ଗୁଣୁଗୁଣୁ - ଝୁଣୁଝୁଣୁ ସଂଗ୍ରାମ କେଶରୀ ପୃଷ୍ଟି ଡିସେମ୍ବର: ୨୦୨୫ Canonical: https://shishukishora.com/shishu/article_details-55dec52a56.html ଅନ୍ଧାରରେ ମଶା ଗୁଣୁଗୁଣୁ ହାତେ ପାଣି କାଚ ଝୁଣୁଝୁଣୁ ନାତି ନାତୁଣୀଏ ଶୋଇ ପଡିଲେଣି ଆଈଙ୍କଠୁ ଗପ ଶୁଣୁଶୁଣୁ ।। କୁରାଢ଼ୀରେ କାଠ ଗଡ଼ଗଡ଼ ଆକାଶରେ ମେଘ ଘଡ଼ଘଡ଼ ଅନ୍ଧାରରାତିରେ ଡର ପଶିଗଲେ ଛାତି କରୁଥାଏ ଧଡ଼ଧଡ଼ ।। ଭଙ୍ଗା ଖଟିଆଟି କଟକଟ ଦୁଆରେ କବାଟ ଖଟଖଟ ମାଛ ଖାଇବାକୁ ପୋଖରୀ କୂଳରେ ବଗ ଚାହିଁଅଛି ମଟମଟ ।। ପାଣି ବହୁଅଛି ଝରଝର ଯୋଗୀ ବୁଲୁଛନ୍ତି ଘରଘର ପଢ଼ା ବେଳେ ପଢ଼ ଖେଳବେଳେ ଖେଳ କାମରେ ନହୁଅ ତରତର ।। ଅନ୍ଧାର ରାତିଟା କିଟିକିଟି ଆକାଶରେ ତାରା ମିଟିମିଟି ଛୁରୀ କଟୁରୀକୁ ଶାଣ ଦିଆଯାଏ କମାରଶାଳରେ ପିଟିପଟି ।। ବିଲେଇ କରୁଛି ଖସଖସ ଖୁସିଥିଲା ମୁହଁ ହସହସ ଆରେ ପିଲାମାନେ କୁଆଡ଼େ ଯାଉଛ ପାଖରେ ଟିକିଏ ବସବସ ।। ନର୍ଦ୍ଦମାରେ ପୋକ ସଲସଲ ପଡିଆରେ ଛେଳି ପଲପଲ ଯେତେ କହିଲେ ବି କିଛି ବୁଝୁନାହିଁ କୁନି ପୁଅ ଚାହେଁ ବଲବଲ ।। ∎ ରାଜ କିଶୋରନଗର, ଅନୁଗୋଳ ମୋ – ୯୪୩୭୫୪୭୧୪୬