ଝରକଲମ ଦାଶ ବେନହୂର ନଭେମ୍ବର: ୨୦୨୬ Canonical: https://shishukishora.com/editions/2026-11/article-01.html ଆଗରୁ ପାଠପଢ଼ା ଆରମ୍ବ ହେଉଥିଲା ଖଡ଼ିଗୋଟାଳିରେ। ଏବେ ବି ଗାଁ ଗହଳରେ ଖଡ଼ିଗୋଟାଳି ଧରି ଅକ୍ଷର ଶିଖିବା ଆରମ୍ବ କରାଯାଏ। ସେଇଥିପାଇଁ ପାଠପଢ଼ା ଆରମ୍ଭକୁ କୁହାଯାଏ ଖଡ଼ିଛୁଆଁ । ଖଡ଼ିଗୋଟାଳିକୁ ପଛରେ ପକାଇ ଏବେ ଚକ୍‌ ଖଡ଼ି ଆସିଗଲାଣି। ଥରେ ଅକ୍ଷର ଶଖିଯାଇ ସିଲଟ ଛାଡ଼ିଦେଲେ କାଗଜରେ ଲେଖା ଆରମ୍ଭ ହୁଏ। ସହରମାନଙ୍କରେ ପ୍ରାୟ ସମସ୍ତେ କାଗଜ ଧରି ଅକ୍ଷର ଶିଖନ୍ତି । ଗାଁ ଗହଳରେ ବି ସେଇଆ ହେଲାଣି। ଥରେ ଅକ୍ଷର ଶିଖିଗଲେ ତେଣିକି ପେନ୍‌ସିଲ୍‌ ରବର ଧରି ଲେଖା ଆରମ୍ଭ ହେଉଥିଲା। ପେନ୍‌ସିଲ୍‌ ପରେ ଆସୁଥିଲା କଲମ। ହାତ ସଳଖ ହୋଇଗଲେ କଲମରେ ଲେଖିବା ଅଭ୍ଯାସ ସହଜ ହୋଇଯାଉଥିଲା। କଲମ କହିଲେ ଲୋକେ ଦୁଇପ୍ରକାରର କଲମ କଥା ଜାଣନ୍ତି। ଗୋଟିଏ 'ବୁଡ଼ା କଲମ', ଆରଟି ହେଉଛି ମୁଁ । “ବୁଡ଼ା କଲମ' ପୁଣି ଦୁଇ ଜାତିର । 'କାଠି କଲମ' ଓ “ ପର କଲମ' । ବହୁବର୍ଷ ଧରି ବୁଡ଼ା କଲମ ହିଁ ଥିଲା କଲମ ଭାବେ ଜଣାଶୁଣା ଲେଖା ସରଞ୍ଜାମ। ଲୁହା ଲିଖନ ପରେ ଆସିଥିଲା ବୁଡ଼ା କଲମ। ବୁଡ଼ା ପରେ ଆସିଗଲି ମୁଁ । 'ବୁଡ଼ା'ର ସିନା ମୁହଁ ଓ ଦେହ ଅଛି, ମୋର କିନ୍ତୁ ଥାଏ ମୁହଁ, ବେକ,ଜିଭ, ଖୋଳ, ପେଟ ଓ ଦେହ । ମୋ ଖୋଳରେ ଥାଏ ଏକ ସୁନ୍ଦରିଆ ଖୋସଣା। ସେଇଥିପାଇଁ ମତେ କ୍ଲିପ୍‌ ପେନ୍‌ କହିବା ସହ ନିବ୍‌-କଲମ ବା ଧାତୁମୁହିଁ କଲମ ଭାବରେ ସମସ୍ତେ ଜାଣୁଥିଲେ। ମୋ ଦେହରେ ଥିବା କାଳି ଚାପ ଓ ଉଠାଣ ପ୍ରକ୍ରିୟା ଯୋଗୁଁ ଝରିଆସି ଜିଭରେ ଥିବା ନାଳୀ ଦେଇ ନିବ୍‌ ସାହାଯ୍ୟରେ ଲେଖିପାରେ। ପୁଣି କାଳି ସରିଗଲେ ମୋ ବେକ ଖୋଲି ପେଟରେ କାଳି ଭର୍ତି କରିଦିଆଯାଏ। କୌଣସି କୌଣସି କମ୍ପାନି ମୋ ଦେହରେ ଯନ୍ତ୍ର ଲଗାଇ ମୁହଁ ବାଟେ କାଳିଟାଣିବା ବ୍ୟବସ୍ଥା କରିଥାନ୍ତି। ଇତିହାସରୁ ଜଣାଯାଏ ଯେ ମେଘ୍ରେରେବର ଖଲଫା ମାଦ୍‌-ଅଲ୍‌-ମୁଇଜ୍‌ ଥରେ ଅଡ଼ି ବସି କହିଲେ ମତେ ଏମିତିକା ଗୋଟେ କଲମ ଦିଅ,ଯାହାର କାଳି ହାତରେ ଲାଗିବନି କି ଲୁଗାପଟାରେ ପଡ଼ିବନି। କାରଣ ବୁଡ଼ା କଲମର କାଳି ଟିକିଏ ଅସାବଧାନ ହେଲେ ଦେହ ବା ଲୁଗାପଟାରେ ପଡ଼ିଯାଏ। ଇଏ ଦଶମ ଶତାବ୍ଦୀର କଥା। ସେଇଠୁ ପେଟ ଭିତରେ କାଳି ସାଇତି ଲେଖିପାରିବା କଲମ କଥା ଚିନ୍ତା କରୁ କରୁ ମୁଁ ଜନ୍ମ ହେଲି। ତେବେ ସେ ସବୁ ଚେଷ୍ଟାରେ ମୋର ଅସଲ ଦେହ ଗଢ଼ାହୋଇ ପାରିଲା ନାହିଁ । ମୁଁ ପରିପୂର୍ଣ ରୂପରେ ମଣିଷମାନଙ୍କ ହାତକୁ ବହୁଳ ଭାବରେ ଆସୁଆସୁ ଉନବିଂଶ ଶତାବ୍ଦୀର ଶେଷଭାଗ ହୋଇଗଲା। ମତେ ନେଇ ଏବେ ବି ଗବେଷଣା ଚାଲିଛି। ମତେ କେତେ ସୁନ୍ଦର, ଭଲ ଓ କାର୍ଯ୍ୟକ୍ଷମ କରାଯାଇପାରିବ, ସେଥିପାଇଁ ପୃଥିବୀ ପ୍ରସିଦ୍ଧ କଲମ ତିଆରି କମ୍ପାନିମାନେ ଆଜି ମଧ୍ୟ ଚେଷ୍ଟା ଚଳାଇଛନ୍ତି । ସୁନା, ପ୍ଲାଟିନମ୍‌ ଭଳି ଅତି ଦାମିକା ଧାତୁରେ ହୀରା, ନୀଳା ଖନ୍ଜି ମତେ ଗଢ଼ା ଯାଉଛି।