ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ସେପ୍ଟେମ୍ବର:୨୦୨୬ , ତୃତୀୟ ବର୍ଷ-ନବମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଜେଜେମାଆଙ୍କ ଚିଠି

ଲେଖା : ଉମାକାନ୍ତ ବେହେରା

ଜେଜେମାଆ ଦେଲେ ଗାଆଁରୁ ଚିଠି
ଆସିବରେ ପିଲେ ହୋଇଲେ ଛୁଟି
ଦେଖିବି ତମକୁ ହେଉଛିମନ
ରହି ଚାଲିଯିବ ଦି, ଚାରିଦିନ
ଯିବରେ ବୁଲି
ଗାଆଁଟିଏ ଅଛି ଗଲକି ଭୁଲି?

ଜେଜେ ଖୋଜୁଛନ୍ତି ବିକଳ ହୋଇ
ପିଲାଗୁଡା ଟିକେ ଆସିଲେ ନାହିଁ
ପୁନିଅଁ ପରବ କେତେଯେ ଗଲା
ଘର ଖାଁ ଖାଁ ନାହାନ୍ତି ପିଲା
ଖାଇବ କିଏ
ଭଲ ମନ୍ଦ ଯଦି ତିଆରି ହୁଏ l

ପହିଲି ଆଷାଢ଼ ରଜପରବ
ଓଡ଼ିଆ ଜାତିର ବଡ଼ ଗରବ
କେମିତି ଆସିଲା କେମିତିଗଲା
ଗାଆଁରେ କେତେଟା ଦୋଳି ଝୁଲିଲା
ଜାଣୁଛି କିଏ
ଘରେ ବସି ବସି ସମୟ ଯାଏ l

ସରସ୍ବତୀ ଆଉ ଗଣେଶ ପୂଜା
ଦେଖୁଥାଉଁ ଗାଆଁ ପିଲାଙ୍କ ମଜା
ଦିଶିଯାଉଥାଏ ତମରି ମୁହଁ
ବହିଯାଉଥାଏ ଆଖିରୁ ଲୁହ
ଫଟରେ ଅଛ
ନୂଆ ପୋଷାକରେ ଭଲ ଲାଗୁଛ l

ପଢୁଆଁ ଅଷ୍ଟମୀ ଏଣ୍ଡୁରି ପିଠା
ପୁରଦିଆ ମଣ୍ଡା, ଆରିସା ମିଠା
କାହିଁକି କରିବି ଖାଇବ କିଏ
ଆମର କି ଆଉ ଦେହରେ ଯାଏ l
ଆଚାର ଖାଇ,
ନାତୁଣୀଟା ମୋର ଆସନ୍ତା ନାହିଁ?

ବରକୋଳି ପାଚି ପଡିବ ଝଡି
ବାଡ଼ିରେ କମଳା ଝୁଡିକୁ ଝୁଡି
କଣ୍ଟା ବାଇଗଣ ସଜନା ଛୁଇଁ
ଯେତେ ବାଣ୍ଟିଲେବି ସରୁଛି କାହିଁ
ମାଆକୁ ନେଇ
ଆସିବରେ ପିଲେ ରହିଲି ଚାହିଁ l

ସହର ସୁବିଧା ଗାଆଁରେ ନାହିଁ
ଗାଆଁ ସୁଖ ଦୁଃଖ ସହରେ କାହିଁ?
ଭାବ ପୀରତିରେ ଗାଆଁଟି ଗଢ଼ା
ଧନୀ ଗରିବଠୁ ମୁରୁଖ ପଢା
ସଭିଏଁ ଏକ
ମିଳିମିଶି ତାର ରଖିବା ଟେକ l

ସ୍ବପ୍ନସ୍ମୃତି, ଶ୍ରୀହରିବିହାର, ଗହ୍ମାରିଆ
କେଉଁଝରଗଡ

ଫୋନ 9348516001

ଲେଖା ସମ୍ପର୍କୀୟ ମତାମତ

ସୁମିତ୍ରା ମିଶ୍ର

03-09-2026 / 16:39:29

ସରଳ, ସାବଲୀଳ ଭାଷା ଓ ସାର୍ବଜନୀନ ଆବେଗ ଅନୁଭୂତି ଯୋଗୁଁ କବିତାଟି ହୃଦୟସ୍ପର୍ଶୀ ହୋଇଛି।

ସୁଷମା ଲେଙ୍କା

03-09-2026 / 12:33:07

ଗାଁ କୁ ବୁଲି ଆସିବ ପାଇଁ ନାତି ନାତୁଣୀ କହିଛନ୍ତି, ଗାଁ ରେ କଣ ସବୁ ହୁଏ ସବୁ ଜିନିଷ କୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ଭଲ ଲାଗିଲା

ସ୍ୱର୍ଣ୍ଣଲତା ତ୍ରିପାଠୀ

01-09-2026 / 13:02:34

ବହୁତ୍ ସୁନ୍ଦର ଏ କବିତା ।ମୁଁ ଅନୁଭବି।

କୀର୍ତ୍ତନ ସାହୁ

01-09-2026 / 12:06:22

ଖୁବ୍ ସୁନ୍ଦର ହେଇଛି

PRAKASH CHANDRA DASH

01-09-2026 / 10:05:59

ଭଲ ଲାଗିଲା କବିତା

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion