ଆସ ମା ମମତାମୟୀ ପ୍ରଶାନ୍ତ କୁମାର ଦାଶ ନଭେମ୍ବର: ୨୦୨୬ Canonical: https://shishukishora.com/editions/2026-11/article-10.html ଜହ୍ନତ ବିଭୋର ତାରାତ ବିଭୋର ବିଭୋର ଆକାଶ ଛାତି ହଟିଯାଏ ଗାଢ଼ ଅନ୍ଧାର ଜୋଚ୍ଛନା ଝଲମଲ କରେ ରାତି || ନଈପଠା ଧାରେ କାଶତଣ୍ଡୀ ଭାଙ୍ଗେ ଦେହର ଅଳସପଣ ଗଛତ ଧରିଛି ଫୁଲ ଫଳ କୋଳି ସୁନ୍ଦର ଦିଶୁଛି ଵଣ || ନୂଆ ଧାନକ୍ଷେତ ଦେଖି ଗାଏ ଗୀତ ହିଡମୁଣ୍ଡେ ଵସି ଚାଷୀ ଧଳାମେଘ ଖଣ୍ଡ ଆକାଶ ଛାତିରେ ଦିନ ରାତି ଯାଏ ଭାସି || ମାଆଙ୍କର ଆଗମନେ ଶରତଯେ ବଢାଏ ପ୍ରକୃତି ଶୋଭା ବଗିଚା ଫୁଲରେ ବସେ ପ୍ରଜାପତି ଫୁଲ ଦିଶେ ମନଲୋଭା || ଆସୁଛନ୍ତି ମାଆ ମେଢ଼ ମଣ୍ଡପରେ ପୂଜାତ ପାଇବେ ବସି ମମତାମୟୀଙ୍କ ଆଗମନ ଜାଣି ଭକତ ଦେଲେଣି ହସି || ଜହ୍ନିଫୁଲ ଫୁଟି ଦିଶେ ଜକ ଜକ ଦେଖି ମନ ଯାଏ ଲାଖି କୁଆଁରୀ କନିଆ ଚାହିଁଛି ପୁନିଅଁ ରାତିକି ଅତର ମାଖି || ଗଙ୍ଗଶିଉଳି ତା ବାସରେ ମୋହୁଛି ମଣିଷ ପରାଣ ମନ ଶରତ କରିଚି ସରସ ସୁନ୍ଦର ନଈ ଝର ବିଲ ବନ ||