ହସି ହସାଇବା ଆମରି ଗାଆଁ ଡ. ବିଜୟା ପାତ୍ର ମଇ: ୨୦୨୫ Canonical: https://shishukishora.com/shishu/article_details-3cee8369e4.html ପଡିଶା ଘରର ନୂଆ କନିଆଁ ବେଣୀ ପାରେ ଧରି ସରୁ ପାନିଆ ଆଇ ଡାକ ଦିଏ ଆରେ ଘନିଆ, ତୋଳି ଆଣ୍ ଶାଗ ସୁନୁସୁନିଆ ବଢିଛି ବାଡିରେ ଛନ ଛନିଆ। ପସରା ଆଣିଛି ମନମନିଆ ଘେରିଗଲେ ତାକୁ ରୁନୁ, ଝୁନିଆ କୁନି ପୁଅ କଥା ଖନଖନିଆ ଗୁହାଳେ ବାଛୁରୀ ଆମ ସନିଆ ଡେଉଁଅଛି ଖାଲି କନକନିଆ। ମାଇଁ ଧରାଉଛି ଚୁଲିରେ ନିଆଁ ରୁଟି ବେଲି ଦିଏ ମାମୁଁ ମଣିଆ ଘରକୁ ଆସିବେ ଆଜି କୁଣିଆ ମିଠା ଖାଇ ଯାଏ ଚଗଲା ଟୁଆଁ ଜାଣି ଦେଲେ ମାଇଁ ଦାଗିବ ଚିଆଁ। ମାଳା ଗଡାଉଛି ଫକୀର ମିଆଁ ଭୋଳା ବଜାଉଛି ହାର ମାନିଆ ଆର ସାହୀ ବୁଢା କୀରିତନିଆ ଚାଲିଗଲା ଛାଡି ଏଇ ଦୁନିଆ ଏ କଥାକୁ ଏତେ ଖାତର କିଆଁ? ଜୀବନ ଆମର ଦୁଇ ଦିନିଆ ଖୁସିରେ ରହିବା ନୋହି ଛାନିଆଁ ମଧୁର ସୁବାସ ବିତରି ଆହା ଜଗତେ ରଖିବା ଦେଶର ନାଆଁ ହସି ହସାଇବା ଆମରି ଗାଆଁ। ∎ କୋଟିତୀର୍ଥ ଲେନ୍ ଭୁବନେଶ୍ୱର-୨ ମୋ-୯୪୩୭୦-୧୪୩୨୨