ଦିନ- ବାର, ଋତୁ-ମାସ ସନ୍ତୋଷ କୁମାର ସାହୁ ନଭେମ୍ବର: ୨୦୨୬ Canonical: https://shishukishora.com/editions/2026-11/article-21.html ସାତଟି ଦିନରେ ସପ୍ତାହ ହୁଏ ସୁନ୍ଦର କେତେ ତା ନାମେ ରବିବାର ଠାରୁ ଆରମ୍ଭ ହୁଅଇ ଚାଲେ ନିତି ଅବିରାମେ l ସୋମବାର ଆସେ ସକାଳକୁ ଘେନି ମଙ୍ଗଳବାର ତା’ ପରେ, ବୁଧବାର ଆସେ ହସି ହସି ପୁଣି ଗୁରୁବାର ମନ ଭରେ। ଶୁକ୍ରବାରର କୋଉତୁକ ଚାଲି ଶନିବାର ମନ ମାରେ, ସାତ ଦିନର ଗୋଲେଇ ଚକ୍ରିଟି ଭେଟୁଥାଏ ନିତି ଘରେ l ବାରଟି ମାସରେ ବରଷ ହୁଏ, କେତେ ରଙ୍ଗ ତା’ ଭିତରେ, ବୈଶାଖ ଆଣେ ଗରମ ଖରା ଜ୍ୟେଷ୍ଠ ଜଳେ ତା’ ସାଥିରେ। ଆଷାଢ଼ ଆଣେ କଳାଧଳା ମେଘ ଶ୍ରାବଣରେ ବହେ ଧାରା, ଭାଦ୍ରବରେ ସାରା ସବୁଜ ଦିଶଇ କ୍ଷେତ ହୁଏ ମନଭରା। ଆଶ୍ୱିନ ମାସରେ ଶାରଦୀୟ ପୂଜା, କାଶତଣ୍ଡୀ ମାରେ ହସ, କାର୍ତ୍ତିକ ମାସରେ ହବିଷ ପୂର୍ଣ୍ଣିମା ପବିତ୍ର ହୁଏ ମୋ ଦେଶ। ମାର୍ଗଶିର ମାସ ଧାନ ପେଣ୍ଡା ଧରେ ପୌଷରେ କୁହୁଡ଼ି ଧୂଆଁ, ମାଘମାସ ଆଣେ ମେଳାର ମେଲଣ ଫଗୁଣରେ ଫୁଲ ଛୁଆଁ। ଚୈତ୍ରମାସ ଆସି ବରଷକୁ ସାରେ ବୈଶାଖ ପଛରେ ବସେ, ବାର ମାସର ଏ ରଙ୍ଗୀନ ଚକ୍ରକୁ ଦେଖି ଦେଖି ଧରା ହସେ। ଛଅଟି ଋତୁରେ ଆମରି ଦେଶ ପ୍ରକୃତିର ଛଅ ରୂପ, ଗ୍ରୀଷ୍ମ, ବର୍ଷା ପରେ ଶରତ ଆସେ, ହେମନ୍ତ ଦିଏ ସ୍ୱରୂପ। ଶୀତ ଧୀରେ ଆସେ ଶିଶିରକୁ ନେଇ, ବସନ୍ତ ଫୁଲ ଫୁଟାଏ, ଛଅଟି ଋତୁର ଛଅଟି ଏ ରଙ୍ଗ, ଜୀବନକୁ ମହକାଏ । ଦିନ–ବାର ସହ ମାସ–ଋତୁ ପ୍ରକୃତିର ଉପହାର, ପୁଣି ସାଥେ ଆମ ପୃଥିବୀଟା ଘୂରେ ଧରି ଜୀବନ ସଂସାର।