ଶିଶୁ ହସିଲେ ଦୁନିଆ ହସେ ଶ୍ରୀ କୁଞ୍ଜ ବିହାରୀ ସାହୁ ନଭେମ୍ବର: ୨୦୨୬ Canonical: https://shishukishora.com/editions/2026-11/article-04.html ବୁବୁଲୁ ତୁ ଆଜି କଅଣ ଏତେ ଶୀଘ୍ର ସ୍କୁଲକୁ ଯିବୁ କି !         ହଁ ବୋଉ, ଆଜି ଶିଶୁଦିବସ, ପ୍ରିୟ ଚାଚାଜୀଙ୍କ ଜନ୍ମଦିନ । ସ୍କୁଲରେ ବକ୍ତୃତା ପ୍ରତିଯୋଗିତା ହେବ, ମୁଁ ପରା ନାଁ ଦେଇଛି ।        ବାଃ ବହୁତ ବଢିଆ କଥା, ତୁ ଆଜି ବକ୍ତୃତା ଦେବାପାଇଁ ମନ କରିଛୁ । ନିଶ୍ଚୟ ସଫଳ ହେବୁ ପୁଅ । ନେ ନେ ଏ ଗୋଲାପ ଫୁଲଟି ନେ, ଚାଚାଜୀଙ୍କ ଫଟୋରେ ଚଢ଼େଇଦେବୁ । ଗୁରୁଜୀ ଗୁରୁମା ଖୁସି ହୋଇଯିବେ ।          ହସି ହସି ବୁବୁଲୁ ସ୍କୁଲ୍ ବାହାରିଗଲା । ତା ଶ୍ରେଣୀର ସହପାଠୀମାନେ ଆସିଛନ୍ତି । ପ୍ରିୟ ଚାଚାଜୀ ଜବାହରଲାଲ ନେହେରୁଙ୍କ ଫଟୋ ଥୁଆ ହୋଇଛି । ପ୍ରଥମେ ଚାଚାଜୀଙ୍କୁ ଗୋଲାପ ଫୁଲ ଦେଇ ମୁଣ୍ଡିଆ ମାରିଲା । ଅନ୍ୟ ଗୁରୁଜୀ ଗୁରୁମାଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଲା ।          ବକ୍ତୃତା ପ୍ରତିଯୋଗିତା ଆରମ୍ଭ ହେଲା । ବିଭିନ୍ନ ଶ୍ରେଣୀର ପିଲାଙ୍କୁ ଗ୍ରୁପରେ ସଜେଇ ଦିଆଯାଇଥିଲା । ବୁବୁଲୁ ତା ଗ୍ରୁପରେ ଯୋଗଦେଇ ଶାନ୍ତି ଶୃଙ୍ଖଳାର ସହ ଭାଷଣ ଦେଲା । ତା କହିବା ଶୈଳୀ ଓ ସୁନ୍ଦର ଭାଷା ସମସ୍ତ ବିଚାରକଙ୍କୁ ଖୁସି କରେଇଦେଲା । ପ୍ରାୟ ଏକ ଘଣ୍ଟା ପରେ ଫଳାଫଳ ପ୍ରକାଶ ପାଇଲା । ବୁବୁଲୁ ତା ଗ୍ରୁପରେ ପ୍ରଥମ ହେଲା ।        ବିଚାରକମାନେ ନିଜ କଥା ରଖି କହିଲେ- ଆଜି ହେଉଛି ଶିଶୁଦିବସ , ପ୍ରିୟ ଚାଚାଜୀଙ୍କ ଜନ୍ମଦିନ । ଚାଚାଜୀ  ଶିଶୁମାନଙ୍କର ମଙ୍ଗଳ କାମନା କରୁଥିଲେ । ଶିଶୁମାନେ ହିଁ ଏ ଦେଶର ଭବିଷ୍ୟତ ବୋଲି ବିଚାର କରୁଥିଲେ । ତାଙ୍କରି ଯୋଗୁଁ ଏ ଦେଶର ଉନ୍ନତି ହେବ । ପିଲାଏ ପାଠ ପଢ଼ିବେ, ଦେଶ ଗଢ଼ିଵେ ।  ସେ ପିଲାଙ୍କ ଖୁସି ଦେଖି ନିଜେ ଖୁସି ହେଉଥିଲେ । ସେଥିପାଇଁ ସଭିଏଁ  କହନ୍ତି ଯେ 'ଶିଶୁ ହସିଲେ ଦୁନିଆ ହସେ, ଫୁଲ ଫୁଟିଲେ ବଗିଚା ବାସେ ।'         ଜୀବନରେ ଭଲ ମଣିଷ ହେବାକୁ ହେଲେ ହସି ହସି କଥା କହିବା, ଅନ୍ୟକୁ ବିପଦ ଆପଦରେ ଉପକାର କରିବା ଓ ମହାପୁରୁଷଙ୍କ ନୀତି ଆଦର୍ଶକୁ ମାନି ଚଳିବା ।          ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ ଏକଥା କହି ସବୁ ପିଲାଙ୍କୁ ଆଶୀର୍ବାଦ ଦେଲେ  ଓ  ବୁବୁଲୁ ପ୍ରତିଯୋଗିତାରେ ଭାଗ ନେଇ ପ୍ରଥମ ହୋଇଥିବାରୁ ମେଡାଲ୍ ଦେଲେ । ମୁଣ୍ଡ ଆଉଁଶି କହିଲେ- ମନଦେଇ ପାଠ ପଢ଼ ।           ଚାଚାଜୀଙ୍କ ଫଟୋକୁ ଆଉ ଥରେ ବୁବୁଲୁ  ମୁଣ୍ଡିଆ ମାରି ସାଙ୍ଗସାଥୀଙ୍କ ସହ ଘରକୁ ଫେରିଲା ।  ତା ଵାପା ବୋଉକୁ ପୁରସ୍କାର ଦେଖେଇଲା ।