ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ସେପ୍ଟେମ୍ବର:୨୦୨୬ , ତୃତୀୟ ବର୍ଷ-ନବମ ସଂଖ୍ୟାରେ ପ୍ରକାଶିତ )

centered image
 
ଜ୍ଞାନବିଜ୍ଞାନ

ଆଇନଷ୍ଟାଇନ୍ : ସାଧାରଣ ଛାତ୍ରରୁ ଅସାଧାରଣ ବୈଜ୍ଞାନିକ

ଲେଖା : ଡ଼କ୍ଟର କମଳାକାନ୍ତ ଜେନା

   ଫଳ କାହିଁକି ତଳକୁ ପଡେ, ଇନ୍ଦ୍ରଧନୁରେ କାହିଁକି ସାତଟି ରଙ୍ଗ ଥାଏ, ଚନ୍ଦ୍ରଗ୍ରହଣ କାହିଁକି ହୁଏ, ଗରମ ପାଣିଠାରୁ ଗରମ ବାମ୍ଫ କାହିଁକି ବେଶୀ କ୍ଷତିକାରକ – ଏମିତି ସବୁ କଥା ଯେଉଁ ପାଠରେ ଆଲୋଚନା ହୁଏ, ସେଇ ପାଠର ନାମ ପଦାର୍ଥ ବିଜ୍ଞାନ (ଫିଜିକ୍ସ୍) । ପ୍ରକୃତିର ବିଭିନ୍ନ ପରିଘଟଣାକୁ ବୁଝିବା ପାଇଁ ପଦାର୍ଥ ବିଜ୍ଞାନ ଆମକୁ ସାହାଯ୍ୟ କରେ । ପଦାର୍ଥ ବିଜ୍ଞାନର କଥା କହିଲେ ଦୁଇଜଣ ବୈଜ୍ଞାନିକ ବେଶୀ ମନେ ପଡନ୍ତି । ଜଣେ ହେଲେ ଆଇଜାକ୍ ନିଉଟନ୍ ଓ ଅନ୍ୟ ଜଣକ ଆଲବର୍ଟ ଆଇନଷ୍ଟାଇନ୍ । ଆଇନଷ୍ଟାଇନଙ୍କର ଆପେକ୍ଷିକତା ତତ୍ତ୍ୱ (ଥିଓରୀ ଅଫ ରିଲେଟିଭିଟି) ସଂପର୍କିତ ଜ୍ଞାନ ଆମକୁ ଗବେଷଣା ପାଇଁ ନୂତନ ଦିଗର ସନ୍ଧାନ ଦେଇଛି । ତେଣୁ ତାଙ୍କୁ ଦୂରଦ୍ରଷ୍ଟା ଚିନ୍ତାନାୟକ କୁହାଯାଏ । ତାଙ୍କୁ ମଧ୍ୟ ଆଧୁନିକ ପଦାର୍ଥ ବିଜ୍ଞାନର ସ୍ରଷ୍ଟା ବୋଲି କୁହାଯାଏ । ତାଙ୍କ ଦ୍ୱାରା ରଚିତ ପ୍ରବନ୍ଧଗୁଡିକ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ବୈଜ୍ଞାନିକମାନଙ୍କର ଧାରଣାକୁ ପୂରାପୂରି ଓଲଟପାଲଟ କରିଦେଇଥିଲା । ପଦାର୍ଥ ବିଜ୍ଞାନରେ ଗବେଷଣା ପାଇଁ ତାଙ୍କୁ ୧୯୨୧ ମସିହାର ନୋବେଲ୍ ପୁରସ୍କାର ପ୍ରଦାନ କରାଯାଇଥିଲା । ଆଇନଷ୍ଟାଇନ୍ ଏତେ ବଡ଼ ବୈଜ୍ଞାନିକ ହୋଇଥିଲେ ବି ପିଲାବେଳେ ପାଠପଢ଼ାରେ ତାଙ୍କର ବିଶେଷ କୃତିତ୍ୱ ନଥିଲା । ସେ ସାଧାରଣ ଛାତ୍ର ଥିଲେ ବୋଲି ଶ୍ରେଣୀର ଶିକ୍ଷକମାନେ ତାଙ୍କୁ ସେତେ ନଜର ଦେଉ ନଥିଲେ । ଅବଶ୍ୟ ପିଲାବେଳୁ ତାଙ୍କର ଗଣିତ ପ୍ରତି ବିଶେଷ ଆକର୍ଷଣ ରହିଥିଲା । ସଂଖ୍ୟାକୁ ନେଇ ପଢ଼ା ଯାଉଥିବା ପାଟୀଗଣିତ (ଆରିଥ୍ମେଟିକ୍) କିମ୍ବା ଚିତ୍ରକୁ ନେଇ ପଢ଼ା ଯାଉଥିବା ଜ୍ୟାମିତି ପାଠ ବୁଝିବାରେ ତାଙ୍କୁ କଷ୍ଟ ଲାଗୁ ନଥିଲା । କିନ୍ତୁ ସଂଖ୍ୟା ବଦଳରେ ଏକ୍ସ, ଆଲଫା, ବିଟା ପରି ଭିନ୍ନ ଭିନ୍ନ ପ୍ରତୀକକୁ ନେଇ ଯେତେବେଳେ ବୀଜଗଣିତ (ଆଲଜେବ୍ରା) ପାଠ ଆସିଲା, ସେ ପ୍ରଥମେ ପ୍ରଥମେ ସେହି ପାଠ କିଛି ବୁଝିପାରିଲେ ନାହିଁ । ଆଲଜେବ୍ରା ତାଙ୍କୁ ଜଟିଳ ମନେ ହେଲା । ତାଙ୍କୁ ଲାଗିଲା ଯେମିତି ଆଲଜେବ୍ରା ପାଠକୁ ବୁଝିବା ତାଙ୍କ ପକ୍ଷରେ ଅସମ୍ଭବ । କିନ୍ତୁ ତାଙ୍କର ଇଂଜିନିୟର୍ ମାମୁଁ ତାଙ୍କୁ ଆଲଜେବ୍ରା ପାଠର ମୂଳ ମନ୍ତ୍ର ବୁଝେଇଦେଲା ପରେ ସେ ତାହାକୁ ସହଜରେ ବୁଝିପାରିଲେ । ଭବିଷ୍ୟତରେ ଗଣିତକୁ ନେଇ ପଦାର୍ଥ ବିଜ୍ଞାନରେ ପ୍ରୟୋଗ କଲେ ଓ ମହାନ ବୈଜ୍ଞାନିକର ସମ୍ମାନ ପାଇଲେ ।
   ଆଇନଷ୍ଟାଇନଙ୍କର ଗବେଷଣା ଅସାଧାରଣ । ସେ ଯେଉଁ ରିଲେଟିଭିଟି ତତ୍ତ୍ୱ କଥା କହିଥିଲେ, ତାହା ଆମକୁ ଜାଦୁ ପରି ମନେହୁଏ । ତେଣୁ ତାହାକୁ ସହଜରେ ବିଶ୍ୱାସ କରିହୁଏ ନାହିଁ । ସାଧାରଣ ଲୋକ ତାଙ୍କର ଗବେଷଣା ପାଠକୁ ସହଜରେ ବୁଝି ବି ପାରିବନି । ତାଙ୍କ ଗବେଷଣାରୁ ଜଣା ପଡିଥିଲା ଯେ, ଆମ ବିଶ୍ୱ ବ୍ରହ୍ମାଣ୍ଡ ସ୍ଥିର ନୁହେଁ, ବରଂ ଫୁଲୁଛି । ତେଣୁ ତାହାର ଆୟତନ ବଢି ଚାଲିଛି । ବିଶ୍ୱ ବ୍ରହ୍ମାଣ୍ଡରେ ରହିଥିବା ତାରାଗୁଡିକ ନିଜ ନିଜଠାରୁ ଦୂରକୁ ଚାଲି ଯାଉଛନ୍ତି । ଏକଥା ଭାବିଲେ ଆମକୁ ଆଶ୍ଚର୍ଯ୍ୟ ଲାଗୁଛି । ଆଇନଷ୍ଟାଇନଙ୍କ ଗବେଷଣାରୁ ମଧ୍ୟ ଜଣାପଡିଥିଲା ଯେ, ରକେଟ୍ ଭିତରେ ବସି ମହାକାଶରେ ଯାଉଥିଲେ ଜଣେ ଲୋକର ବୟସ ଧୀରେ ଧୀରେ ବଢିବ । ଜଣେ ମହାକାଶକୁ ଯାଇ ଫେରିଲା ପରେ ତାହାର ବୟସ ଯେତିକି ବଢିବ, ସେହି ସମୟରେ ପୃଥିବୀରେ ରହିଥିବା ଲୋକର ବୟସ ବେଶୀ ବଢିଥିବ ।
  ଆଲୋକ ସମ୍ପର୍କରେ ତାଙ୍କର ଗବେଷଣା ମଧ୍ୟ ଚମତ୍କାର ଥିଲା । ଆଲୋକର ଏକ ପରିଘଟଣାକୁ ବୁଝେଇବାକୁ ଯାଇ ଆଇନଷ୍ଟାଇନ୍ ଆଉ ଏକ ସତ୍ୟର ସନ୍ଧାନ ଦେଲେ । କ୍ଷୁଦ୍ରକ୍ଷୁଦ୍ର ଶକ୍ତି-ପୁଡିଆରେ ଆଲୋକ ଗଠିତ ବୋଲି ସେ ଜଣେଇଥିଲେ । ସେହି କ୍ଷୁଦ୍ର ପୁଡିଆର ନାମ ‘ଫୋଟନ୍’ । ‘ଫୋଟନ୍’ ତତ୍ତ୍ୱକୁ ନେଇ ଆଜି ଅନେକ ମନଲାଖି ଉଦ୍ଭାବନ ସମ୍ଭବ ହୋଇପାରିଛି । ତାଙ୍କର ଏମିତିକା ଚମତ୍କାର ଗବେଷଣା ପରେ ୧୦୦ରୁ ଅଧିକ ବର୍ଷ ବିତିଯାଇଛି । କିନ୍ତୁ, ତାଙ୍କ ଗବେଷଣାରେ ଭୁଲ୍ ବାହାରି ନାହିଁ । ତେଣୁ ଆଇନଷ୍ଟାଇନ୍ ସବୁବେଳେ ମହାନ୍ ବୈଜ୍ଞାନିକ ହୋଇ ରହିବେ ।
   ଆମ କହୁ ତୁଳସୀ ଦୁଇ ପତ୍ରରୁ ବାସେ । ଏହାର ଅର୍ଥ, ଯିଏ ଆଗକୁ ବଡ ମଣିଷ ହେବ, ସେକଥା ତା’ର ପିଲାବେଳୁ ଜଣା ପଡିଯାଏ । କିନ୍ତୁ, ଅନେକ ବଡ ଲୋକ ଅଛନ୍ତି, ଯାହାର ପିଲାଦିନ ସାଧାରଣ ଥିଲା । ସେ ଭବିଷ୍ୟତରେ ବଡମଣିଷ ହେବ ବୋଲି କୌଣସି ସୂଚନା ମିଳି ନଥିଲା । ଆଲବର୍ଟ ଆଇନଷ୍ଟାଇନ୍ ଏହାର ଅନ୍ୟ ଏକ ଉଦାହରଣ, ଯିଏ ପିଲାବେଳେ ଗଣିତକୁ ଡରିଥିଲେ, କିନ୍ତୁ, ବଡ ହେଲା ପରେ ତାଙ୍କର ଜଟିଳ ଗଣିତକୁ ଅଧିକାଂଶ ବୈଜ୍ଞାନିକ ବୁଝିପାରିଲେ ନାହିଁ । ଜର୍ମାନୀରେ ଜନ୍ମିତ ସେହି ମହାନ୍ ବୈଜ୍ଞାନିକଙ୍କର ଗବେଷଣା ସମୟ, ସ୍ଥାନ, ମାଧ୍ୟାକର୍ଷଣ ବଳ ଓ ବିଶ୍ବବ୍ରହ୍ମାଣ୍ଡ ସଂପର୍କରେ ଆମର ଧାରଣାକୁ ବଦଳେଇ ଦେଲା ।

ଓ.ଇ.ଏସ୍. (ଏ), ପରୀକ୍ଷା ନିୟନ୍ତ୍ରକ (କଂଟ୍ରୋଲର),
ଫକୀର ମୋହନ ବିଶ୍ୱବିଦ୍ୟାଳୟ ବ୍ୟାସବିହାର, ବାଲେଶ୍ୱର,
ଫୋନ୍-୯୪୩୯୫୦୧୬୫୧

ଲେଖା ସମ୍ପର୍କୀୟ ମତାମତ

ସୁ ିତ୍ରା ମିଶ୍ର

03-09-2026 / 16:48:40

ଦରକାରୀ ଓ ପିଲାକଂ ବୁଝିବା ଭଳି ଲେଖାଟିଏ। “ଫୋଟନ” ପରି ତଥ୍ଯ ଅବତାରଣା କଲାବେଳେ ଟିକେ ଡାଇଗ୍ରାମ ଦେବା ଉଚିତ। “ଯାଦୁ” - ଜାଦୁ ଭୁଲ୍ ବନାନ। ସଂପାଦକ ଧ୍ଯାନ ଦେବା ଦରକାର। ଯେହେତୁ ଛାତ୍ରଛାତ୍ରୀକଂ ପାଇଁ ଉଦ୍ଦିଷ୍ଟ, ଆମେ ଭୁଲ କଲେ କ୍ଷମଣୀୟ କି?

ଉମାକାନ୍ତ ବେହେରା

03-09-2026 / 11:13:43

ସମସ୍ତଙ୍କ ପାଇଁ ବେଶ ଶିକ୍ଷଣୀୟ

ସ୍ୱର୍ଣ୍ଣଲତା ତ୍ରିପାଠୀ

01-09-2026 / 13:08:51

ଦୁଇ ବୈଜ୍ଞାନିକଙ୍କ ଗବେଷଣା କାହାଣୀ ପିଲାଙ୍କ ପାଇଁ ବେଶ୍ ଶିକ୍ଷଣୀୟ ।

PRAKASH CHANDRA DASH

01-09-2026 / 10:08:02

ସୁନ୍ଦର ଲେଖା ପିଲାଙ୍କ ପାଇଁ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion