ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଏପ୍ରିଲ:୨୦୨୪ , ପ୍ରଥମ ବର୍ଷ : ଚତୁର୍ଥ ସଂଖ୍ୟା ରେ ପ୍ରକାଶିତ )

centered image
 
ଗପ

ଜ୍ଞାନ ମନ୍ଦିରରେ ଶ୍ରମଦାନ ( ଦ୍ଵିତୀୟ ଭାଗ)

ଲେଖା : ସୁଲେଖା ସାମନ୍ତରାୟ

(ପୂର୍ବ ପ୍ରକାଶିତ ଗଳ୍ପର ଅବଶିଷ୍ଟ ଅଂଶ )
(ଆଗରୁ ପଢିଥିଲେ :
ସ୍କୁଲର ଘର ଓ ବଗିଚା ଫଣୀ ବାତ୍ୟାରେ ଭାଙ୍ଗି ଯାଇଛି । ସଜଡା ସଜଡି କାମ କରିବାକୁ ଲୋକ ମିଳୁ ନାହାନ୍ତି । ଶିକ୍ଷକମାନେ ବିଚାର ବିମର୍ଶ କରୁଛନ୍ତି । ଏତିକି ବେଳେ ଦେଖା ଗଲେ କିଛି ଛାତ୍ର ସ୍କୁଲର ଗେଟ ପାଖରେ ଠିଆ ହୋଇଛନ୍ତି । ସେମାନଙ୍କୁ ପ୍ରଧାନ ଶିକ୍ଷକ ପଚାରିଲେ : କୁଆଡ଼େ ଆସିଛ ଆଜି? ସ୍କୁଲ ପରା ଛୁଟି ଅଛି ।
ତା` ପରେ .... । )

- `ଜାଣିଛୁ ଆଜ୍ଞା ! ଦେଖିବାକୁ ଆସିଥିଲୁ ବାତ୍ୟାରେ ଆମ ସ୍କୁଲ୍ ଅବସ୍ଥା କ`ଣ ହୋଇଛି ବୋଲି ।` କାନମୁଣ୍ଡା ଆଉଁସି କହିଲା `କିଶୋର` ନାମକ ଡେଙ୍ଗା ପତଳା ବାଳକଟି।
- `ସ୍କୁଲ କେଉଁଦିନ ଖୋଲିବ ଆଜ୍ଞା?` ଉତ୍କଣ୍ଠାର ସହ କହି ପକାଇଲା ସୁବାସ । ସବୁବେଳେ ଶ୍ରେଣୀରେ ପ୍ରଥମ ହେଉଥିବା ସୁବାସକୁ ଦିନଟିଏ ବି ଛୁଟି ଭଲ ଲାଗେ ନାହିଁ ।
- `ଦେଖୁଛ ତ ସ୍କୁଲର କି ଅବସ୍ଥା ହୋଇଛି । ସବୁ ଠିକ୍‌ଠାକ୍ ନ ହେବା ଯାଏଁ କେମିତି ଖୋଲିବ ସ୍କୁଲ।` ମନ୍ତବ୍ୟ ଦେଲେ ଖେଳ ଶିକ୍ଷକ ।
- `ହଁ ପିଲାମାନେ, ସବୁ ପୂର୍ବ ଅବସ୍ଥାକୁ ନ ଆସିଲା ଯାଏଁ ସ୍କୁଲ ଖୋଲିବା ସମ୍ଭବ ନୁହେଁ । ଶ୍ରେଣୀ ଗୃହ ମରାମତି ହେବ। ବଗିଚା ଭଲ ରୂପେ ସଫା ହେବ। ପାଣି ଓ ଇଲେକ୍ଟ୍ରି ଆସିବ। ତା` ପରେ ଯାଇଁ ଯେଉଁ କଥା।` ପ୍ରଧାନ ଶିକ୍ଷକ କହିଲେ ।
- `ଆମେ ତ ଏବେ ସେଇ କଥା ଆଲୋଚନା କରୁଥିଲୁ । ମଜୁରିଆ କେଉଁଠୁ ଆଣି ଏ ସବୁ କାମ କରାଇବୁ, ତାହା ବର୍ତ୍ତମାନ ବଡ଼ ସମସ୍ୟା ।` ବିଜ୍ଞାନ ଶିକ୍ଷକ ଜଣାଇଲେ ପିଲାମାନଙ୍କୁ ।
- `ଆଜ୍ଞା ଆମେ କିଛି ସାହାଯ୍ୟ କରି ପାରିବୁ କି ଏ କାମରେ ?` ଆଗକୁ ଆସି କହିଲା ମୁନା ।
- `ତୁମେମାନେ କରିବ କାମ ? କି କାମ ତୁମେ କରିପାରିବ ଏ ଅବସ୍ଥାରେ ?` ଟିକେ ବିରକ୍ତିଭରା ସ୍ୱରରେ କହିଲେ ନରେନ୍ଦ୍ର ସାର୍ । `ତା`ଛଡ଼ା ତୁମକୁ ସ୍କୁଲ୍‌ରେ କାମ କରିବାକୁ କହି ଚାକିରୀ ହରେଇବୁ ନା କ`ଣ ଆମେ ?`
- `ଆମେ ସ୍କୁଲ୍‌ରେ କାମ କଲେ ଆପଣଙ୍କ ଚାକିରୀ କାହିଁକି ଯିବ?` ପଚାରିଲା କିଶୋର ।
- `କିରେ! ଖବରକାଗଜ ପଢ଼ୁନୁ କି ? କେତେଥର ସମ୍ବାଦ ବାହାରିଛି କେମିତି ପିଲାମାନଙ୍କୁ ସ୍କୁଲ୍‌ରେ କାମ କରିବାକୁ କହି ଶିକ୍ଷକ କି ଶିକ୍ଷୟିତ୍ରୀ ଚାକିରୀରୁ ବିଦା ହୋଇଛନ୍ତି ସରକାରଙ୍କ ଦ୍ୱାରା। ନା ବାବା ନା.... ତୁମେମାନେ ଏଠି କାମ କରିବ ନାହିଁ।`
- `କାହିଁକି ନୁହେଁ? ଆପଣମାନେ ପରା ଆମକୁ ଶିକ୍ଷା ଦେଇଛନ୍ତି, ଏ ବିଦ୍ୟାଳୟକୁ ନିଜର ଦ୍ୱିତୀୟ ଘର ଭାବେ ଦେଖିବାକୁ । ଘରେ ବାପା ମା`ଙ୍କୁ ସାହାଯ୍ୟ କରିବାକୁ ଓ ଘରଦ୍ୱାର ସଫା ସୁତୁରା ରଖିବାକୁ ଆମେ ଯେମିତି ଛୋଟଛୋଟ କାମ କରୁ ଏଠି ସେମିତି କଲେ ଅସୁବିଧା କ`ଣ ?` ଯୁକ୍ତି କରିବା ଛଳରେ କହିଲା କିଶୋର।
- `ମୋ ବାପା ମା` ମୋତେ ଶିଖେଇଛନ୍ତି ଯେ ବିଦ୍ୟାଳୟ ହେଉଛି ଏକ ମନ୍ଦିର । ଜ୍ଞାନର ମନ୍ଦିର । ମନ୍ଦିରକୁ ଗଲେ ଯେମିତି ଆମେ ମନରେ ଭକ୍ତି ଭାବ ନେଇ ଯାଉ, ସ୍କୁଲ୍‌କୁ ଆସିଲେ ବି ସେମିତି ବିଦ୍ୟା ପ୍ରତି ଶ୍ରଦ୍ଧା ଓ ଗୁରୁଜୀ ଗୁରୁମା`ମାନଙ୍କ ପ୍ରତି ଭକ୍ତି ଭାବ ଧରି ଆସିବା ଦରକାର । ଆଉ ଏ ଜ୍ଞାନ ମନ୍ଦିର ପାଇଁ ଯାହା ବି କିଛି କରିବୁ ତାହା ଆମ ଲାଗି ଆଶୀର୍ବାଦ ହେବ ।` ଖୁବ୍ ଗମ୍ଭୀରତାର ସହ କହିଲା ମୁନା ଓରଫ୍ ମନୀନ୍ଦ୍ର ।
- `ବହୁତ ସୁନ୍ଦର କଥାଟିଏ କହିଲୁ ତୁ ମନୀନ୍ଦ୍ର । ହେଲେ ଆଜିକାଲିକା କଥା ତ ତୁମେମାନେ ଅଳ୍ପେ ବହୁତେ ଜାଣିଛ। ଛୋଟଛୋଟ କଥାକୁ ନେଇ ହଇଚଇ ସୃଷ୍ଟି ହେଉଛି ବେଳେବେଳେ। ମୁଁ ଚାହେଁନା ଆମ ବିଦ୍ୟାଳୟ କୌଣସି ବି କାରଣରୁ ବଦ୍‌ନାମ ହେଉ। ଏବେ ତୁମେ ସବୁ ଘରକୁ ଯାଅ। ଦେଖିବା କ`ଣ କରାଯାଇପାରେ ଏ ଅବସ୍ଥାରେ ।`
- `ଆମ ସ୍କୁଲରେ ଆମେ କାମ କରିବାରେ ଯଦି ଆମ ବାପା ମା` କିଛି ଆପତ୍ତି କରନ୍ତି ନାହିଁ ତା`ହେଲେ ଅନ୍ୟମାନେ କାହିଁକି କିଛି କହିବେ ?` ପଚାରିବା ଛଳରେ ମନ୍ତବ୍ୟ ଦେଲା ସୁବାସ ।
ପିଲାମାନଙ୍କର କାମ କରିବାରେ ଏତେ ଆଗ୍ରହ ଦେଖି ପ୍ରଧାନ ଶିକ୍ଷକ ଶେଷକୁ ବାଧ୍ୟ ହୋଇ କହିଲେ- `ହଉ, ଠିକ୍ ଅଛି। ଯେଉଁ ପିଲାମାନେ ଚାହୁଁଛ ଏଠି କିଛି ଶ୍ରମଦାନ କରି ବିଦ୍ୟାଳୟର କ୍ଷତି ଭରଣା କରିବାକୁ, ପ୍ରଥମେ ଯାଇ ନିଜ ନିଜର ଅଭିଭାବକଙ୍କୁ ଏ କଥା କୁହ। ସେମାନେ ଯଦି ରାଜି ହୁଅନ୍ତି ତାଙ୍କଠାରୁ ଗୋଟିଏ ଲେଖାଏଁ ଲିଖିତ ଅନୁମତିପତ୍ର ନେଇ କାଲି ଆସିବ ।`
କଳରୋଳ କରି ଖୁସି ମନରେ ପିଲାମାନେ ଫେରିଗଲା ବେଳେ ନରେନ୍ଦ୍ର ସାର୍ ମନ୍ତବ୍ୟ ଦେଲେ- `ଦେଖିବେ ସାର୍‌, କାଲି ଜଣେ ବି ପିଲା ଆସିବେ ନାହିଁ କିଛି କାମ କରିବାକୁ।`
ମାତ୍ର ନରେନ୍ଦ୍ର ସାର୍‌ଙ୍କୁ ଭୁଲ୍ ପ୍ରମାଣିତ କରି ଓ ଅନ୍ୟ ସବୁ ସାର୍‌ଙ୍କୁ ଆଶ୍ଚର୍ଯ୍ୟଚକିତ କରାଇ ପରଦିନ ପହଞ୍ଚି ଯାଇଥିଲେ ତିରିଶ ଉପରେ ଛାତ୍ରଛାତ୍ରୀ । ଆସିଲାବେଳେ ସେମାନଙ୍କ କାନ୍ଧରେ ଥାଏ ବହି ବ୍ୟାଗ୍ ବଦଳରେ କୋଡ଼ି, କୋଦାଳ, ଝାଡ଼ୁ ଓ ଟୋକେଇ ସହ ଛୋଟଛୋଟ ଶାବଳ ଓ କଟୁରି ।
`ଆରେ, ଆରେ !! ଏ ସବୁ କେଉଁଠୁ ନେଇ ଆସିଛ?` ବ୍ୟସ୍ତ ହୋଇ ପଚାରିଲେ ପ୍ରଧାନ ଶିକ୍ଷକ ।
- `ଆମ ନିଜ ଘରୁ ସାର୍‌ ! କାମ କରିବୁ ପରା।` ଏକ ସଙ୍ଗରେ କହି ପକାଇଲେ କେତେକ ଛାତ୍ର । ଆଉ ତା` ପରେ ଜଣଜଣ କରି ପ୍ରଧାନଶିକ୍ଷକଙ୍କ ହାତକୁ ବଢ଼ାଇ ଦେଲେ କାଗଜ ଖଣ୍ଡିଏ ଲେଖାଏଁ । ବିଦ୍ୟାଳୟରେ ଶ୍ରମଦାନ କରିବା ପାଇଁ ପିତାମାତାଙ୍କ ଅନୁମତି ପତ୍ର ।
ଏ ସବୁ ଦେଖି ଅତି ଆନନ୍ଦରେ ପ୍ରଧାନ ଶିକ୍ଷକଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇଗଲା । ଆଖି ଛଳଛଳ ହୋଇଗଲା ଭାବବିହ୍ୱଳତାରେ । ତାଙ୍କ ବିଦ୍ୟାଳୟର ଏ ଛାତ୍ରମାନେ ଯେ ଭବିଷ୍ୟତରେ ଜଣେ ଜଣେ ସୁନାଗରିକ ହୋଇ ଦେଶର ନାମ ରଖିବେ ଏଥିରେ ତାଙ୍କର ସନ୍ଦେହ ରହିଲା ନାହିଁ ।
ବାନର ସେନାଙ୍କ ବଳ ଅସୀମ। ସେ ବାନରସେନା ଶ୍ରୀରାମଚନ୍ଦ୍ରଙ୍କ ଲଙ୍କା ବିଜୟ ବେଳେ ହେଉ କିମ୍ବା ଭାରତ ସ୍ୱାଧୀନତା ଆନ୍ଦୋଳନ ବେଳର ହେଉ । ଉପଯୁକ୍ତ ଦିଗ୍‌ଦର୍ଶନ ପାଇଲେ ସେମାନେ ଅସମ୍ଭବକୁ ସମ୍ଭବ କରିବାରେ ଧୂରନ୍ଧର । ପିଲାମାନଙ୍କ ଉତ୍ସାହ ଦେଖି ଶିକ୍ଷକ ଶିକ୍ଷୟିତ୍ରୀମାନେ ବି ଲାଗିପଡ଼ିଲେ ଦ୍ୱିଗୁଣ ଆଗ୍ରହ ସହ । କିଏ ଝାଡ଼ୁ ଧରି ଶ୍ରେଣୀ କୋଠରି ସଫା କଲାବେଳେ ଆଉ କିଏ କପଡ଼ା ଧରି ବେଞ୍ଚ ଡେସ୍କସବୁକୁ ପୋଛି ସଫା କରୁଥାଏ । କିଏ ପୁରୁଣା ଟ୍ୟୁବ୍‌ୱେଲରୁ ପାଣି ମାରି ପାଣି ବାହାର କଲାବେଳକୁ ଆଉ କେତେଜଣ ତାକୁ ବୋହି ନେଉଥାନ୍ତି ବାଲଟିରେ ବେଶି ଅସନା ହୋଇଥିବା ଶ୍ରେଣୀ ଗୃହକୁ ଧୋଇବାକୁ । ସାର୍‌ମାନେ କଟୁରି ଧରି ଭାଙ୍ଗି ପଡ଼ିଥିବା ଡାଳକୁ ଛୋଟ ଛୋଟ କରି କାଟିଲା ପରେ ସାନ ପିଲାମାନେ ତାକୁ ବୋହି ନେଇ ଗଦେଇ ଦେଉଥାନ୍ତି ସ୍କୁଲ ପଛପଟ ପାଚେରିର ଗୋଟିଏ କୋଣରେ। ଭାଙ୍ଗି ପଡ଼ିଥିବା ତରାଟ, ଟଗର, ମନ୍ଦାର, ଗୋଲାପ ଆଦି ଡାଳକୁ ଫୋପାଡ଼ି ନ ଦେଇ ପ୍ରଧାନ ଶିକ୍ଷକଙ୍କ ନିର୍ଦ୍ଦେଶରେ ସେ ସବୁକୁ ପିଲାମାନେ ପୋତି ଦେଉଥାନ୍ତି ସେଇ ପଛପଟେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ । ଡାଳଗୁଡ଼ିକ ବଞ୍ଚିଗଲେ, ସେଥିରୁ ନୂଆ ଗଛ ବାହାରିଲେ, ବିଦ୍ୟାଳୟ ସମ୍ମୁଖ ଭାଗରେ ଲଗା ହେବ ବୋଲି ।
ଦିନକୁ ଦୁଇ ଘଣ୍ଟା କରି ଶ୍ରମଦାନ କରି ପାଞ୍ଚ ଦିନରେ ପିଲାମାନେ ବଦଳାଇ ଦେଲେ ବିଦ୍ୟାଳୟର ଚେହେରା। ସରକାରୀ ନିର୍ଦ୍ଦେଶାନୁସାରେ ବିଦ୍ୟାଳୟ ଖୋଲିଲା ବେଳକୁ ମୁନାର ଏହି ବେସରକାରୀ ବିଦ୍ୟାଳୟ ପାଲଟି ଯାଇଥାଏ ଏକ ଆଦର୍ଶ ବିଦ୍ୟାଳୟ । ଏପରି ଏକ ଆଦର୍ଶ ବିଦ୍ୟାଳୟ ଯେଉଁଠି ସବୁ ପିଲା ଶିଖି ଯାଇଥିଲେ ଶ୍ରମର ମହତ୍ତ୍ୱ ଏବଂ ଗୁରୁତ୍ୱ। ଏକ ନିଆରା ସ୍ନେହ, ଶ୍ରଦ୍ଧାର ବନ୍ଧନରେ ବାନ୍ଧି ହୋଇ ଯାଇଥିଲେ ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କ ସହ।

∎ ପ୍ଲଟ ନଂ ଏନ୍- ୧/୨୩
ଆଇ.ଆର୍.ସି ଭିଲେଜ
ଭୁବନେଶ୍ଵର- ୭୫୧୦୧୫
ଫୋନ୍ ନମ୍ବର- ୯୯୩୭୫୬୨୭୫୬

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion