ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ସେପ୍ଟେମ୍ବର:୨୦୨୬ , ତୃତୀୟ ବର୍ଷ-ନବମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ସାଧଵ ବୋହୂ

ଲେଖା : ସୁଵାସିନୀ ଧଳ

ସାଧଵ ଵୋହୂଲୋ ସାଧଵ ବୋହୂ
ନାଲି ପାଟ ପିନ୍ଧି କୁଆଡ଼େ ଯାଉ
ବାପା କହୁଥିଲେ ତୋ ରୂପ କଥା
ରାଜଵଧୂ ପରି ନୁଆଁଇ ମଥା।
କନ କନ ହୋଇ ଘାସ ଉପରେ
ଵର୍ଷା ଭିଜା ମାଟି ସବୁଜିମାରେ
ଢଳି ଢଳି ଯେଵେ ଆସୁ ପାଖେଇ
ଆନନ୍ଦରେ ମନ ନାଚି ଉଠଇ।
ମୋଉସୁମି ଆସିଲେ ରଜପରଵ
ଘରେ ଘରେ ଲାଗେ ପିଠା ଉତ୍ସବ।
ରଜ ପାଳିଵାକୁ ଆସୁକି ତୁହି
ମଉନେ ମଥାରେ ଓଢଣୀ ଦେଇ
ଟୋପା ଟୋପା ମେଘ ମାଟି ବାସ୍ନାରେ
ସାଙ୍ଗ-ସାଥି ମେଳେ ଯାଉ ସଧିରେ
ତୋ ଚାଲିର ସତେ ଉପମା ନାହିଁ
ଶୋଭା ଵର୍ଣ୍ଣବାକୁ ନୋହିଵେ କେହି।

ଝର ଝର ଵର୍ଷା ପଡ଼ିଲେ ଝରି
ତୋର ଉଆସକୁ ଯାଉ ତୁ ଫେରି
ପିଲାଠୁ ଵୁଢାଙ୍କୁ ଆନନ୍ଦ ଦେଇ
ଵରଷକ ପାଇଁ ଯାଉ ଦୂରେଇ।
ଆମେ ଯେତେ ସଵୁ ସହରେ ଅଛୁ
ଗୀତରେ ଗପରେ ତୋତେ ଦେଖୁଛୁ।
ସାଙ୍ଗ କହୁଥିଲା ଗାଆଁରୁ ଜଣେ
କାଆ ଭାଆ ତୋତେ ଦେଖନ୍ତି କ୍ଷଣେ
ପରିବେଶ ଆଜି ହୁଏ ଦୁଷିତ
ଜଳବାୟୁ ସ୍ଵଚ୍ଛ କାହିଁ ନାହିଁ ତ
ସେଥିପାଇଁ କିଵା ଗଲୁକି ଘୂଞ୍ଚି
ମଉନେ ରହିଲୁ କେଉଁଠି ଲୁଚି
ଶୋଭା ପସରାର ପ୍ରକୃତି ରାଣୀ
ତୁମକୁ ହରାଇ ହୁଏ ବାୟାଣୀ।
ଶ୍ରେଷ୍ଠ ଜୀଵ ହୋଇ ମଣିଷ ଆଜି
ନିଜ ସ୍ଵାର୍ଥ ପାଇଁ ସଵୁଙ୍କୁ ତେଜି
ରାଜ ସିଂହାସନେ ଵସିଛି ସେହି
ପରଜା ହେବାକୁ ନାହାନ୍ତି କେହି।

ଜଗନ୍ନାଥ ଓ୍ଵାରିଅରସ ରେସିଡେନ୍ସି
ଭୁବନେଶ୍ୱର

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion