ବରଷା ପାଗକୁ କୁନି ପୁଅଟି ଉମାକାନ୍ତ ବେହେରା ଅକ୍ଟୋବର: ୨୦୨୫ Canonical: https://shishukishora.com/shishu/article_details-ec305fdf60.html ବରଷା ପାଗରେ କୁନି ପୁଅଟି ମା`କୋଳରୁ ସେ ପାଉନି ଛୁଟି କେଉଁଠି ଖେଳିବ ଯାଇ ଓଦା ପିଣ୍ଡା ପୁଣି ଗୋବର ଲିପା ମାଆ ମନ ମାନୁନାହିଁ l ଭିତର ପିଣ୍ଡା ଟା କଣରେ ଚୁଲି ଜାଳ କାଠ ସବୁ ରହିଚି ପୁରି ଖେଳୁ ଖେଳୁ ବାଜି ଗଲେ ଶାଶୁ ଶଶୁର ମୋ ଚିହିଁକି ଉଠିବେ ଛୁଆର କାନ୍ଦ ଶୁଣିଲେ l ଘରବୋଲି ମୋଟେ ଦୁଇ ବଖରା ଏଣୁ ତେଣୁ କେତେ ଜିନିଷ ଭରା ଗୋଟେ ବଖାରରେ ଭାଡ଼ି ଭାଡ଼ିରେ ରହିଛି ଧାନ ଓଳିଆ ଖଟଗୋଟେ ଅଛି ପଡି l କେଉଁଠି ଚାଲୁଣି କେଉଁଠିକୁଲା ନାଳିଆ,ପାଛିଆ, ଚାଲୁଣି, ଡାଲା କେଉଁଠି ଖେଳିବ ପୁଅ ଫିଙ୍ଗି ଫାଙ୍ଗି ସବୁ ଅସନା କରିବ କେତେ ସଜାଡ଼ିବି କୁହ l କାଖରେ କୋଳରେ ରହୁନି ମୋଟେ ଖେଳିବାକୁ ଖାଲି ଗୋଡ଼କୁ ଛାଟେ ତଳେ ଦେଲେ ଟିକେ ଛାଡି କଅଁଳ ପାଦରେ ଠୁକୁ ଠୁକୁ କରି ଦୁଆରକୁ ଯାଏ ମାଡି l ଛାଡିଯା ବରଷା ଦିନେ ଓଳିଏ ସୁରୁଜ ଆଲୁଅ ପଡୁ ଘଡିଏ କୁନି ପୁଅ କାଖ ହୋଇ ବାଡ଼ିଘର ଟିକେ ଆସିଲେ ବୁଲି ଶାନ୍ତିରେ ପଡିବ ଶୋଇ l *** ∎ ସ୍ବପ୍ନସ୍ମୃତି, ଶ୍ରୀହରିବିହାର, ଗହ୍ମାରିଆ, କେନ୍ଦୁଝରଗଡ଼