ଆସିଛି ରଜ ଡକ୍ଟର ରବିନାରାୟଣ ସାହୁ ଜୁନ: ୨୦୨୪ Canonical: https://shishukishora.com/shishu/article_details-e528a451ad.html ସରି ସରି ଆସେ ଗ୍ରୀଷମ ତାତି ପୂରି ପୂରି ଯାଏ ଆକାଶ ଛାତି କାଳିଆ ବଉଦ ଉଠିଲେ ମାତି ଲୁଡୁ ଖେଳେ ଅଜା ସହିତ ନାତି।। ଡୁ ଡୁ ବୋହୂଚୋରୀ ବାଗୁଡ଼ି ଖେଳ ନଈପଠା ତଳେ ପିଲାଏ ମେଳ ତାଆସ ପଶାରେ ସଭିଏଁ ଭୋଳ ସବୁଠି ଆନନ୍ଦ ନାହିଁ ତ ଗୋଳ।। ବରଗଛ ଡାଳେ ଝୁଲଇ ଦୋଳି ଦୋଳି କଡେ କଡେ ସାଥିଙ୍କ ମେଳି ନୂଆ ଜାମା ଦେହେ ଭଳିକି ଭଳି ଗାଁ ଦାଣ୍ଡ ଏବେ ପଡେ ଉଛୁଳି।। ମାମୁନି ମୁଣ୍ଡରେ ଚନ୍ଦନ ଚିତା କୁଙ୍କୁମ କପାଳେ ନାଇଛି ମୀତା ମିଠା ପାନ ଖାଇ ନାଚଇ ଗୀତା ଭାଉଜ ପାଦରେ ନାଲି ଅଳତା।। ଘରେ ଘରେ ନାନା ରକମ ମିଠା ପୋଡପିଠା ମଣ୍ଡା କାକରା ମିଠା ମାଆ ମାଉସୀଙ୍କ ମନେ ଉତ୍କଣ୍ଠା ନାହିଁ ତ ରୋଷେଇ ପରିବା କଟା।। ବରଷକ ପରେ ଆସିଛି ରଜ ମନେ ଭରି ହସ ଖୁସି ମୁରୁଜ ଗରିବ ଠୁ ଧନୀ ସଭିଏଁ ସଜ କରିବାକୁ ହସ ଖୁସି ମଉଜ ବରଷକ ପରେ ଆସିଛି ରଜ। ∎ ସମ୍ପାଦକ `କଳାମାଣିକ` ସ୍ମୃତି ନଗର, ବରଗଡ଼ ପିନ୍ -୭୬୮୦୨୮