ଶିଷ୍ଟ ବଣି ଓ ଦୁଷ୍ଟ ବାଇଚଢେଇର କଥା ରତ୍ନାକର ଦାସ ଏପ୍ରିଲ: ୨୦୨୫ Canonical: https://shishukishora.com/shishu/article_details-76e071c814.html ତାଳ ଗଛ କୋରଡରେ ବଣି ଚଢେଇ ତା` ଛୁଆଙ୍କୁ ନେଇ ଯେମିତି ଖୁସିରେ ଥାଏ,ବାହୁଙ୍ଗାରେ ଝୁଲୁଥିବା ବାଇ ଚଢେଇ ମଧ୍ଯ ଆନନ୍ଦରେ ରହୁଥାଏ ତା` ଛୁଆ ମାନଙ୍କ ମେଳରେ। ଉଭୟଙ୍କ ମଧ୍ଯରେ ସଂପର୍କ ବି ଖୁବ୍ ନିବିଡ ଥାଏ। ମା` ବଣି ତା` ଛୁଆଙ୍କୁ ପ୍ରତିଦିନ ହିତ କଥା ମାନ କହେ।ଅନ୍ଯ ମାନଙ୍କୁ ହିଂସା ନ କରି ଭଲ ପାଇବା, ଆପଣେଇବା ପାଇଁ ଉପଦେଶ ଦିଏ। ପ୍ରତିଦିନ ସକାଳ ସଂଜରେ ଠାକୁର ଙ୍କୁ ପ୍ରାର୍ଥନା କରିବା ଓ ଗୁରୁଜନଙ୍କୁ ପାଦ ଛୁଇଁ ନମସ୍କାର କରିବା ଶିଖାଏ। କିନ୍ତୁ ବାଇ ଚଢେଇ ର ଛୁଆ ମାନେ ଏ ସବୁକୁ ଗ୍ରହଣ କରନ୍ତି ନାହିଁ। ମା` କଥାକୁ ଶୁଣି,ନ ଶୁଣିଲା ଭଳି ବ୍ଯବହାର କରନ୍ତି। ସେଦିନ ବଣି ଓ ବାଇ ଚଢେଇ ମା` ଦୁହେଁ ଅଧାର ଖୋଜିବାକୁ ଉଡି ଯାଇଥିଲେ ବସା ଛାଡି।ଏଇ ସୁଯୋଗରେ ବାଇଚଢେଇର ଛୁଆମାନେ ବଣିଛୁଆ ମାନଙ୍କ ସହିତ କେବଳ ଯେ ଝଗଡା କଲେ ତା ନୁହେଁ,ସେମାନଙ୍କୁ ଥଣ୍ଟରେ ଖୁମ୍ପି ରକ୍ତ ବାହାର କରିଦେଲେ। କିଛି ସମୟ ପରେ ମା` ବଣି ବସାକୁ ଫେରି ଦେଖିଲା ଛୁଆଙ୍କର ଏମିତି ଅବସ୍ଥା। ଛୁଆମାନେ କାନ୍ଦି କାନ୍ଦି ମା` କୁ କହିଲେ ତାଙ୍କ ମା` ତ ଫେରି ନାହାନ୍ତି; ତମେ ଆସ ଆମେ ସେମାନଙ୍କୁ ଆକ୍ରମଣ କରିବା। ମା` ବଣି ଆଖିରୁ ଲୁହ କେଇଟୋପା ଗଡି ପଡିଲା ଛୁଆଙ୍କ କଅଁଳ ଓଠର କଥା ଶୁଣି।ସିଏ ତା` ଛୁଆଙ୍କୁ ବୋଧ ଦେଇ ଅନେକ ବୁଝାଇଲା ଓ ଆଣିଥିବା ଅଧାର ତାଙ୍କ ଥଣ୍ଟରେ ଗୁଞ୍ଜିଦେଇ ଶ୍ରଦ୍ଧାରେ କୋଳେଇ ନେଲା। ସେତେବେଳକୁ ମା` ବାଇଚଢେଇ ପହଞ୍ଚି ଯାଇଥିଲା ତା` ବସାରେ ।ତା` ଛୁଆଙ୍କୁ ଅଧାର ଖୁଆଇ କଥା ବି ହେଲା । କିନ୍ତୁ ବଣିକୁ କିଛି ବି ପଚାରିଲା ନାହିଁ। ତହିଁଆରଦିନ ସକାଳେ ବଣି ତା` ଛୁଆଙ୍କୁ ପିଠିରେ ବୋହି ଅନ୍ଯ ଠାଆକୁ ଉଡିଯିବା ପାଇଁ ପ୍ରସ୍ତୁତ ହେବାର ଜାଣି, ବାଇଚଢେଇର ଛୁଆ ଦୁହେଁ ଧାଇଁଆସି ବଣି ମା` ଓ ଛୁଆ ମାନଙ୍କୁ ପାଦ ଧରି କ୍ଷମା ମାଗିଲେ।ଅନ୍ଯ ଆଡେ ନ ଯାଇ ପୂର୍ବ ଭଳି ଏଇଠି ରହିବାକୁ ଅନୁରୋଧ କଲେ। ସେମାନଙ୍କ ଅନୁରୋଧକୁ ଏଡି ନ ଦେଇ ବଣି ଓ ତା`ର ଛୁଆ ମାନେ ସେଇ ଗଛ କୋରଡରେ ଅଛନ୍ତି ।ଏବେ ସେମାନେ ଉଡା ଶଖିଥିଲେ ବି ପୂର୍ବପରି ମା`ର କଥା ବୋଲ ମାନି ଚଳୁଛନ୍ତି ।କିନ୍ତୁ ବାଇଚଢେଇର ଛୁଆ ମାନଙ୍କ ବ୍ଯବହାରରେ ସେମିତି କିଛି ପରିବର୍ତ୍ତନ ହେଇ ନ ଥିବାରୁ ସେମାନେ ଅନ୍ଯ ମାନଙ୍କ ପାଖରୁ ସ୍ନେହ ଶ୍ରଦ୍ଧା ପାଇବାରୁ ବଞ୍ଚିତ। ∎ ସଭାପତି,ଉତ୍କଳମଣି ଶିଶୁ ସାହିତ୍ୟ ସମିତି ଶଂଖୋ,କେନ୍ଦୁଝର। ମୋ-9437751733