ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମାର୍ଚ୍ଚ:୨୦୨୬ , ତୃତୀୟ ବର୍ଷ : ତୃତୀୟ ସଂଖ୍ୟାରେ ପ୍ରକାଶିତ )

centered image
 
ଗପ

ସମୟର ମୂଲ୍ଯ

ଲେଖା : ରାଧାମାଧବ ରଥ

ସେ ଦିନ ସୁକାନ୍ତର ଗଣିତ ପରୀକ୍ଷା ଥାଏ। ସୁକାନ୍ତ ଛଡା ସମସ୍ତେ ପରୀକ୍ଷା ହଲରୁ ହାତ ଧରାଧରି ହୋଇ ଆନନ୍ଦ ମନରେ ଫେରୁଥାନ୍ତି। ମାତ୍ର ସୁକାନ୍ତ ଆଖିରୁ ଲୁହ ଝରାଉଥାଏ, ଠିକ୍ ଧାରାଶ୍ରାବଣ ପରି।ଲୁହ ଛଳଛଳ ଆଖିରେ କାହାକୁ କିଛି ନ କହି ସେ ନୀରବରେ ଘରକୁ ଫେରି ଆସିଲା।
ଦୁଆର ମୁହଁରେ ସୁକାନ୍ତ କାନ୍ଦୁଥିବାର ଦେଖି ତାର ମାଆ, ପ୍ରଶାନ୍ତୀ ଦେବୀ ପଚାରିଲେ,କିରେ ସୁକାନ୍ତ ! ତୁ କାନ୍ଦୁଛୁ କାହିଁକି ? ମୁଁ ଜାଣେ ତୁ ନିଶ୍ଚିନ୍ତ ଗଣିତ ପରୀକ୍ଷାରେ ଖରାପ କରିଥିବୁ।ତେବେ ଏଥିରେ କାନ୍ଦିବାର କଣ ଅଛି ? ତୁ ଯେ ପରୀକ୍ଷାରେ ଖରାପ କରିବୁ,ମୁଁ ଏ କଥା ଆଗରୁ ଜାଣିଥିଲି।ମାତ୍ର ମୁହଁରେ କିଛି କହି ନ ଥିଲି।ତାର ଏକମାତ୍ର କାରଣ ହେଉଛି,ତୁ ସମୟର ମୂଲ୍ଯ ବୁଝି ପାରି ନଥିଲୁ ।କଥାରେ ଅଛି ବାହାଘର ବେଳେ ବାଇଗଣ ଗଛ ରୁଆ।ଫଳ କିଛି ହୁଏନି।ରାତିଅଧିଆ ଗଣିତ ପାଠ ପଢିଲେ କଣ ଗଣିତ ହୁଏ ? ଏଥିନେଇ ଯଥେଷ୍ଟ ସମୟ ଆବଶ୍ୟକ। ତରବର ହୋଇ ଫର୍ମୂଲା ମନେ ରଖିଲେ ମନ ରହେନି।ପରୀକ୍ଷା ହଲରେ ସେଗୁଡିକ ଏପଟସେପଟ ହୋଇଯାଏ। ସେଥିପାଇଁ ଧୈର୍ଯ୍ଯ ଓ ଅଭ୍ୟାସ ଆବଶ୍ୟକ। ହଉ ଯାହା ହେବାର କଥା ହୋଇ ଗଲାଣି।ନେଡି ଗୁଡ କହୁଣୀକୁ ବୋହିଗଲାଣି।ପଛକଥାକୁ ଭାବି କିଛି ଲାଭ ନାହିଁ।ଗତସ୍ଯ ଶୋଚନା ନାସ୍ତି।ଏବେ ଆଗାମୀ ପାଇଁ ପ୍ରସ୍ତୁତ ହୁଅ।
ସୁକାନ୍ତ ମାଆଙ୍କ କଥାକୁ ଶୁଣିସାରି କହିଲା,ମାଆ ତୁମେ ଠିକ୍ କହିଛ। କାନ ଧରୁଛି,ଏପରି ଭୁଲ୍ କାମ ମୁଁ ଭବିଷ୍ଯତରେ କରିବାକୁ ଯିବିନାହିଁ।ସବୁକିଛି ସମୟାନୁସାରେ କରିବି।ଟେବୁଲ ଉପରେ କେବଳ ଘଣ୍ଟା ରଖିଲେ ହେବ ନାହିଁ କି ,ହାତରେ ଘଣ୍ଟା ପିନ୍ଧିଲେ ହେବ ନାହିଁ।ଏହାର ସଦୁପଯୋଗ ଆବଶ୍ୟକ। ଘଣ୍ଟା କହେ,ସବୁକିଛି ସମୟ ଦେଖି କାମକର।ଏହା କହି ସେ ସେହିଦିନଠାରୁ ନିଜ କାର୍ଯ୍ଯରେ ଲାଗି ପଡିଲା।ଖେଳ ସମୟରେ ଖେଳ,ପଢା ସମୟରେ ପଢା ହିଁ କରିବାକୁ ଗଲା ।ବାସ୍ତବିକ ସେ କେବଳ ଗଣିତରେ କାହିଁକି ,ସବୁ ବିଷୟରେ ଭଲ ନମ୍ବର ରଖି ଶ୍ରେଣୀରେ ପ୍ରଥମ ହେଲା।
ଏହାଶୁଣି ପ୍ରଧାନ ଶିକ୍ଷକଙ୍କ ସମେତ ସମସ୍ତ ଶିକ୍ଷକ, ଏପରିକି ବାପାମାଆ, ସାଙ୍ଗସାଥୀ ସମସ୍ତେ ଖୁସିହେଲେ।ତାର ସାଙ୍ଗମାନେ ସୁକାନ୍ତର ଆଦର୍ଶକୁ ଗ୍ରହଣ କଲେ। ସମସ୍ତେ ସମୟାନୁସାରେ କାମ କଲେ।

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion