← ବହି

ଶିଶୁକବିତା ସଂକଳନ

ମୂଷା ଓ ମୁଷୀ

ପରେଶ କୁମାର ପଟ୍ଟନାୟକ

Original story wording · New illustrations by Ahimanikya

Read book →Download PDF
ନଈକୂଳରେ ମୂଷା ଓ ମୂଷୀ

ଲେଖକଙ୍କ ପ୍ରୁଫ୍‌ ସଂଶୋଧନ ଅପେକ୍ଷାରେ · Illustrated draft for writer review

01 / 18

ମୂଷାମୂଷୀ ଗଲେ ବଜାର କରି

ମୂଷାମୂଷୀ ଗଲେ ବଜାର କରି — ନୂଆ ଚିତ୍ର

ମୂଷାମୂଷୀ ଗଲେ ବଜାର କରି ବାଟରେ ପଡ଼ିଲା ନଈ । ନଈରେ ଆସିଛି ଗୋଳିଆପାଣି ଫୁଲିଫୁଲି ଯାଏ ବହି ॥ କୋଉଠି ହେଲା କି ବରଷା ଏତେ ନଈରେ ବଢ଼ିଲା ପାଣି । ମୂଷା ପଚାରିଲା ମୂଷୀକୁ ଚାହିଁ ଏକଥା ଥିଲୁ କି ଜାଣି ? ମୂଷୀ କହିଥିଲା, ମୁଁ କି ଜାଣେ, ରାତିରେ ଥିଲି ମୁଁ ଶୋଇ । ଘରକାମ ସାରି ହାଲିଆ ଲାଗିଲା, ମୁଣ୍ଡ ହେଲା ଝାଇଝାଇଁ ॥ ମୁଁ କରୁଥିଲି ଘରକାମ ସିନା ତମେ ତ ବସିଛ ଚାହିଁ । ତମେ କେମିତି କା ଜାଣିପାରିଲନି ଅତଡ଼ା ଖାଉଚି ନଈ ।

ମୂଳ ପୃଷ୍ଠା 7 ↗

ମୂଷା ବି ଭାବିଲା, କଅଣ ହେଲା ପାଣିରେ ଫୁଲିଲା ନଈ । ବରଷା ନାଇଁ କି ବତାସ ନାହିଁ, ଦୁଇକୂଳ ଯାଏ ଖାଇ ॥ ମୂଷା ହସି ଦେଲା ମୂଷୀକୁ ଚାହିଁ, ଶୁଉଣୁ ଲୋ ଚନ୍ଦ୍ରମୁଖୀ । କାଲି ସାରା ରାତି ବିତିଛି ମୋର ବଢ଼ିଆ ସପନ ଦେଖି ॥ ସପନେ ହେଲି ମୁଁ ଇଂଜିନିୟର ବନ୍ଧବାଡ଼ ଦେଖୁଥିଲି । ପାଣି ନାଇଁ କୋଉ ନଈନାଳରେ ଶୁଖିଲା ପଡ଼ିଛି ବାଲି ॥ ଶୁଣେଇ ଦେଲି ମୁଁ ସଭିଙ୍କୁ ସେଠି ଶୁଣ ମୋ ଚରମବାଣୀ । କାଲି ସକାଳକୁ ଯେମିତି ହେଲେ ନଈରେ ଆସିବ ପାଣି ॥ ମୋ କଥା ମାନିଲେ ମୂଷା ସକଳ କାମରେ ଲାଗିଲେ ମିଶି । ବନ୍ଧ ମୂଳେମୂଳେ ଖୋଳିଲେ ଗାତ ଘଳିଆ ହୋଇଲା ଅଣା ॥

ମୂଳ ପୃଷ୍ଠା 8 ↗

ସକାଳକୁ ଏବେ ଆସିଲା ବଢ଼ି କାହାକୁ ଦେବାରେ ଦୋଷ । ବନ୍ଧବାଡ଼ ପାଇଁ ସର୍କାର ଅଛି, ଘଳିଆକୁ ମୂଷାବଂଶ।

ମୂଳ ପୃଷ୍ଠା 9 ↗

02 / 18

ମୂଷା ମୂଷୀ ଗଲେ ମେଳଣ ଦେଖି

ମୂଷା ମୂଷୀ ଗଲେ ମେଳଣ ଦେଖି — ନୂଆ ଚିତ୍ର

ମୂଷାମୂଷୀ ଗଲେ ମେଳଣ ଦେଖି ମେଳଣରେ ଭାରି ଭିଡ଼। ବିଲେଇ କରିଛି ମିଠାଦୋକାନ ନେଉଳ ବିକେ ପଇଡ଼ ॥ ସାପ ଛାଣେ ବସି ବରା ପକୁଡ଼ି ଗୋଧି ବିକେ ସରବତ । ବେଲୁନ୍‌ ବିକୁଛି ଡାମରାକୁଆ ଚିଲ ଗାଉଅଛି ଗୀତ ॥ କୁକୁର ଡାକୁଛି ଭୋ ଭୋ କରି ଆମ ଦୋକାନକୁ ଆସ । ଆମ ଦୋକାନରେ ମିଳୁଛି ଲଡୁ ଦି’ ଟଙ୍କାକୁ ପୂରା ଦଶ ॥ ମୟୂର ବିକୁଛି ପନିପରିବା ପରିବାରେ ପୋକ ନାହିଁ । କୋଉଠି କଦବା ଦିଶିଲେ ପୋକ ଖୁମ୍ପମାରି ଦିଏ ଖାଇ ॥

ମୂଳ ପୃଷ୍ଠା 10 ↗

କୁକୁଡ଼ା ବିକୁଛି ନୂଆଖେଳଣା, ଖେଳଣା ବଜାଏ ଗିନି । ଗିନିବାଜା ସାଙ୍ଗେ କୁକୁଡ଼ା ନାଚେ ତାକ୍‌ ଧିନ୍‌ ତାକ୍‌ ଧିନି॥ ଏତେ ତ ଦୋକାନ ପଡ଼ିଛି ଏଠି କୋଉଠିକୁ ଯିବୁ କହ ? ମୂଷା କଥା ଶୁଣି କହିଲା ମୂଷୀ, ଭୟରେ ଥରେ ମୋ ଦେହ । ଛାତି ଧକଧକ ହେଉଛି ଦେଖ ପରାଣଟି ମୋର ରହୁ । ଚାଲ ଫେରିଯିବା ଘରକୁ ଆମ ମେଳଣ ଦେଖିବା ଥାଉ ॥

ମୂଳ ପୃଷ୍ଠା 11 ↗

03 / 18

ମୂଷାମୂଷୀ ଦିନେ ଲାଗିଲେ କଳି

ମୂଷାମୂଷୀ ଦିନେ ଲାଗିଲେ କଳି — ନୂଆ ଚିତ୍ର

ମୂଷାମୂଷୀ ଦିନେ ଲାଗିଲେ କଳି, କଳିଗଲା ବଢ଼ି ବଢ଼ି । ମୂଷୀ କହିଦେଲା, ହଡ଼ାବୁଢ଼ା ବୋଲି, ମୂଷା କହିଥିଲା ବୁଢ଼ୀ ॥ ମତେ ତୁ କହିଲୁ ହଡ଼ାବୁଢ଼ା ବୋଲି, ଏ ଗାଳି ସହିବି ନାହିଁ । କଟମଟ କରି ମୂଷୀ ଆଡ଼େ ଚାହିଁ ମୂଷା ଯାଉଥିଲା କହି ॥ ମୂଷୀ ରାଗିଗଲା, ସିଏ ବି କହିଲା, ତୋ କଥାକୁ ହେଜ କର । ମତେ ବି ତୁଉ ବୁଢ଼ୀ କହିଥିଲୁ, ଥରେ ନୁହେଁ ତିନିଥର ॥ ତିନିଥର ସିନା ମୁଁ କହିଥିଲି ତୁ ତ କହିଚୁ ଚାରି । ଗଣିଗଣି କରି ମୂଷା ଏ ହିସାବ ସହଜରେ ଦେଲା କରି ॥

ମୂଳ ପୃଷ୍ଠା 12 ↗

ଚାରିଥର ହେଲା କେତେ ବେଳେ କହ ଭାବିଚୁ କି ମତେ ଓଲୀ । ଗଣିତରେ ପରା ଆମ ଇସ୍କୁଲରେ ଫାଆଷ୍ଟ ମୁଁ ହେଉଥିଲି ॥ କୋଉ ଇସ୍କୁଲ୍‌ରେ ପଢ଼ୁଥିଲୁ କହ, କିଏ ଅବଧାନେ ତୋ'ର । ଚାରିକ ପଣିକିଆ ଗାଇଦେବୁ ଯଦି, ମାନିଯିବି ମୋର ହାର ॥ କେତେ ପଣିକିଆ ଶିଖିଥିଲି ଦିନେ ସବୁ ତ ଗଲି ପାଶୋରି । ଦିନରାତି ଏବେ ନିଅଣ୍ଟ ପଡ଼ୁଛି ଘରକାମ କରିକରି ॥ ଏତିକିବେଳକୁ କୋଉଠିଥିଲା ବିଲେଇ ଡାକିଲା ମ୍ୟାଉଁ । କାହିଁକି କରୁଛ ଏତେ ପାଟିତୁଣ୍ଡ ନିଦ ଭାଙ୍ଗେ ଚାଉଁଚାଉଁ ॥ ମୋଅରି କତିକି ଆସ। ଝଗଡ଼ା ତୁମର ତୁଟାଇ ଦେବି ମୁଁ ମୋ ପାଖେ ଟିକିଏ ବସ ॥ ମୂଷା କହିଲା, ଏ ମୂଷୀ ! ଚାଲ ଯିବା ଏଠୁ ଖସି ॥

ମୂଳ ପୃଷ୍ଠା 14 ↗

04 / 18

ମୂଷା ଯାଇଥିଲା ବନ୍ଧୁଘର ବୁଲି

ମୂଷା ଯାଇଥିଲା ବନ୍ଧୁଘର ବୁଲି — ନୂଆ ଚିତ୍ର

ମୂଷା ଯାଇଥିଲା ବନ୍ଧୁଘର ବୁଲି ଘରେ ଏକାଥିଲା ମୂଷୀ । ଏତିକିବେଳକୁ ବରଷା ଆସିଲା ଗାତେ ଗଲା ପାଣି ପଶି ॥ ଆକତାମାକତା ହୋଇଗଲା ମୂଷୀ ଗୋଳିଆପାଣିରେ ପଡ଼ି । କୁଆଡ଼କୁ ଯିବ କେମିତି କା ଯିବ ଭାବିଭାବି ଛାଡ଼େ ରଡ଼ି ॥ ତା’ ଡାକ କିଏ ବା ଶୁଣିବ କେମିତି ପାଖରେ ବା ଅଛି କିଏ ? ବରଷା ଝରୁଛି, ବିଜୁଳି ମାରୁଛି, ଘଡ଼ଘଡ଼ି ଶୁଭୁଥାଏ ॥ ଦି ଚାରି ଢୋକ, ପାଣି ପିଇଦେଲା ଓଦା ସାରା ଦେହ ହାତ । ଶୀତରେ ଥରିଲା ଦେହ ହାତ ତା'ର ମାଡ଼ିଆସେ ସନ୍ନିପାତ ॥ ବହୁତ କଷ୍ଟରେ ଗୁରୁଣ୍ଡି ଗୁରୁଣ୍ଡି କାନ୍ଥବାଡ଼ ଧରିଧରି । ମୂଷୀ ଲାଗିଅଛି ଜୀବନ ବିକଳେ ଗାତରୁ ଯିବ ବାହାରି ॥

ମୂଳ ପୃଷ୍ଠା 15 ↗

ଗାତର ମୁହଁରେ ପହଞ୍ଚିଲା ମୂଷୀ ହୋଇ ବଡ଼ କଲବଲ । ନିଃଶ୍ୱାସ ପ୍ରଶ୍ୱାସ ରୁନ୍ଧି ହୋଇଥିଲା ଏବକୁ ଲାଗିଲା ଭଲ । ମୁହଁକୁ ଝାଡ଼ିଲା ପବନ ଟାଣିଲା ଆଖି କଲା ମିଟିମିଟି । ବରଷା କମିଛି ପାଣି ବି କମିଛି ଦିଶିଲାଣି ଓଦାମାଟି ॥ ଭାବିଲା ଟିକିଏ ଉପରକୁ ଉଠି କାଲୁଆ ଦେହକୁ ଝାଡ଼ି ମନଭରି ଟିକେ ପବନ ଖାଇବ ସନ୍ନିପାତ ଯିବ ଛାଡ଼ି ॥ ଆଖି ପଡ଼ିଗଲା ଟିକିଏ ଦୂରରେ ମନରେ ପଶିଲା ଭୟ । ସାପ ଗୋଟେ ସେଠି ଫଣା ଟେକିଅଛି ଜିଭ କରେ ଲହଲହ ॥ ଟୁବ୍‌ କିନା ପାଣିରେ ଗଲା ବୁଡ଼ି । ବିଶ୍ଵାସ ନାହିଁ ସାପକୁ ଜମା ଜୀବନଟି ଯିବ ହୁଡ଼ି ॥

ମୂଳ ପୃଷ୍ଠା 16 ↗

05 / 18

ମୂଷାକୁ ଆସିଲା ଜର

ମୂଷାକୁ ଆସିଲା ଜର — ନୂଆ ଚିତ୍ର

ଦିନ ଦ୍ବିପ୍ରହରେ ସେଦିନ ସତେ ମୂଷାକୁ ଆସିଲା ଜର। ନାଲି ପଡ଼ିଗଲା ସାରା ଦେହ ତାର ହାତ ପାଦ ଥରଥର ॥ ଲାଙ୍ଗୁଡ଼କୁ ଜାକି କୁଙ୍କୁରିକାଙ୍କୁରି ପଶିଗଲା ଗାତ କୋଣେ ॥ କମ୍ପ ଆସୁଥିଲା ଦେହ ଅସକତ ମୁଣ୍ଡ ବୁଲାଇଲା ଏଣେ ॥ ମୂଷୀକୁ କହିଲା ଡାକି । ଚାଦର କମ୍ବଳ ଯାହା ଅଛି ଆଣ ଦେ’ ମୋ ଦେହକୁ ଢାଙ୍କି ॥ ଘରେ କ’ଣ ଅଛି କ’ଣ ଅବା ନାହିଁ ସବୁ ତ ମୂଷୀକୁ ଜଣା । କମ୍ବଳ ଚାଦର କୋଉଠୁ ଆଣିବ ବୁଦ୍ଧି ହୋଇଗଲା ବଣା ॥ ସଫା ସଫା ଦେଲା କହି, କନା ଖଣ୍ଡେ ନାହିଁ ଘରକୋଣେ ଏବେ କମ୍ବଳ ଆସିବ କାହିଁ ।

ମୂଳ ପୃଷ୍ଠା 17 ↗

ଘରେ ଜମା ନାହିଁ ଶେଯ କି ମୁନ୍ଦୁରା କୋଉଠୁ ଆଣିବି କହ । କହିବୁ ଯଦି ମୁଁ ମାଟି ଗୋଡ଼ି ଆଣି ଘୋଡ଼େଇ ଦେବି ତୋ’ ଦେହ ॥ ମୂଷା ଗାଳି ଦେଲା, ରାଗିକି କହିଲା କେତେ ଚାଦର ଆଣିଛି । ଖଣ୍ଡଖଣ୍ଡ ଜରି କେତେକେତେ କନା ଘର କୋଣେ ଗଦେଇଛି ॥ କମ୍ବଳ ଆଣିଛି, ଚାଦର ଆଣିଛି ଆଣିଛି ପେଏଣ୍ଟ ଜାମା । ଦାମୀ ଦାମୀ କନା ଆଣିଅଛି ବୋହି ଘରେ ମୋ କରିଛି ଜମା ॥ ଖୋଜିଲାବେଳକୁ କିଛି ନାହିଁ ବୋଲି କେମିତି କହୁଛୁ ମୋତେ । ତୋ’ କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ଜମା ଆସୁନି ପରତେ ॥ ମୂଷୀ ବି ଟିକିଏ ଭାବିଲା ଚିନ୍ତିଲା କାହିଁ ଗଲା କନାପଟା ? ଶେଷରେ କହିଲା, ତୋ ମନେ ନାହିଁ କରୁଅଛୁ ହଲାପଟା ॥ ତୁ ଆଣିଥିଲୁ ଯେତେଯେତେ କନା ମୁଁ ଟିକିଟିକି କଲି ।

ମୂଳ ପୃଷ୍ଠା 18 ↗

ରାତି ସାରା ଆମେ କନା କାଟୁଥିଲେ ହସୁଥିଲେ ଖିଲି ଖିଲି ॥ କାଗଜ କି କନା କାଠ ବା ବାଉଁଶ ଯାହା ବି ପାଖରେ ଥାଏ । ନ କାଟିଲେ ତାକୁ କୋରେଇ କୋରେଇ ଦାନ୍ତଟା ଶୁଳେଇ ହୁଏ ॥ କାଟିବାବେଳକୁ ମଜା ଲାଗୁଥିଲା ଏବେ କିରେ ମନେ ନାହିଁ ? ଯାହା କନା ଥିଲା ଛିନ୍‌ଭିନ୍‌ ହୋଇ ସବୁଗଲା ମାଟି ହୋଇ ॥ କପାଳରେ କର ମାରି, ମୂଷା କାନ୍ଦୁଥିଲା ସକେଇସକେଇ ମୂଷୀ କାନ୍ଦେ ଧିରିଧିରି ॥

ମୂଳ ପୃଷ୍ଠା 19 ↗

06 / 18

ମୂଷାମୂଷୀ ଗଲେ ଧାନବିଲକୁ

ମୂଷାମୂଷୀ ଗଲେ ଧାନବିଲକୁ — ନୂଆ ଚିତ୍ର

ଆସିଗଲା ଯେତେ ଧାନକଟା ବେଳେ ଚାଷୀ ମନ ହେଲା ଖୁସୀ। ପାଚିଲାଧାନକୁ କାଟିବ କେମିତି ଭାବେ ହିଡ଼ମୁଣ୍ଡେ ବସି ॥ ହାତରେ ଧରିବ ଦାଆ, କଚକଚ କରି କାଟିଯିବ ଗଛ, ଧାନଗଦା ହେବ ଠିଆ ॥ ମୂଷା ଡାକ ଦେଲା, ଚାଲ ଯିବା ମୂଷୀ ବିଲରେ ଖୋଳିବା ଗାତ । ଧାନ ଚୋରେଇବା ବେଳ ଆସିଗଲା ପଡ଼ିଲାଣି ଟିକେ ଶୀତ ॥ ରାତି ସାରା ଆମେ କାମରେ ଲାଗିବା କାଟିନେବା ଧାନକେଣ୍ଡା। ଧାନ ବୋହିନେବା ଗାତ ଭିତରକୁ ଲାଗୁପଛେ ଟିକେ ଥଣ୍ଡା ॥ ବରଷା ଆଗରୁ ଚୋରି ଧାନ ସବୁ ଘରଗାତକୁ ବୋହିବା। ହିଡ଼ମୂଳେ ଯୋଉ ଗାତ ଖୋଳିଥିବା ସାପ ପାଇଁ ଛାଡ଼ିଯିବା ॥

ମୂଳ ପୃଷ୍ଠା 20 ↗

ମୂଷୀ ମନ ଭାରି ଖୁସୀ, ବିଲରେ ବୁଲିବା, ପବନ ଖାଇବା, ଗୀତ ବି ଗାଇବା ହସି ॥ ଘରଗାତ ଛାଡ଼ି ମୂଷାମୂଷୀ ଗଲେ ଧାନକଟା ବିଲ ଆଡ଼େ। ବିଲରେ ବୁଲିଲେ, ନାଚିଲେ କୁଦିଲେ ଗୀତ ଗାଇ ଗୋଟେ ଯୋଡ଼େ ॥

ମୂଳ ପୃଷ୍ଠା 21 ↗

ବିଲ ପଡ଼ିଅଛି ଏକର ଏକର ଧାନ ମୁଗ ହାଉହାଉ । ଏତିକି ବେଳକୁ ସଞ୍ଚ ଦେଇଗଲେ ବର୍ଷେ ଯିବ ଖାଉଖାଉ ॥ ମୂଷା କାଟୁଥିଲା ମୂଷୀ ବୋହୁଥିଲା ଏତିକିବେଳକୁ ଚାହାଁ । ସାପଟିଏ ଆସି କିଛି ଦୂରେ ବସି ଜିଭ କରେ ଲହଲହ ॥ ସାପ ଆଡ଼େ ଚାହିଁ, ମୂଷା କହିଗଲା ଆମ କଥା ଟିକେ ଶୁଣ । ଆମରି କାମରେ ଲାଗିଅଛୁ ଆମେ ତୁମର ବା କ୍ଷତି କଣ ? ଆମେ ପରିଶ୍ରମୀ ଭାରି ଯେ ଉଦ୍ୟମୀ ଆମେ ଅଟୁ କର୍ମବୀର । କର୍ମ ଏକା ଆମ ଜୀବନର ଲକ୍ଷ୍ୟ କର୍ମେ ଥାଉ ନିରନ୍ତର ॥ ବିଲ ହିଡ଼ମୂଳେ ଖୋଳିଛୁ ଯେ ଗାତ ସେଇଟି ତୁମକୁ ଦେଇ । ଆମେ ଚାଲିଯିବୁ ଆମରି ଘରକୁ ଧାନ ମୁଗ ବୋହି ନେଇ ॥

ମୂଳ ପୃଷ୍ଠା 22 ↗

ଏଇ ଦେଖ ଆମ ଗାତ, ମଜାରେ ରହିବ ଗୀତ ବି ଗାଇବ, ଲାଗିବନି ଜମା ଶୀତ ॥ ଘର କରିଦେଲୁ ତୁମରି ନାମରେ ଆମେ ବନ୍ଧୁ ଉପକାରୀ । ଜୀବନରେ ତୁମେ ପାଇବନି କେବେ ବନ୍ଧୁଟିଏ ଆମପରି ॥ ସାପ ଏବେ କହେ ହସି, ଚୋରି କରୁଅଛ ତଥାପି ଦେଉଛ ଉପଦେଶ ବେଶି ବେଶି ॥ ମୁଣ୍ଡଝାଳ ତୁଣ୍ଡେ ମାରି ଚଷାପୁଅ କରିଥିଲା ଧାନଚାଷ । ତୁମେ ଚୋର ଦଳ, ଧାନ ଚୋରାଉଛ କରି ତା'ର ସର୍ବନାଶ ॥ ହେବ ନାହିଁ ହେବ ନାହିଁ, ତୁମେ ପକ୍କା ଚୋର, ନୁହଁ କର୍ମବୀର କ୍ଷମା ନାହିଁ ତୁମପାଇଁ । ମୂଷା ଡାକ ଦେଲା, ଚାଲ। ଚାଲିଯିବା ଏଠୁ ଭଲ ॥

ମୂଳ ପୃଷ୍ଠା 23 ↗

07 / 18

ଚାଳୁଆମୂଷାକୁ ଗାତୁଆମୂଷା

ଚାଳୁଆମୂଷାକୁ ଗାତୁଆମୂଷା — ନୂଆ ଚିତ୍ର

ଚାଳୁଆମୂଷାକୁ ଗାତୁଆମୂଷା ହୋଇଗଲା ଦିନେ ଦେଖା। କୋଳାକୋଳି ହେଲେ ଖୁସୀ ଗପ ହେଲେ ଦୁଇବନ୍ଧୁ ଦୁଇସଖା ॥ ଚାଳୁଆମୂଷାଟା ଚାଳେଚାଳେ ବୁଲେ ଘର ତା’ ଚାଳ ଭିତର । ଗାତୁଆମୂଷାଟା ତଳେ ବୁଲୁଥାଏ ମାଟି ଖୋଳି କରେ ଘର ॥ କେମିତିକା ଅଛ ବନ୍ଧୁ ହେ ତୁମେ ପଚାରେ ଗାତୁଆମୂଷା । କହିଲା ଚାଳୁଆ, ଭଲ ଆଉ କଣ, ଉଜୁଡ଼ିଲାଣି ମୋ ବସା॥ ଲୋକ ଏବେ କଲେ ପକ୍କା ଘର ସବୁ ବାଲି ସିମେଣ୍ଟର ଛାତ । କୋଉଠି ରହିବି କେମିତି ରହିବି ସେ କଥା ଭାବୁଛି ମିତ ॥ ଚାଳଛପରର ଘର ଆଉ ନାହିଁ ରୁଅ ବାଉଁଶ ବା କାହିଁ । ସିମେଣ୍ଟ ଛାତକୁ କଣା କରିବାକୁ ଦାନ୍ତରେ ମୋ ଧାର ନାହିଁ ॥

ମୂଳ ପୃଷ୍ଠା 24 ↗

ବାସ ମୋ ଗଲା ଉଜୁଡ଼ି, ଚାଳୁଆମୂଷାର ପରିଚୟ ଗଲା, ବୁଲୁଚି ମୁଁ ବାସ ଛାଡ଼ି ॥ ସବୁ ଶୁଣି ସାରି ଗାତୁଆ କହିଲା ମୋର ବି ସମଦଶା। ଲୋକ ଘର କଲେ ସିମେଣ୍ଟ ଚଟାଣ ମାର୍ବଲ ଟାଇଲ ବସା ॥ କୋଉଠି ଖୋଳିବି ଗାତ ଆଉ କହ ଭାଙ୍ଗିଯାଏ ମୋର ଦାନ୍ତ । ମାର୍ବଲ ଟାଇଲ୍‌ କାଟିଦେବା ପାଇଁ ଦେହରେ ନାହିଁ ତାକତ ॥ ଚିକ୍‌ମିକ୍‌ ଘରେ ମଣିଷ ରହିଲେ ବିଜୁଳି ଆଲୁଅ ଜଳେ । ଲୁଚି ବସିବାକୁ ଅନ୍ଧାର ଟିକିଏ ଘରକୋଣ ନାହିଁ ମିଳେ ॥ ମୁଁ ବି ଛାଡ଼ିଛି ଘର ବୁଦା ବାଡ଼ମୂଳେ ବସା ମୁଁ ବାନ୍ଧିଛି ଝଡ଼ବତାସକୁ ଡର ॥ ଦୁଇ ବନ୍ଧୁ ହେଲେ ଦୁଃଖେ କୋଳାକୋଳି ବହେ କନ୍ଦାକଟା କରି । ମାଟିଘର ଆଉ ଚାଳଛପରର ଅତୀତକୁ ଝୁରିଝୁରି ॥

ମୂଳ ପୃଷ୍ଠା 25 ↗

08 / 18

ଗାଆଁମୂଷା ଦିନେ ଗଲା ସହର

ଗାଆଁମୂଷା ଦିନେ ଗଲା ସହର — ନୂଆ ଚିତ୍ର

ଗାଆଁମୂଷା ଦିନେ ବୁଲି ବାହାରିଲା ସହର । ସହରରେ ତା'ର ସାଙ୍ଗ ତୋଳିଅଛି ନଅର ॥ ବିଜୁଳି ଆଲୁଅ ଜଳୁଥାଏ ଦିନରାତି । ଟେଲିଭିଜନରେ ନାଚଗୀତ ଅସରନ୍ତି ॥ ଖାଇବାକୁ ପୁଣି ଖାସି ମାଂସର ତର୍କାରୀ । କେବେ ବିରିୟାନୀ କେବେ ଚିକେନ ତନ୍ଦୁରୀ । ଭଲମନ୍ଦ ଖାଇ ସହରୀ ମୂଷା ଫୁଲୁଛି। ପେଟ ବଢ଼ିଲାଣି ଡାଏଟିଂ ବି କରୁଛି ॥ ଏତେ ସୁଖଶିରୀ ସହରୀମୂଷା ଭାଗ୍ୟରେ । ଶୁଣି ଗାଁ ମୂଷା କପାଳରେ କର ମାରେ ॥ ଭାଗ୍ୟ ଥିଲେ କାଳେ ମିଳିବ ସୁଖ କାଣିଚେ ଏଇ ଆଶା ରଖି ସହରେ ମୂଷା ପହଞ୍ଚେ ॥ ଅଧାବାଟେ ଦେଖା ହୋଇଗଲା ବନ୍ଧୁ ସହରୀ । ତରତର ହୋଇ ଯାଉଥିଲା କେଣେ ବାହାରି ॥ କୁଆଡ଼େ ଆସିଲ ବନ୍ଧୁ ହେ ମୋର ଗାଉଁଲି । ଗାଉଁଲି କହିଲା, ବୁଲିବାକୁ ପରା ଆସିଲି ॥ ଦେଖିବି ତୁମର ସୁଖ ସଉଭାଗ୍ୟ ଆଖିରେ । ବିରିଆନୀ ପୁଣି ଖାଇବି ତୁମର ସାଥିରେ ॥

ମୂଳ ପୃଷ୍ଠା 26 ↗

ମାର୍ବଲ ବିଛା ଚଟାଣରେ ଟିକେ ଶୋଇବି । ଟେଲିଭିଜନରେ ନାଚଗୀତ ଟିକେ ଦେଖିବି ॥ ଅଟକାଇ ଦେଲା ବନ୍ଧୁକୁ ଏବେ ସହରୀ । କୁହ ନାହିଁ ଆଉ କିଛି ହେଲେ ବନ୍ଧୁ ମୋହରି ॥ ବଇରି ସାଜିଛି ଏବେ ମୋର ଘରବାଲାଟା। ଗୋଟେ ନୁହେଁ ଏବେ ବିଲେଇ ପାଳିଛି ଚାରିଟା ॥ ଘର ଚାରିପାଖେ ଏମିତି ଓଷଦ ବୁଣିଛି । ନାକରେ ସେ ଗନ୍ଧ ବାଜିଲେ ଦେହଟା ଜଳୁଛି ॥ ଅଠାଦିଆ ଯନ୍ତା ବସେଇଛି ଘର କୋଣରେ । ପଡ଼ି ଗଲେ ପାଦ ଛଟପଟ ହେବା ସାରରେ ॥ ମୂଷା ଜାତି ପାଇଁ ସହରଟା ବଡ଼ ଦାରୁଣ। ଚାରିଦିଗେ ଏବେ ଜଗି ବସିଅଛି ମରଣ ॥ ବାହାରିଛି ଏବେ ରେଳଷ୍ଟେସନରେ ରହିବି । ଟ୍ରେନ୍‌ରେ ଚଢ଼ି ସାରା ଭାରତଟା ବୁଲିବି ॥ ତୁମେ ଯଦି ଚାହଁ, ଆସିଯାଅ ମୋ ସାଥିରେ । ପରିଚିତ ହେବା “ ଭ୍ରାମ୍ୟମାଣମୂଷା” ନାମରେ ॥

ମୂଳ ପୃଷ୍ଠା 27 ↗

09 / 18

ମୂଷା ଯାଇଥିଲା ବିଲକୁ

ମୂଷା ଯାଇଥିଲା ବିଲକୁ — ନୂଆ ଚିତ୍ର

ମୂଷା ଯାଇଥିଲା ବିଲଆଡ଼େ ଦିନେ ରାତିରେ । ପୂର୍ଣ୍ଣମୀ ଜହ୍ନ ଉଇଁଛି ଆକାଶ ଛାତିରେ ॥ ଜହ୍ନ ଆଲୁଅରେ ଚାରିଆଡ଼େ ଦିଶେ ଉଜ୍ଜଳ । ଗୀତ ଗାଇବାକୁ ମୂଷା ମନ ହେଲା ବିକଳ ॥ ଏଇ ଜହ୍ନରାତି ହଜିଯିବ ଏଇ ଅବିକା। ଗୀତ ଯଦି ପଦେ ନ ଗାଇଲି ନାଚି ନାଚିକା ॥ ଜୀବନର ଆଉ କଣ ବା ମାନେ ରହିଲା। ମୂଷା ଜନମର ମୂଲ୍ୟ ମାଟିରେ ମିଶିଲା ॥ ଚିଂଚିଂ ସ୍ଵରେ ଗୀତ ଆରମ୍ଭିଲା ମୂଷିକ । ତା’ ଗୀତ ସୁରରେ ମିଶିଲେ ଝିଙ୍କିକା ଯେତେକ ॥ ସମସ୍ତେ ଏକାଠି ଚିଂଚିଂ ସ୍ଵରେ ଗାଇଲେ । ଗୀତ ତାଳେତାଳେ ମନଭରି ପୁଣି ନାଚିଲେ ॥ ଏତିକିବେଳକୁ ସଁଅ ସଁଅ ଶବ୍ଦ ଶୁଭିଲା । ଅଧାଅଧି ହେଇ ଗୀତ ବି ଅଟକି ରହିଲା ॥ କିଏ ତୁମେ ପୁଣି ଆସିଗଲ ଗୀତ ଅଧାରେ । ତାଳ ଜ୍ଞାନ ନାହିଁ ସଁଅ ସଁଅ ହୁଅ ମଝିରେ ॥ ସଁଅ ସଁଅ ବାଲା କହିଲା, ଭାଇ ମୋ ଶୁଣ ହେ । ଆମେ ହେଲୁ ସାପ, ନୃତ୍ୟଗୀତ ପ୍ରବୀଣ ହେ ॥

ମୂଳ ପୃଷ୍ଠା 28 ↗

ପାଦ ଆମ ନାହିଁ ସେଥିପାଇଁ ନାଚୁନାହୁଁ । ପାଟି ଅଛି ଯେଣୁ ଗୀତ ପଦେ ଅଧେ ଗାଉ ॥ ତୁମ ଗୀତ ଶୁଣି ନାଚିବା ପାଇଁ ମୋ ମନ । କଅଣ କରିବି ଭାଗ୍ୟ ମୋ ହୀନିମାନ ॥ ପାଦ ଏକ ଯୋଡ଼ା ଦେଲେ ନାହିଁ ଈଶ୍ୱର । ନ ହେଲେ ନାଚି ମୁଁ କରିଥାନ୍ତି ଥରହର ॥ ସାପର ଆଖିକୁ ମୂଷା ଦେଲା ଯେବେ ଚାହିଁ । ରଡ଼ ନିଆଁ ପରି ଜଳୁଅଛି ଆଖି ଦୁଇ ॥ ଜିଭଟା କରୁଛି ଲହଲହ ପବନରେ । ସଅଁ ସଅଁ ହୋଇ ଗୀତ ପଦେ ଅଧେ ଧରେ ॥ ଭୟରେ ଆତୁର ମୂଷା କରିଦେଲା ଦଉଡ଼ ଗୀତ ନାଚ ଥାଉ ଜୀବନ ସବୁଠୁ ବଅଡ଼ ।

ମୂଳ ପୃଷ୍ଠା 29 ↗

10 / 18

ମୂଷାମୂଷୀ ଗଲେ ବଣଭୋଜିକୁ

ମୂଷାମୂଷୀ ଗଲେ ବଣଭୋଜିକୁ — ନୂଆ ଚିତ୍ର

ମୂଷାମୂଷୀ ଗଲେ ବଣକୁ ଭୋଜି କରିବା ପାଇଁ । ସାଙ୍ଗେ ଥିଲେ ପିଲାପିଚିକା ପୁଣି ଭଉଣୀଭାଇ ॥ ଗୀତ ଗାଇବାକୁ ମାଇକ ପୁଣି ଡୁବି ତାବଲ । ଖେଳିବାକୁ ବ୍ୟାଡମଣ୍ଟନ୍‌ ଆଉ ଫୁଟବଅଲ୍‌ ॥ ଜଙ୍ଗଲିଆ ବୁଦାମୂଳରେ ଗଲେ ସଭିଏଁ ବସି । ନାଚ ଗୀତ ଖେଳ ଜମିଲା ମନ ହୋଇଲା ଖୁସି ॥ ଏତିକିବେଳକୁ ବାଘଟା ଆସି ହେଲା ହାଜର । ରାଗିମାଗି କରି ଗର୍ଜିଲା ଆରେ ଆରେ ପାମର ॥ କାହିଁକି ଏଇଠେ ନାଚୁଛ ଏଟା ଇଲାକା ମୋର । ଏଇ ଜଙ୍ଗଲର ରାଜା ମୁଁ ନାହିଁ ଟିକେ ଖାତର ॥ ହାତ ଯୋଡ଼ି ମୂଷା କହିଲା ପ୍ରଭୁ ଶୁଣ ଦୟିନୀ । ଆମେ ଆସିଥିଲୁ ଜଙ୍ଗଲେ ନେବୁ ତୁମ ଦର୍ଶନୀ ॥ ନାଚଗୀତ ସବୁ କରୁଛୁ ପ୍ରଭୁ ତୁମର ପାଇଁ । ତୁମେ ପ୍ରଭୁ ଆମ ରାଜନ ତୁମେ ଆମରି ସାଇଁ ॥ ତୁମରି କଣ୍ଠରୁ ଶୁଣିବୁ ଆମେ ଗୋଟିଏ ଗୀତ । ବହୁତ ଦୂରରୁ ଆସିଛୁ ଭ୍ରମି ଅନେକ ପଥ ॥

ମୂଳ ପୃଷ୍ଠା 30 ↗

ବାଘ ଖୁସୀ ହୋଇ କହିଲା, ସଜା ଡୁବି ତାବଲା । ଗୀତ ଗାଇବାରେ ଆମକୁ କିଏ ପାରିବ ଭଲା ॥ ହେଣ୍ଟାଳ ମାରିଲା ବାଘଟା ଥରିଗଲା ଜଙ୍ଗଲ । ଗୀତ ସାଥେ ଏବେ ନାଚ ହେ ପ୍ରିୟ ମୂଷିକ ପଲ ॥ ଦୂରରୁ ଶୁଭିଲା ସିଂହର ଏବେ ଗର୍ଜନ ଘାତ । ମୋ ରାଇଜରେ କିଏରେ ଗାଏ ବେସୁରା ଗୀତ ॥ ନିଦ ମୋର କିଆଁ ଭାଙ୍ଗିଲୁ ଆଜି ଛାଡ଼ିବି ନାହିଁ। ଦୁଇଟା ଚାପଡ଼ କଷିବି ଏଠୁ ଯିବୁ ପଳାଇ ॥ ବାଘ ବି ଛାଡ଼ିଲା ଗର୍ଜନ, ଏଟା ମୋ ରାଜୁତି । ଏଇ ଜଙ୍ଗଲର ରାଜା ମୁଁ, ଏଠି ମୁଁ ଛତ୍ରପତି ॥ ସିଂହ କି ସହଜେ ଛାଡ଼ିବ ବାଘ ବହପ ଶୁଣି । ତତେ କିଏ କଲା ରାଜନ, ମୁଁ ତ ପାରୁନି ଜାଣି ॥ ବାଘ ସିଂହ କଳି ଲାଗିଲେ ହେଲେ ବାଡ଼ିଆବାଡ଼ି । ଧରାଧରି ହୋଇ ଭୁଇଁରେ ଗଲେ ପରସ୍ତେ ଗଡ଼ି ॥ ମାଇକ୍‌ ସେଏଟ ଭାଙ୍ଗିଲା ଡୁବି ତବଲା ଗଲା । ମାଟିରେ ମିଶିଲା ଖାଇବା ପାଇଁ ଯାହା ବା ଥିଲା ॥ ଭାଙ୍ଗିଭୁଙ୍ଗି ଚୂନା ହୋଇଲା ସବୁ ହାଣ୍ଡି ଡେକିଚି । ଦଉଡ଼ୁ ଦଉଡ଼ୁ ମୂଷାର ଗୋଡ଼ ଗଲା ମକଚି ॥ ମୂଷା ଡାକଦେଲା ଶୁଣ ହେ ମୋର ଭଉଣୀଭାଇ । ବଣଭୋଜି ଶେଷ ହୋଇଲା, ଚାଲ ଏଠୁ ପଳେଇ ॥

ମୂଳ ପୃଷ୍ଠା 31 ↗

11 / 18

ମୂଷା ଯାଇଥିଲା ବଣକୁ

ମୂଷା ଯାଇଥିଲା ବଣକୁ — ନୂଆ ଚିତ୍ର

ମୂଷା ଯାଇଥିଲା ବଣକୁ, ବଣରେ ଦେଖିଲା ବାଘ । ବାଘ ଯାଉଥିଲା ଶିକାର କରି ମୁଣ୍ଡେ ବାନ୍ଧିଥିଲା ପାଗ ॥ ଜଙ୍ଗଲ ଭିତରେ କିଏ ସେ ପାଜି କରୁଅଛୁ ଖସଖସ । ମାରିଦେବି ଯଦି ବ୍ରହ୍ମଚାପୁଡ଼ା ପ୍ରାଣଯିବ ତୋର ନାଶ ॥ ଏଇ ଜଙ୍ଗଲର ରାଜା ମୁଁ, ନାଁ ମୋର ମହାବଳ । ମୋ ନାମ ଶୁଣି କମ୍ପ ଉଠନ୍ତି ହରିଣ ଠେକୁଆଦଳ ॥ ପାଦ ଚିପିଚିପି ଯାଉଛି ମୁଁ ଶିକାର ଧରିବା ପାଇଁ । ଏତିକିବେଳକୁ କିଏରେ ତୁ ଇଆଡ଼େ ଆସିଲୁ ଧାଇଁ ॥ ମୂଷା ହସିଲା, ହେଁ ହେଁ ମୋତେ ଜାଣନି କିରେ । ମୁଁ ବି ଅଟେ ମୂଷାରାଜନ ମତେ ମଣିଷ ଡରେ ॥ କାଟେ ମଣିଷର ଖାତାପତର ଲୁଗାପଟା କରେ କଣା । ଚୋରି କରେ ଧାନଚାଉଳ, ବୁଦ୍ଧି ହେଲାଣି ତା’ ବଣା ॥ ନିତି ନୂଆ ଯନ୍ତ୍ର କାଢ଼ୁଛି ମୋତେ ପାରୁନି ମାରି । ଏଇଥିରୁ ଜାଣି ପାରୁଥା ବଳ କେତେ ମୋହରି ॥ ମୂଷା କଥା ଶୁଣି କହିଲା ବାଘ, ଶୁଣ ମୋ ଭାଇ । ଧରିଆଣ ଗୋଟେ ମଣିଷ ତାକୁ ଖାଇବି ମୁହିଁ ॥ ଏତେ ଯଦି ତୁମେ ବଳୁଆ ଏଇ କାମଟି କର । ମଣିଷଟିଏ ମୁଁ ଖାଇବି ମନ ବଳିଛି ମୋର ॥ କାହିଁ କୋଉଦିନୁ ଖାଇନି ମୁଁ ଯେ ମଣିଷମାଂସ ।

ମୂଳ ପୃଷ୍ଠା 32 ↗

ଆଶା ମୋ ପୂରଣ ହୋଇବ ମନ ହେବ ଉଶ୍ଵାସ ॥ ବାଘ କଥା ଶୁଣି ହସିଲା ମୂଷା କିଇରି କିରି । ମଣିଷ ମାଉଁସ ଭୁଲିଯା, ସେ ତ ସଭିଙ୍କ ବୈରୀ ॥ ଯଦି ସିଏ ଜାଣିପାରିବ ଏଠି ବାଘଟେ ଅଛି । ବନ୍ଧୁକଟେ ଧରି ଆସିବ ଗୁଳି ଦେବଟି ନାଛି ॥ ଉତାରି ନେବ ସେ ଛାଲକୁ କାଟିନେବ ଟି ନଖ । ବଞ୍ଚିବାକୁ ଯଦି ଚାହୁଁଛ ଖସିବା ବାଟ ଦେଖ ॥ ବାଘ କହିଲା ଶୁଣିଚି ମୁଁ ମଣିଷ ଭଲ ଭାରି । ବାଘ ବଉଁଶ ରକ୍ଷା ପାଇଁ ଯୋଜନା ଅଛି କରି ॥ ମାରିବ ଯିଏ ବାଘଟାଏ ହୋଇବ ତାକୁ ସଜା । ଧରା ପଡ଼ିଲେ ବାହାରିଯିବ ଶିକାରୀର ମଜା ॥ ମୂଷା କହିଲା ଦୁଃଖ ମୋର ସେତିକି ଅଛି ଭାଇ । ମୂଷାବଉଁଶ ରକ୍ଷାପାଇଁ ଯୋଜନା କିଛି ନାହିଁ ॥ ମୂଷାଜାତିର ବିଲୋପ ପାଇଁ ମଣିଷ ଲାଗିଅଛି । ଭୟ ଆଉ ଦୁଃଖରେ ଆମ ଜୀବନ ବିତୁଅଛି ॥

ମୂଳ ପୃଷ୍ଠା 33 ↗

12 / 18

ମୂଷା ହେଲା ବରଯାତିରୀ

ମୂଷା ହେଲା ବରଯାତିରୀ — ନୂଆ ଚିତ୍ର

ବେଙ୍ଗ ବାହାଘରେ ମୂଷା ହେଲା ବରଯାତିରୀ । ସାଇପଡ଼ିଶାରେ ବଢ଼ିଗଲା ତା’ର ଖାତିରି ॥ ସଜବାଜ ହୋଇ ବାହାରିଲା ସିଏ ସହଳ । ବେଶି ଡେରି ହେଲେ ଭୋଜି ହୋଇଯିବ ଆମ୍ବିଳ ॥ ନଈର କୂଳରେ ସଜା ହୋଇଅଛି ବେଦୀଟି । ବେଙ୍ଗବେଙ୍ଗୁଲୀଙ୍କ ବାହାଘର ହେବ ସେଇଠି ॥ ତେଲିଙ୍ଗିବାଇଦ ବଜାଇବେ ବଗବଗୁଲୀ । ମାଛମାନେ ମିଶି ଗାଇବେ ସେଠାରେ କବାଲି ॥ ବରଯାତ୍ରୀ ସବୁ ଚାଲିଲେ ଆଗରେ ଆଗରେ । ପାଲିଙ୍କିରେ ବସି ବେଙ୍ଗ ଯାଉଥିଲା ପଛରେ ॥ ନାଚୁଥିଲେ ସବୁ ବରଯାତ୍ରୀ ମାରି ରଡ଼ିରେ । ମଝିରେ ମଝିରେ ଗୀତ ପଦେ ଅଧେ ଛାଡ଼ିରେ ॥ ବେତାଳିଆ ଗୀତ ଶୁଣି ଶୁଣି କାନ ତାବଦା । ଫାଟିଯିବ ସତେ କାନର ପତଳା ପରଦା ॥ ନଈ କୂଳେ ଯେବେ ପହଞ୍ଚିଲେ ବରଯାତିରୀ ନାଚିକୁଦି ପୁଣି ମାରିଲେ ଓଠରେ ସୁସୁରୀ ॥ ଖପଖାପ ହୋଇ ଡେଇଁଗଲେ ଏବେ ପାଣିକି । ଡାବୁ ଡାବୁ ହୋଇ ବୁଡ଼ିଲେ ଉଠିଲେ ନାଚିକି ॥

ମୂଳ ପୃଷ୍ଠା 34 ↗

ପାଲିଙ୍କି ସମେତ ବେଙ୍ଗ ବର ଏବେ ଡେଇଁଲା । ନଈରେ ପହଁରି ଆର କୂଳେ ଯାଇ ଲାଗିଲା ॥ ନଈ ଆର କୂଳେ ବାହା ବେଦୀ ବନ୍ଧା ସରିଛି । ବେଦୀ ଚାରିକଡ଼େ ବେଲୁନ ଦଶଟା ଝୁଲୁଛି । ସାଙ୍ଗସାଥୀମାନେ ହୁଳହୁଳି ଦେଲେ ପକେଇ ବେଙ୍ଗୁଲୀ କନିଆଁ କାନ୍ଦୁଛି ସକେଇ ସକେଇ ॥ ଭୋଜି ରନ୍ଧା ସରି ପତର ପଡ଼ିବ ଏଇନା । ମାଛ ବେସରକୁ ପଲଉ ରାନ୍ଧିଛି ଭାଇନା ॥ ରାଇତା ସାଙ୍ଗକୁ ରହିଛି କଖାରୁ ଖଟେଇ । ପଙ୍ଗତ ଶେଷକୁ କ୍ଷୀରୀ ମାଲପୁଆ ମିଠେଇ ॥ ମୂଷା ଭାବୁଅଛି ଡେଇଁବ ନା ନାଇଁ ନଈକୁ । ନଈରେ ବୁଡ଼ିଲେ ପ୍ରାଣ ଯିବ ଯମପୁରୀକୁ ॥ ଭୋଜିଭାତ ଯାଉ ଚୁଲିକି, ବଞ୍ଚିରହିଥିଲେ କେତେ ଭୋଜି ହେବ କାଲିକି ॥

ମୂଳ ପୃଷ୍ଠା 35 ↗

13 / 18

ଆସିଲା ଶୀତ

ଆସିଲା ଶୀତ — ନୂଆ ଚିତ୍ର

ଆସିଲା ଶୀତ ଗାଇଲେ ଗୀତ ମୂଷା ଓ ମୂଷୀ ମିଶି । ଗାତୁ ବାହାରି ଜମା ନ ଡ଼ରି ଖରା ପୁଇଁଲେ ବସି ॥ ସକାଳଖରା ଆହା କି ତୋରା ମଜା ଯେ କେଇ ଗୁଣ। ଖରାରେ ଖେଳି ଉଡ଼ାଇ ଧୁଳି ନାଚିଲେ ଦୁଇଜଣ ॥ ଖରା ବଢ଼ିଲା ଗରମ ହେଲା, ଚାଲରେ ଏବେ ଘର । ମୂଷୀର କଥା ଶୁଣିକି ମୂଷା ହୋଇଲା ଗରଗର ॥ ଶୀତଦିନିଆଁ ସକାଳଖରା ମିଳିବ ଅବା କାହିଁ । ଖରାରେ ଖେଳି ନାଚିବା ମିଳି ଏମିତି ମଜା ନାହିଁ ॥

ମୂଳ ପୃଷ୍ଠା 36 ↗

ମୂଷୀ କହିଲା, ନାଚୁଥା ତୁ ଚାଲିଲି ମୁହିଁ ଘର । ବାସିପାଇଟି ସରି ନାହିଁଟି ବହୁତ କାମ ମୋର ॥ ଜମାରୁ ଭଲ ନୁହଁଇ ଏଇ ବାହାରେ କଉତୁକ । ଯିଏ ଦେଖିବ ରାଗି ଉଠିବ ଧରିବ ଆମ ବେକ ॥ କେହି କୁଆଡ଼ୁ ଆସିବା ଆଗୁ ପଳେଇଯିବା ଚାଲ । ନୋହିଲେ ଆମ ଜୀବନ ହେବ ନିହାତି କଲବଲ ॥ ମୂଷାଜାତିରେ ଜନମ ଆମ ଲୁଚିକି ବୁଲୁଥିବା । ଲୁଚାଛପାରେ ଯାହା ପାଇବା ଚୋରେଇ ନେଇଯିବା ॥ ମୂଷା କହିଲା ଫୁଲାଇ ଛାତି କହନା କଥା ବେଶି । ଗଣେଶଙ୍କର ବାହନ ଆମେ ଆମେ ବି ଦେବଅଂଶୀ ॥

ମୂଳ ପୃଷ୍ଠା 37 ↗

କେଡ଼େ ଶ୍ରଦ୍ଧାରେ ଗଣେଶପୂଜା କରନ୍ତି ପିଲା କେତେ । ଫୁଲ ଚଢ଼ାନ୍ତି ଭୋଗ ବାଢ଼ନ୍ତି ଲଡ଼ୁ ଯାହାକୁ ଯେତେ ॥ ଗଣେଶଙ୍କର ବାହନ ବୋଲି ଆମେ ବି ପାଉ ପୂଜା । ଗଣେଶ ପୂଜା ଦିନଗୁଡ଼ିକ ଲାଗଇ ବଡ଼ ମଜା ॥ ମଣିଷମାନେ ଭାରି ଦୟାଳୁ ଭାରି ଧରମ ପ୍ରାଣ । ଗଣେଶଙ୍କର ବାହନ ବୋଲି ସ୍ନେହ କରନ୍ତି ଜାଣ ॥ କେବଳ ମାତ୍ର ବିଲେଇ ଆମ ବଇରୀ ଜଣାଶୁଣା । ବିଲେଇ ଯଦି ରହିବ ନାହିଁ, ଆମେ ଜଗତଜିଣା । ମୂଷୀ ହସିକି କହିଲା ଶୁଣ୍‌ ହେଲୁଣି ତୁହି ବାଇ । କିଏ ରଖିଛି ବିଲେଇ କହ ପାଳିଛି କାହିଁ ପାଇଁ ॥

ମୂଳ ପୃଷ୍ଠା 38 ↗

ମାରିବା ପାଇଁ ମୂଷାଜାତିକି ମଣିଷର ଏ ପଣ । ବିଲେଇ ରଖି ପିଆଏ କ୍ଷୀର ନାଶିବ ଆମ ପ୍ରାଣ ॥ ଲୁଟେରା ଆମେ ଚୋର ତ ଆମେ ଆମେ ଯେ ହୀନଜାତି । ଗଣେଶଙ୍କର ବାହନ ବୋଲି ଫୁଲାନି ଆଉ ଛାତି ॥ ଚୋର ପ୍ରକୃତି ଖରାପ ଅତି ଅନ୍ଧାରି ଘରେ ଥାଏ । ଆଲୁଅ ମେଳେ ନାଚିବା ପାଇଁ ଯୋଗ୍ୟ ନୁହେଁ ସିଏ ॥ ଘରକୁ ଯିବା ଚାଲ, ଦେଖିଲା ଯଦି ବିଲେଇନାନୀ ଉତ୍ତାରି ଦେବ ଛାଲ ॥

ମୂଳ ପୃଷ୍ଠା 39 ↗

14 / 18

ମୂଷାର ମୀନ ବେସର

ମୂଷାର ମୀନ ବେସର — ନୂଆ ଚିତ୍ର

ସକାଳୁ ଉଠି କହିଲା ମୂଷା ଶୁଣଲୋ ମୂଷୀ ମୋର । ମନ ହେଉଛି ଖାଇବି ଆଜି ମୀନମାଛ ବେସର ॥ ଚାଆଲ ଯିବା ପୋଖରୀକୂଳେ ମୀନ ମାଛ ଧରି । ଲଙ୍କା ସୋରିଷ ବାଟଣ ଦେଇ କରିବା ତରକାରୀ ॥ ତେନ୍ତୁଳି ଟିକେ ପକେଇ ଦେଲେ ଲାଗିବ ଖଟାଖଟା । ଆହୁରି ମଜା ଲାଗିବ ଯଦି ପଡ଼ିବ ବଡ଼ି ଦି’ଟା ॥ ହାପୁଡ଼ି କରି ଖାଇବା ଆମେ ମୀନମାଛ ଝୋଳ । ଭାବିଲା କ୍ଷଣି ପାଟିରୁ ମୋର ବୋହି ପଡ଼ୁଛି ଲାଳ ॥ ଖୋଜିଖୋଜିକା ପୋଖରୀକୂଳେ ହାଜର ହେଲେ ଯାଇ। ଜାତିଜାତିକା ମାଛ ଖେଳନ୍ତି, ନାଚନ୍ତି ଥେଇଥେଇ ॥ ପାଣି ଉପରେ ଦେଖାଇ ମୁହଁ ଟୁଉବ୍‌ କିନା ବୁଡ଼ି । ଖେଳୁ ଥାଆନ୍ତି, ନାଚୁଥାଆନ୍ତି ମୀନ ଯେ ଯୋଡ଼ିଯୋଡ଼ି ॥ କେମିତି କହ ଧରିବା ମାଛ ଏ ଯେ ଅକାତ ପାଣି । ପାଣିରେ ବୁଡ଼ି ମାଛ ଧରିବା ନାହିଁ ତ ମୁଁ ଜାଣି ॥ ପହଁରିପାରେ କେବେ କେମିତି ପାଣିରେ ଗଲେ ପଡ଼ି । ବେଶି ସମୟ ବୁଡ଼ିଲେ ନିଶ୍ଚେ ପ୍ରାଣ ମୋ ଯିବ ଛାଡ଼ି ॥ ବସିବା ଆମେ ମୀନଙ୍କୁ ଚାହିଁ ଏଇ ପୋଖରୀକୂଳେ । ଯଦିବା କେବେ ମୀନଟେ ଡେଇଁ ପଡ଼ିବ ମାଟି ପରେ ॥

ମୂଳ ପୃଷ୍ଠା 40 ↗

ସେତିକିବେଳେ ମାଡ଼ି ବସିବା, ଧରିବା ବେକ ତାର । ଏମିତି କରି ପାରିବା ଆମେ ମୀନମାଛ ଶିକାର ॥ ପୋଖରୀକୂଳେ ବସିବସିକା ସକାଳ ଗଲା ଡେଇଁ । ଦି ପହର ଖରାର ତେଜ ଲାଗିଲା ଚାଇଁଚାଇଁ ॥ କୂଳକୁ ଡେଇଁ ପଡ଼ିଲେ ନାହିଁ ଗୋଟିଏ ଦଣ୍ଡିକିରି । ଚାହିଁଚାହିଁକା ଆଖିର ପାଣି ଆଖିରେ ଗଲା ମରି ॥ ଦେଖନ୍ତେ ଯଦି ପାଣି ଓଧକୁ ମାଗନ୍ତେ ମୀନ ଦୁଇ । ମୂଷା କପାଳେ ମାଛ ଧରିବା ହୁଏ ତ ଲେଖା ନାଇଁ ॥ ଏତିକିବେଳେ ଆସିଲା ପଶି ବଗ ଯେ ଡଗଡଗ । ମୂଷାଙ୍କୁ ଦେଖି ମୁଣ୍ଡରେ ତା'ର ଚଢ଼ି ବସିଲା ରାଗ ॥ ଇଏ ମୋ ଜାଗା ମୋ ଇଲାକା କିଏ ସେ ତୁମେ ଦୁଇ ? ମୋ ଘରେ ପଶି କରୁଛ ପାଟି, ଦେଖାଉ ଅଛ ଛଇ । ଏଇଠି ଥାଇ ଧରେ ମୁଁ ମାଛ, ପାଣିରୁ ଆଣେ ଝାମ୍ପି । ତୁମେ ଦୁଇଟା ଏଇଠୁ ଖସ, ନୋହିଲେ ଦେବି ଖୁମ୍ପି ॥ ମୂଷା କହିଲା, ମୂଷୀ, ମୀନବେସର କପାଳେ ନାହିଁ ଆଜିଟା ଏକାଦଶୀ ॥

ମୂଳ ପୃଷ୍ଠା 41 ↗

15 / 18

ଦେଖାହେଲେ ବେଙ୍ଗବେଙ୍ଗୁଲୀ

ଦେଖାହେଲେ ବେଙ୍ଗବେଙ୍ଗୁଲୀ — ନୂଆ ଚିତ୍ର

ମୂଷା ସେଦିନ ଯାଉଥିଲା ବିଲ ଆଡ଼େ ବୁଲି। ଛକ ଉପରେ ଦେଖା ହେଲେ ବେଙ୍ଗ ଓ ବେଙ୍ଗୁଲୀ॥ କଣ ଆଉ ଖବର କୁହ, ପଚାରିଦେଲା ବେଙ୍ଗ । ମୂଷା କହିଲା, ଭଲ ଆଉ କିଛି ନାହିଁ ସାଙ୍ଗ ॥ ମଣିଷଜାତି ନିଠୁର ଅତି ଖୋଜି ମାରୁଛି ମୋତେ । ମୂଷା ମାରିବା ପାଇଁକି ଯନ୍ତ୍ର ବାହାର କରେ କେତେ ॥ ପ୍ରଥମେ ଥିଲା ଯନ୍ତା ଗୋଟେ କାଠବାକ୍ସ ପରି । ଝୁଲାଇ ଥିଲା ଭିତରେ ତାର ପିଠାମିଠା କରି ॥ ଯଦିବା ତା'ର ବାସରେ ଭୁଲି ଭିତରେ ପଶିଗଲ। କବାଟ ତାର ପଡ଼ିଗଲା, ହୋଇଗଲା ଜେଲ ॥ ଖସିବା ପାଇଁ ବାଟ ସବୁ ବନ୍ଦ ହୋଇଗଲା ॥ ଖବର ପାଇ ମଣିଷ ଆସି ବାଡ଼ିରେ ପିଟିଗଲା। ଲୁହାର ଯନ୍ତା ତା’ଠୁ ବେଶି କଠିନ ଓ ଦାରୁଣ । ଛୁରୀ ପରି ଧାର ତାର ଓଟାରି ନେବ ପ୍ରାଣ ॥ ଲୁହା ଦାନ୍ତି ଖୋଲା ହୋଇ କୋଣରେ ବସିଥିବ । ମଝିରେ ଥିବ ପିଠା ପକୁଡ଼ି ବାସନା ଆସୁଥିବ ॥ ଯଦିବା ତା'ର ଲୋଭରେ ତୁମେ ପାଖକୁ ଗଲ ମାଡ଼ି । ଲୁହାର ଦାନ୍ତି ପଡ଼ିଯିବ ଧରିବ ଜାବୁଡ଼ି ।

ମୂଳ ପୃଷ୍ଠା 42 ↗

ଯେତେ ଚେଷ୍ଟା କର ପଛେ ଖସିବାର ନାହିଁ। ଚିଇଁ ଚିଇଁ କାନ୍ଦୁଥିବ ଛଟପଟ ହୋଇ ॥ ମଣିଷ ଆସି ପୁଣିଥରେ ପିଟିବ ମନ ଭରି । ପିଟା ଖାଇ ପ୍ରାଣ ତୁମ ଯିବଟି ବାହାରି ॥ ବାହାର କରନ୍ତି ପୁଣି ନାନାବିଧ ବିଷ । ଖାଇବା ଜିନିଷେ ଭରି କରିନେବେ ବଶ॥ ଯଦି ତୁମେ ବିଷମିଶା ଖାଦ୍ୟ ଖାଇଦେଲ । ଦେହସାରା ଜଳି ଉଠିବ ହେବ କଲବଲ ॥ ବିଷର ପ୍ରଭାବେ ତୁମ ପ୍ରାଣ ଯିବ ଛାଡ଼ି । ଗାତ ଛାଡ଼ି ବାହାରକୁ ଯିବ ଯେ ଦଉଡ଼ି ॥

ମୂଳ ପୃଷ୍ଠା 43 ↗

ଘରେ ଗନ୍ଧ ହେବ ନାହିଁ ମରିବ ବାହାରେ । ବିଷ ଉପରେ ଏପରି ସେ ଗବେଷଣା କରେ ॥ ଏବେ ପୁଣି ବାହାରିଚି ଅଠାଳିଆ ଯନ୍ତା। ଯନ୍ତା ବସାଇ ସାଧୁଛି ମଣିଷ ଅହନ୍ତା ॥ ଆମ ଯିବା ଆସିବା ବାଟେ ବସାଇଛି ଆଣି । ପାଦ ଯଦି ପଡ଼ିଗଲା ଅଠା ନେବ ଟାଣି ॥ ସେ ଅଠା କବଳୁ ରକ୍ଷା ଜମା ନାହିଁ ଆଉ। ତା’ ସାଙ୍ଗକୁ ଅଛି ପୁଣି ବିରାଡ଼ିର ଦାଉ ॥ ମ୍ୟାଉଁ ମ୍ୟାଉଁ ରଡ଼ି କରି ଆସୁଛି ଗୋଡ଼ାଇ । ମାଡ଼ି ବସି କାମୁଡ଼ି କି ପ୍ରାଣ ଯାଏ ନେଇ ॥ ମଣିଷର ଅତ୍ୟାଚାରେ ଜୀବନ ବିପନ୍ନ ପିଲାଛୁଆ ସାଥେ ଦୁଃଖେ କଟୁଛି ଜୀବନ ॥ ବେଙ୍ଗ ଏବେ ସାଙ୍ଗ ଭାବେ ରଖିଲା ଉତ୍ତର। ଶୁଣ ଭାଇ ମୋ କଥା, ମନେ ହେଜ କର ॥ ମଣିଷ ଅତି ଦୟାଳୁ ଅତି ଉପକାରୀ । ମୋତେ ଦେଖିଲେ କେବେ ସେ ପକାଏନା ମାରି ॥ ତୁମେ କରୁଥାଅ ଯେଣୁ ମଣିଷର କ୍ଷତି । ସେଥିପାଇଁ ତୁମକୁ ସେ ଦେଖିଲେ ମାରନ୍ତି ॥ ଯେତେ ଦିନ ମଣିଷର କ୍ଷତି କରୁଥିବ । ସେତେଦିନ ଯାଏଁ ଏହି ଦୁଃଖ ଭୋଗୁଥିବ ॥

ମୂଳ ପୃଷ୍ଠା 44 ↗

16 / 18

ମୂଷା ଗାଉଥିଲା ଗୀତ

ମୂଷା ଗାଉଥିଲା ଗୀତ — ନୂଆ ଚିତ୍ର

ମୂଷା ଦିନେ ପୋଖରୀକୂଳେ ଗାଉଥିଲା ଗୀତ । କଇଁଚଟିଏ ପାଣି ଭିତରୁ ଡାକିଲା ମିତ ମିତ ॥ ଆହା କି ଗୀତ ଗାଉଚ ତମେ ମନଟା ଉଠେ ମାତି । ଗୀତ ତୁମର ଶୁଭିଲା ବେଳୁ ଖୁସୀରେ ଫୁଲେ ଛାତି ॥ ତୁମରି ପରି ଗାୟକ କେବେ ନଥିଲା ଅବା ନାହିଁ । ଶହେ ବର୍ଷରେ ଏମିତି ଗୀତ ପାଇନି କେହି ଗାଇ ॥ ଶହେ ବର୍ଷର ତୁଳନା ଶୁଣି ମୂଷାର ଛାତି ମୋଟ । ଭାବିଲା ମନେ ସତରେ ମୁଁ ସଂଗୀତସମ୍ରାଟ ॥ ଏତେ ଦିନରୁ ଗାଉଛି ଗୀତ ଚି ଚିଇଁଆ ସ୍ଵରେ। ତଥାପି ମୋତେ କେହିବି ମୂଷା ପ୍ରଶଂସା ନାହିଁ କରେ ॥ ମୂଷାଜାତିଟା ହିଂସିକୁଟିଆ ପ୍ରତିଭା ଚିହ୍ନେ ନାହିଁ । ସେଇଥିପାଇଁ ମୂଷା ରହିଲା ହୀନିମାନିଆ ହୋଇ ॥ ସବୁବେଳେ ଚୋରି ଚପାଟି କାମରେ ମାତିଥିବେ। ଯାହା ଯୋଉଠୁ ପାଇଲେ ତାକୁ ଘରକୁ ବୋହି ନେବେ॥ ସମୟ ଯଦି ବଳିଲା ଟିକେ କାଟିବେ ବହିଖାତା । ଲୁଗାପଟା କମ୍ବଳ କାଟି କରିବେ କୁତୁକୁତା॥ ଭାଗ୍ୟଦୋଷେ ମୂଷାଜାତିରେ ହେଲି ସିନା ଜନମ । ଗୀତ ଗାଇକି ଇତିହାସରେ ରଖିଯିବି ମୁଁ ନାମ ॥

ମୂଳ ପୃଷ୍ଠା 45 ↗

ଇତିହାସରେ ପଢ଼ିବେ ଲୋକେ, ଥିଲା ମୂଷା ଏକ । ଗୀତ ଗାଇ ରଖିଗଲା ସେ ମୂଷାଜାତିର ଟେକ ॥ ଶହେ ବରଷ କେମିତି ତୁମେ ଦେଖିଲ କୁହ ଭାଇ । ସତରେ କଣ ମୋ ଗୀତ ଶୁଣି ଯାଇଚ ଖୁସୀ ହୋଇ ॥ କଇଁଚ ଏବେ ଉଠାଇ ମୁହଁ ଲମ୍ବାଇ ଦେଲା ବେକ । ଶହେ ନୁହେଁ ବୟସ ମୋର ତିନିଶହ ଏକ ॥ ଦେଖି ଆସୁଚି ଏଇ ସବୁ ବର୍ଷ ବର୍ଷ ହେଲା। ତୁମ ପରିକା ଗାୟକ ଗୋଟେ କେବେ ବି ନ ଥିଲା॥ ତୁମ ପ୍ରତିଭା କେତେ ବିରାଟ ପାରୁନି ମୁଁ ଯେ କଳି। ହାତ ଦୁଇଟା ମିଶୁଥିଲେ ମାରନ୍ତି ଖାଲି ତାଳି ॥ ଆସ ଟିକିଏ ପାଖକୁ ଆସ ମିଳାଇ ଦେବା ଛାତି । ହୃଦୟ ମୋର ପୂରି ଉଠୁଛି ଶୁଣି ତୁମର ଗୀତି ॥ ଆନନ୍ଦରେ ମୂଷା ମନ ଯାଉଥିଲା ପୂରି । ପ୍ରଶଂସା ଶୁଣି ଫସିବନାହିଁ, ନାହିଁ କେହି ଏପରି ॥ ନାଚି ନାଚି ଖୁସୀ ମନରେ ପାଣି ପାଖକୁ ଗଲା । କରମର୍ଦ୍ଦନ କରିବା ପାଇଁ ହାତ ବଢ଼ାଇ ଦେଲା ॥ ଖଅପ୍‌ କିନା କଇଁଚ ଦେଲା ମୂଷା ବେକକୁ ମୋଡ଼ି। ମରିଗଲି ମରିଗଲି ମୂଷା ଛାଡ଼ିଲା ରଡ଼ି ॥ ବେଶି ପ୍ରଶଂସା କରେ ଯିଏ ନୁହଁଇ ସିଏ ମିତ । ମିତ୍ରବେଶୀ ଶତ୍ରୁ ସିଏ ପାଞ୍ଚଇ ଅହିତ ॥

ମୂଳ ପୃଷ୍ଠା 46 ↗

17 / 18

ମୂଷାର ଧରମଚିନ୍ତା

ମୂଷାର ଧରମଚିନ୍ତା — ନୂଆ ଚିତ୍ର

ମୂଷା କହିଲା ମୂଷୀଲୋ ଆମ ଭାଗ୍ୟ ବଡ଼ ବାମ। ଚୋରି କରିକା ଜୀବନ ଗଲା ନୋହିଲା ଧର୍ମ କର୍ମ ॥ ଚାଆଲ ଯିବା ଧରମ କରି ମନ୍ଦିରେ ଯିବା ପଶି । ପ୍ରଭୁଙ୍କ ଗୀତ ଗାଇବା ଆମେ ଭକତମେଳେ ବସି ॥ ହରେ କୃଷ୍ଣ ହରେ ରାମ ଜପିବା ଦିନରାତି । କହିବା ପ୍ରଭୁ ମୂଷା ଜନମୁଁ ଦିଅ ଆମକୁ ମୁକ୍ତି ॥ ଖାଇବା ସେଠି ପ୍ରସାଦ ଟୋପେ ଜୀବନ ହେବ ଧନ୍ୟ । ଭକତ ସାଜି ଅରଜି ଯିବା କାହିଁରେ କେତେ ପୁଣ୍ୟ ॥ ପୁଣ୍ୟ ବଳେ ମଣିଷ ହେବା ଆର ଜନମେ ଯାଇ ଜୀବନ ହେବ ସାର୍ଥକ ଆମ ମଣିଷ ଜନ୍ମ ପାଇ ॥ ମନ୍ଦିରରେ ପଶିଲେ ଦୁହେଁ ଗାଇଲେ ହରିନାମ । ଠାକୁରଙ୍କ ପ୍ରତିମା ଆଗେ କରିଗଲେ ପ୍ରଣାମ ॥ ଠାକୁରଙ୍କର ପ୍ରସାଦ ଯାହା ପଡ଼ିଲା ଅବା ବଳି । ପାଇଲେ ତାକୁ ଖୁସିମନରେ ମଥାରେ ହେଲେ ବୋଳି ॥ ଗୋଲଗୋଲ ଆଖିରେ ଦେଖି ଠାକୁରଙ୍କର ରୂପ । ଭକ୍ତି ଭରେ ମୂଷା କରିଲା ଠାକୁର ନାମ ଜପ ॥ ହଠାତ୍‌ ତା'ର ପଡ଼ିଲା ଆଖି ଠାକୁରଙ୍କ ବସନେ । ଝିଲ୍‌ମିଲ୍‌ ଜରିଲଗା ବସନ ମନ ଜିଣେ॥

ମୂଳ ପୃଷ୍ଠା 48 ↗

ଦାନ୍ତ ହେଲା ଶୁଳେଇ ତାର କାଟିବା ପାଇଁ ମନ । ଚିକ୍‌ମିକ୍‌ ଲୁଗା ଦେଖି ମନଟା ଛନଛନ ॥ ଦଉଡ଼ିଗଲା ପାଗଳ ପରି ଲୁଚିଲା ଲୁଗା କୋଳେ । ଛାମୁଆଁ ଦାନ୍ତ ପଜାଇ ଏବେ କାଟିବା କଥା ଭାଳେ ॥ ବେକକୁ ତା'ର ଧରିଲା ମୂଷୀ କହିଲା, ଏ କି କାମ । ମୂଷା ପ୍ରକୃତି ଯିବନି ତୋ’ର ଯେତେ ଜପିଲେ ନାମ ॥ ପ୍ରକୃତି ତୋର ଅତି ଇତର କଦାପି ଯିବ ନାହିଁ । ମଣିଷ ପାଇଁ ଶତ୍ରୁ ତୁହି ଶତ୍ରୁ ଯିବୁ ରହି ॥ ମଣିଷ ତୋତେ କେବେ ବି ମନେ ପାଇବ ନାହିଁ ଭଲ। ଦେଖିଲେ ତୋତେ ମାରିବ ନିଶ୍ଚେ କରିବ କଲବଲ ॥ ବୁଝିଲୁ ନାହିଁ ବହିର ମୂଲ କାଟିଲୁ ପାଠବହି । ଶାଢ଼ୀର ମୂଲ ବୁଝିଲୁ ନାହିଁ ମଝିରୁ ଦେଲୁ ଖାଇ ॥ ଠାକୁରଙ୍କର ଲୁଗା କାଟିଲୁ ଆସିଲା ଶେଷ ବେଳ । ଧରମମାର୍ଗ ତୋ ପାଇଁ ନୁହେଁ, ତୁ ମୂର୍ଖ ପାଗଳ ॥

ମୂଳ ପୃଷ୍ଠା 49 ↗

18 / 18

ମୂଷୀ ପାରୁଥିଲା ବଡ଼ି

ମୂଷୀ ପାରୁଥିଲା ବଡ଼ି — ନୂଆ ଚିତ୍ର

ମୂଷୀ ପାରୁଥିଲା ବଡ଼ି ମୂଷା ଖାଉଥିଲା ମୁଢ଼ି ଏତିକିବେଳକୁ ପବନ ବୋହିଲା ମୁଢ଼ିତକ ଗଲା ଉଡ଼ି॥ ମୂଷା ବି ଛାଡ଼ିଲା ରଡ଼ି ରାସ୍ତାରେ ଗଡ଼ିଗଡ଼ି ହାୟରେ ପବନ ମୁହଁରୁ ନେଲୁ ମୋ ଖାଇବାର ଚିଜ ଭିଡ଼ି ॥ ବଡ଼ି ପରା କାମ ଛାଡ଼ି ଠିଆ ହେଲା ମୂଷୀବୁଢ଼ୀ ପବନ ପଛରେ ଗୋଡ଼େଇଲା ସିଏ ହାତେ ଧରି ଲମ୍ବାବାଡ଼ି ॥ ଯାଉଥିଲା ଗୋଟେ ଗାଡ଼ି ମୁଢ଼ିତକ ଦେଲା ମାଡ଼ି ମାଟି ବାଲି ମିଶି ଚିହ୍ନି ହେଲା ନାହିଁ କିଏ ମୁଢ଼ି କିଏ ଗୋଡ଼ି ॥

ମୂଳ ପୃଷ୍ଠା 50 ↗

ମୂଷା ଟିକେ ମୁଣ୍ଡ ନାଡ଼ି ହେଲା ଥରେ ଭିଡ଼ିମୋଡ଼ି ପବନକୁ ହାୟ ବାଡ଼ି ଦେଖାଉଚୁ, ଧନ୍ୟ ତୁଲୋ ମୂଷୀବୁଢ଼ୀ ॥ ଜମା ନାହିଁ ପାଠ ପଢ଼ି ବୁଦ୍ଧି ଯାଇଛି ତୋ ହୁଡ଼ି ଧାନ ବୋହିବାକୁ ନେଇଥିଲି ତୋତେ ଆଣିଥିଲୁ ତୁ ଅଗାଡ଼ି ॥ ତୁ ଗୋଟେ କଳିହୁଡ଼ି ପାଠକୁ ଖାଇଚୁ ପୋଡ଼ି ପବନ ବୋହିବ ଅଣଚାଶ ଯଦି ବାଡ଼ି ତୋର ଯିବ ଉଡ଼ି ॥ ମୂଷୀ ଗଲା ପୂରା ଚିଡ଼ି କହିଲା ମୁହଁକୁ ମୋଡ଼ି ତୋ’ ବୁଦ୍ଧି କେତେ ଜଣାଅଛି ମୋତେ ଧୂଆଁକୁ କହୁ କୁହୁଡ଼ି । ତୋଆରି ବୁଦ୍ଧିରେ ପଡ଼ି ଚଢ଼ିଥିଲି ଥରେ ସିଡ଼ି ଅଧାରୁ ଅଧାରୁ ସିଡ଼ି ଭାଙ୍ଗିଗଲା ତଳେ ପଡ଼ିଲି କଚାଡ଼ି ॥

ମୂଳ ପୃଷ୍ଠା 51 ↗

ଆସିଥିଲା ନଈବଢ଼ି ଗାଁ ଘର ଗଲା ବୁଡ଼ି ନଈର ସୁଅରେ ସାପ ଯାଉଥିଲା କହିଲୁ ତାକୁ ଦଉଡ଼ି ॥ ଧରିଥିଲୁ ତାକୁ ଭିଡ଼ି ଆଆନ୍ତା ତୋତେ କାମୁଡ଼ି ମୁଁ ଥିଲି ବୋଲି ବଞ୍ଚେଇଲି ତୋତେ ଯାଇଥାନ୍ତା ଜୀବ ଛାଡ଼ି ॥ କଳି ଗଲା ବଢ଼ି ବଢ଼ି ମୂଷା ବି ଗଲା ବିଗିଡ଼ି ଏତିକିବେଳକୁ ପବନ ପଛକୁ ବରଷା ଆସିଲା ମାଡ଼ି ॥ ମାରିଦେଲା ଘଡ଼ଘଡ଼ି ବେଙ୍ଗଟା ଛାଡ଼ିଲା ରଡ଼ି ମୂଷା ଦଉଡ଼ିଲା ଗାତ ଭିତରକୁ ଶୋଇଲା କମ୍ବଳ ଘୋଡ଼ି ।

ମୂଳ ପୃଷ୍ଠା 52 ↗