ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ସେପ୍ଟେମ୍ବର:୨୦୨୬ , ତୃତୀୟ ବର୍ଷ-ନବମ ସଂଖ୍ୟାରେ ପ୍ରକାଶିତ )

centered image
 
ଗପ

ଗଛ ହିଁ ଜୀବନର ମୂଳ ଆଧାର

ଲେଖା : ଶ୍ରୀମତୀ ସୁଷମା ଲେଙ୍କା

କୁନା ସ୍କୁଲ ଗଲାବେଳକୁ ଦେଖିଲା, ଜେଜେମା ଲଗାଇଥିବା ପିଜୁଳି ଗଛଟିକୁ କିଏ ଓପାଡି ଦେଇଛି। ସ୍କୁଲ ଦୁଇଦିନ ବନ୍ଦ ଥିଲା। କୁନା ବାହାରକୁ ଆଉ ଯାଇନଥିଲା କାରଣ ପ୍ରବଳ ଖରା ଓ ଗରମ ହେଉଥିବାରୁ। ସେହି ପିଜୁଳି ଗଛର ପୂର୍ବ ବର୍ଷ ପ୍ରଥମ କରି ପିଜୁଳି ଫଳିଥିଲା। ଏବର୍ଷ ସେହି ଗଛରେ ଦ୍ବିତୀୟ ଥର ଲାଗି ବହୁତ ଗୁଡିଏ ପିଜୁଳି କଷି ଏବଂ ଫୁଲ ଲଦି ହୋଇ ଯାଇଥିଲା। ମଝି ସାଇଜ ପିଜୁଳି ବହୁତ ସ୍ୱାଦିଷ୍ଠ ଥିଲା। କୁନା ସେଠାରେ ଟିକେ ଠିଆ ହୋଇ ଦେଖିଲା। ତାପରେ ଧାଇଁ ଧାଇଁ ଆସି ଜେଜେମା ଙ୍କୁ ସବୁ କଥା କହିଲା। ଜେଜେମା କୁନାକୁ କହିଲେ, ସ୍କୁଲ ବେଳ ହୋଇଗଲାଣି,ତୁ ଆଗ ସ୍କୁଲ କୁ ଯାଆ। ମୁଁ ଦେଖୁଛି କ`ଣ କରାଯାଇ ପାରିବ? କୁନା ସ୍କୁଲ ଚାଲିଗଲା। ଜେଜେମା ଘରେ ତାଙ୍କ ନିଜ କାମ ସାରି,ଗଛ ପାଖକୁ ଗଲେ। ଦେଖିଲେ ସତରେ କିଏ ଜାଣିଶୁଣି ଗଛ ଟିକୁ ଓପାଡି ଦେଇଛି। ତାଙ୍କ ମନରେ ଦୁଃଖ ହେଲା। ଦୁଇଦିନ ହେଲା ଉପୁଡ଼ି ଯାଇ ଥିବାରୁ ପ୍ରବଳ ଖରା ରେ ଗଛର ପତ୍ର ଫୁଲ ଓ କଷି ଗୁଡିକ ଶୁଖିଯାଇଛି ଗଛର ଚେର ମଧ୍ୟ କେତେକାଂଶରେ ଶୁଖି ଯାଇଛି । ତଥାପି ସେ ଧୈର୍ଯ୍ଯ ହରା ନହୋଇ, ସେଠାରେ ରହୁଥିବା ରାମକୁ ଡାକି କହିଲେ ଗଛର ଡାଳ ଗୁଡ଼ିକ କାଟିଦିଅ,ଚେର ଥାଇକି,ଗଛ ମୂଳରୁ ଗଣ୍ଡି ପର୍ଯ୍ୟନ୍ତ ଚାରି ପାଞ୍ଚ ହାତ ରଖି କାଟି ଦିଅ,ଚେର ଥିବା ଗଣ୍ଡିକୁ ନେଇ ଆମ ଘର ଆଗରେ ଥିବା ଜାଗାରେ ଲଗାଇଦିଅ। ରାମ ଗଛକୁ ସାଇଜ କରି କାଟିଦେଲା। ଜେଜେମାଙ୍କୁ କହିଲା ଏଗଛଟାକୁ ଲଗାଇଲେ ଆଉକଣ ବଞ୍ଚିବ। ଚେର ତା`ର ଶୁଖି ଆସିଲାଣି। ଅଯଥା ପରିଶ୍ରମ କରିଶ୍ରମ କରିବା ପାଇଁ କାହିଁକି କହୁଛନ୍ତି। ଜେଜେମା ତାକୁ କହିଲେ ଏଗଛଟାକୁ ମୁଁ ଲଗାଇଥିଲି। ନିଜ ଛୁଆ ଭଳି ତା`ର ଯତ୍ନ ନେଇ ଏତେବଡ଼ କରିଥିଲି କିଏ ସେ ଗଛଟିକୁ ଓପାଡି ଦେଲା,ଗଛ ଟିକୁ ଦେଖିଲେ କେତେ କଷ୍ଟ ହେଉଛି ମନରେ, ତୁମେ ସେକଥା ବୁଝିପାରିବ ନାହିଁ। ବଞ୍ଚିବ କି ନାହିଁ ସେକଥା ଅଲଗା, ବଞ୍ଚାଇବାକୁ ଚେଷ୍ଟା କଲେ ଅସୁବିଧା କ`ଣ ହେବ କି?ତୁମ ତୁମ କାମ ପାଇଁ ଟଙ୍କା ତ ନେବ ‌। ଆରବର୍ଷ ପ୍ରଥମ କରି ଏତେ ପିଜୁଳି ଫଳିଥିଲା ତୁମେ ସବୁ ପିଜୁଳି ତୋଳି ଖାଇଥିଲନା ନାହିଁ। କେତେ ପ୍ରକାର ଚଢେଇ ଆସି ଗଛରେ ବସୁଥିଲେ, କେତେ ସୁନ୍ଦର କଳରବ କରୁଥିଲେ। ଗଛରେ ବସା ବାନ୍ଧି ଛୁଆ ଦେଇଥିଲେ। ଖରାବେଳେ ଗଛ ଛାଇରେ ଯାଇ ବସି ପଡୁଥିଲ। ପିଲାମାନେ ସେଠାରେ ଖେଳୁଥିଲେ।
କିଏ ବିକ୍ରି ବଟା କରିବାପାଇଁ ଆସିଲେ ସେଗଛର ଶୀତଳ ଛାୟାରେ ଘଡ଼ିଏ ଥକାମାରି ବସି ପଡୁଥିଲେ। ଠିକ୍ ଅଛି ରାମ ତୁମେ ଯଦି ଆଉ କାମ ନକରିବ ଯାଅ। ମୁଁ ଗଛ ଟିକୁ ନେଇ ନିଜେ ଲଗାଇବି। ଜେଜେମା ଚେର ଥିବା ଗଣ୍ଡିକୁ ନେଇ ନିଜ ଘର ଆଗରେ ଗାତ ଖୋଳି ଲଗାଇଦେଲେ। ପାଣି ଦେଲେ। ଜେଜେମା ଯେତେବେଳେ ଗଛ ଲଗାଉ ଥିଲେ ସମସ୍ତେ ଆସିଦେଖୁଥିଲେ,ହସି ହସି କହୁଥିଲେ ଏ ଗଛଟା କ`ଣ ବଞ୍ଚିବ ସତରେ ଏତେ କଷ୍ଟ କରି ଲଗାଉଛ? ଜେଜେମା ସେମାନଙ୍କୁ ଚାହିଁ,ହସି ଦେଇ କହିଲେ, ଗଛକୁ ବଞ୍ଚେଇବା ପାଇଁ ଚେଷ୍ଟା କରୁଛି, ବଞ୍ଚିଲେ ବଞ୍ଚିବ ନହେଲେ ନାହିଁ। ତାବୋଲି କ`ଣ ଚେଷ୍ଟା କରିବା ଛାଡିଦେବି। କୁନା ଓ ଜେଜେମା ସଞ ସକାଳେ ପାଳି କରି ଗଛରେ ସବୁଦିନ ପାଣି ଦେଲେ କିନ୍ତୁ ଗଛ ଅଗ ଆଡୁ କଳାପଡି ଶୁଖି ଶୁଖି ଆସିଲା। ଜେଜେମା ମଧ୍ୟ ଭାବିନେଲେ ଆଉ ଏ ଗଛ ବଞ୍ଚିବ ନାହିଁ ବୋଧେ। ଯେଉଁ ମାନେ ବଞ୍ଚିବ ନାହିଁ ବୋଲି କହୁଥିଲେ, ସେମାନେ ଆସି ଜେଜେମା ଙ୍କୁ କହିଲେ, ଦେଖିଲେ ଗଛ ଟା ମରି ଗଲାଣି, ଥୁଣ୍ଟା ଶୁଖିଲା ଗଛ ଟିକୁ ରଖିଛ କାହିଁକି। ଜେଜେମା ହସିଦେଲେ କେବଳ କିଛି କହିଲେ ନାହିଁ। ଏମିତି ଏମିତି ଦଶମାସ ବିତିଗଲା। କିନ୍ତୁ ଜେଜେମା ସେ ଗଛଟିକୁ ଓପାଡିଲେ ନାହିଁ। ଏବେ ଥରେ ଜେଜେମା ସକାଳୁ ଉଠି ଫୁଲ ତୋଳିବାକୁ ଯାଇଛନ୍ତି, ହଠାତ ତାଙ୍କର ନଜର ପଡିଗଲା ସେହି ଥୁଣ୍ଟା ଗଛ ଉପରେ। ଦେଖିଲେ ମୂଳରୁ ପତ୍ର କଅଁଳିଲାଣି, ତାକୁ ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଗଲେ, ତାପରେ କୁନାକୁ ଡାକ ପକାଇଲେ। କୁନା ନିଦରୁ ଉଠି ଜେଜେମାଙ୍କ ପାଖକୁ ଗଲା। ଜେଜେମା ତାକୁ ସେ ଗଛଟିକୁ ମୂଳରୁ ଦେଖିବା ପାଇଁ କହିଲେ। କୁନା ପତ୍ର କଅଁଳିଲାଣି ଦେଖି ଭାରି ଖୁସି ହୋଇଗଲା ସମସ୍ତଙ୍କୁ ଡାକି ଦେଖେଇ କହିଲା ଜେଜେମା ଙ୍କ ଚେଷ୍ଟା ସଫଳ ହେଲା। ଏବେ ପୁଣି ଗଛ ବଡ଼ ହୋଇ ପିଜୁଳି ଫଳିବ, ଚଢ଼େଇ ମାନେ ଆସିବେ ଗଛଡାଳରେ ବସାବାନ୍ଧି ଛୁଆ କରିବେ। ପୁଣି ପକ୍ଷୀ ମାନଙ୍କର କଳରବରେ ମନ ଖୁସି ହୋଇଯିବ। ଆମ ଘର ଆଗରେ ଥିବାରୁ ଆମେ ଗଛର ଯତ୍ନ ନେଇପାରିବେ। ଜେଜେମା କୁନାକୁ ବୁଝାଇ ଦେଇ କହିଲେ ଏବେ ଯେଉଁ ବନ୍ୟ ବାତ୍ୟା,ବାଦଲ ଫଟା ବର୍ଷା, ଭୂସ୍ଖଳନ ହୋଇ ବହୁ ପରିମାଣର ଧନ ଜୀବନ ନଷ୍ଟ ହେଉଛି,ରାସ୍ତା ଘାଟ ସବୁ ନଷ୍ଟ ହେଉଛି,ଭୂତଳର ଜଳ କମି କମି ଯାଉଛି, ପଶୁମାନେ ସହର ଭିତରକୁ ଚାଲି ଆସୁଛନ୍ତି, ଏସବୁର ମୂଖ୍ୟ କାରଣ ହେଉଛି ପ୍ରବଳ ମାତ୍ରାରେ ଗଛଲତା କଟାହେଉଛି ବୋଲି , ଆମକୁ ବହୁତ ଅସୁବିଧାକୁ ସମ୍ମୁଖୀନ ହେବାକୁ ପଡୁଛି। ଗଛର ଚେର ମାଟିକୁ ଜାବୁଡ଼ି,ବାନ୍ଧି ଧରି ରଖିବାରେ ସାହାଯ୍ୟ କରେ ,ଭୂତଳ ଜଳ ଧାରଣାର କ୍ଷମତା ବଢାଏ। ବିଷାକ୍ତ ଗ୍ୟାସ ଅଙ୍ଗାରକାମ୍ଳ ସବୁ ଶୋଷିନେଇ ଆମକୁ ଅମ୍ଳଜାନ ଦିଏ। ଯେତେ ଜୋରରେ ବର୍ଷା ବାତ୍ୟା ହେଲେ ମଧ୍ୟ ମାଟି ଧୋଇ ହୋଇ ହୋଇ ଯାଏ ନାହିଁ। ଭୂସ୍ଖଳନ ହୁଏ ନାହିଁ। ଧନ ଜୀବନ ନଷ୍ଟ ହୁଏ ନାହିଁ। ତେଣୁ ଯେତେ ଗଛ ଲଗାଇବ ସେତେ ଭଲ ଜୀବ ଜଗତ ପାଇଁ। ଗଛ ଆମକୁ ତା`ର ସବୁ କିଛି ଦେଇଥାଏ। ଗଛ ନଥିଲେ ଆମେ କ`ଣ ଖାଇବା, କେମିତି ବଞ୍ଚିବା??ସତ କଥା ହେଲା ଗଛ ନଥିଲେ କେହି ବଞ୍ଚି ପାରିବେ ନାହିଁ। ତେଣୁ କଥାରେ ଅଛି ଗଛ ହିଁ ଜୀବନ,ଗଛ ହିଁ ପ୍ରକୃତି,ଗଛ ଜୀବ ଜଗତର ମୂଳ ଆଧାର। କୁନା ଜେଜେମା ଙ୍କ ଠାରୁ ସବୁ ଶୁଣିବା ପରେ କହିଲା ମୁଁ ଏବଂ ଆମ ସାଙ୍ଗ ମାନେ ଏବେଠାରୁ ବହୁତ ଗଛ ଲଗାଇବୁ ଏବଂ ଅନ୍ୟ ମାନଙ୍କୁ ମଧ୍ୟ ସଚେତନ କରି କହିବୁ ବହୁ ପରିମାଣରେ ଗଛ ଲଗାଇବା ପାଇଁ। ଜେଜେମା କହିଲେ ସାବାସ କୁନା। ।

ଖଣ୍ଡଗିରି ବିହାର କୋଳଥିଆ ଭୁବନେଶ୍ୱର

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion