ଆସିଗଲା ଶରତ ହରିହର ଶୁକ୍ଳ ଅକ୍ଟୋବର: ୨୦୨୬ Canonical: https://shishukishora.com/shishu/article-777.html ଆସିଗଲା ଶରତ ଶୋଭାର ପସରା ମେଲି ହସିଉଠେ ମରତ। ଧଳା ମେଘ ଭାସି ବୁଲେ ଆକାଶର ଛାତିରେ ତୋଫା ଜହ୍ନ ଆଲୁଅ ତ ଝରିପଡ଼େ ରାତିରେ ନଈ, ନାଳ, ଗଡ଼ିଆ, କାଚକେନ୍ଦୁ ପରି ପାଣି ଦିଶେ ଭାରି ବଢ଼ିଆ! ଶାଗୁଆ ଫସଲ କ୍ଷେତ ପବନର ଦୋଳିରେ ଝୁଲି ଝୁଲି ଚାଷୀ ମନେ ଆଶା ଦିଏ ବୋଳିରେ ମେହେନତ ତାହାର, ସାରା ବରଷଟା ତାକୁ ଯୋଗାଇବ ଆହାର। ନଈକୂଳେ କାଶତଣ୍ଡୀ ହଲାଉଛି ଚଅଁର ଗଙ୍ଗଶିଉଳିର କାନେ ଗୀତ ଗାଏ ଭଅଁର ଜହ୍ନିଫୁଲ ଫୁଟିଲା, ଗାଆଁଦାଣ୍ଡେ ପିଲାଙ୍କର ଖୁସି ଗୀତ ଛୁଟିଲା। ପୂଜା ମଉଛବ ନେଇ ଦଶହରା ଆସିବ ଘରେ ଘରେ ପିଠାପଣା ସୁଅ କେତେ ଭାସିବ ଗାଆଁଠାରୁ ସହର, ଚାରିଆଡ଼େ ଖେଳିଯିବ ଆନନ୍ଦର ଲହର। ∎ ଫୋ:୯୮୬୮୮୦୫୯୯୬