ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମାର୍ଚ :୨୦୨୪ , ପ୍ରଥମ ବର୍ଷ : ତୃତୀୟ ସଂଖ୍ୟା ରେ ପ୍ରକାଶିତ )

centered image
 
ଗପ

ଜ୍ଞାନ ମନ୍ଦିରରେ ଶ୍ରମଦାନ

ଲେଖା : ସୁଲେଖା ସାମନ୍ତରାୟ

କେହି ଭାବିପାରି ନଥିଲେ ଯେ ବାତ୍ୟାର ରୂପ ଏତେ ଭୟଙ୍କର ହେବ ବୋଲି । ସପ୍ତାହେ ଧରି ଦୂରଦର୍ଶନରେ ସତର୍କ ବାଣୀ ପ୍ରଚାର ହେଉଥିଲା ବାତ୍ୟା ବିଷୟରେ । ମାତ୍ର ପାଣିପାଗ ବିଶାରଦମାନଙ୍କ ସବୁ ଆକଳନକୁ ଭୁଲ ପ୍ରମାଣିତ କରିଦେଲା ବାତ୍ୟା `ଫଣୀ` । ସହସ୍ରନାଗଟିଏ ଫଣା ଟେକି ଫୁତ୍କାର କଲା ପରି ଗର୍ଜନ କରି ମାଡ଼ି ଆସିଲା ଏ ବାତ୍ୟା । ଆଖି ପିଛୁଳାରେ କଚ୍ଚାଘର, ଗଛ, ବିଜୁଳି ଖୁଣ୍ଟ ଇତ୍ୟାଦି ମାଟିରେ ଶୋଇଲେ ଫଣୀର ପ୍ରଭାବରେ । କୋଠାଘରର କାଚ ଝରକା ବି ବାଦ୍ ପଡ଼ିଲା ନାହିଁ ଫଣୀର ପ୍ରକୋପରୁ ।
ମୁନା ପାଠ ପଢ଼ୁଥିବା ବେସରକାରୀ ବିଦ୍ୟାଳୟ ବି ରକ୍ଷା ପାଇଲା ନାହିଁ ଏ ଧ୍ୱଂସଲୀଳାରୁ । ସିମେଣ୍ଟ ତିଆରି ଛାତ ହେତୁ ଶ୍ରେଣୀଗୃହ ସବୁ ଅକ୍ଷତ ଥିଲେ । ମାତ୍ର କେତୋଟି କୋଠରିର ଝରକା ଉଈ ଲାଗି ଦୁର୍ବଳ ହୋଇ ଯାଇଥିବାରୁ ପବନ ମାଡ଼ରେ ଭାଙ୍ଗି ଯାଇଥିଲେ । ସେ ସବୁ କୋଠରିଗୁଡ଼ିକ ବର୍ଷା ପାଣି ସହ ଉଡ଼ି ଆସି ପଡ଼ିଥିବା ପତ୍ର ଓ ଧୂଳିରେ ପୋତି ହୋଇ ଯାଇଥିଲା । ବିଦ୍ୟାଳୟର ବାହାର କାନ୍ଥ ଓ ପାଚେରିରେ ଅଙ୍କା ଯାଇଥିବା ବିଭିନ୍ନ ଚିତ୍ର ଓ ଲେଖା ସବୁ ବିବର୍ଣ୍ଣ ହୋଇ ଯାଇଥିଲା ।
ସବୁଠାରୁ ଅଧିକ କ୍ଷତି ହୋଇଥିଲା ବିଦ୍ୟାଳୟ ବଗିଚାରେ । ପ୍ରାୟ ସବୁ ବଡ଼ବଡ଼ ଗଛ ନଷ୍ଟ ହୋଇ ଯାଇଥିଲା । କେଉଁ ଗଛ ମୂଳରୁ ଉପୁଡ଼ି ଯାଇଥିଲା ତ ଆଉ କେଉଁ ଗଛରୁ ସବୁ ଡାଳ ଭାଙ୍ଗି ତଳେ ପଡ଼ିଥିଲା । କିଛି ଦିନ ଆଗରୁ ହରେକ ରଙ୍ଗର ଫୁଲ ଓ ପତ୍ରରେ ଶୋଭା ପାଉଥିବା ସୁନ୍ଦର ବଗିଚାଟି ଗୋଟିଏ ଯୁଦ୍ଧକ୍ଷେତ୍ର ପରି ଦେଖା ଯାଉଥିଲା ।
ବାତ୍ୟା ଚାଲିଯିବାର ଦୁଇଦିନ ପରେ ବିଦ୍ୟାଳୟର ବାରଣ୍ଡାରେ ଚୌକି ପକାଇ ବସିଥାନ୍ତି ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକମାନେ। ସମସ୍ତଙ୍କର ମୁହଁ ଶୁଖି ଯାଇଥାଏ। ବିଦ୍ୟାଳୟର ଏ ଭଳି ଅବିନ୍ୟସ୍ତ ରୂପ ଦେଖି ସମସ୍ତଙ୍କ ମନ ଉଦାସ ହୋଇ ଯାଇଥାଏ। କେମିତି କ`ଣ କଲେ ଯଥାଶୀଘ୍ର ବିଦ୍ୟାଳୟର ପୂର୍ବ ଅବସ୍ଥା ଫେରି ଆସିବ ସେ ବିଷୟରେ ବିଚାର ବିମର୍ଷ ଚାଲିଥାଏ ସେମାନଙ୍କ ଭିତରେ।
- `ଆଗ ସବୁ ଶ୍ରେଣୀ ଗୃହକୁ ସଫା କରିବା ସହ ଭାଙ୍ଗି ଯାଇଥିବା ଝରକାଗୁଡ଼ିକୁ ମରାମତି କରିବାକୁ ହେବ।` ପ୍ରଧାନ ଶିକ୍ଷକ ବସନ୍ତ ମହାପାତ୍ର କହିଲେ ।
- `ସାର୍ ଏ କାମ କରିବାକୁ ଲୋକ କେଉଁଠାରୁ ପାଇବା ? ସ୍କୁଲରେ ଯେଉଁ ଦୁଇଜଣ ପିଅନ ଅଛନ୍ତି ସେମାନେ କ`ଣ ଏତେ କାମ କରିପାରିବେ?` ମନ୍ତବ୍ୟ ଦେଲେ ଇଂରାଜୀ ଶିକ୍ଷକ ବିଶ୍ୱାଳ ସାର୍ । ତାଙ୍କ ସହ ସ୍ୱର ମିଳାଇ ବିଜ୍ଞାନ ଶିକ୍ଷକ ସୁରେନ୍ଦ୍ର ସାର୍ କହିଲେ- `ଏବେ ଦିନମଜୁରିଆଟିଏ ପାଇବା ବି କଷ୍ଟକର। ସେମାନଙ୍କ ନିଜ ଘର ତ ବାତ୍ୟାରେ ଉଡ଼ି ଯାଇଥିବ। ସେମାନେ ଅନେଇ ବସିଥିବେ ସରକାରୀ ରିଲିଫ୍ ପାଇବାକୁ। କାମ କରିବାକୁ କିଏ ବା ଆସିବ?`
(ଆର ଥରକୁ... )
- `ହଁ, ଏ କଥା ସତ ।` ଉତ୍ତର ଦେଲେ ପ୍ରଧାନ ଶିକ୍ଷକ। `ସେମାନେ ନିଜ କଥା ଆଗ ଦେଖିବେ ନା ଅନ୍ୟକୁ ସାହାଯ୍ୟ କରିବାକୁ କାମକୁ ଆସିବେ। ସରକାର ତ ଏବେ ବାତ୍ୟା ପାଇଁ ସ୍କୁଲ୍ ବନ୍ଦ କରିଛନ୍ତି । ମାତ୍ର ସ୍କୁଲ ଖୋଲିବା ଆଗରୁ ସବୁଆଡ଼ ପରିଷ୍କାର ପରିଚ୍ଛନ୍ନ ହୋଇଯିବା ଦରକାର ।`
ଏ କଥା କହିବା ଭିତରେ ପ୍ରଧାନ ଶିକ୍ଷକଙ୍କ ନଜର ପଡ଼ିଲା ବିଦ୍ୟାଳୟର ମୁଖ୍ୟ ଦ୍ୱାର ଉପରେ । ସେଠାରେ ଠିଆ ହୋଇଥାନ୍ତି ଦଶ ପନ୍ଦର ଜଣ ଛାତ୍ର । ସ୍କୁଲ ବନ୍ଦ ଥିବା ଜାଣି ମଧ୍ୟ କାହିଁକି ଏମାନେ ଏଠିକୁ ଆସିଛନ୍ତି ବୁଝିପାରିଲେ ନାହିଁ ସେ। ପିଅନ ରଘୁକୁ ନିର୍ଦ୍ଦେଶ ଦେଲେ ସେ ପିଲାମାନଙ୍କୁ ଭିତରକୁ ଡାକିବାକୁ । ରଘୁ ଦୌଡ଼ି ଯାଇ ଡାକି ଆଣିଲା ସେମାନଙ୍କୁ। ଏକରକମ ଡରିଡରି ସବୁପିଲା ଆସି ଠିଆ ହେଲେ ସାର୍‌ମାନଙ୍କ ସାମ୍ନାରେ । ପ୍ରଧାନଶିକ୍ଷକ ପଚାରିଲେ- `କିରେ ପିଲାମାନେ, କୁଆଡ଼େ ଆସିଛ ଆଜି? ସ୍କୁଲ ପରା ଛୁଟି ଅଛି ।`
∎ (ଏଇ ଲେଖାର ଅବଶିଷ୍ଟ ଅଂଶ ଏପ୍ରିଲ -2024 ସଂଖ୍ଯାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

Swarnalata Tripathy

01-03-2024 / 16:53:39

ଗପରେ ବାସ୍ତବତା ଅନୁଭବ କଲି ।ପିଲାମାନେ ଉତ୍ସାହ ସହିତ ଅବଶି ଷ୍ଟାଂଶ ପଢିବାକୁ ଚାହିଁ ରହିଥିବେ ବୋଲି ମୋର ବ୍ୟକ୍ତିଗତ ମତ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion