ଆମ ଗାଁ ବରଗଛ ଉମାକାନ୍ତ ବେହେରା ଫେବୃଆରୀ : ୨୦୨୬ Canonical: https://shishukishora.com/shishu/article_details-7ef0ff80ff.html ଗାଁ ମୁଣ୍ଡେ ଅଛି ଗୋଠ ଗାଈ ଗୋରୁଙ୍କର ହାଟ କଅଁଳା ବାଛୁରୀ ନାଟ ଗାଈଆଳ ହାତେ ଛାଟ କେଉଁକାଳୁ ଅଛି ବୁଢା ବରଗଛ କେତେକ କହନ୍ତି ବଟ l ଗଛର ବୟସ ନେଇ କାହାରିକୁ ଜଣା ନାହିଁ ବାପାଙ୍କୁ ପଚାର କାହିଁ ଜେଜେ କଲେ ନାଇନାଇଁ ବୟସ କଅଣ ଜାଣିବା ଜରୁରୀ ସାଥିଟିଏ ଆମ ପାଇଁ l କଟିଛି ମୋ ପିଲାଦିନ ପାଠରେ ନଦେଇ ମନ ସାଙ୍ଗ ହୋଇ କେତେ ଜଣ ଡାଳକୁ କରି ଝୁଲଣ ତଳକୁ ଡ଼େଇଁକି ଆନନ୍ଦ ନେଇଚୁ ଗଛଟା ଲାଗେ ଜୀଵନ l ଖରାବେଳେ ଦେଖି ଛାଇ ଥକା ମେଣ୍ଟେଇବା ପାଇଁ ଅଟକି ଯାଏ ବାଟୋଇ ବସୁ ବସୁ ପଡେ ଶୋଇ ବହଳ ପତର କଅଁଳ ଛାଇକୁ ସୁଲୁ ସୁଲୁ ବାଆ ପାଇ l ବରଷା ହେଲେ ଅକାଳେ ମୋଟାମୋଟା ବାହୁ ତଳେ ଘଡିଏ ଅଟକି ଗଲେ ଭିଜିବାରୁ ରକ୍ଷା ମିଳେ ଖରା ବରଷାର ସାଥୀ ଟିଏ ସିଏ ଭାଗ୍ୟରେ ଥିଲେ ମିଳେ l ପାକିଟିରେ ବାଟି ଧରି ପାଟିରେ ଶୁଶୁରି ମାରି ଖରାକୁ ଟିକେ ନଡରି ଗଛମୂଳେ ପଡେ ହୁରି ମାଆ ଙ୍କର ଗାଳି ବାପାଙ୍କର ବାଡ଼ି ସବୁ ଦେହସୁଆ କରି l କେତେ ଜାତି ଜାତି ପକ୍ଷୀ ନିଜ ପାଇଁ ବସା ରଖି ନାଲି ଫଳ ଚାଖି ଚାଖି ଆପଦ ବିପଦ ଦେଖି ଚଗଲା ମହନା ଅଠା କାଠି ମାରେ କାଢି ଦେଉଁ ଦେଖି ଦେଖି l ସେଇଗଛ ଏବେ ଅଛି ଓହଳ ଝୁଲି ରହିଛି ଗାଁ କୁ କିଏ ଆଉଚି ସ୍ମୃତି ଯା ବଂଚି ରହିଛି ସହରିଆ ମନ ଗାଁ ର ଜୀଵନ ବାରି ହୋଇ ଯାଉଅଛି l ∎