,ଫଳ , ଔଷଧ , ପନିପରିବା ଗଛ ସହ ସବୁ ଗଛ ମୂଳକୁ ପାଣିର ସୁବିଧା , ପୋଖରୀ , ମାଛ ଚାଷ ,ପୁଣି ମଝିରେ ମଝିରେ ମହୁ ଫେଣା ବାକ୍ସ ଇତ୍ୟାଦି ଦେଖି ଅଭିଭାବକ ଜଣକ ଖୁସିରେ ଅଧୀର ହୋଇଗଲେ । ଗଛ ଗୁଡିକ ସବୁଜ ରଂଗରେ ଭରି ଛନଛନିଆ ହୋଇଛି । ରଂଗ ବେରଂଗର ପ୍ରଜାପତି ଉଡି ବୁଲୁଛନ୍ତି । ବିଭିନ୍ନ ପ୍ରକାର ପକ୍ଷୀ ଗଛ ମାନଙ୍କରେ ବସା ବାନ୍ଧିଛନ୍ତି କିଏ କୋରଡରେ ଅଛି । ସେମାନଙ୍କର କୂଜନରେ ଫାର୍ମଟି କମ୍ପି ଉଠୁଛି । ସବୁଠୁ ବଡ କଥା ହେଉଛି ଫାର୍ମ ର ଏକ କଡରେ ଏକ ଘରେ ପଢା ଶିଖା ଜାଣି ନ ଥିବା କିଛି ଶ୍ରମିକ ଓ ମୂଲିଆ ମାନଙ୍କୁ ଭଦ୍ର ବ୍ୟକ୍ତି ଜଣକ ମଝିରେ ମଝିରେ ପଢାଉଛନ୍ତି ।
ଅଭିଭାବକ ସବୁ ଦେଖି ସାରି କହିଲେ ,ଏତେ ସୁନ୍ଦର ପରିବେଶ ଆପଣ କେମିତି ସୃଷ୍ଟି କରି ପାରିଛନ୍ତି ଦେଖି ବଡ ଆଶ୍ଚର୍ଯ୍ୟ ଲାଗୁଛି ! ।
ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ , ଇଛା ଥିଲେ ଉପାୟ ଆସେ ପୁଣି ଅସଲ କଥା ହେଲା କୌଣସି କାମ କରିବାକୁ ହେଲେ ଆମର ଦୃଢ ଇଛା ଶକ୍ତି ଥିବା ଓ ସଠିକ୍ ପରିଶ୍ରମ କରିବା ଦରକାର । ଛୋଟ ଶିଶୁ ହେଉ ବା କିଶୋର ହେଉ ଯୁବ ବା ପ୍ରୋଢ ହେଉ ବୟସ ଅନୁସାରେ ଆମକୁ ଆମର ଭବିଷ୍ୟତ ପାଇଁ ଲେଖାପଢା ସହ ଶିକ୍ଷିତ କିପରି ହେବା , ଖାଇବା ବଞ୍ଚିବା ଆଦି ଭଲମନ୍ଦ ପାଇଁ ରୋଜଗାର କିପରି କରିବା । ତତ୍ ସହିତ ସମାଜର ହିତ ଓ ଉନ୍ନତି ପାଇଁ ସମାଜ ସେବା କାମ ଯଥା ବୃକ୍ଷ ରୋପଣ , ବିନା ରାସାୟନିକ ସାର ରେ ପନିପରିବା ଚାଷ , ଜୀବଜନ୍ତୁଙ୍କ ସୁରକ୍ଷା , କିଛି ଲୋକଙ୍କୁ କାମ ଯୋଗାଇବା, ଅଶିକ୍ଷିତ ମାନଙ୍କୁ ସାକ୍ଷର ଆଦି କାମ କିପରି କରି ପାରିବା ଏ ଦିଗରେ ଧ୍ୟାନ ଦେବା ନିହାତି ଜରୁରୀ । ତେଣୁ କୁହାଯାଏ " ନିଷ୍ଠାପର ଉଦ୍ୟମ କେବେ ବ୍ୟର୍ଥ ଯାଏନି " ।
ପ୍ରଭାସିନୀ ବରାଡ, ଶ୍ରୀ ବିହାର, କଲେଜ ରୋଡ , ନୟାଗଡ, ପିନ - ୭୫୨୦୭୦

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion