ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ସେପ୍ଟେମ୍ବର:୨୦୨୬ , ତୃତୀୟ ବର୍ଷ-ନବମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଏଣୁ ଜୀବନ ତା ନାଆଁ

ଲେଖା : କୈଳାସ ଚନ୍ଦ୍ର ବେହେରା

ଗ୍ରୀଷମ ଋତୁର ଆଗମନ ଆଣେ
ଜୀବନେ ଯାତନା ନେଇ
ଫେରେ ଶିରିହୀନ ତତଲା ମହୀରେ
ଜୀବନ ସନ୍ଧାନ ଦେଇ l
ଦକ୍ଷିଣ ପଶ୍ଚିମ ମଉସୁମୀ ବାଆ
ସାଗର ସଲିଳ ଛୁଇଁ
ଶୀତଳ ଉଦକ ରେଣୁ ସାଥେ ଭାସେ
ଆକାଶେ ବାଦଲ ହୋଇ l
ମାଆ ବସୁମତୀ ରଜସ୍ୱଳା ହୋନ୍ତି
ଦେଖି ନଭେ ମେଘ ଠାଣି
ଲାଜେଇ ବରଷା ଛପି ଛପି ଆସେ
କଳା ଓଢଣୀ ଟେ ଟାଣି l
ଚପଳା ଚମକ ଘଡଘଡ଼ି ଡାକ
ମେଘ ସଜବାଜ ଦେଖି
ବିରହିଣୀ ପ୍ରାଣେ ମଧୁର ମୂର୍ଚ୍ଛନା
ସଜଳ ଚାତକ ଆଖି l
ବିରହୀ ମୟୂର କଳାପ ତୋଳିଲେ
ମୟୂରୀ ଉଠଇ ମାତି
ଶିଖୀ ନୃତ୍ୟ ଦେଖି ଆକାଶେ ଦିଶଇ
ମେଘ ମଲ୍ଲାରର କାନ୍ତି l
ଜୀବନ୍ମୃତ ପ୍ରାୟ ଜୀବଜଗତକୁ
ପହିଲି ବରଷା ଛୁଆଁ
ସଞ୍ଜୀବନୀ ସମ ବ୍ୟାକୁଳ ପ୍ରାଣରେ
ଜୀବନ ସଞ୍ଚାରେ ନୂଆ l
ମିଳନ ପ୍ରତ୍ୟାଶୀ ବେଙ୍ଗୁଲୀ ଡାକଇ
ବରଷା ପାଣିରେ ଭିଜି
ସାଧବବୋହୂଟି ଅଭିସାରେ ଯାଏ
କଅଁଳ ଘାସରେ ହଜି l
ଇନ୍ଦ୍ରଧନୁ ଆଣେ ରଙ୍ଗୀନ ସପନ
ପ୍ରେମୀଯୁଗଳଙ୍କ ମନେ
ବୃକ୍ଷ, ଲତା, ପ୍ରାଣୀ ସକଳେ ବିଭୋର
ବରଷାର ଆଗମନେ l
ପ୍ରକୃତି ହାଟରେ କଅଁଳ ଫୁଲର
ପସରା ଭଳିକି ଭଳି
ନବ ଯଉବନୀ ଜଳାଧାର ଖେଳେ
ସମୀରଣ ସାଥେ ଦୋଳି l
କେଦାରେ କେଦାରେ ସବୁଜିମା ଖେଳେ
ବାଡ଼ି ବଗିଚାର ବେଶ
ଦର୍ଶନେ ବିହ୍ଵଳ ଚଷାଭାଇ ମନେ
ଉଙ୍କିମାରେ ନୂଆ ଆଶ l
ଆଷାଢ଼େ ମଜାଏ ଶ୍ରାବଣେ ଭିଜାଏ
ବଢ଼ି ଆସେ ଯେବେ ମାଡ଼ି
ତୁଟିଯାଏ ଚାଷୀ ମନର ଭରସା
ଜଳେ ବୁଡ଼େ ଘରବାଡ଼ି l
ତେବେବି ବରଷା ମଙ୍ଗଳଦାୟିନୀ
ଜଗତ ଜୀବନ ମାଆ
ଜଳ ବିନୁ ଜୀବ ସୃଷ୍ଟି ଅସମ୍ଭବ
ଏଣୁ ଜୀବନ ତା ନାଆଁ l

ତେମଳା, ଶଂଖୋ, କେନ୍ଦୁଝର
ମୋ ---9178040155
ପିନ –758022

ଲେଖା ସମ୍ପର୍କୀୟ ମତାମତ

ଡକ୍ଟର ସୁନାମଣି ରାଉତ

03-09-2026 / 13:12:43

କବିତାଟି ଶିଶୁ ଉପଯୋଗୀ ମନେ ହେଲାନାହିଁ । ଏଥିରେ ଵ୍ୟଵହୣତ ଜୀଵନେ ଯାତନା, ଉଦକ, ବ୍ୟାକୁଳ, ଯଉବନୀ, ବିହ୍ଵଳ, ରଜସ୍ବଳା, ଵିରହିଣୀ, ପ୍ରେମୀଯୁଗଳ, ଅଭିସାର, ପ୍ରତ୍ୟାଶା ପଭୣତି ଶବ୍ଦ ଶିଶୁ କଵିତା ପାଇଁ ମୋ ମତରେ ଉପଯୁକ୍ତ ନୁହେଁ। ଆଶା, ସହଜ ସରଳ ଓ ସାଵଲୀଳ ଶଵ୍ଦ ଵ୍ୟବହାର କଲେ ତାହା ଶିଶୁ ମନଲାଖି ହୋଇପାରିବ ।

Dillip Mohanty

01-09-2026 / 15:45:27

Lekhati bahut sundar O bahut uchakotir eha samastank pain grahania

Snigdha priyadarshini Nayak

01-09-2026 / 11:50:59

Lekhati bahuta uchakotira tatha mana chhuan.uchaengrajibidyalay pilank pain upajukt.bhalalagila.

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion