←ଶିଶୁ କିଶୋରPDF ଡାଉନଲୋଡ୍

ଚିତ୍ରକଥା

କେତେ ଜମି ଲୋଡ଼ା

ମୂଳ କାହାଣୀ: ଲିଓ ଟଲ୍‌ଷ୍ଟୟ
ଓଡ଼ିଆ ରୂପାନ୍ତର: ଦାଶ ବେନହୁର

ପୃଷ୍ଠା ୩

ଗୋଟିଏ ଗାଆଁରେ ଦୁଇଟି ଭଉଣୀ ଥାଆନ୍ତି। ବଡ଼ ଭଉଣୀଟି ବାହା ହୋଇଥାଏ ଜଣେ ଧନୀ ମହାଜନକୁ। ସାନ ଭଉଣୀର ସ୍ୱାମୀ ଗୋଟିଏ ସାଧାରଣ ଚାଷୀ।
ଦିନେ ବଡ଼ ଭଉଣୀ ସାନ ଭଉଣୀ ଘରକୁ ବୁଲିବାକୁ ଆସିଲା। କେତେ ବଡ଼ ବଡ଼ କଥା ଗପିଲା। ସାନ ଭଉଣୀ କହିଲା- ମୋ କଥା ମତେ ଭଲ।
ବଡ଼ ଭଉଣୀ କହିଲା, ଧନ ନ ଥିଲେ ସୁଖରେ ଚଳିବୁ କେମିତି?
ସାନ ଭଉଣୀ ଉତ୍ତର ଦେଲା, ଧନ ଥିଲେ ସବୁବେଳେ ଚିନ୍ତା। କିଏ କାଳେ ନେଇଯିବ କି? ସାଧାରଣ ଲୋକର ସେ ଚିନ୍ତା ନାହିଁ। ପାହୋମ୍‌ ହେଉଛି ସାନ ଭଉଣୀର ସ୍ୱାମୀ। ସେ ସବୁକଥା ଶୁଣୁଥିଲା।
ଭାବିଲା, ସତକଥା! ଆମ ଚାଷୀଙ୍କର ଲୋଭ ନାହିଁ। ଖଟିଲୁ, ଖାଇଲୁ। ଖାଲି ଏତିକି କଥା ଯେ ଯେତିକି ଜମି ଦରକାର ସେତିକି ଥିଲେ ହେଲା।

ପୃଷ୍ଠା ୪

ସେ ମନକୁ ମନ ପୁଣି କହିଲା, ମୋର ଯଦି ଢେର୍‌ ଜମି ହୋଇଯିବ ତେବେ ସଇତାନ ସ୍ୱୟଂ ଆସିଲେ ବି କିଛି କରିପାରିବନି।
ସଇତାନ ପାଖରେ ଠିଆ ହୋଇଥିଲା। ସେ ସବୁକଥା ଶୁଣିଲା।
ସେଇଠୁ ସେ କହିଲା- ହଉରେ ପୁଅ, ଦେଖିବା ତୁ କେତେ ନିର୍ଲୋଭ? ରହ ତତେ ପରୀକ୍ଷା କରୁଛି।
ପାହୋମ୍‌ର ଗାଁ ପାଖରେ ଜଣେ ଧନୀ ମହିଳାଙ୍କ ଘର। ତାଙ୍କର ଥାଏ ଗୋଟେ ବିରାଟ ଚାଷ ଜାଗା। ସେ ବର୍ଷ ଶୀତ ଦିନେ ପାହୋମ୍‌ ଶୁଣିଲା ଯେ ଧନୀ ମହିଳା ଜଣକ ତାଙ୍କ ଚାଷ ଜାଗାଟି ବିକିଦେବେ। ସେଥିରୁ ପ୍ରାୟ ପଚାଶ ଏକର ଜଣେ କାହାକୁ ସେ ଅଧେ ଦାମ୍‌ ରଖି ବିକି ସାରିଥିଲେ। ବାକି ଅଧକର ପଇସା ପାଇଁ ସେ ବର୍ଷେ ଅପେକ୍ଷା କରିବାକୁ ରାଜି।
ପାହୋମ୍‌ ଭାବିଲା, ବେଶ୍‌ ତ! ମୁଁ ତା’ ହେଲେ ଯାଉଛି କିଛି ଜମି କିଣି ନେବି।

ପୃଷ୍ଠା ୫

ସଙ୍ଗେ ସଙ୍ଗେ ସେ ଯାଇ ତା’ ସ୍ତ୍ରୀକୁ କହିଲା ଆମେ ଅତି କମ୍‌ରେ କୋଡ଼ିଏ ଏକର କିଣିନେବା।
ଏବେ ଦୁହେଁ ଏକାଠି ବସି ଚିନ୍ତା କରିବାକୁ ଲାଗିଲେ।
ସ୍ତ୍ରୀ ପଚାରିଲା, ଏତେ ପଇସା କୋଉଠୁ ପାଇବା? ଆମ ପାଖରେ ତ ମାତ୍ର ଶହେ ରୁବଲ୍‌ ଅଛି।
ପାହୋମ୍‌ ନିଜର ଗୋଟିଏ ଘୋଡ଼ା ବିକିଦେଲା।
ତା’ପରେ ଗୋଠରୁ ଅଧେ ଗାଈ ବିକ୍ରି କରିଦେଲା।

ପୃଷ୍ଠା ୬

ଗୋଟିଏ ପୁଅକୁ ଜଣକ ପାଖରେ କାମରେ ଲଗେଇ ଆଗତୁରା ବର୍ଷକର ମଜୁରି ନେଇ ଆସିଲା। ତଥାପି ପଇସା ଅଣ୍ଟିଲାନି। ଆଉ ଯାହା ଦରକାର ପଡ଼ିଲା ସେ ଯାଇ ନିଜ ଭିଣୋଇଠାରୁ ଧାର ଆଣିଲା।
ଏବେ ପଇସା ଧରି ପାହୋମ୍‌ ଧନୀ ମହିଳାଙ୍କ ପାଖକୁ ଗଲା। ମୂଲଚାଲ ପରେ ଚାଳିଶ ଏକର ଜମି ସକାଶେ କଥା ଛିଡ଼ିଲା। ଜମିର ଅଧାଟଙ୍କା ଦିଆଯାଇ ପାରିଥିଲା। ବାକି ଅଧକ ଦୁଇବର୍ଷରେ ଦେବା ପାଇଁ ଚୁକ୍ତି ରହିଲା।
ବର୍ତ୍ତମାନ ପାହୋମ୍‌ ଜଣେ ଜମିଦାର। ଶସ୍ୟ ଆଣି ଚାଷକରି ସେ ନିଜ ଜମିରେ ବୁଣିଦେଲା।
ଫସଲ ଭଲ ଫଳିଲା। ମାତ୍ର ଗୋଟିଏ ବର୍ଷରେ ସେ ସବୁଯାକ ଋଣ ଶୁଝିଦେଲା।
ମନଖୁସିରେ ପାହୋମ୍‌ ଏବେ କ୍ଷେତରେ ଯାଇ ବୁଲିଲା, ହେଲେ ସଇତାନ୍‌ ତାକୁ ଛାଡ଼ୁଚି କୋଉଠୁ?

ପୃଷ୍ଠା ୭

ପରବର୍ଷ ବି ଭଲ ଫସଲ ହୋଇଥାଏ। ପାହୋମ୍‌ ଫସଲ ଦେଖି ଖୁବ୍‌ ଖୁସିହୋଇଗଲା।
ହଠାତ୍‌ ପଡ଼ୋଶୀମାନେ ଈର୍ଷା କରି ତା’ ଜମିରେ ଗୋରୁ ପୁରେଇ ଦେଲେ।
ସାଇ ପଡ଼ିଶାଙ୍କ ପାଖରେ ସେ ଯେତେ ନେହୁରା ହେଲା କେହି ତା’ କଥା ଶୁଣିଲେନି।
ପାହୋମ୍‌ କେତେ ସହନ୍ତା? ସେ ପଡ଼ୋଶୀଙ୍କ ନାଁରେ ଶେଷକୁ ମକଦ୍ଦମା କଲା।
ତିନିଜଣ ପଡ଼ୋଶୀଙ୍କୁ ଜରିମାନା ହୋଇଗଲା। ସେମାନେ ଶତ୍ରୁ ପାଲଟି ଗଲେ।

ପୃଷ୍ଠା ୮

ଦିନେ ସକାଳୁ ଦେଖିଲାବେଳକୁ ଜଣେ କିଏ ତା’କ୍ଷେତରୁ ଗୁଡ଼ାଏ ଗଛ କାଟି ପକେଇଛି। ପାହୋମ୍‌ ସ୍ଥିର କଲା ନାଁ, ସେ ସେଠି ଆଉ ରହିପାରିବନି।
ଭଲ ଦାମ୍‌ରେ ସେଠାର ଜମିବାଡ଼ି ଓ ଜିନିଷପତ୍ର ସବୁ ବିକ୍ରି କରିଦେଲା ସେ।
ଶୀତଯାଇ ବସନ୍ତ ଋତୁ ଆସୁଆସୁ ଗୋଟେ ନୂଆ ଅଞ୍ଚଳକୁ ଉଠିଗଲା ପାହୋମ୍‌।
ରୁଷିଆରେ ସେତେବେଳେ କିଛିଲୋକ ମିଳିମିଶି ଚାଷ କରୁଥିଲେ। ତା’ର ନାଁ ଥିଲା ସମବାୟ-ଚାଷ। ସେ ସମବାୟକୁ ଦରଖାସ୍ତ ଦେଲା।
ସଙ୍ଗେ ସଙ୍ଗେ ତାକୁ ପାଞ୍ଚଗୋଟି ଅଂଶ ମିଳିଗଲା। ପାଖାପାଖି ୧୨୫ ଏକର, କିନ୍ତୁ ପାଞ୍ଚ ଜାଗାରେ।

ପୃଷ୍ଠା ୯

ପାହୋମ୍‌ ଭଲ ଘର ଖଣ୍ଡେ କଲା। ଗୁହାଳ ବି ତିଆରି କଲା।
ସେ ଏବେ ଆହୁରି ଅଧିକ ଧନୀ। ପୂର୍ବ ଅପେକ୍ଷା ଦଶଗୁଣ ଧନୀ।
ଦିନେ ସେ ସ୍ତ୍ରୀକୁ ଡାକି କହିଲା, ଆମେ ଏବେ ଧନୀ, ହେଲେ ଏତିକି କ’ଣ ଯଥେଷ୍ଟ?
ପ୍ରଥମ ବର୍ଷ ପାହୋମ୍‌ ଜମିରେ ଗହମ ବୁଣିଲା। ଫସଲ ବି ଭଲ ହେଲା। ପୁଣି ତା’ର ଲୋଭ ବଢ଼ିଲା।
ଏବେ ଆଉ କିଛି ଜମି ସେ ଭାଗରେ ନେଲା। ନିଜ ଜମିକୁ ମିଶେଇ ଗୋଟିଏ ମଝାମଝି ଜାଗାରେ ଫାର୍ମ ହାଉସ୍‌ଟିଏ କଲା।

ପୃଷ୍ଠା ୧୦

ତିନିବର୍ଷ ଧରି ଫସଲ ଖୁବ୍‌ ଭଲ ହେଲା। ସେ ଧନୀ ପାଲଟି ଗଲା। ସେତିକିରେ ଆନନ୍ଦରେ ରହିପାରିଥାଆନ୍ତା। ହେଲେ ତା’ର ଲୋଭ ବଢ଼ିଲା। ସେ ପୁଣି ଜମି କିଣିବାକୁ ଖୋଜି ବୁଲିଲା।
ଯୋଗକୁ ପାହୋମ୍‌ ଜଣେ ବଡ଼ ଚାଷୀଙ୍କୁ ପାଇଗଲା। ତାଙ୍କର ଥିଲା ତେରଶହ ଏକର ଜମି। ବିପଦରେ ପଡ଼ି ସେ ଜମିତକ ବିକିବାକୁ ବସିଥିଲେ। ଶସ୍ତାରେ ମୂଲଚାଲ ହେଇଗଲା। ଅଧା ଟଙ୍କା ପରେ ଦେଲେ ଚଳିବ। କାଗଜପତ୍ର କାମ ବାକିଥାଏ କେବଳ।
ଏତିକିବେଳେ ପାହୋମ୍‌ ଘରକୁ ଜଣେ ଅତିଥି ଆସିଲେ। ଚା’ ପିଉପିଉ ପାହୋମ୍‌ ତାଙ୍କୁ ଜମି କିଣା କଥା କହିଲା।
ଅତିଥି କିନ୍ତୁ ଚମକେଇ ଦେଲା ଭଳି ଗୋଟେ କଥା କହିଲେ। ଏଠାରୁ ତିନିଶହ ମାଇଲ୍‌ ଦୂରରେ ବସ୍‌କିର୍‌ମାନେ ରହନ୍ତି। ବହୁତ ଶସ୍ତାରେ ସେମାନେ ଜମି ବିକି ଦେଉଛନ୍ତି।
ଖାଲି ଏତିକି ଯେ ବସ୍‌କିର୍‌ମାନଙ୍କ ମୁଖିଆଙ୍କୁ ଉପହାର ଦେଇ ମନେଇବାକୁ ପଡ଼ିବ। ଚା’ ତାଙ୍କ ପାଇଁ ସବୁଠୁ ମୂଲ୍ୟବାନ୍‌ ପଦାର୍ଥ।

ପୃଷ୍ଠା ୧୧

ଅତିଥି ଜଣକ ସେଇବାଟେ ଅତି ଶସ୍ତାରେ ତେର ହଜାର ଏକର ଜମି କିଣିଥିବା କଥା କହି କାଗଜପତ୍ର ଦେଖାଇଲେ।
ହିସାବ କରିବାରେ ଲାଗିଗଲା ପାହୋମ୍‌। ଆରେ ତା’ ହେଲେ ତ ସେ ସେତିକି ପଇସାରେ ଅଖଳ ମଖଳ ଜମି ପାଇ ପାରିବ।
ଏବେ ଘର ଦାୟିତ୍ୱ ସ୍ତ୍ରୀକୁ ବୁଝେଇ ଦେଇ ସେ ଘୋଡ଼ାଚଢ଼ି ଚାଲିଲା ବସ୍‌କିର୍‌ ଅଞ୍ଚଳ ଆଡ଼େ। ସାଥିରେ ଥାଏ ଗୋଟିଏ ଚାକର।
ବାଟରେ ଗଲା ବେଳେ ବସ୍‌କିର୍‌ମାନଙ୍କ ମୁଖିଆଙ୍କୁ ମନେଇବା ପାଇଁ ସେ ଚା’ପେଟି ସହିତ ବହୁତ ଉପହାର କିଣିଲା।
ସାତ ଦିନ ପରେ ସେମାନେ ବସ୍‌କିର୍‌ ଅଞ୍ଚଳରେ ପହଞ୍ଚିଲେ। ସେତେବେଳକୁ ଘୋଡ଼ା ଦୁଇଟା ନୟାନ୍ତ ହୋଇଗଲେଣି।

ପୃଷ୍ଠା ୧୨

ନଈକୂଳିଆ ଏକ ବିସ୍ତୃତ ଇଲାକାରେ ତମ୍ବୁ ପକେଇ ରହୁଥାନ୍ତି ସେମାନେ। ସବୁଆଡ଼େ ଖାଲି ଘାସ ଆଉ ଘାସ। ସେମାନେ ଚାଷ କ’ଣ ଜାଣନ୍ତି ନାଇଁ କି ରୁଟି ଖାଆନ୍ତି ନାଇଁ। ପାଳିଥିବା ପଶୁଙ୍କୁ ମାରି ମାଂସ ଖାଇ ରହନ୍ତି।
ଘୋଡ଼ା ପାଳନକରି ସେମାନଙ୍କ କ୍ଷୀରରେ ବସ୍‌କିର୍‌ ନାରୀମାନେ ଛେନା କରନ୍ତି ଓ ଛେନାପାଣିରେ କୁମିସ୍‌ ମଦ ରାନ୍ଧନ୍ତି।
ବସ୍‌କିର୍‌ ପୁରୁଷମାନେ ସାରାଦିନ ମଦ ମାଉଁସ ଖାଇ ହୁକା ଟାଣନ୍ତି। ସଞ୍ଜବେଳେ ଚା’ ପିଇ ଅଳସ କରନ୍ତି। ଦେଖିବାକୁ ହୃଷ୍ଟପୁଷ୍ଟ। କିଛି କାମଧନ୍ଦା ନାଇଁ। ଦିନରାତି ଗପ ମଉଜ। କିନ୍ତୁ ଖୁବ୍‌ ସରଳ।
ପାହୋମ୍‌କୁ ଦେଖି ସେମାନେ ଘେରିଗଲେ। ଉପହାର ଦେଖି ବସ୍‌କିର୍‌ମାନଙ୍କ ଆନନ୍ଦ କହିଲେ ନ ସରେ।
ଅତିଥି ପାହୋମ୍‌ ଲାଗି ଭୋଜିର ଆୟୋଜନ ହେଲା। ଚା’ ପିଆ ସାଙ୍ଗକୁ ମଦପିଆ ବି ଚାଲିଲା।

ପୃଷ୍ଠା ୧୩

ରୁଷ୍‌ ଭାଷା ସେମାନଙ୍କୁ ଜଣା ନ ଥିଲା। ତେଣୁ ଆଉ ଜଣେ ମଧ୍ୟସ୍ଥି ହୋଇ ପାହୋମ୍‌ର କଥାକୁ ବସ୍‌କିର୍‌ ଭାଷାରେ ବୁଝାଇ ଦେଉଥାଏ। ସେମାନେ ପଚାରିଲେ, ତୁମକୁ ଆମ ଏଠିକାର କେଉଁ କଥା ଭଲ ଲାଗୁଛି? ପାହୋମ୍‌ ହସି ହସି ହାତଠାରି କହିଲା, ତୁମର ଜମି। ଆମ ଅଞ୍ଚଳ ଠାରୁ ଏ ମାଟି ଖୁବ୍‌ ଉର୍ବର।
ପାହୋମ୍‌ ବୁଝିପାରୁ ନ ଥାଏ ତା’ କଥା ଶୁଣି ସେମାନେ ଏତେ ଖୁସି ହେଉଛନ୍ତି କାହିଁକି?
ଏବେ ମଧ୍ୟସ୍ଥି କହିଲେ- ତୁମ ଉପହାର ବଦଳରେ ସେମାନେ ତୁମକୁ ମନଇଚ୍ଛା ଜମି ଦେବାକୁ ଚାହାନ୍ତି। ଯେତେ ପାର ସେତେ ଜମି। ଏତିକି ଖାଲି ଯେ ତୁମକୁ ନିଜେ ଦେଖେଇବାକୁ ହେବ, କେଉଁଠାରୁ କେଉଁଯାଏ ନେବାକୁ ଚାହୁଁଛ। ସବୁକଥା କିନ୍ତୁ ବସ୍‌କିର୍‌ ମୁଖିଆଙ୍କୁ ପଚାରି କରାଯିବ।
ପାହୋମ୍‌ ବ୍ୟଗ୍ର ହୋଇ ପଚାରିଲା- ହେଲେ ମୁଖିଆ ମହାଶୟ କାହାନ୍ତି? ଏତିକିବେଳେ ରୁମୁରୁମିଆ ଟୋପିଟିଏ ପିନ୍ଧି ଜଣେ ବ୍ୟକ୍ତି ଆସି ପହଞ୍ଚିଲେ। ତାଙ୍କୁ ଦେଖି ସମସ୍ତେ ଚୁପ୍‌ଚାପ୍‌ ଠିଆ ହେଲେ।

ପୃଷ୍ଠା ୧୪

ମଧ୍ୟସ୍ଥି ଜଣକ କହିଲେ- ଏ ହେଉଛନ୍ତି ମୁଖିଆ। ଏ ଯାଏଁ ପାହୋମ୍‌ ଗୋଟେ ବ୍ୟାଗ୍‌ରେ ଅଲଗା କରି ଏକ ଚକ୍‌ଚକିଆ ଗାଉନ୍‌ ଓ ଗୋଟେ ବଡ଼ ଚା’ ପ୍ୟାକେଟ୍‌ ରଖିଥିଲା। ମୁଖିଆଙ୍କ ପାଖରେ ନଇଁପଡ଼ି ସେ ଧରେଇ ଦେଲା ଉପହାରତକ।
ମୁଖିଆ ପାହୋମ୍‌କୁ ଆଦର କରି ପାଖରେ ବସେଇଲେ ଓ ନିଜ ଲୋକଙ୍କ ଠାରୁ ସବୁକଥା ଶୁଣିଲେ। ଏବେ ସେ ନିଜେ ସିଧାସଳଖ ରୁଷ୍‌ ଭାଷାରେ ପାହୋମ୍‌କୁ କହିଲେ- ଆମର ଏଠି ଅନେକ ଜମି। ଯେତେ ଇଚ୍ଛା ସେତେ ନିଅ।
ପାହୋମ୍‌ ଭାବିଲା ଇଏ କି କଥା? ଜମି ନେବା ପାଇଁ ତ ସରକାରୀ ଟିକଟ ଲଗା କାଗଜପତ୍ର ଦରକାର! ନ ହେଲେ କାଳେ ପରେ କହିବେ ଆମେ ଦେଇନୁ!
ସେଇଠୁ ସେ କହିଲା ମୋର ବେଶି ଦରକାର ନାହିଁ, କିନ୍ତୁ କେଉଁତକ ଜମି ମୋର ମୁଁ ଜାଣିବି କେମିତି? ଜମିତକ ମପେଇ କାଗଜପତ୍ରରେ ଲେଖିକରି ଦେଲେ ସିନା ହବ!

ପୃଷ୍ଠା ୧୫

ମୁଖିଆ ଚାହିଁଲେ ପାହୋମ୍‌କୁ। ପାହୋମ୍‌ ଏଥର ଆଉ ଟିକେ ଆଗେଇ କହିଲା, ଆପଣମାନେ ଭଲ ଲୋକ। କାଲି ଆପଣଙ୍କ ପିଲାମାନେ ଯଦି ଜମିତକ ଛଡ଼େଇନେବାକୁ ବସିବେ? ମୁଖିଆ କହିଲେ, ଆପଣ ଠିକ୍‌ କହୁଛନ୍ତି। ଆମେ ଆଇନ ଅନୁସାରେ କାଗଜପତ୍ର କରିଦେବା ଦରକାର।
ପାହୋମ୍‌ ବୁଝେଇଲା- “ଅଳ୍ପଦିନ ତଳେ ଜଣେ ଆପଣମାନଙ୍କ ଠାରୁ କାଗଜପତ୍ର କରି ଜମି ନେଇଛନ୍ତି। ମୁଁ ସେମିତି ନେବି।” ବସ୍‌କିର୍‌ ମୁଖିଆ କହିଲେ ହଁ, ହଁ। ଆସ ଭିତରେ ସେଥିପାଇଁ ଜଣେ ମୋହରିର ଅଛନ୍ତି। ଆମେ ସହର ଯାଇ ତାହା କରିପାରିବା। ପାହୋମ୍‌ ପଚାରିଲା, ସେ କଥା ଠିକ୍‌ ଯେ, ଜମିର ଦରଦାମ ତ ତୁଟିନି।
ମୁଖିଆ କହିଲେ- ଆମର ଦର ସବୁବେଳେ ସେଇଆ। ଦିନକୁ ହଜାରେ ରୁବଲ୍‌। କିଛି ବୁଝି ନ ପାରି ଚାହିଁଲା ପାହୋମ୍‌। ପଚାରିଲା ମାନେ? ଦିନକୁ କହିଲେ କେତେ ଏକର? ମୁଖିଆ ଉତ୍ତରଦେଲେ- ଆମେ ଜମିକୁ ଏକରରେ ମାପୁନା। ଦିନ ଅନୁସାରେ ହିସାବ କରୁ।
ପୁଣି ବୁଝେଇ କହିଲେ- ଦିନ ସାରା ପାଦରେ ଯେତିକି ଅଞ୍ଚଳ ଜଣେ ମାଡ଼ି ପାରିବ, ସେତକ ସେ ଏକ ହଜାର ରୁବଲ୍‌ ଦେଇ ନେଇପାରିବ। ପାହୋମ୍‌କୁ ବଡ଼ ଆଶ୍ଚର୍ଯ୍ୟ ଲାଗିଲା।

ପୃଷ୍ଠା ୧୬

ସେ କହିଲା, ସେମିତି ହେଲେ ଦିନକ ଭିତରେ ତ ମୁଁ କେତେଗୁଡ଼ାଏ ଅଞ୍ଚଳ ମାଡ଼ିଯାଇ ପାରିବି। ତା’କଥା ଶୁଣି ବସ୍‌କିର୍‌ ମୁଖିଆ ହସିଲେ। କହିଲେ, ଠିକ୍‌ ତ। ସବୁ ଜମି ତୁମର ହେବ।
ତେବେ ଗୋଟିଏ ସର୍ତ୍ତ। ଯେଉଁଠୁ ତୁମେ ଆରମ୍ଭ କରିବ ଦିନ ସରିବା ପୂର୍ବରୁ ଚକ୍କର କାଟି ସେଇଠିକୁ ଫେରିବାକୁ ହେବ। ନଚେତ୍‌ ଜମି ମିଳିବନି କି ପଇସା ଫେରସ୍ତ ମିଳିବନି।
ପାହୋମ୍‌ ବ୍ୟଗ୍ର ଜଣାପଡ଼ୁଥିଲା। ସେ କହିଲା, ହେଲେ ମୁଁ କେଉଁଠୁ ଆରମ୍ଭ କଲି ଆପଣମାନେ ଜାଣିବେ କିପରି? ମୁଖିଆ କହିଲେ- ଆମେ ସାଙ୍ଗରେ ଯିବୁ। ସେଇ ଆରମ୍ଭ ସ୍ଥାନରେ ତୁମେ ଫେରିବାଯାଏଁ ଅପେକ୍ଷା କରି ରହିବୁ।
ତୁମେ ଆରମ୍ଭ କଲାବେଳେ ହାତରେ ଗୋଟେ ଫାଉଡ଼ା ଧରିବ। ଠାଆକୁ ଠାଆ ଚିହ୍ନ ଦେଇ ଯିବାକୁ ପଡ଼ିବ। ସୂର୍ଯ୍ୟ ଅସ୍ତ ହେବା ଆଗରୁ ଆରମ୍ଭ ଚିହ୍ନ ଦେଇଥିବା ସ୍ଥାନକୁ ଫେରିବ। ତା’ପରେ ସେ ଘେରାଯାକ ଅଞ୍ଚଳ ତୁମର ବୋଲି ଜାଣ।

ପୃଷ୍ଠା ୧୭

ହସ ଫୁଟି ଉଠିଲା ପାହୋମ୍‌ ମୁହଁରେ। ଭୋର୍‌ ସକାଳୁ କାମ ଆରମ୍ଭ।
ବସ୍‌କିର୍‌ମାନେ ହସଖୁସିରେ ନିଜ ନିଜ ତମ୍ବୁକୁ ଫେରିଗଲେ। ପାହୋମ୍‌କୁ ବି ଶେଯ ମିଳିଲା।
ରାତିସାରା ନିଦ ନାହିଁ। ପାହୋମ୍‌ ଭାବିଲା ଦିନକେ ସେ ପଞ୍ଚତିରିଶ ମାଇଲ୍‌ ମାଡ଼ିଯିବ। ତେଣିକି ଭଲ ଜମିତକ ରଖି, ଖରାପତକୁ ବିକି ଦବ।
ପାଖ ତମ୍ବୁରୁ କାହାର ଅଟ୍ଟହାସ ପଡ଼ୁଥାଏ କାନରେ। କିଏ ହସୁଛି?
ବାହାରକୁ ଆସି ସେ ଅନିଶା କଲା। ବସ୍‌କିର୍‌ ମୁଖିଆ କି? ନା’ତ! ଅନ୍ଧାରରେ କିଛି ଜାଣି ହେଉ ନ ଥାଏ।

ପୃଷ୍ଠା ୧୮

ପାହୋମ୍‌ ଡରିଗଲା। କିଏ ସେଠି? ଅନିଶା କରି ଦେଖିଲାବେଳକୁ ସେଠି ସଇତାନ୍‌ ହସୁଛି।
ଆରେ, ଏ କ’ଣ? ସଇତାନ୍‌ ସାମନାରେ ଗୋଟେ ଲୋକ ମୁହଁ ମାଡ଼ି ଶୋଇଛି। ଲୋକ ନୁହେଁ, ଗୋଟେ ମଣିଷର ଶବ ସେଇଟା।
ଉଠି ବସିଲା ପାହୋମ୍‌। ପ୍ରକୃତରେ ସେ ସ୍ୱପ୍ନ ଦେଖୁଥିଲା। ଇସ୍‌ କି ଭୟାନକ!
ବାହାରକୁ ଚାହିଁ ଦେଖିଲା ସିନ୍ଦୂରା ଫାଟିଲାଣି। ଏଇ ବୋଧେ ସକାଳ ପାଇବ।
ଧଡ଼ପଡ଼ ହୋଇ ପୋଷାକ ପିନ୍ଧି ସେ ବାହାରି ପଡ଼ିଲା ବସ୍‌କିର୍‌ମାନଙ୍କୁ ଡାକିବା ପାଇଁ।

ପୃଷ୍ଠା ୧୯

ତମ୍ବୁ ବାହାରକୁ ଆସି ବସ୍‌କିର୍‌ମାନେ ପାହୋମ୍‌କୁ ଡାକିଲେ ଚା’ ପିଇବା ପାଇଁ।
ପାହୋମ୍‌ କିନ୍ତୁ ସଫା ମନା କରିଦେଲା। କହିଲା, ଶୀଘ୍ର ଆସ, ବେଳ ହୋଇଯାଉଛି।
ଚାକରକୁ ସାଙ୍ଗରେ ଧରି ପାହୋମ୍‌ ଆଗେ ଆଗେ ଚାଲିଲା। ତା’ହାତରେ ଥାଏ ଗୋଟିଏ କୋଦାଳ।
ପୂରା ସକାଳ ହୋଇନି। ପୂର୍ବ ଆକାଶରେ ଲାଲ ରଙ୍ଗ। ସମସ୍ତେ ଆରମ୍ଭ ସ୍ଥାନରେ ପହଞ୍ଚିଲେ। ସେ ଟା ଥିଲା ଗୋଟେ ଉଚ୍ଚ କୁଦ ସ୍ଥାନ।
ଏତିକିବେଳେ ବସ୍‌କିର୍‌ ମୁଖିଆ ହାତ ଉଠେଇ କହିଲେ- ଏ ସମଗ୍ର ଅଞ୍ଚଳ ଆମର। ତୁମେ ଯେତେ ଇଚ୍ଛା ସେତେ ନେଇପାର।

ପୃଷ୍ଠା ୨୦

ଜ୍ୟାକେଟ୍‌ରେ କିଛି ଖାଇବା ଜିନିଷ ଓ ପାଣି ପୂରେଇ ବେଲ୍‌ଟ ଭିଡ଼ିନେଲା ପାହୋମ୍‌। ତଳେ ଥୁଆ ହୋଇଥିବା ମୁଖିଆର ଟୋପି ଉପରେ ରଖିଦେଲା ଟଙ୍କା ଥଳି।
ଏବେ ଆଗକୁ ଚାହିଁ ଭାବିଲା, କେଉଁ ଦିଗକୁ ଯିବ। ସେଠୁ ମନକୁ ମନ କହିଲା- ଠିକ୍‌ ଅଛି, ଉଇଁଥିବା ସୂର୍ଯ୍ୟକୁ ସାମନା କରି ଚାଲିଲେ ଠିକ୍‌ ହେବ।
ସୂର୍ଯ୍ୟ ପୂର୍ବ ଦିଗରେ ଯେମିତି ମୁହଁ ଦେଖେଇଲେ, କୋଦାଳଟା ଧରି ଆଗକୁ ମାଡ଼ି ଚାଲିଲା ପାହୋମ୍‌। ଧୀରେ ନୁହେଁ କି ଜୋର୍‌ରେ ନୁହେଁ।
ପ୍ରାୟ ହଜାରେ ଗଜ ଗଲା ପରେ କୋଦାଳରେ ଗାଡ଼ କରି ସେଇ ମାଟିରେ ସେ ଗୋଟେ ଛୋଟିଆ ଗଦା କରିଦେଲା। ବାସ୍‌, ସେଇଟା ହେଲା ପ୍ରଥମ ଚିହ୍ନ।
ଏବେ ଉତ୍କଣ୍ଠାର ସହ ସେ ଜୋର୍‌ରେ ଆଗେଇଲା। ବାଟରେ ଚିହ୍ନ ସକାଶେ ମାଟିଗଦା ତିଆରି ଚାଲିଥାଏ।

ପୃଷ୍ଠା ୨୧

ପଛକୁ ଅନେଇଲା ପାହୋମ୍‌। ହେଇ ତ, ବସ୍‌କିର୍‌ମାନେ ଠିଆ ହୋଇଥିବା ଉଚ୍ଚ ସ୍ଥାନଟା ଦେଖାଯାଉଛି।
ପାହୋମ୍‌ ଅନୁମାନ କଲା। ତିନିମାଇଲ୍‌ ଖଣ୍ଡେ ଆସିବଣି ସେ।
ଖରାର ତେଜ ବଢ଼ିଚାଲିଥାଏ। ଜ୍ୟାକେଟ୍‌ଟା ଆଡ଼େଇ ସେ କାନ୍ଧରେ ପକେଇଲା।
ଆରେ! କିଛି ଖିଆ ହୋଇନି ସକାଳୁ। ଭୋକ ଲାଗିଲାଣି। ଟିକିଏ ବସିଯାଇ ପାଉଁରୁଟି ବାହାରକରି ଦୁଇ ପୁଳା ଖାଇଦେଲା ସେ।
ମନକୁ ମନ ଭାବିଲା, ସମୟ ନଷ୍ଟ କରିବା ଉଚିତ ନୁହେଁ। କିଛି ନ ହେଲେ ତାକୁ ତିରିଶ ମାଇଲ୍‌ ଅଞ୍ଚଳ ଘେରି କାଟିବାକୁ ପଡ଼ିବ। ଏବେ ଦଉଡ଼ିଲା ଭଳି ସେ ଚାଲିବାକୁ ଲାଗିଲା। ମାଟି ରଙ୍ଗରୁ ଭଲ ଜମି ଅନୁମାନ କରି ତା’ର ଲୋଭ ବଢ଼ିଗଲା।

ପୃଷ୍ଠା ୨୨

ଏବେ ଲାଗୁଥିଲା ସେ ଯେମିତି ଗୋଟେ ଚାଲୁଥିବା କଳ। ସେ କିଏ, କୁଆଡ଼େ ଆସିଛି, ପରିବାର କେଉଁଠି, କିଛି ମନେ ନ ଥାଏ ତା’ର।
କେବଳ ଚାଲୁଥାଏ ତ ଚାଲୁଥାଏ। ସୂର୍ଯ୍ୟ କେତେବେଳେ ମୁଣ୍ଡ ଉପରୁ ଖସିଖସି ବୁଡ଼ିବାକୁ ବସିଲେଣି।
ବର୍ତ୍ତମାନ ଦେହ ଅଚଳ; ଝାଳରେ ଜୁଡ଼ୁବୁଡ଼ୁ। ଆଖି ଭରିଗଲାଣି କ୍ଳାନ୍ତିରେ। ସୂର୍ଯ୍ୟ ଲାଲ ଟହଟହ ଦେଖାଗଲେଣି।
ବସ୍‌କିର୍‌ ମାନେ ଅପେକ୍ଷା କରିଥିବା ଆରମ୍ଭ ସ୍ଥାନଟା ବେଶ୍‌ ଦୂରରେ ଅଛି। ପହଞ୍ଚି ହେବନି କି? ହେ ଭଗବାନ୍‌।
ଦେହରେ ବଳ ନାହିଁ ଅଥଚ ପ୍ରାଣ ବିକଳରେ ଧକେଇ ଧକେଇ ଦଉଡ଼ୁଥାଏ ପାହୋମ୍‌।

ପୃଷ୍ଠା ୨୩

ଇସ୍‌ ଏ ଝାଳୁଆ ପୋଷାକ ସବୁ ଅଡ଼ୁଆ କରୁଛି। ଦେହରୁ ସାର୍ଟ ଓ ଗଞ୍ଜି ବାହାର କରି ଫୋପାଡ଼ିଦେଲା ସେ।
ନା, ନା ଆଉ ଜୋତା ପିନ୍ଧିହବନି। ଜୋତା ମୋଜା ବି ସେ ଫୋପାଡ଼ିଦେଲା।
ଛାତି ତା’ର ପଡ଼ୁଥାଏ ଉଠୁଥାଏ। ସୂର୍ଯ୍ୟ ବୁଡ଼ିଯିବେ କି? ବସ୍‌କିର୍‌ମାନେ ମୁଖିଆ ସହିତ ଅପେକ୍ଷା କରିଛନ୍ତି। ପାହୋମ୍‌ ଦେଖିପାରୁଥାଏ ସେମାନଙ୍କୁ।
ଏବେ ଚାରିଆଡ଼ ଝାପ୍‌ସା ଝାପ୍‌ସା ଦିଶୁଥାଏ। ବସ୍‌କିର୍‌ମାନେ ପାଟି କରୁଥା’ନ୍ତି, ଦଉଡ଼ି ଦଉଡ଼ି ଚାଲି ଆସ। ଏଇ ତୁମେ ପହଞ୍ଚିଗଲ ବୋଲି ଜାଣ।
ଆଉ ପ୍ରାଣ ନ ଥାଏ ପାହୋମ୍‌ ଦେହରେ। ଛାତିରେ ହାତୁଡ଼ି ପିଟିହେଉଥାଏ। ନା ଆଉ ପାରିବନି।

ପୃଷ୍ଠା ୨୪

ଅଳ୍ପ ଦୂରରେ ଆରମ୍ଭ ଚିହ୍ନ। ଟୋପି ଉପରେ ଟଙ୍କା ଥଳିଟା ଦିଶୁଛି। ସୂର୍ଯ୍ୟ ପୂରାପୂରି ବୁଡ଼ିଗଲେ ଏଥର। ସମସ୍ତ ଶକ୍ତି ଖଟାଇ ଟଳମଳ ଅବସ୍ଥାରେ ପାହୋମ୍‌ ଭିଡ଼ିନେଲା ନିଜକୁ।
ଏବେ ଚିହ୍କାରଟାଏ ଶୁଭିଲା, ‘ସୂର୍ଯ୍ୟ ବୁଡ଼ିଗଲେ, ଯାଃ ମୋର ସମସ୍ତ ଶ୍ରମ ବୃଥା ହେଲା।’
ବସ୍‌କିର୍‌ ମୁଖିଆ ହସୁଥାଏ ପାଟିକରି। ପାହୋମ୍‌କୁ ଲାଗିଲା ସେ ହସ ସଇତାନର ହସ।
ଶେଷ ଉଦ୍ୟମ କରି ପାହୋମ୍‌ ଏକ ପ୍ରକାର ଫୋପାଡ଼ିଦେଲା ନିଜକୁ। ହାତ ବାଜିଲା ଯାଇ ଟଙ୍କା ଥଳି ଦେହରେ। ମୁଖିଆ ଟାକରା ଫୁଟାଇ କହିଲେ, ‘ବାସ୍‌ ବାସ୍‌ ହୋଇଗଲା।’
ସେତେବେଳକୁ ପାହୋମ୍‌ର ପ୍ରାଣବାୟୁ ଉଡ଼ିଯାଇଥିଲା। ଚାକରଟି ଦଉଡ଼ି ଆସିଲା। ପାହୋମ୍‌ ପାଟିରୁ ଛୁଟିଥାଏ ରକ୍ତର ଧାର।
ରାତି ପନେଇ ଆସିଲା। ଏକୁଟିଆ ଚାକରଟି ଗାଡ଼ଟିଏ ଖୋଳି ସମାଧି ଦେଲା ପାହୋମ୍‌କୁ। ଗାଡ଼ଟିର ଲମ୍ବ ମାତ୍ର ଛଅ ଫୁଟ। ସେତିକି ଜମି ପାହୋମ୍‌ର ଜଡ଼ ଶରୀରଟି ସକାଶେ ଯଥେଷ୍ଟ ଥିଲା।

ମୁଖବନ୍ଧ

ବିଖ୍ୟାତ ରୂଷୀୟ ଲେଖକ ଲିଓ ଟଲ୍‌ଷ୍ଟୟ (୧୮୨୮-୧୯୧୦)ଙ୍କ “ହାଓ ମଚ୍‌ ଲ୍ୟାଣ୍ଡ୍‌ ଡଜ୍‌ ଏ ମ୍ୟାନ୍‌ ନିଡ୍‌” ବା “ଜଣେ ମଣିଷ ପାଇଁ କେତେ ଜମି ଲୋଡ଼ା” ଗୋଟିଏ ମନଛୁଆଁ କାହାଣୀ। ଏହା ଲେଖାଯାଇଥିଲା ୧୮୮୬ ମସିହାରେ। ପାହୋମ୍‌ ନାମକ ଏକ ବ୍ୟକ୍ତି ଜମି ଲୋଭରେ ପଡ଼ି ଶେଷରେ କେମିତି ଜୀବନର ସବୁ କିଛି ହରେଇଥିଲେ ତାହା ବେଶ୍‌ ନିଖୁଣ ଭାବରେ ପରିବେଷିତ ହୋଇଛି ଗଳ୍ପଟିରେ।

ପ୍ରସିଦ୍ଧ ଆଇରିସ୍‌ ଲେଖକ ଜେମ୍‌ସ୍‌ ଜଏସ୍‌ (୧୮୮୨-୧୯୪୧) ଥରେ ତାଙ୍କ ଝିଅ ପାଖକୁ ଲେଖିଥିଲେ ଯେ ତାଙ୍କ ମତରେ ଏହା ପୃଥିବୀର ସର୍ବଶ୍ରେଷ୍ଠ କାହାଣୀ।

“କେତେ ଜମି ଲୋଡ଼ା” ପୁସ୍ତକଟି ସେହି କାହାଣୀରୁ ଅନୁବାଦ କରାଯାଇଥିବା କାର୍ଟୁନ୍‌ ରୂପ।

ଦାଶ ବେନହୁର