ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ସେପ୍ଟେମ୍ବର:୨୦୨୬ , ତୃତୀୟ ବର୍ଷ-ନବମ ସଂଖ୍ୟାରେ ପ୍ରକାଶିତ )

centered image
 
ଗପ

ଗୁଡ଼ୁଲ- ଗୁଡଲିଙ୍କ ରହସ୍ୟମୟ ଯାତ୍ରାର ଭାଗ-୩

ଲେଖା : ସ୍ନିଗ୍ଧା ନାୟକ

ରାତ୍ର-ଭୋଜନର ସମୟ ...। ବୋଉ  ଭୋଜନ କରିବା ପାଇଁ ଗୁଡୁଲ୍, ଗୁଡ଼ଲିକୁ ଡାକ ପକାଇଲା । ସେ ଦୁହେଁ ଡାଇନିଂ ଟେବୁଲ୍ ପାଖରେ ପହଞ୍ଚିଲେ । ଅଜା ଆଉ ବାପା ଭୋଜନ ପାଇଁ ବସି ସାରିଥାନ୍ତି ,ବୋଉ ଖାଇବା ପରଷୁଥାଏ । ଆଈ ମଧ୍ୟ ତା`ଭାଗବତ ପାଠସାରି ଆସୁଥିବ । ପ୍ରତ୍ୟେକ ଦିନ ସେମାନେ ସମସ୍ତେ ଏକାସହ ଖାଇବାକୁ ବସନ୍ତି । ପରଷି ସାରି ବୋଉ ମଧ୍ୟ ସେମାନଙ୍କ ସହ ବସିଖାଏ । ତାଙ୍କ ଘରେ ସମସ୍ତେ ଖୁବ୍ ଶୃଙ୍ଖଳିତ ଓ ଅନୁଶାସନ ପ୍ରିୟ । ଗୁଡୁଲ୍ , ଗୁଡ଼ଲି ମଧ୍ୟ ଆଜ୍ଞାକାରୀ  କିନ୍ତୁ ଏଲିନର ମମତା ତାଙ୍କୁ ସମସ୍ତଙ୍କଠୁ ଲୁଚାଇ ଏସବୁର ଯୋଜନା କରିବାକୁ ବାଧ୍ୟ କରୁଥିଲା ।
ଆଇ ଭାଗବତ ପାଠସାରି ଡାଇନିଂ ପାଖକୁ ଆସିଲା । ବୋଉ ମଧ୍ୟ ପରଷିସାରି ତାଙ୍କ ସହ ଯୋଗଦେଲା । ଆଈ ଖାଇବା ଆରମ୍ଭ କରିବାକୁ ଯାଉଥାଏ ,ହଠାତ୍ ତାର ମନେ ପଡିଗଲା ଯେ ଶୁଆକୁ ଖାଇବାକୁ ଦେଇନି ବୋଲି । ସେ ଚୌକିରୁ ଉଠି ଛିଡା ହେଇଗଲା । ସମସ୍ତଙ୍କୁ ଖାଇବା ଆରମ୍ଭ କରିବାକୁ କହି  ରୋଷେଇ ଘର ଭିତରୁ କିଛି ବଟାଚଣା ନେଇ ଶୁଆକୁ ଦେବ ବୋଲି ବାହାରିଲା । ଗୁଡୁଲ୍ , ଗୁଡ଼ଲି ଚିନ୍ତାରେ ପଡିଗଲେ । ପରସ୍ପରକୁ ଅନାଇ ଆଖିଆଖିରେ ପୁଣି ଗୋଟାଏ ଯୋଜନା ଆଙ୍କିଲେ ।
ଟେବଲ୍ ଉପରେ ଥିବା କାଚ ଗ୍ଲାସଟା ଗୁଡ଼ଲିର ହାତବାଜି ତଳେ ପଡ଼ି ଭାଙ୍ଗିଗଲା । କାଚଖଣ୍ଡ ଗୁଡିକ ଚାରିଆଡ଼େ ବିଛାଡି ହୋଇପଡ଼ିଲା । ଶୁଆର ଖାଇବାଟା ଟେବୁଲ୍ ଉପରେ ଥୋଇ ଆଇ ଚଟ୍ଟାଣରୁ କାଚଖଣ୍ଡ ଗୁଡିକ ଉଠାଇବାରେ ଲାଗିଲା ଆଉ
ବୋଉ ମଧ୍ୟ ଖାଇବା ଅଧାରେ ଛାଡି ଆଈକୁ ସାହାର୍ଯ୍ୟ କଲା । ଏହାର ସୁଯୋଗ ନେଇ ଗୁଡୁଲ୍ ଚଟାପଟ୍ ଖାଇସାରି ,ଶୁଆର ଖାଇବା ଗିନାକୁ ନେଇ ସେଇଠୁ ଚାଲିଗଲା । ସବୁକାଚ ଉଠାଇ ସାରି , ଆଈ ବଟାଚଣାର ଗିନାକୁ ଟେବୁଲ୍ ଉପରେ ଖୋଜିଲା । ସେତେବେଳେ ଗୁଡ଼ଲି ଆଈକୁ ଜଣାଇଦେଲା ଯେ ଗୁଡୁଲ୍  ,ଶୁଆକୁ ଖାଇବାକୁ ଦେଇସାରିଛି ବୋଲି ।
ଆଈ " ହଉ...ହଉ" କହି ବସିପଡ଼ି ଖାଇବା ଆରମ୍ଭ କଲା । ସେତେବେଳକୁ ଗୁଡଲିର ମଧ୍ୟ ଖାଇବା ସରିଯାଇଥିଲା। ସେ କହିଲା   -
" ଆମେ ଦୁହେଁ କ୍ଳାନ୍ତ ହେଇପଡିଛୁ ,ତେଣୁ ଶୋଇବାକୁ ଯାଉଛୁ । ଏଲିନ୍ ପାଇଁ ଆଜି ମନ କଷ୍ଟ ହେଉଛି ତେଣୁ ଶୁଆକୁ ପଞ୍ଜୁରୀ ସହ ଆମ ବଖରାକୁ ନେଇ ଯାଉଛୁ। "
ଏତକ କହି ଗୁଡ଼ଲି ସେଇଠୁ ନିଜ ରୁମକୁ ଚାଲି ଆସିଲା ।
ପଞ୍ଜୁରୀକୁ ରୁମର ଗୋଟାଏ କଣରେ ରଖିଦେଇ ଦୁହେଁ
ବତୀ ବନ୍ଦକରି ମିଛିମିଛିକା ଶୋଇବାର ଅଭିନୟ କଲେ ସେମାନେ ଜାଣିଥିଲେ ,କିଛି ସମୟପରେ  ଆଈ ନହେଲେ
ବାପା , ବୋଉ କି ଅଜା ଆସି ସେମାନେଙ୍କୁ ଦେଖି ଯିବେ ।
ସତକୁସତ କିଛି ସମୟପରେ  ଅଜା ସେମାନେଙ୍କ ରୁମକୁ ଆସିଲେ । ରୁମର ଚାରିଆଡକୁ ଥରେ ଆଖି ବୁଲାଇ ଆଣିଲେ ।
ଅନ୍ଧାରୁଆ ରୁମର ଅନ୍ଧାର ପଞ୍ଜୁରୀ ଭିତର କଣ୍ଢେଇ ଶୁଆ , ସତ ଶୁଆର ଭ୍ରମ ଆଣୁଥିଲା । ସେତେବେଳକୁ ଆଈ ମଧ୍ୟ ରୁମ୍ ଭିତରେ ହାଜର ହେଲା ଓ ପଞ୍ଜୁରୀ ଆଡ଼କୁ ଅଗ୍ରସର ହେଲା । କାଳେ ସେମାନେ ଧରା ପଡ଼ିଯିବେ  ସେଭୟରେ ଦିହିଁଙ୍କ ହୃତସ୍ପନ୍ଦନ ତୀବ୍ର ହେବାକୁ ଲାଗିଲା । କିନ୍ତୁ ଠିକ୍ ସମୟରେ ବାପା , ଆଈଙ୍କୁ ଡାକ ପକାଇଲେ   ଆଉ ଆଈ ସେଇଠୁ ଚାଲିଗଲା । ଅଜା ଫେନର ବେଗକୁ ବଢାଇ ଦେଇ ସେମାନଙ୍କ  କୋଠରିର ଦରଜାକୁ ଆଉଜେଇ ଦେଇ ସେଇଠୁ ଚାଲିଗଲେ ।
ବର୍ତ୍ତମାନ୍ ସେମାନଙ୍କ ହୃଦସ୍ପନ୍ଦନର ବେଗ ମନ୍ଥର ହେଲା । ଦୁହେଁ ଦୀର୍ଘଶ୍ୱାସ ଛାଡ଼ି , ଚୁପଚାପ୍ ବିଛଣାରେ ପଡ଼ିରହି ସମସ୍ତଙ୍କ ଶୋଇବାର ଅପେକ୍ଷାରେ ରହିଲେ ।
ପ୍ରାୟ ଘଣ୍ଟାଏ ପରେ ଘର ନୀରବହେଲା ଆଉ ସବୁ ରୁମର ।
ଫ୍ୟାନର ଗତି ତୀବ୍ରହେଲା ବୋଧେ ସମସ୍ତେ ଶୋଇପଡ଼ିଲେ । ଗୁଡୁଲ୍ ବିଛଣାରୁ ଉଠି କବାଟ ପାଖକୁ ଆସି ବାହାରକୁ ଝାଙ୍କିଲା । ଚାରିଆଡ ଅନ୍ଧାର ଥିଲା , ସମସ୍ତେ ଶୋଇ ଯାଇଥିଲେ । ବିଛଣା ପାଖକୁ ଆସି ଗୁଡଲିକୁ ଉଠାଇ ସେମାନଙ୍କ ଶୋଇବା ସ୍ଥାନରେ ତକିଆରଖି ଚାଦର ଘୋଡ଼ାଇ ଦେଲା । ତା`ପରେ ଦୁହେଁ ଚୁପକରି ଝରକା କାଚଖୋଲି ବାହାରକୁ ଡେଇଁପଡ଼ି ବଗିଚାରେ ଥିବା ମେଜ ଉପରେ ବସି ଶୁଆ ଆଉ ଡାମରା କାଉର ଅପେକ୍ଷାରେ ରହିଲେ ।
ସେପଟେ ଶୁଆ ଡାମରା କାଉର ସନ୍ଧାନରେ ଜଙ୍ଗଲରେ ପହଞ୍ଚି ସାରିଥାଏ କିନ୍ତୁ ଡାମରା କାଉର ଖୋଜ ଖବର ନଥାଏ । ସବୁ ପଶୁପକ୍ଷୀଙ୍କୁ ପଚାରି ସାରିଥାଏ କିନ୍ତୁ ଅନେକ ଦିନରୁ କେହି ତାକୁ ଦେଖି ନାହାନ୍ତି ବୋଲି ଉତ୍ତର ଦିଅନ୍ତି । ସେ ହତାଶ ହୋଇ ଫେରି ଆସୁଥାଏ । ବାଟରେ ଅଜୁବା କୋଠି ପାଖରେ ବିରାଟ ଝଙ୍କାଳିଆ ବରଗଛଟିଏ ଦେଖି ସେଇଠି ବିଶ୍ରାମ ଆଶାରେ ଟିକିଏ ବସିପଡ଼ିଲା । ମୁଁହ ଶୁଖାଇ ଡାଳରେ ବସି ଭାବୁଥାଏ ଏବେ ଘରକୁ ଫେରି ଗୁଡୁଲ୍ ,ଗୁଡ଼ଲିକୁ କି ଉତ୍ତର ଦେବ ..?
ରାତ୍ରୀର ଆକାଶ । ଦ୍ଵିତୀୟା ଚନ୍ଦ୍ରର ଆଲୋକରେ ଅଳ୍ପ ଆଲୋକିତ ଥାଏ । ସ୍ଥିର ପରିବେଶରେ ଅଳ୍ପଅଳ୍ପ ସମୀରର ପ୍ରବାହ ହେବାକୁ ଲାଗିଲା । ଶୁଆଟି ତା`ଭାବନାରେ ଥାଏ । ହଠାତ୍ କିଛି ଗୋଟାଏ ଛାଇ ଆକାରର ତା`ଆଡ଼କୁ ମାଡ଼ି ଆସିଲା ଓ କାହାରି ପ୍ରହାରରେ ସେ ଚେତା ହରାଇ ତଳେ କଚାଡି ହୋଇପଡ଼ିଗଲା...
କ୍ରମଶଃ...

ଲେଖା ସମ୍ପର୍କୀୟ ମତାମତ

ଡ. ବିଜୟା ପାତ୍ର

03-09-2026 / 10:56:39

ମାଡାମଂକର ଶିଶୁ ଉପନ୍ଯାସ ଗୁଡିକ ପଢିବାକୁ ଖୁବ୍ ଭଲ ଲାଗେ।

ଡ. ବିଜୟା ପାତ୍ର

03-09-2026 / 10:54:57

ଭଲ ଲାଗୁଛି। ମାଡାମ୍ଂକର ରହସ୍ଯମୟ ଉପନ୍ଯାସ ଗୁଡିକ ପଢିବାକୁ ଖୁବ୍ ୬ଲ ଲାଗେ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion