ବଣି ମାଙ୍କଡ଼ କଳି

ବଣି ଆଉ ମାଙ୍କଡ଼ ଭିତରେ ଝଗଡ଼ା ହୋଇଗଲା। ଝଗଡ଼ାର କାରଣ ହେଲା ମାଙ୍କଡ଼ ଯୋଉ ଗଛ ଡାଳରେ ଡେଉଁଥିଲା ସେଇ ଡାଳର ଶେଷ ମୁଣ୍ଡକୁ ବଣି ବସା ବାନ୍ଧିଥିଲା। ମାଙ୍କଡ଼ ଡେଇଁବାରୁ ଗଛ ଦୋହଲିଲା ଓ ବଣିର ବସା ଭାଙ୍ଗିପଡିଲା। ବଣି ଅଣ୍ଡା ଦେବାପାଇଁ ପ୍ରସ୍ତୁତ ହେଉଥିଲା। ବସା ଭାଙ୍ଗିଯିବାରୁ ସେ ଦୁଃଖ ପାଇଲା। ତାର ସାଙ୍ଗମାନେ ସିଂହ ରାଜାଙ୍କ ପାଖରେ ଆପତ୍ତି କରିବାକୁ କହିଲେ। ବଣି ସେଇଆ କଲା।
ସିଂହ ରାଜା ବଣିର ଆପତ୍ତି ଶୁଣି ଜଙ୍ଗଲରେ ସଭା ଡକାଇଲେ। ସବୁ ପଶୁପକ୍ଷୀଙ୍କୁ ସଭାକୁ ଡକାହେଲା।
ସିଂହ ରାଜା ମାଙ୍କଡ଼କୁ ପଚାରିଲା : ତୁମେ କାହିଁକି ବଣିର ବସା ଭାଙ୍ଗିଲ?
ମାଙ୍କଡ଼ କହିଲା : ମୁଁ ଭାଙ୍ଗି ନାହିଁ। ମୁଁ ଗଛ ଡାଳରେ ଡେଉଁଥିଲି। ବଣି ବସା ସେଠି ଅଛି ବୋଲି ମୋତେ ଜଣାନାହିଁ।
: ତୁମେ ବଣି ବସା ବାନ୍ଧିଥିବା ଡାଳରେ ଡେଇଁଲ କାହିଁକି?
ମାଙ୍କଡ଼ କହିଲା : ଆମେ ହେଲୁ ମାଙ୍କଡ଼ ଜାତି। ଡାଳରୁ ଡାଳକୁ ଡେଇଁବା ଆମର କାମ। ତେଣୁ ବଣିକୁ ଆଦେଶ ହେଉ, ଯୋଉ ଗଛଡାଳରେ ମାଙ୍କଡ଼ ଡେଇଁବ, ସେଇ ଡାଳରେ ସେ ବସା ବାନ୍ଧିବ ନାହିଁ।
ସିଂହ ରାଜା କହିଲା : ଠିକ କଥା କହିଲ।
ଏ କଥାରେ ବଣି ଆପତ୍ତି କଲା। ସେ କହିଲା : ମହାରାଜ! ପ୍ରଥମେ ମାଙ୍କଡ଼ କହୁ, ସେ କୋଉ ଗଛରେ ଡେଇଁବ ନାହିଁ। ଆମେ ସେଇ ଗଛରେ ବସା ବାନ୍ଧିବୁ।
ଏବେ ମାଙ୍କଡ଼କୁ ଆଦେଶ ହେଲା ଯେ, ସେ କହୁ, ସେ କୋଉ ଗଛରେ ଚଢ଼େ ନାହିଁ।
ମାଙ୍କଡ଼ ଅକଳରେ ପଡିଗଲା। ବହୁତ ଭାବିଲା। ମାତ୍ର କିଛି ସ୍ଥିର କରି କହି ପାରିଲା ନାହିଁ। ଏମିତି କୋଉ ଗଛ ଅଛି ଯୋଉଥିରେ ସେ ଚଢେ ନାହିଁ। ବହୁତ ଭାବି ଚିନ୍ତି କହିଲା : ଆଜ୍ଞା! ମୁଁ ଘାସ ଗଛରେ ଚଢ଼େ ନାହିଁ।
ଏ କଥା ଶୁଣି ସବୁ ପଶୁପକ୍ଷୀ ହସି ଉଠିଲେ। ଘାସ କଣ ଗୋଟାଏ ଗଛରେ ଯାଏ।
ସିଂହ ମହାରାଜ ପଚାରିଲା : ଆଉ କୋଉ ଗଛ କୁହ? ଘାସଟା ଗଛ ନୁହେଁ।
ମାଙ୍କଡ଼ କହିଲା : ମୁଁ ବାଇଗଣ ଗଛରେ ଚଢ଼େ ନାହିଁ।
ପଶୁପକ୍ଷୀ ପୁଣି ହସିଲେ।
ବିଲୁଆ କହିଲା : ତୁ ବାଇଗଣ ଗଛରେ ଚଢ଼ିବୁ କାହିଁକି? ତୁ ତ ଗଛକୁ ମୂଳରୁ ଉପାଡ଼ି ଦେବୁ। ଅଧେ ବାଇଗଣ ଖାଇବୁ। ଅଧେ ଫୋପାଡ଼ିବୁ।
ମାଙ୍କଡ଼ କହିଲା : ମୁଁ କଦଳୀ ଗଛରେ ଚଢ଼େ ନାହିଁ।
ବିଲୁଆ କହିଲା : ତୁ କଦଳୀ ଗଛରେ ଚଢ଼ିବୁ କାହିଁକି? ତୁ ତ ଗଛରୁ କଦଳୀ ଭିଡ଼ି ନେଇ ପଳେଇଯିବୁ।
ମାଙ୍କଡ଼ କହିଲା : ଯୋଉ ଗଛରେ କଣ୍ଟା ଥାଏ, ମୁଁ ସେ ଗଛରେ ଚଢ଼େ ନାହିଁ।
ବିଲୁଆ କହିଲା : ତୋ ଦେହରେ କଣ୍ଟା ଫୋଡ଼ି ହୋଇଯିବ, ସେଥିପାଇଁ ସେଠିକି ଯିବୁନି। କଣ୍ଟା ଗଛରେ ବଣି କେମିତି ବସା ବାନ୍ଧିବ? ତା ଦେହରେ ବି କଣ୍ଟା ଫୋଡ଼ି ହୋଇଯିବ।
ମାଙ୍କଡ଼ ବହୁତ ଭାବିଲା। କିନ୍ତୁ କିଛି ଉଚିତ ଉତ୍ତର ପାଇଲା ନାହିଁ। ଶେଷରେ କହିଲା : ମହାରାଜ! ସେମିତି କୋଉ ଗଛ ନାହିଁ, ଯୋଉଥିରେ ମୁଁ ଚଢ଼େ ନାହିଁ।
ମହାରାଜ ସିଂହ ପଚାରିଲା : ତେବେ ବଣି କୋଉ ଗଛରେ ବସା ବାନ୍ଧିବ? କୋଉଠି ଅଣ୍ଡା ଦେବ?
ମାଙ୍କଡ଼ କହିଲା : ଯେ ଯାହା କହୁ ମୁଁ ମୋର ପ୍ରକୃତି ଛାଡ଼ି ପାରିବି ନାହିଁ। ଏଇଟା ମୋର ଜନ୍ମଗତ ପ୍ରକୃତି। ମୁଁ ଗଛରେ ଚଢ଼ିବି। ଡାଳରେ ଡେଇଁବି। ଆପଣ ଯାହା ବିଚାର କରିବା କଥା କରନ୍ତୁ।
ସିଂହ ମହାରାଜ ଚିନ୍ତା କରି କହିଲା : କାହାର ପ୍ରକୃତି ସହଜରେ ବଦଳିଯିବ ନାହିଁ। ସମସ୍ତେ ନିଜନିଜ ପ୍ରକୃତି ଅନୁସାରେ ଚଳିବେ। ତେଣୁ ସମସ୍ତେ ସମସ୍ତଙ୍କ ସହିତ ମିଳିମିଶି ରହିବାକୁ ହେବ।
ଏବେ ବଣିକୁ ଆଦେଶ ହେଲା ଯେ, ସେ ମଜଭୁତ କରି ବସା ତିଆରି କରୁ। ଏମିତ କୋରଡ଼ରେ ବସା ବାନ୍ଧିବ, ଯେମିତି ଗଛର ଡାଳ ଦୋହଲିଲେ ବି ବସା ଭାଙ୍ଗିବ ନାହିଁ। ମାଙ୍କଡ଼ ମଧ୍ୟ ଗଛରେ ଡେଇଁବା ଆଗରୁ ଦେଖିବ, ସେଠି କୋଉ ପକ୍ଷୀର ବସା ଅଛି କି ନାହିଁ। ଯଦି ସେ ଜାଣିଜାଣି କାହାର ବସା ଭାଙ୍ଗିଲା, ତେବେ ତାକୁ ଦଣ୍ଡ ଦିଆଯିବ।

ବଣି କହିଲା : ହଉ।
ମାଙ୍କଡ଼ କହିଲା: ମହାରାଜଙ୍କର ଜୟ!
ଜିରାଫ ଓ ଠେକୁଆ

ଜଙ୍ଗଲରେ ଜିରାଫ ଆଉ ଠେକୁଆଙ୍କର ଭଲ ପଡ଼େ। ଡେଙ୍ଗା ଜିରାଫ ଆଉ କୁନି ଠେକୁଆ ଭାରି ଭଲ ସାଙ୍ଗ। ଏକାଠି ଗପସପ ହୁଅନ୍ତି। ସୁଖଦୁଃଖ ହୁଅନ୍ତି।

ଡେଙ୍ଗା ଜିରାଫ ଯେତେବେଳେ ତାର ଲମ୍ବ ବେକ ଉଠେଇ ଚାରି ଆଡ଼କୁ ଚାହେଁ, କୁନି ଠେକୁଆକୁ ଭାରି ମଜା ଲାଗେ।
ସେ ଜିରାଫକୁ ପଚାରେ : କଣ ଦେଖିଲ?
ଡେଙ୍ଗା ଜିରାଫ କହେ : ବହୁତ ଦୂର ଯାଏଁ ଦେଖିଲି।
ଠେକୁଆ ପଚାରେ : କଣ କଣ ଦେଖିଲ କହୁନ?
ଜିରାଫ ଶୁଣାଏ : ଦୂରରେ ଗୋଟିଏ ନଈ ବୋହି ଯାଉଛି। ନଈ ସେପଟେ ରାସ୍ତା। ରାସ୍ତାରେ ଗାଡ଼ି ମଟର ଯାଆସ କରୁଛି। ନଈକୂଳରେ ବହୁତ ବଡ଼ ବଡ଼ ଗଛ। ଗଛରେ ବହୁତ ଫଳ ଧରିଛି। ନାଲି ଟହ ଟହ ଫଳ। ନଈକୂଳରେ ଘାସ ପଡ଼ିଆ ବି ଦିଶୁଛି। ସବୁଜ ଛନଛନ ଘାସ।
ଏସବୁ ଶୁଣି କୁନି ଠେକୁଆକୁ ଖୁସି ଲାଗେ। ମନରେ ଆଗ୍ରହ ଜନ୍ମେ। ଇଚ୍ଛା ହୁଏ, ସେ ମଧ୍ୟ ଏ ସବୁ ଦେଖନ୍ତା। ସେ ଆପଣା ଜାଗାରୁ ଉପରକୁ କୁଦା ମାରେ। ଦି ହାତ ଉପରକୁ ଉଠିଯାଏ। ସେଇଠୁ ଚାରି ଆଡ଼କୁ ଚାହେଁ। କିଛି ଦେଖିପାରେନା। ନା ଦିଶେ ନଈକୁଳ ନା ଦିଶେ ରାସ୍ତା। ତଳକୁ ଖସିପଡ଼େ। ମନ ଖରାପ ହୋଇଯାଏ।
କହେ : ନା! କିଛି ଦିଶୁନି।
ଜିରାଫ କହେ : ଏତେ କମ ଉଚ୍ଚାରୁ କଣ ସେସବୁ ଦିଶିବ?
ଦିନେ ଠେକୁଆ ମନରେ ଗୋଟେ ଉପାୟ ବସା ବାନ୍ଧିଲା।
ସେ କହିଲା : ସାଙ୍ଗ ଜିରାଫ! ମତେ ଟିକିଏ ତୁମ କାନ୍ଧ ଉପରକୁ ଉଠେଇ ଦିଅନ୍ତନି? ମୁଁ ବି ଚାରି ଆଡ଼କୁ ଦେଖନ୍ତି। ନଈ ଦେଖନ୍ତି। ନାଲି ଟହ ଟହ ଫଳ ଦେଖନ୍ତି।
ଜିରାଫ କହିଲା : ହଉ! ଦେଖାଇଦେବି। ତମେ ମୋ ସାଙ୍ଗ, ତମକୁ କାନ୍ଧ କଣ, ମୁଣ୍ଡରେ ବସାଇ ସବୁ ଦେଖାଇବି।
ଜିରାଫ ତାର ଲମ୍ବ ବେକକୁ ତଳକୁ ନୁଆଁଇ ଆଣିଲା। ତା ବେକରେ ଭରା ଦେଇ ମୁଣ୍ଡ ଉପରକୁ ଚଢ଼ିଗଲା ଠେକୁଆ। ଜିରାଫ ଏଥର ମୁଣ୍ଡ ଉପରକୁ ଉଠାଇଲା। ଆସ୍ତେ ଆସ୍ତେ ଉଠାଉଥାଏ। ଅଧା ବାଟ ଉଠାଇଛି, ଠେକୁଆର ଗୋଡ଼ ଖସିଗଲା। ସେ ତଳେ କଚାଡ଼ି ହୋଇ ପଡ଼ିଲା। ତା ଗୋଡ଼ ଜଖମ ହୋଇଗଲା। ସେ ବିକଳରେ କାନ୍ଦି ପକାଇଲା।
ଅନ୍ୟ ପଶୁପକ୍ଷୀମାନେ, ଯୋଉମାନେ ଏ ଦୃଶ୍ୟ ଦେଖୁଥିଲେ, ସମସ୍ତେ ହସି ଉଠିଲେ। ତାଳି ମାରି ମଜା କଲେ। କୁନି ଠେକୁଆକୁ ବହୁତ ଅପମାନ ଲାଗିଲା।
ଜିରାଫ ପୁଣିଥରେ ତଳକୁ ମୁଣ୍ଡ ନୁଆଁଇଲା। କହିଲା : ଏଥରକ ଭଲକରି ମୋତେ ଜାବୁଡ଼ି ଧର। ଆଗ ଗୋଡ଼ରେ ଦୁଇ କାନକୁ ଧର। ଏଥର ଆଉ ଖସିବନି।
କୁନି ଠେକୁଆ ରାଜି ହେଲାନି। ଥରେ ପଡ଼ିଛି ଯେ, ଗୋଡ଼ ଜଖମ ହୋଇଛି। ଆଉ ଥରେ ପଡ଼ିଲେ, ପ୍ରାଣ ଯିବ। ତା ଛଡ଼ା ସେ ଖସିପଡ଼ିଲା ବେଳେ ଅନ୍ୟମାନେ ହସୁଥିଲେ। ଆଉଥରେ ପଡ଼ିଲେ ଲୋକହସା ହେବା କଥା।
ସେ କହିଲା : ନା! ଥାଉ। ଆମେ ଯେତିକିର ଜୀବ ସେତିକିରେ ରହିବା। ଆମକୁ ଭଗବାନ ଠେକୁଆ କରି ଏ ସଂସାରକୁ ଆଣିଛନ୍ତି। ତେଣୁ ଠେକୁଆ ଯେତିକି ବାଟ ଦେଖିପାରିବ, ସେତିକି ବାଟ ଦେଖିବ। ଅଧିକ ଦେଖିବାକୁ ଆଶା କରିବା ବୃଥା।
ତା କଥା ଜିରାଫ ମନକୁ ପାଇଲା ନାହିଁ। ସେ କହିଲା: ସେମିତି କହିଲେ ହେବ? ଏଇ ମଣିଷମାନଙ୍କୁ ଦେଖ। ସେମାନେ ଉଚ୍ଚତାରେ ଜମା ପାଞ୍ଚ ଫୁଟ ରୁ ସାଢ଼େ ଛଅ ଫୁଟ ଭିତରେ ହେବେ। ସେମାନେ ହଜାର ହଜାର ମାଇଲ ଦୂରରେ ଥିବା ଚନ୍ଦ୍ରକୁ ଗଲେଣି। ଶହ ଶହ ଫୁଟ ଉଚ୍ଚ ପାହାଡ଼କୁ ଚଢ଼ି ଯାଉଛନ୍ତି। ଶହ ଶହ ଫୁଟ ଉଚ୍ଚ କୋଠାବାଡ଼ି ତିଆରି କରିଦେଉଛନ୍ତି। ତାଙ୍କଠୁ କେତେଗୁଣ ବଡ଼ ହାତୀକୁ ପୋଷା ମନାଉଛନ୍ତି। ତେଣୁ ଉଚ୍ଚତାକୁ ଗଣିଲେ କିଛି କରିପାରିବନି। ମନରେ ଦୃଢ଼ତା ଥିଲେ ଅସମ୍ଭବ ବି ସମ୍ଭବ ହୋଇପାରିବ। ଲୋକହସାକୁ ଖାତିର କଲେ ଜୀବନରେ ଆଗକୁ ଯାଇପାରିବନି।
କୁନି ଠେକୁଆ ମନକୁ ଏ କଥାଟା ପାଇଗଲା। ସେ ସଙ୍ଗେ ସଙ୍ଗେ ଜିରାଫ ଉପରକୁ ଚଢ଼ିଗଲା। ଏଥରକ ଆଉ ପଡ଼ିଗଲା ନାହିଁ। ଭଲକରି ଧରିଥାଏ ଜିରାଫର କାନକୁ। କହିଲା : ସାଙ୍ଗ! ଦେଖ ଚଢ଼ିଗଲି।
ଜିରାଫ କହିଲା: ଖୁବ ବଢ଼ିଆ। ଏବେ ମୁଣ୍ଡ ପାଖକୁ ଚଢ଼ିଯାଅ।
ଠେକୁଆ ଧୀରେ ଧୀରେ ଚଢ଼ୁଥାଏ। ମନରେ ଭୟ ଥାଏ ସତ, କିନ୍ତୁ ସେ ଡରୁ ନଥାଏ। ଅନ୍ୟ ପଶୁପକ୍ଷୀମାନେ ଚାହିଁ ରହିଥାଆନ୍ତି। କଣ ଫୁସୁରୁଫାସୁରୁ ହେଉଥାଆନ୍ତି। ସେମାନଙ୍କ ଆଡ଼କୁ ଦେଖୁନଥାଏ ଠେକୁଆ। ସେମାନଙ୍କ କଥା ଶୁଣୁ ନଥାଏ। ନିଜ ଲକ୍ଷ୍ୟ ଉପରେ ତାର ନଜର। ଏବେ ସେ ଜିରାଫର ମୁଣ୍ଡ ଉପରେ ଯାଇ ବସିଲା।
କହିଲା: ସାଙ୍ଗ! ତମେ ଠିକ କଥା କହୁଥିଲ। ଲୋକହସାକୁ ଡରିଲେ କିଛି କରି ହେବନି। ମନ ଦୃଢ଼ ରଖିଲେ, ଅସମ୍ଭବ ବି ସମ୍ଭବ ହେଇପାରିବ। ସାଙ୍ଗ! ଏବେ ମୋତେ ଉପରକୁ ଉଠାଅ, ଆଉ ଦେଶ ଦୁନିଆ ଦେଖାଅ।
ଜିରାଫ ମୁଣ୍ଡ ଉଠାଇଲା। ତା ସାଙ୍ଗରେ ଠେକୁଆ ବି ଉପରକୁ ଉଠିଲା।
ଅନ୍ୟ ପଶୁପକ୍ଷୀମାନେ କାବା ହେଇ ଚାହିଁ ରହିଥାଆନ୍ତି।
ଜଙ୍ଗଲରେ ଜଳାଭାବ

ସେଥର ଗ୍ରୀଷ୍ମ କାଳରେ ପ୍ରବଳ ଖରା ହେଲା। ନଈ ପୋଖରୀ ସବୁ ଶୁଖିଗଲା। ଜଙ୍ଗଲରେ ବି ଝରଣା ଶୁଖିଗଲା। ପଶୁପକ୍ଷୀମାନେ ପାଣି ଟୋପେ ନ ପାଇ ବଡ଼ ଡହଳ ବିକଳ ହେଲେ। ସେମାନଙ୍କ ଭିତରୁ କେତେଜଣ ପାଣି ଖୋଜି ଖୋଜି ଜଙ୍ଗଲ ବାହାରକୁ ବାହାରି ଆସିଲେ। ସେଠାରେ ଜଗିଥିଲେ ଶିକାରୀ। ଶିକାରୀ ତୀର ମାରିଲେ। କେତେ ପଶୁ ମଲେ।
ଜଙ୍ଗଲରେ ହାହାକାର ପଡ଼ିଗଲା। ସବୁ ପଶୁପକ୍ଷୀ ଏକାଠି ହୋଇ ଜଙ୍ଗଲର ରାଜା ସିଂହ ପାଖକୁ ଗଲେ। ସଭା କଲେ। କଣ କରିବା? ଏହି ପ୍ରଶ୍ନ ସମସ୍ତଙ୍କ ମୁହଁରେ।
ରାଜା ସିଂହ କହିଲା : ଜଙ୍ଗଲ ଭିତରେ ଗୋଟେ ପୋଖରୀ ଅଛି। ସେଇଟି ଛୋଟ। ତାକୁ ଯଦି ଆଉ ଟିକେ ଖୋଳାଯାଇ ପାରନ୍ତା, ତେବେ ପାଣି ମିଳନ୍ତା।
ସମସ୍ତେ ମୁଣ୍ଡରେ ହାତ ଦେଲେ। ପୋଖରୀ କେମିତି ଖୋଳା ହେବ? ଖୋଳିବାକୁ କୋଡ଼ି କୋଦାଳ ଲୋଡ଼ା। କୋଡ଼ି କୋଦାଳ ପୁଣି ଚଲେଇବ କିଏ? ଏସବୁ ମଣିଷଙ୍କ କାମ। ଆମେ ପଶୁପକ୍ଷୀ ପାରିବାନି।
ଏତିକି ବେଳେ ଗାଡ଼ଭାଲୁ କହିଲା : ଖୋଳିବା କଥା କହୁଛ ତ। ଆମେ ସେଥିରେ ପ୍ରବୀଣ। ଆମେ ଖୋଳି ପାରିବୁ।
ତା ପଛକୁ ବାହାରିଲା ମୂଷା। କହିଲା : ଭାଇ, ଆମ କଥା ଭୁଲିଗଲ କି? ଆମେ ପରା ଗାତ ଖୋଳିବାରେ ଆହୁରି ପୋଖତ। ଆମ ମୂଷାପଲ ମିଶିଲେ ହଜାରେ ଗାତ ଖୋଳିଦେବୁ।
ସିଂହ କହିଲା : ଆମେ ଜାଣୁ ତୁମେ ସମସ୍ତେ ଗାତ ଖୋଳି ପାରିବ। କିନ୍ତୁ ସେମିତି ପୋଖରୀ ଖୋଳା ହୁଏନା। ତମେ ଯୋଉ ମାଟି ବାହାର କରିବ ତାକୁ ଉଠେଇବ କିଏ? ତୁମେମାନେ ମାଟି ଉଠାଇବା କଥା କେବେ ଦେଖା ଯାଇନି। ଯୋଉଠି ଖୋଳ, ସେଇଠି ଗଦେଇ ଦିଅ।
ଭାଲୁ ଓ ମୂଷା ଚୁପ ହୋଇଗଲେ। ତାଙ୍କ ମୁହଁ ବିରସ ଦିଶିଲା।
ଏବେ ବାହାରିଲେ ପିମ୍ପୁଡ଼ି ଦଳ। କହିଲା : ଆମେ ତ ପଶୁ କି ପକ୍ଷୀ ନୋହୁଁ । ତୁମେମାନେ ତ ଆମକୁ ତୁମ ଦଳରେ ମିଶାଉନ। କିନ୍ତୁ ଆମେ ମାଟି ଉଠାଇଦେଇ ପାରିବୁ।
ସମସ୍ତେ ତାଟକା ହୋଇ ତାଙ୍କୁ ଚାହିଁଲେ। ଇଏ କଣ ମୁଠାଏ ମାଟି ହୋଇଛି ଯେ ତମେ ଉଠେଇ ଦେବ। ବହୁତ ମାଟି ବାହାରିବ। ତମେ ଏତେ ଛୋଟ ଛୋଟ ଜୀବ। ତମେ କଣ କରିବ?
ପିମ୍ପୁଡ଼ି ଦଳ କହିଲେ : ଆମକୁ ଥରେ ସୁଯୋଗ ଦିଅ। କାମ ଆରମ୍ଭ କର। ଦେଖ ଆମେ କଣ କରୁଛୁ?
ସିଂହ କହିଲା : କାମ ଆରମ୍ଭ ହେଉ।
ଗାଡ଼ଭାଲୁ ଓ ମୂଷାଦଳ ଗାତ ଖୋଳିବାରେ ଲାଗିଗଲେ। ପିମ୍ପୁଡ଼ି ଦଳ ମାଟି ଉଠାଇଲେ। ଲକ୍ଷଲକ୍ଷ ପିମ୍ପୁଡ଼ି କାମରେ ଲାଗିଗଲେ। ଆଶ୍ଚର୍ଯ୍ୟର କଥା ହେଉଛି ସବୁ ମାଟି ଉଠିଗଲା। ପୋଖରୀରେ ଝର ପଡ଼ିଲା। ଝର ପଡ଼ି ପୋଖରୀରେ ପାଣି ଭର୍ତ୍ତି ହୋଇଗଲା। କିଛି ପିମ୍ପୁଡ଼ି ପାଣିରେ ଭାସିଗଲେ। କେତେ ମଲେ। କିନ୍ତୁ ସେମାନେ ପଛେଇ ଗଲେ ନାହିଁ। କାମ ଜାରି ରଖିଲେ।
ସମସ୍ତେ ପିମ୍ପୁଡ଼ି ଦଳର ପ୍ରଶଂସା କଲେ। ଛୋଟ ଜୀବଟିଏ ହେଲେ କଣ ହେଲା, ତାଙ୍କର ସାହସ ଓ ଉଦ୍ୟମର ତୁଳନା ନାହିଁ।
ଜଙ୍ଗଲର ଜଳକଷ୍ଟ ଦୂର ହେଲା।
ବିଲୁଆ କହିଲା: ମହାରାଜ! ଜଳକଷ୍ଟ ସିନା ଦୂର ହେଲା। ପ୍ରଥମେ ବୁଝନ୍ତୁ, ଜଳକଷ୍ଟ ହେଲା କାହିଁକି?
ମହାରାଜ ସିଂହ ପଚାରିଲା : ଜଳକଷ୍ଟ ହେଲା କାହିଁକି, ତୁମେ କୁହ?
ବିଲୁଆ କହିଲା: ମହାରାଜ! ଜଳକଷ୍ଟର କାରଣ ହେଲା ବର୍ଷା। ଭଲ ବର୍ଷା ନ ହେଲେ ନଈ ପୋଖରୀକୁ ପାଣି ଆସିବ କୋଉଠୁ? ଭଲ ବର୍ଷା ନ ହେବାର କାରଣ ଜଙ୍ଗଲ ନଷ୍ଟ।
ସିଂହ ଗର୍ଜି ଉଠିଲା: ଜଙ୍ଗଲ ନଷ୍ଟ କଲା କିଏ?
ବିଲୁଆ କହିଲା : ମଣିଷ। ମଣିଷ ଜଙ୍ଗଲରୁ ଅନବରତ ଗଛ କାଟିବାରେ ଲାଗିଛି। ଜଙ୍ଗଲ ନଷ୍ଟ ହେଉଛି।
ସିଂହ ଆଦେଶ ଦେଲା: ମଣିଷ ଜଙ୍ଗଲରୁ ଗଛ କାଟି ପାରିବ ନାହିଁ। ତାକୁ ଆମେ ବାଧା ଦେବା। ଯିଏ ଗଛ କାଟିବ, ତାକୁ ଆକ୍ରମଣ କରିବା।
ବିଲୁଆ କହିଲା : ହାତୀ ବି ବହୁତ ଗଛ ଭାଙ୍ଗି ନଷ୍ଟଭ୍ରଷ୍ଟ କରୁଛି।
ସିଂହ କହିଲା : ହାତୀ! ସାବଧାନ! ଅଯଥାରେ ଗଛ ଡାଳ ଭାଙ୍ଗିବୁ ନାହିଁ। ଆମକୁ ଜଙ୍ଗଲକୁ ଜଗିବାକୁ ହେବ, ଜଙ୍ଗଲ ରହିଲେ ଆମେ ରହିବା। ଗଛ ରହିଲେ ପାଣି ରହିବ।
ଜଙ୍ଗଲରେ ପାଗଳା ହାତୀ

ଜଙ୍ଗଲରେ ହଠାତ ଦିନେ ଗୋଟେ ହାତୀ ପାଗଳ ହୋଇଗଲା। ପାଗଳ ହେଲା ପରେ ସେ ଜଙ୍ଗଲ ସାରା ବୁଲିବୁଲି ସମସ୍ତଙ୍କୁ ମାରି ଗୋଡ଼ାଇଲା। କାହାକୁ ଥୋରପାହାରରେ ବୁଲାଇ ବୁଲାଇ ଦୂରକୁ ଫିଙ୍ଗି ଦେଲା ତ କାହାକୁ ପାଦରେ ଗୋଇଠା ମାରିଲା। ଅନେକ ଗଛରୁ ଡାଳପତ୍ର ଭାଙ୍ଗି ପକାଇଲା। ଜଙ୍ଗଲର ପଶୁପକ୍ଷୀମାନେ ମହାରାଜ ସିଂହଙ୍କ ନିକଟରେ ଆପତ୍ତି କଲେ। ଜଙ୍ଗଲରେ ପଶୁପକ୍ଷୀଙ୍କ ସଭା ଡକାହେଲା।
ସବୁ ଅଭିଯୋଗ ଶୁଣିଲା ପରେ ସିଂହ ରାୟ ଦେଲା : ଏ ପାଗଳ ହାତୀକୁ ମାରି ଦିଆଯାଉ। ଏତେ ଦୁଷ୍ଟାମି ସହି ହେବ ନାହିଁ।
ମାତ୍ର ହାତୀର ଅନ୍ୟ ସାଇଭାଇ ହାତୀମାନେ ମନା କଲେ। କହିଲେ : ମହାରାଜ! ଏପରି ନିଷ୍ଠୁର ହୁଅନ୍ତୁ ନାହିଁ। ସେ ହାତୀଟି ପାଗଳ ହୋଇ ଯାଇଛି। ହାତୀ ଏମିତି ମଧ୍ୟେ ମଧ୍ୟେ ପାଗଳ ହୁଅନ୍ତି। ସେ ଫିଙ୍ଗା ଫୋପଡ଼ା କରିଛି ସତ, କିନ୍ତୁ କାହାରିକୁ ମାରି ନାହିଁ। ହାତୀ ନିରାମିଷାଶୀ ପ୍ରାଣୀ। ସେ ଶିକାର କରି ଖାଏ ନାହିଁ। ତେଣୁ ତାକୁ ମୃତ୍ୟୁଦଣ୍ଡ ଦେବା ଠିକ ହେବ ନାହିଁ।
ସିଂହ ସେଇ ହାତୀମାନଙ୍କୁ କହିଲା : ତେବେ ତୁମେ ଯାଇ ତାକୁ ବୁଝାଅ। ତାକୁ ସୁଧାରିବାକୁ ଚେଷ୍ଟା କର। ଜଙ୍ଗଲର ନିୟମ ନ ମାନିଲେ ଦଣ୍ଡ ଦିଆଯିବ।
ଅନ୍ୟ ହାତୀମାନେ କହିଲେ : ସେ ଆମ କଥା ଶୁଣୁ ନାହିଁ। ଆମକୁ ଦେଖିଲେ ମାରି ଗୋଡ଼ାଉଛି। ଆଉ କିଛି ଉପାୟ କରନ୍ତୁ।
ସିଂହ ତାର ପାତ୍ରମନ୍ତ୍ରୀମାନଙ୍କୁ ପଚାରିଲା। ସବୁ ପଶୁପକ୍ଷୀ ଚିନ୍ତା କଲେ। କିନ୍ତୁ କିଛି ଉପାୟ ବାହାରିଲା ନାହିଁ।
ଏତିକି ବେଳେ କୁଆ ତୁଣ୍ଡ ଖୋଲିଲା। କହିଲା : ମହାରାଜ! ଆମେ ତ ଚାରିଆଡ଼େ ବୁଲୁଛୁ। ନାନା ଜାଗା ଦେଖିଛୁ। ଆମେ ଦେଖିଛୁ ଯେ ମଣିଷ ହାତୀକୁ ଆୟତ୍ତ କରି ରଖିଛି। ତେଣୁ ଉପାୟ ସବୁ ମଣିଷକୁ ଜଣା।

ସବୁ ପଶୁପକ୍ଷୀ ଆଶ୍ଚର୍ଯ୍ୟ ହେଲେ। ହାତୀ ଭଳି ଏତେ ବଡ଼ ଜୀବକୁ ପୁଣି ମଣିଷ ଆୟତ୍ତ କରି ରଖିଛି?
ସିଂହ କହିଲା : ମୁଁ ବି ସେ କଥା ଶୁଣିଛି। ମଣିଷ ଅତି ବୁଦ୍ଧିଆ ପ୍ରାଣୀ। କିନ୍ତୁ ସେ ଆମକୁ ସାହାଯ୍ୟ କରିବ ନାହିଁ। ତାକୁ ଜଙ୍ଗଲକୁ ମଧ୍ୟ ଆଣି ହେବ ନାହିଁ। ସେ ଆସିଲେ ଆମ ସମସ୍ତଙ୍କୁ ଆୟତ୍ତ କରିନେବ।
ବିଲୁଆ ପଚାରିଲା : ଏଥକୁ ଉପାୟ।
ସିଂହ କହିଲା : କୁଆ ଯାଉ। ମଣିଷମାନଙ୍କ ଜାଗାରେ ବୁଲୁ। ଦେଖୁ କେମିତି ମଣିଷ ହାତୀକୁ ବଶ କରୁଛି। ସେ ପାଠଟା ଶିଖିକି ଆସୁ।
କୁଆ କହିଲା : ଯେ ଆଜ୍ଞା ମହାରାଜ!
କୁଆ ମଣିଷବସତି ଆଡ଼କୁ ଉଡ଼ି ଚାଲିଗଲା।
ତିନିଦିନ ପରେ କୁଆ ଫେରିଲା। ସେ ଥଣ୍ଟରେ ଗୋଟାଏ ଲୁହାର କାଠି ଧରି ଆସିଥାଏ। ପୁଣି ପଶୁପକ୍ଷୀଙ୍କ ସଭା ଡକା ହେଲା। କୁଆ ସେ ଲୁହା କାଠିକୁ ସମସ୍ତଙ୍କୁ ଦେଖାଇ କହିଲା : ଏ ହେଉଛି ସେଇ ଯନ୍ତ୍ର, ଯୋଉଟିକୁ ଲଗେଇ ମଣିଷ ହାତୀକୁ ବଶ କରିଥାଏ। ଏହାକୁ ଅଙ୍କୁଶ କୁହାଯାଏ।
ପଶୁପକ୍ଷୀମାନେ ହାଁ କରି ଚାହିଁ ରହିଲେ। ଏଡ଼ିକି ଛୋଟିଆ ଲୁହା ଖଣ୍ଡେ। ଏଥିରେ ପୁଣି ହାତୀ ଭଳିଆ ଏତେ ବଡ଼ ଜୀବ ବଶ ହୋଇ ଯାଉଛି। ଧନ୍ୟ କହିବ ମଣିଷକୁ।
ମହାରାଜ ସିଂହ କହିଲା : ଏବେ ତ ଯନ୍ତ୍ର ମିଳିଗଲା। ଏହାକୁ ଲଗେଇ ହାତୀକୁ ସାଧ୍ୟ କର।
କୁଆ କହିଲା : ମହାରାଜ! ସେ କାମ ଆମେ କରି ପାରିବୁନି।
ସିଂହ ପଚାରିଲେ : ଏ କାମ ତେବେ କରିବ କିଏ? ତୁମେ ପରା ମଣିଷଠୁ ସବୁ ପାଠ ଶିଖିକି ଆସିଛ?
କୁଆ କହିଲା : ଶିଖିଛୁ ସତ। କିନ୍ତୁ ଆମେ ପାରିବୁନି। ଆମ ଥଣ୍ଟରେ କଣ ଅଙ୍କୁଶ ମାରି ହେବ? ଏ କାମ ମାଙ୍କଡ଼ କରିପାରିବ। କାରଣ ସେ ମଣିଷର ପୂର୍ବପୁରୁଷ। ସେ ମଣିଷ ଭଳି କାମ କରିପାରେ। ଆମେ ତାକୁ ଏ ପାଠ ଶିଖେଇ ଦେବୁ।
ଏବେ ମାଙ୍କଡ଼କୁ ଦାୟିତ୍ବ ଦିଆଗଲା। ସେ ଅଙ୍କୁଶ ଧରି ଡାଳକୁ ଡାଳ ଡେଇଁ ହାତୀ ପାଖରେ ପହଞ୍ଚିଲା। ତା ପଛେପଛେ କୁଆ ଉଡ଼ିଉଡ଼ି ଯାଉଥାଏ। ହାତୀକୁ ଅଙ୍କୁଶ କେମିତି ମାରିବ ସେ କଥା ଶିଖାଉ ଥାଏ। ମାଙ୍କଡ଼ ଗଛ ଉପରୁ ହାତୀ ଉପରକୁ ଡେଇଁଲା। ବେକ ମୁଣ୍ଡରେ ଅଙ୍କୁଶ ମାରି ହାତୀକୁ ଆୟତ୍ତ କଳା।
ହାତୀ ବଶ ହେଲାପରେ ତା ପିଠିରେ ବସି ମାଙ୍କଡ଼ ଆଉ କୁଆ ପଶୁପକ୍ଷୀଙ୍କ ସଭାରେ ପହଞ୍ଚିଲେ। ହାତୀର ଆଉ ପାଗଳାମି ନ ଥିଲା। ସେ ଠିକ ହୋଇ ଯାଇଥିଲା।
ସମସ୍ତେ କୁଆ ଆଉ ମାଙ୍କଡ଼ର ପ୍ରଶଂସା କଲେ।
ସିଂହ ମହାରାଜ କହିଲା : ଏ ଯନ୍ତ୍ର ଏଣିକି ଆମ ପାଖରେ ରହିବ। ଯୋଉ ପଶୁପକ୍ଷୀ ଅବାଧ୍ୟ ହେବେ, ତାଙ୍କ ପ୍ରତି ଏଇଟା ପ୍ରୟୋଗ କରାଯିବ।
କୁଆ କହିଲା : ନା ମହାରାଜ! ଏ ଯନ୍ତ୍ରଟି କେବଳ ହାତୀକୁ ସୁଧାରିବା ପାଇଁ। ଅନ୍ୟ ପଶୁପକ୍ଷୀଙ୍କ ପାଇଁ ଏଇଟା କାମ କରିବ ନାହିଁ।
ମହାରାଜ ସିଂହ କହିଲା : ତେବେ ତୁମେ ଆଉ ଥରେ ମଣିଷ ରାଜ୍ୟକୁ ଯାଅ। ସେଇଠୁ କିଛି କିଛି ବୁଦ୍ଧି ଶିଖିକି ଆସ। ମଣିଷ ବହୁତ ବୁଦ୍ଧିଆ ଅଛି। ତା’ଠୁ ଆମର ବହୁତ କିଛି ଶିଖିବାର ଅଛି।
ରାଜାଙ୍କ ଆଦେଶ ପାଇ କୁଆ ପୁଣି ମଣିଷଙ୍କ ବସତି ଆଡ଼କୁ ଉଡ଼ିଗଲା।
ଜଙ୍ଗଲରେ ଚୋର

ସେଦିନ ସଞ୍ଜ ବେଳକୁ କାଉ ଯାଇ ମହାରାଜ ସିଂହଙ୍କୁ ଖବର ଦେଲା ଯେ, ମହାରାଜ! ଜଙ୍ଗଲକୁ ବିପତ୍ତି ମାଡି ଆସୁଛି।
ସିଂହ ମହାରାଜ ବିଶ୍ରାମ ନେଉଥିଲା। କହିଲା : ଆଜି ତ ସଞ୍ଜ ହେଲାଣି। କାଲିକି ବୁଝିବା!
କାଉ କହିଲା : ସକାଳକୁ ବହୁତ ଡେରି ହୋଇଯିବ। ରାତିକ ଭିତରେ ସେମାନେ ବହୁତ କ୍ଷତି କରି ପକାଇବେ।
ସିଂହ ମହାରାଜ ପଚାରିଲା : କିଏ ସେମାନେ? କଣ କ୍ଷତି କରି ପକାଇବେ?
କାଉ କହିଲା : ମହାରାଜ! ସେମାନେ କାଠଚୋର। ଜଙ୍ଗଲରୁ କାଠ କାଟି ନେବା ପାଇଁ ଆସିଛନ୍ତି। ତାଙ୍କୁ ଯଦି ରୋକା ନଯାଏ, ସେମାନେ ରାତିକ ଭିତରେ ଗୁଡ଼ାଏ ଗଛ କାଟି ପକାଇବେ। ଗଛ କଟିଲେ, ଜଙ୍ଗଲକୁ ବିପଦ। ପଶୁପକ୍ଷୀଙ୍କୁ ବିପଦ।
ସିଂହ ମହାରାଜ କହିଲା : ଗୁରୁତର ସମସ୍ୟା। ଏବେ ତୁରନ୍ତ ସଭା ଡାକ।
ଜଙ୍ଗଲର ସବୁ ପଶୁପକ୍ଷୀ ଆସିଗଲେ। ସଭା ହେଲା। ସମସ୍ୟା ବିଷୟରେ ଆଲୋଚନା ହେଲା।
ସିଂହ ମହାରାଜ ନିଷ୍ପତ୍ତି ଶୁଣାଇଲା : ବାଘ ଯାଉ, ସେମାନଙ୍କୁ ଘଉଡ଼ାଇ ଦେଇ ଆସୁ।
ବାଘ କହିଲା : ସମ୍ଭବ ନୁହେଁ ଆଜ୍ଞା! ସେମାନଙ୍କ ପାଖରେ ବନ୍ଧୁକ ଅଛି। ସେମାନେ ନାଛି ଦେବେ। ସେଠାକୁ ଗଲେ ମରିବାଟା ନିଶ୍ଚିତ।
ସିଂହ ମହାରାଜ କହିଲା : ତେବେ ହାତୀ ଯାଉ।
ହାତୀ କହିଲା : ସେମାନେ ଗୁଳି କଲେ, ମୁଁ କଣ ବର୍ତ୍ତି ପାରିବି? ବନ୍ଧୁକ ଗୁଳି ଆଗରେ ମୋର ମୋଟ ଚମଡ଼ା କି ଛାର!
ସିଂହ ମହାରାଜ ପଚାରିଲା : ତେବେ କିଏ ଯିବ?
ବିଲୁଆ ପରାମର୍ଶ ଦେଲା : ସେହିପରି ଜନ୍ତୁ ଯାଆନ୍ତୁ, ଯାହାଙ୍କୁ ମଣିଷ ଗୁଳି କରି ପାରିବନି।
ସିଂହ ମହାରାଜ ପଚାରିଲା : କିଏ ସେହି ଜନ୍ତୁ?
ପୁଣି ବିଚାର ଆଲୋଚନା ହେଲା ।
ବିଲୁଆ କହିଲା : କାଉପଲ ଯାଆନ୍ତୁ। ସେମାନେ ଆକାଶମାର୍ଗରୁ ଆକ୍ରମଣ କରିବେ। ମଣିଷ ଗୁଳି କଲା ବେଳକୁ ଉଡ଼ିଯାଇ ଗଛ ଡାଳ ଉହାଡ଼ରେ ଲୁଚିଯିବେ।
କାଉ କହିଲା : ମଣିଷଙ୍କର ଭାରି ଭଲ ଲକ୍ଷ୍ୟ। ସେମାନେ ଚାହିଁଲେ ଆମକୁ ବି ଗୁଳି କରି ଖସାଇ ଦେଇ ପାରିବେ। ମୁଁ ଭାବୁଛି ଏ ଦାୟିତ୍ବ ବିରୁଡ଼ିଙ୍କୁ ଦିଆଯାଉ।
ବିରୁଡ଼ି କହିଲା : ଆମେ ପାରିବୁ ଯେ, କିନ୍ତୁ ଏବେ ସଞ୍ଜ ହେଲାଣି। ଆମକୁ ରାତିରେ ଦେଖାଯିବ ନାହିଁ। ଆକ୍ରମଣ କେମିତି କରିବୁ? ବରଂ ସେ ଦାୟିତ୍ବ ମହୁମାଛିଙ୍କୁ ଦିଆଯାଉ।
ବିଲୁଆ କହିଲା : ମହୁମାଛିମାନେ ଆମ ଜଙ୍ଗଲ ସଭାରେ ଯୋଗ ଦିଅନ୍ତି ନାହିଁ। ଦିନରାତି ତାଙ୍କ ନିଜ କାମରେ ଲାଗିଥାନ୍ତି। ମହୁ ସଂଗ୍ରହରେ ମାତିଥାନ୍ତି। ସେଗୁଡାକ ଭାରି ସ୍ବାର୍ଥପର। ଅନ୍ୟକୁ ସାହାଯ୍ୟ କରିବା ମନୋବୃତ୍ତି ନାହିଁ।
ସିଂହ ମହାରାଜ କହିଲା : ସେମାନେ ଆମ ଜଙ୍ଗଲ ଇଲାକା ଭିତରେ ରହୁଛନ୍ତି। ଆମ କଥା ତାଙ୍କୁ ଶୁଣିବାକୁ ହେବ। ତୁମେମାନେ ଯାଅ, ତାଙ୍କୁ ରାଜାଙ୍କର ଆଦେଶ ଅଛି ବୋଲି ବୁଝାଅ।
ଭାଲୁ କହିଲା ; ସେମାନେ ମାନିବେନି। ମୁଁ ତାଙ୍କୁ ଦିନେ ମହୁ ଟିକେ ମାଗିଥିଲି। ଦେଲେ ନାହିଁ।
ସମସ୍ତେ ହସିଲେ। ଭାଲୁ ଚୋରିକରି ମହୁ ଖାଏ ବୋଲି ଭୁଟୁଭୁଟୁ ହେଲେ।
ବିଲୁଆ କହିଲା : ଗୋଟିଏ ବାଟ ଅଛି ମହାରାଜ। ତାଙ୍କ ଫେଣାରେ ଟିକେ ହାତ ମାରିଦେଲେ ସେମାନେ ରାଗି ଯାଇ ଯାହାକୁ ପାରିବେ ତାକୁ ବିନ୍ଧିବେ। ବେଶି ତ ମଣିଷକୁ ଗୋଡ଼ାଇ ବିନ୍ଧିବେ। ଅନ୍ଧାର ଭିତରେ ସେତିକି କରିଦେଲେ କାମ ହୋଇଯିବ।
କାଉ କହିଲା : ସେ କାମ ମୁଁ କରିଦେବି। ଏମିତି କରିବି ଯେ, ସେମାନେ ଭାବିବେ ଏ କାମ ମଣିଷ କରିଛି। ତାପରେ ସେମାନେ ମଣିଷକୁ ଗୋଡ଼େଇ ଗୋଡ଼େଇ ବିନ୍ଧିବେ। ଜଙ୍ଗଲରୁ ବିଦା କରିଦେବେ।
ସିଂହ ମହାରାଜ ଆଦେଶ ଦେଲା : ସେହିପରି କରାଯାଉ। ଗୋଟିଏ ଭଲ କାମ ପାଇଁ ଛୋଟିଆ ଭୁଲ ଟିକେ କରିଦେଲେ, ସେଇଟିକୁ ଭୁଲ ବୋଲି କୁହାଯାଇ ପାରିବ ନାହିଁ।
ସିଂହ ମହାରାଜଙ୍କ ଆଦେଶ ବଳରେ କାଉ ଏମିତି କୌଶଳରେ ମହୁଫେଣା ଭାଙ୍ଗି ଦେଲା ଯେ, ମହୁମାଛି ରାଗିପାଚି ଲାଲ ହୋଇଗଲେ। ସେମାନେ ଏ ଅଘଟଣ ପାଇଁ ମଣିଷ ଦାୟୀ ବୋଲି ବିଚାରିଲେ। ମଣିଷଙ୍କୁ ଖୋଜିଲେ। ଜଙ୍ଗଲରେ କାଠଚୋରଙ୍କୁ ଦେଖି ଜାଣିଲେ, ଏଇମାନେ ମହୁଫେଣା ଭାଙ୍ଗିଛନ୍ତି। ମହୁମାଛି ଆକ୍ରମଣ ଆରମ୍ଭ କଲେ। ଚୋରମାନଙ୍କର ବନ୍ଧୁକ କି ଛୁରୀ, କିଛି କାମ ଦେଲା ନାହିଁ। ଟାଙ୍ଗିଆ କି ଠେଙ୍ଗା ତାଙ୍କୁ ରକ୍ଷା କରିପାରିଲା ନାହିଁ।
ସେମାନେ ପ୍ରାଣ ବିକଳରେ ଜଙ୍ଗଲ ଛାଡ଼ି ପଳାଇଲେ।
ଜଙ୍ଗଲରେ ଛେଳିଛୁଆ

ଗୋଟେ ଛେଳିଛୁଆ ଥରେ ବାଟ ଭୁଲି ଜଙ୍ଗଲରେ ପଶିଗଲା। ଅଗନାଅଗନି ଜଙ୍ଗଲ। ବଡ଼ବଡ଼ ଗଛ ସବୁ ଛନ୍ଦାଛନ୍ଦି ହେଇ ଠିଆ ହୋଇଛନ୍ତି। ସୂର୍ଯ୍ୟ କିରଣ ତଳେ ପଡ଼ୁନାହିଁ। ଚାରିଆଡ଼ ଅନ୍ଧାରିଆ ଦିଶୁଛି। ବାଟଘାଟ ଠିକ ଦେଖା ଯାଉନାହିଁ। ଛେଳିଛୁଆ ଫେରିବାକୁ ବାଟ ପାଇଲା ନାହିଁ। ଏଣେତେଣେ ବାଟ ଖୋଜିଖୋଜି ଘୁରି ବୁଲିଲା।
ଏତିକିବେଳେ ସେ ଗୋଟାଏ ଗଧିଆ ହାବୁଡ଼ରେ ପଡ଼ିଲା। ଗଧିଆ ଛେଳିଛୁଆକୁ ଦେଖି ଖୁସି ହୋଇଗଲା। ଛେଳିଛୁଆର କଅଁଳିଆ ମାଉଁସ ଖାଇବ ବୋଲି ତା ମନରେ ଲୋଭ ଆସିଗଲା। ସେ ଛେଳିଛୁଆକୁ ପଚାରିଲା- ତୁ କିଏ? ଏଠିକି କାହିଁକି ଆସିଛୁ?
ଛେଳିଛୁଆ କହିଲା- ମୁଁ ବାଟ ଭୁଲି ଯାଇଛି। ମୋତେ ଘରକୁ ଯିବାକୁ ହେବ। ମୋତେ ଟିକେ ବାହାରକୁ ବାହାରି ଯିବାର ବାଟ ଦେଖାଇ ଦିଅ।
ଗଧିଆ କହିଲା- ବାହାରକୁ ଯିବାର ବାଟ ଏଠୁ ବହୁତ ଦୂର। ତୁ ଜଙ୍ଗଲ ଭିତରେ ବହୁତ ବାଟ ଚାଲି ଆସିଲୁଣି। ଏବେ ଫେରିଲା ବେଳକୁ ରାତି ହେଇଯିବ। ତୁ ଆଜି ରାତିରେ ଏଇଠି ରହିଯା’। ସକାଳକୁ ତୋ ଘର ଖୋଜିଖୋଜି ଯିବୁ।
ଛେଳିଛୁଆ କାନ୍ଦିବାକୁ ଲାଗିଲା। ଗଧିଆ ପଚାରିଲା- ତୁ କାନ୍ଦୁଛୁ କାହିଁକି?
ଛେଳିଛୁଆ କହିଲା- ମୁଁ ଘରକୁ ନ ଫେରିଲେ ମୋ ମାଆ ବ୍ୟସ୍ତ ହେଇଯିବ। ସେ ବହୁତ କାନ୍ଦିବ।
ଗଧିଆ କହିଲା- ତୋ କଥା ଶୁଣି ମୋତେ ବି କାନ୍ଦ ମାଡ଼ୁଛି। ଆ’, ମୋ ସାଙ୍ଗରେ ଆ’। ମୁଁ ତୋତେ ବାହାରକୁ ଯିବାକୁ ବାଟ ବତେଇଦେବି।
ଏତିକି କହି ଗଧିଆ ଛେଳିଛୁଆକୁ ସାଙ୍ଗରେ ନେଇ ଚାଲିଲା। ମନେମନେ ବିଚାର କଲା ଯେ, ଏହାକୁ ଗୁମ୍ଫା ଭିତରକୁ ନେଇ ଯାଇ ମାରିଦେବ। ତାର କଅଁଳିଆ ମାଉଁସକୁ ଆରାମରେ ଖାଇବ।
ଟିକେ ବାଟ ଆଗକୁ ଯାଉଯାଉ ରାସ୍ତାରେ ଦେଖା ହୋଇଗଲା ବାଘ। ବାଘର ଆଖି ପଡ଼ିଲା ଛେଳିଛୁଆ ଉପରେ। ଛେଳିଛୁଆକୁ ଦେଖି ବାଘ ମନରେ ବି ଲୋଭ ଆସିଗଲା। କହିଲା: କିରେ ଗଧିଆ, ଏ ଛେଳିଛୁଆକୁ ନେଇ ତୁ କୁଆଡ଼େ ଯାଉଛୁ?
ଗଧିଆ କହିଲା: ବିଚାରୀ ଛେଳିଛୁଆଟି ବାଟ ଭୁଲି ଯାଇଛି। ଘରକୁ ଫେରି ଯାଇ ପାରୁନାହିଁ। ମୁଁ ତାକୁ ବାଟ ଦେଖେଇବାକୁ ନେଉଛି।
ବାଘ ଆଖିରେ ଗଧିଆର ଚାଲାକି ଧରା ପଡ଼ିଗଲା। ସେ ପାଟିକରି କହିଲା: ତୁ କଣ ବାଟ ଦେଖାଇବୁ? ତୁ ପରା ଅଝାଡ଼ ଜଙ୍ଗଲ ଆଡ଼କୁ ତାକୁ ନେଇଗଲୁଣି। ରାସ୍ତା ତ ସେପଟେ ରହିଲା।
ଗଧିଆ କହିଲା: ତାକୁ ଟିକଏ ଶୋଷ ହେଉଥିଲା ତ, ତେଣୁ ଏପଟେ ନଈରେ ପାଣି ପିଇଥାନ୍ତା। ତାପରେ ମୁଁ ତାକୁ ନେଇ ତାଙ୍କ ଘରେ ଛାଡ଼ି ଦେଇ ଆସିଥାନ୍ତି।
ବାଘ କହିଲା: କିରେ, ଏପଟେ ନଈ କୋଉଠୁ ଆସିଲା? ତୁ ମନ୍ଦ ଉଦ୍ଦେଶ୍ୟ ରଖି ତାକୁ ସାଙ୍ଗରେ ନଉଛୁ। ତୁ ତାକୁ ଛାଡ଼, ମୁଁ ତାକୁ ନେଇ ତା ଘରେ ଛାଡ଼ି ଦେଇ ଆସିବି।
ବାଘ କଥା ଉପରେ ଆଉ କିଛି କହିବାକୁ ଗଧିଆର ସାହସ ହେଲା ନାହିଁ। ଏମିତିରେ ବାଘ ହେଲା ଜଙ୍ଗଲର ସେନାପତି। ତା କଥାକୁ ଅମାନ୍ୟ କଲେ ବିପଦ। ତେଣୁ ଏ ଛେଳିଛୁଆର ଆଶା ଛାଡ଼ିବାକୁ ପଡ଼ିବ। ସେ ଛେଳିଛୁଆକୁ ଛାଡ଼ି ଜଙ୍ଗଲ ଭିତରକୁ ପଶିଗଲା। କିନ୍ତୁ ମନ ସମ୍ଭାଳି ହେଉନଥାଏ। ତେଣୁ ଟିକେ ଦୂରରେ ତାଙ୍କ ପଛେପଛେ ଚାଲୁଥାଏ।
ଏବେ ଛେଳିଛୁଆ ଆଉ ବାଘ ସାଙ୍ଗ ହୋଇ ଚାଲୁଥିଲେ। ବାଘ କେବଳ ମନେମନେ ଭାବୁଥାଏ, ଛେଳିଛୁଆକୁ ବୁଦା ମୂଳକୁ ନେଇଯିବ। କୋଉଠି ଟିକେ ଆଢ଼ୁଆଳ ଦେଖି ମାଡ଼ି ବସିବ। ତା’ର କଅଁଳିଆ ମାଉଁସ ଖାଇବ।
ବାଘ ଧୀରେଧୀରେ ଚାଲୁଥାଏ, ତା ପଛେପଛେ ଛେଳିଛୁଆ। କିଛି ବାଟ ଗଲା ପରେ ସାମ୍ନାରେ ଉଭା ହେଲେ ଜଙ୍ଗଲର ରାଜା ସିଂହ। ବାଘ ସାଙ୍ଗରେ ଛେଳିଛୁଆକୁ ଦେଖି ଆଶ୍ଚର୍ଯ୍ୟ ହେଲେ। ପଚାରିଲେ: ସେନାପତି ବାଘ! ତୁମେ ଏ ଛେଳିଛୁଆଟିକୁ ନେଇ କୁଆଡ଼େ ଯାଉଛ?
ବାଘ କହିଲା: ମହାରାଜ! ବିଚାରୀ ଏ ଛେଳିଛୁଆଟି ବାଟ ଭୁଲି ଜଙ୍ଗଲରେ ପଶି ଯାଇଥିଲା। ଘରକୁ ଯିବାକୁ ବାଟ ପାଉନଥିଲା। ମୁଁ ତାକୁ ବାଟ ଦେଖେଇ ଦେଖେଇ ତା ଘରେ ଛାଡ଼ିଦେବି ବୋଲି ଯାଉଛି।
ସିଂହ ପଚାରିଲା: ଏବାଟେ କୁଆଡ଼େ? ଏଇଆଡ଼େ ତ ଆଗକୁ ଗଲେ ଘଞ୍ଚ ଜଙ୍ଗଲ ପଡ଼ିବ। ଏପଟେ ତାକୁ ନେଇ କୋଉଠି ଛାଡ଼ିବ?
ବାଘ ସଫେଇ ଦେଲା: ମହାରାଜ, ତାକୁ ଟିକେ ଭୋକ ହେଉଥିଲା ତ! ଆଗରେ କଅଁଳ ପତ୍ର ଯୋଡ଼ାଏ ଖୁଆଇଥାନ୍ତି। ପରେ ତାକୁ ତା ଘରେ ନେଇ ଛାଡ଼ି ଦେଇ ଆସିଥାନ୍ତି।
ସିଂହ ଆଖିରେ ବାଘର ଚାଲ ଧରା ପଡ଼ିଯାଇଥିଲା। କହିଲା: ଆଗକୁ ତ ଘନଘୋର ଜଙ୍ଗଲ। କଅଁଳିଆ ପତ୍ର ଆଉ କାହିଁ? ରାସ୍ତା ତ ସେପଟେ ରହିଲା, ତମେ ଏପଟକୁ ପୁଣି କାହିଁକି ଆସିଲ?
ବାଘ କଣ କେମିତି ବୁଝାଇବ ତାର କୂଳକିନାରା ପାଉ ନଥାଏ।
କହିଲା: କଅଁଳ ପତ୍ର ନୁହେଁ, ତାକୁ ହାଲିଆ ଲାଗୁଥିଲା ତ, ଆଗରେ ଗୋଟେ ଘାସ ପଡ଼ିଆ ଅଛି, ସେଇଠି ଟିକେ ବିଶ୍ରାମ ନେଇଥାଆନ୍ତା।
ସିଂହ ପାଟି କରି କହିଲା: ଥାଉ, ଆଉ କିଛି କୁହ ନାହିଁ। ତୁମର ମନ୍ଦ ଉଦ୍ଦେଶ୍ୟ ଜଣା ପଡ଼ିଗଲାଣି। ତୁମେ ଏବେ ତାକୁ ଛାଡ଼। ମୁଁ ତାକୁ ଠିକ ରାସ୍ତା ଦେଖାଇ ତା ଘରେ ଛାଡ଼ି ଦେଇ ଆସିବି।
ବାଘ ବାଧ୍ୟ ହୋଇ ଛେଳିଛୁଆକୁ ଛାଡ଼ିଦେଲା। ଯାହା ହେଲେ ବି ସିଂହ ହେଉଛି ଜଙ୍ଗଲର ରାଜା। ତା ସହିତ ଶତ୍ରୁତା କଲେ ଅସୁବିଧା ହୋଇଯିବ।
ସିଂହ ଛେଳିଛୁଆକୁ କହିଲା: ମୋ ସାଙ୍ଗରେ ଆ’। ଏମାନେ ସମସ୍ତେ ଦୁଷ୍ଟ ପ୍ରାଣୀ। ମନ୍ଦ ଉଦ୍ଦେଶ୍ୟ ରଖି ତୋତେ ସାଙ୍ଗରେ ନେଉଥିଲେ।
କିଛି ବାଟ ଗଲା ପରେ ସିଂହ ବି ଲୋଭେଇଲା। ମନେମନେ ଭାବୁଥିଲା ଏଇ ଛେଳିଛୁଆର ମାଉଁସ ବଡ଼ କଅଁଳ ହୋଇଥିବ। ତାକୁ ଖାଇଲେ ବଡ଼ ମଜା ଆସିବ। ସେ ମନରେ ଉପାୟ ପାଞ୍ଚିଲା। ଏହାକୁ ନେଇ ଗୁମ୍ଫା ଭିତରକୁ ଚାଲି ଯିବ। କେହି ଦେଖି ପାରିବେନି। ସେ ଏହାକୁ ମାଡ଼ି ବସି ତଣ୍ଟି କଣା କରିଦବ। ଗରମ ଗରମ ତାଜା ରକ୍ତ ପିଇବ। ତା ପରେ ତାର କଅଁଳିଆ ମାଉଁସକୁ ଜଳଖିଆ କରି ଖାଇବ।
ଗଧିଆ ଓ ବାଘ କିନ୍ତୁ ଟିକେ ଦୂରରେ ଥାଇ ସେମାନଙ୍କ ପଛେପଛେ ଚାଲୁଥିଲେ। ସେମାନେ ଜାଣିଥିଲେ ଯେ ସିଂହ କଦାପି ଛେଳିଛୁଆକୁ ଗାଁ ରାସ୍ତାରେ ଛାଡ଼ିବ ନାହିଁ। କିଛି ଗୋଟାଏ ଅଘଟଣ ନିଶ୍ଚୟ ଘଟାଇବ।
ଏତିକିବେଳେ ଛେଳିଛୁଆ ସିଂହକୁ କହିଲା: ମୁଁ ପ୍ରକୃତରେ ବାଟ ଭୁଲି ଜଙ୍ଗଲକୁ ଆସି ନାହିଁ। ମୋର ବି ମନ୍ଦ ଉଦ୍ଦେଶ୍ୟ ଥିଲା।
ସିଂହ ଅଟକିଗଲା। ଆଚମ୍ବିତ ହୋଇଗଲା।
ପଚାରିଲା: କଣ କହିଲୁ? ତୋର ବି ମନ୍ଦ ଉଦ୍ଦେଶ୍ୟ ଥିଲା! କଣ ମନ୍ଦ ଉଦ୍ଦେଶ୍ୟ?
ଛେଳିଛୁଆ କହିଲା: ଆଜ୍ଞା, ଜଙ୍ଗଲ ବାହାରେ ଦଳେ ଶିକାରୀ ଅଛନ୍ତି। ସେମାନେ ମୋତେ ଜଙ୍ଗଲକୁ ପଠେଇଥିଲେ। କହିଥିଲେ, ଯେତେବେଳେ ତୋତେ ସିଂହ, ବାଘ, ଭାଲୁ ଇତ୍ୟାଦି ଦେଖା ହେଇଯିବେ, ଟିକେ ମେଁମେଁ କରି ବୋବେଇଦବୁ। ବାସ୍ ଆମେ ପହଂଚି ଯିବୁ ଆଉ ଗୁଳି ଚଳାଇବୁ।
ସିଂହ ପଚାରିଲା: ତା’ର ମାନେ, ଶିକାରୀ ଗୁଡ଼ାକ ଆମ ପଛେପଛେ ଆସୁଛନ୍ତି?
ଛେଳିଛୁଆ କହିଲା: ଆଜ୍ଞା ହଁ। ମୁଁ ମେଁ କରି ବୋବାଇବା ମାତ୍ରେ ସେମାନେ ଗୁଳି ଫୁଟାଇବେ।
ସିଂହ ଏ କଥା ଶୁଣି ଭୟରେ ଛାନିଆ ହୋଇଗଲା। ପଚାରିଲା: ତୁ ତେବେ ମେଁ କରି ବୋବାଇବୁ?
ଛେଳିଛୁଆ କହିଲା: ନା, ମୁଁ ବୋବାଇବି ନାହିଁ। ଆପଣମାନେ ଏତେ ଭଲ। ମୋତେ କେତେ ଭଲ କଥା କହୁଛନ୍ତି। ମୁଁ କଣ ଆପଣଙ୍କୁ ଗୁଳି ଖାଇ ମରିବାକୁ ଦେବି?
ସିଂହ କହିଲା: ତୁ ବି ବହୁତ ଭଲ।
ସେମାନଙ୍କ ପଛେପଛେ ଆସୁଥିଲେ ବାଘ ଆଉ ଗଧିଆ। ଏମାନଙ୍କ କଥା ଟିକେ ଦୂରରୁ ଶୁଣୁଥିଲେ। ସେମାନେ ଏବେ ପାଖକୁ ଆସି କହିଲେ: ଆମେ ବି ଭଲ। ଛେଳିଛୁଆ ଭାଇ, ଜମା ମେଁ କରି ବୋବାଇବ ନାହିଁ ଟି?
ଛେଳିଛୁଆ କହିଲା: ଆପଣମାନେ ସମସ୍ତେ ଭଲ। ଉପକାରୀ। ସ୍ନେହୀ ମଧ୍ୟ। ଆପଣଙ୍କର ସ୍ନେହ ଭୁଲି ହବ ନାହିଁ। ମୁଁ ଜମା ବୋବେଇବି ନାହିଁ।
ସେମାନେ ସେଠାରୁ ଧୀରେଧୀରେ ଅଦୃଶ୍ୟ ହେଇଗଲେ। ଛେଳିଛୁଆ ଏକାଏକା ଫେରିବା ବାଟ ଖୋଜିବାରେ ଲାଗିଗଲା।
ଛେଳିଛୁଆ ମନେମନେ ଖୁସି ଥିଲା। କାରଣ ବୁଦ୍ଧି ଖର୍ଚ୍ଚ କରି ସେ ଜଙ୍ଗଲରୁ ପ୍ରାଣବଞ୍ଚାଇ ଖସି ଆସିଥିଲା।
ସିଂହ, ବାଘ ଆଉ ଗଧିଆ ବି ଆହୁରି ଖୁସି ହେଇ ସେଠୁ ପଳେଇଥିଲେ। ତାଙ୍କ ପ୍ରାଣ ବି ବଞ୍ଚିଯାଇଥିଲା।

ଜଙ୍ଗଲରେ ଡାକୁ

ଜଙ୍ଗଲ ଭିତରେ ସେଦିନ ଦଳେ ଲୋକ ପଶିଲେ। ସେମାନଙ୍କ ହାତରେ ବନ୍ଧୁକ ଥିଲା। କେତେଜଣ ଧନୁତୀର ବି ଧରିଥିଲେ। କାନ୍ଧରେ ବୋହି ନେଉଥିଲେ ଅଖା ଭର୍ତ୍ତି ଜିନିଷ। ସେମାନେ ଗୋଟେ ଗୁମ୍ଫା ଭିତରେ ପଶିଲେ। ଗୁମ୍ଫାର ଦୁଆର ମୁହଁକୁ ପଥର ଦେଇ ବନ୍ଦ କରିଦେଲେ। ସେମାନେ ଦିନ ସାରା ସେଇ ଗୁମ୍ଫା ଭିତରେ ଥାଆନ୍ତି। ରାତିହେଲେ ପଦାକୁ ବାହାରନ୍ତି। ହାତରେ ଥାଏ ଟର୍ଚ୍ଚ। ଆଲୁଅ ଜାଳିଜାଳି ଜଙ୍ଗଲ ବାଟରେ ଚାଲନ୍ତି। ପୁଣି ରାତି ପାହିବା ପୂର୍ବରୁ ଜଙ୍ଗଲକୁ ଫେରି ଆସନ୍ତି। ଗୁମ୍ଫା ଭିତରେ ଲୁଚି ରୁହନ୍ତି।
ଖବରଟା ମହାରାଜ ସିଂହଙ୍କ ନିକଟରେ ପହଞ୍ଚାଇ ଥିଲା ବିଲୁଆ।
ମହାରାଜ ସିଂହ ଚମକି ପଡିଲା। ଜଙ୍ଗଲରେ ମଣିଷ! ଜଙ୍ଗଲଟା ତ ଆମର। ଆମ ପଶୁପକ୍ଷୀଙ୍କର। ମଣିଷ ପୁଣି ଏ ଜଙ୍ଗଲରେ ପଶି କରୁଛି କଣ? ମଣିଷକୁ ତ ଗାଁ ଗଣ୍ଡା, ସହର ବଜାର ସବୁ ଦିଆ ଗଲା। ସେମାନେ ପୁଣି ଜଙ୍ଗଲ ଭିତରେ ପଶୁଛନ୍ତି କାହିଁକି?
ବିଲୁଆ କହିଲା- ମହାରାଜ! ସେମାନେ ହେଉଛନ୍ତି ଡକାୟତ। ମଣିଷ ଘରୁ ଚୋରି କରିବା ସେମାନଙ୍କ କାମ। ସେମାନେ ରାତିରେ ଚୋରି କରନ୍ତି। ଦିନସାରା ଏଇ ଜଙ୍ଗଲ ଭିତରେ ଲୁଚି ରୁହନ୍ତି।
ମହାରାଜ ସିଂହ କହିଲା: ଏଇଟା ଠିକ କଥା ନୁହେଁ। ସେମାନେ ଜଙ୍ଗଲରେ ଲୁଚିବା ଉଚିତ ନୁହେଁ। ଜଙ୍ଗଲଟା ଆମର। ପଶୁପକ୍ଷୀଙ୍କର। ମୁଁ ଜଙ୍ଗଲର ରାଜା।
ବିଲୁଆ କହିଲା: ଆଜ୍ଞା, ସେ କଥା ମଣିଷକୁ ବୁଝାଇବ କିଏ? ମଣିଷ ଭାରି ଅଜବ ପ୍ରାଣୀ। ଜଙ୍ଗଲର ନିୟମ ମାନିବାକୁ ନାରାଜ। ସେ ତାର ଯାହା ମନ ସେମିତି କାମ କରେ।
ସିଂହ ପଚାରିଲା: ସେମାନେ ଏଠି ରହିଲେ ପଶୁପକ୍ଷୀଙ୍କୁ ବିପଦ ନାହିଁ ତ?
ବିଲୁଆ କହିଲା: ବିପଦ ନାହିଁ କେମିତି? ସେମାନଙ୍କ ହାତରେ ବନ୍ଧୁକ ଅଛି। ଧନୁତୀର ଅଛି। ସେମାନେ ଯଦି ଆମକୁ ଦେଖନ୍ତି ତେବେ କଣ ଛାଡ଼ିଦେବେ? ନିଶ୍ଚୟ ମାରିବେ।
ସିଂହ ପଚାରିଲା: ଏବେ କଣ କରିବା?
ବିଲୁଆ କହିଲା: ଜଙ୍ଗଲ ସଭା ଡକା ଯାଉ। ସମସ୍ତେ ଏକାଠି ହେଇ ବିଚାର କରିବା।
ଜଙ୍ଗଲରେ ସଭା ଡକା ହେଲା। ସବୁ ପଶୁପକ୍ଷୀ ଏକାଠି ହୋଇ ନିଜ ନିଜର ମତ ଦେଲେ।
ବାଘ କହିଲା: ଆକ୍ରମଣ କରିବା। ସେମାନଙ୍କୁ ମାରି ସଫା କରିଦେବା।
ବିଲୁଆ କହିଲା: ସମ୍ଭବ ନୁହେଁ। ସେମାନଙ୍କ ହାତରେ ବନ୍ଧୁକ ଅଛି। ନାଛି ଦେବେ।
କାଉ କହିଲା: ଆକାଶ ମାର୍ଗରୁ ସେମାନଙ୍କ ଉପରେ ଆକ୍ରମଣ କରାଯିବ। ତାଙ୍କ ମୁଣ୍ଡ ସବୁ ଖୁମ୍ପି କଣା କରିଦେବା।
ବିଲୁଆ କହିଲା: ସମ୍ଭବ ନୁହେଁ। ସେମାନେ ମୁଣ୍ଡରେ ବଡବଡ ଠେକା ବାନ୍ଧିଛନ୍ତି। ବିରକ୍ତ ହେଲେ ସେମାନେ ପକ୍ଷୀଙ୍କ ଉପରକୁ ଜାଲ ପକେଇ ସେମାନଙ୍କୁ ବାନ୍ଧି ନେବେ।
ଶେଷରେ ଭାଲୁ ଯାହା କହିଲା ସେଇଟି ସମସ୍ତଙ୍କ ମନକୁ ପାଇଲା।
ଭାଲୁ କହିଲା: ମହାରାଜ, ଚୋରଙ୍କର ଶତ୍ରୁ ହେଲେ ପୋଲିସ। ଯଦି କୌଣସି ଉପାୟରେ ପୋଲିସ ଏଠାକୁ ଆସିଯାଆନ୍ତା ତେବେ ଏମାନେ ଧରାପଡ଼ନ୍ତେ। ନୋହିଲେ ଏଠାରୁ ପଳାଇ ଯାଆନ୍ତେ।
ସିଂହ ପଚାରିଲା: ପୋଲିସକୁ ଏଠାକୁ ଆଣିବା କିପରି?
ସମସ୍ତେ ପୁଣି ଚିନ୍ତା କଲେ। ଏବେ ପାରା କହିଲା: ମହାରାଜ! ମୁଁ ଶୁଣିଛି ଯେ, ଆମ ଜାତିଭାଇ କିଛି ପାରା ପୋଲିସ ଘରେ ଚାକିରୀ କରୁଛନ୍ତି। ସେମାନଙ୍କୁ କହିଲେ, ସେମାନେ ସାହାଯ୍ୟ କରିବେ।
ସଭାରେ ନିଷ୍ପତ୍ତି ହେଲା ଯେ, ପାରା ପୋଲିସ ଥାନାକୁ ଯିବ ଓ ସେଠି ଚାକିରୀ କରୁଥିବା ଜାତିଭାଇ ପାରାଙ୍କ ସହିତ ଭେଟ ହେବ। ତାଙ୍କୁ ସାହାଯ୍ୟ ମାଗିବ। ସେଇ ଅନୁସାରେ ପାରା ଉଡ଼ିଉଡ଼ି ସହରକୁ ଗଲା। ସେଠାରେ ଥାନା ଖୋଜି ପାଇଲା। ସେଠି ଚାକିରୀ କରୁଥିବା ପାରାଙ୍କୁ ଭେଟି ସବୁ କଥା କହିଲା।
ପୋଲିସ ପାରା କହିଲା- ଆମେ ଆଉ କଣ ସାହାଯ୍ୟ କରିବୁ? ଥାନାର ଗୁପ୍ତ ଚିଠି ନେବା ଆଣିବା ହେଲା ଆମର କାମ। ଏଠୁ ଚିଠି ନେଇ ଆମେ ଆର ଥାନାରେ ଦଉ ଏବଂ ସେଠୁ ଚିଠି ଆଣି ଏଠି ଦେଉ। ଆମେ ଆଉ କି ପ୍ରକାରେ ଡକାୟତଙ୍କୁ ଧରିପାରିବା?
ପାରା ନିରାଶ ହେଇ ଫେରିଯିବାକୁ ବସିଛି ତାର ଦୃଷ୍ଟି ପଡ଼ିଲା ଗୋଟାଏ କୁକୁର ଉପରେ। ବେଶ ହୃଷ୍ଟପୃଷ୍ଟ କୁକୁର, ବିଶାଳ ଚେହେରା, ପାଟି ମେଲି ହାତେ ଲମ୍ବର ଜିଭ କାଢ଼ି ଲହଲହ କରୁଛି। କାନ ଦୁଇଟା ଠିଆଠିଆ, ଦେହରେ ବୋଝେ ରୁମ।
ପାରା ପଚାରିଲା : ଏ କୁକୁର ଏଠି କଣ କରୁଛି?
ପୋଲିସ ପାରା କହିଲା: ସେ ବି ଏଠାରେ ଚାକିରୀ କରିଛି। ଚୋର ଧରିବାକୁ ସେ ପୋଲିସ ସହିତ ଯାଏ। ତାର ଶୁଂଘିବା ଶକ୍ତି ବହୁତ ଅଧିକ। ତାକୁ କହିଲେ, ସେ ଅବଶ୍ୟ ସାହାଯ୍ୟ କରି ପାରିବ।
ଜଙ୍ଗଲି ପାରା ଏବଂ ପୋଲିସ ପାରା ଦୁଇଜଣ ମିଶି ପୋଲିସ କୁକୁରକୁ ଭେଟିଲେ ଓ ସାହାଯ୍ୟ ମାଗିଲେ। ସବୁ ଶୁଣି ସାରି ପୋଲିସ କୁକୁର କହିଲା: ମୁଁ ନିଶ୍ଚୟ ସାହାଯ୍ୟ କରିବି। ମୋର ଘ୍ରାଣ ଶକ୍ତି ବହୁତ ପ୍ରଖର। ଆଖପାଖ ଅଞ୍ଚଳରେ ଚୋରି ହେଲେ ମୁଁ ପୋଲିସ ସାଙ୍ଗରେ ଯାଏ। ଚୋର ଛାଡ଼ି ଯାଇଥିବା କୌଣସି ଜିନିଷ ମୋ ନାକରେ ଶୁଙ୍ଘାଇ ଦେଲେ ମୁଁ ବାସ୍ନା ଖୋଜିଖୋଜି ତାଙ୍କ ପାଖରେ ପହଞ୍ଚି ଯାଏ। ପୋଲିସ ତାଙ୍କୁ ଧରି ଜେଲରେ ପୁରାଏ। ତୁମେ ଗୋଟାଏ କାମ କର, ସେ ଚୋରଙ୍କର ଗୋଟାଏ ଗାମୁଛା କିମ୍ବା ଲୁଗା ମୋତେ ଆଣି ଦିଅ। ମୁଁ ସେମାନଙ୍କୁ ନିଶ୍ଚୟ ଧରାଇଦେବି। ଆରଥରକୁ ଯେତେବେଳେ କୋଉଠି ଚୋରି ହେବ, ମୁଁ ସେଠି ଅନ୍ୟ କୌଣସି ଜିନିଷକୁ ନ ଶୁଙ୍ଘି ତମେ ଦେଇଥିବା ଗାମୁଛାକୁ ଶୁଙ୍ଘିବି। ଯୋଉ ଡକାୟତ ଜଙ୍ଗଲରେ ରହି ତୁମକୁ ହଇରାଣ କରୁଛନ୍ତି, ତାଙ୍କୁ ଧରିବି।
ପାରା ଏ ଖବର ନେଇ ଜଙ୍ଗଲରେ ପହଞ୍ଚିଲା। ପୁଣି ଥରେ ଜଙ୍ଗଲ ସଭାରେ ଏ ବିଷୟରେ ଆଲୋଚନା ହେଲା। ନିଷ୍ପତ୍ତି ହେଲା ଯେ, କାଉ ଚୋରଙ୍କ ସର୍ଦ୍ଦାରର ଗାମୁଛା ଉଠାଇ ନେବ। ତାକୁ ନେଇ ପାରା ପୋଲିସ କୁକୁରକୁ ଦେବ। ବାସ୍ ତାପର କାମ ପୋଲିସ କୁକୁର କରିବ।
ସେଇ ଅନୁସାରେ ସବୁ କାମ ହୋଇଗଲା। ଚୋର ସର୍ଦ୍ଦାରର ଗାମୁଛା ନେଇ ପାରା ଯେତେବେଳେ ପୋଲିସ କୁକୁରକୁ ଦେଲା, ପୋଲିସ କୁକୁର କହିଲା- ତୁମେ ଭଲ ବେଳରେ ଆସି ପହଞ୍ଚି ଯାଇଛ। ଏଇ ପାଖରେ ଗୋଟାଏ ଚୋରି ହୋଇଛି। ପୋଲିସ ଏବେ ସେଠିକି ବାହାରିଛି। ମୋତେ ତ ସେମାନେ ସାଙ୍ଗରେ ନେବେ। ମୁଁ କିନ୍ତୁ ସେ ଚୋରକୁ ଧରିବିନି। ତୁମକୁ ହଇରାଣ କରୁଥିବା ଚୋରକୁ ଆଗ ଧରିବି।

ସେ ଗାମୁଛାଟାକୁ ଭଲ କରି ଶୁଙ୍ଘିଲା। ଏତିକିବେଳେ ଜଣେ ପୋଲିସ ଆସି କୁକୁରର ଫିତା ଟାଣି ବାହାରକୁ ନେଇଗଲା। କୁକୁର ଯାଇ ପୋଲିସ ଜିପ୍ରେ ବସିଲା। ଚୋରି ଜାଗାରେ ପହଞ୍ଚିବା ପରେ ତାକୁ ଯେତେବେଳେ କିଛି ଜିନିଷ ଶୁଙ୍ଘିବାକୁ ଦିଆଗଲା, ସେ କିଛି ଶୁଙ୍ଘିଲାନି। ଏବେ ସେ ଡକାୟତଙ୍କ ଗାମୁଛାର ଗନ୍ଧ କଥା ମନେ ପକାଇଲା ଓ ଜଙ୍ଗଲ ଆଡ଼କୁ ମୁହାଁଇଲା। ପୋଲିସ ତା ପଛେପଛେ ଚାଲିଲେ।
ଏମିତି ଏମିତି ଯାଉଯାଉ ସେମାନେ ଜଙ୍ଗଲ ଭିତରେ ଡକାୟତ ଲୁଚିଥିବା ଗୁମ୍ଫା ପାଖରେ ପହଞ୍ଚିଗଲେ। କୁକୁର ଗୁମ୍ଫା ସାମ୍ନାରେ ଠିଆ ହୋଇ ଜୋରରେ ଭୁକିବାକୁ ଲାଗିଲା। ପୋଲିସ ଅଫିସର କହିଲେ : ଇଏ ଏଠି ଭୁକୁଛି କାହିଁକି? ନିଶ୍ଚୟ ଏଠି କିଛି ରହସ୍ୟ ଅଛି।
ପୋଲିସ ଗୁମ୍ଫା ଆଗରେ ଥିବା ପଥରକୁ ହଟାଇଲେ। ଦେଖିଲେ, ଭିତରେ ଡକାୟତ ଶୋଇଛନ୍ତି। ଡକାୟତମାନେ ହଠାତ ଉଠିପଡ଼ି ଖସିବାକୁ ଚେଷ୍ଟା କଲେ। ସେମାନେ ପ୍ରସ୍ତୁତ ନଥିଲେ। ତେଣୁ ବନ୍ଧୁକ କି ଧନୁତୀର କାଢ଼ି ପାରିଲେ ନାହିଁ। ଅଳ୍ପ କିଛି ସମୟ ଧସ୍ତାଧସ୍ତି ହେଲାପରେ ଡକାୟତ ସବୁ ଧରା ପଡ଼ିଲେ। ପୋଲିସ ଡକାୟତଙ୍କୁ ବାନ୍ଧି ପକାଇଲା। ତାଙ୍କୁ ଜଙ୍ଗଲ ରାସ୍ତାରେ ଧରି ଥାନାକୁ ଆଣିଲା। ସେମାନେ ଯେତେବେଳେ ଜଙ୍ଗଲ ରାସ୍ତାରେ ଆସୁଥିଲେ ଶହଶହ ପାରା, କାଉ ଓ ଅନ୍ୟ ଚଢ଼େଇମାନେ ଖୁସିରେ ବୋବାଉ ଥିଲେ। ପୋଲିସ ବୁଝିପାରିଲା ନାହିଁ ଯେ, ସେମାନେ କାହିଁକି ଏମିତି ବୋବାଉଛନ୍ତି।
ପୋଲିସ କୁକୁର ସେମାନଙ୍କୁ ଚାହିଁଲା ଓ ହସି ଦେଲା। ସେମାନେ ସମସ୍ତେ ପୋଲିସ କୁକୁରକୁ କୃତଜ୍ଞତା ଜଣାଉଥିଲେ।
ଅମାନିଆଁ କୁମ୍ଭୀର

ଜଙ୍ଗଲର ଶେଷ ମୁଣ୍ଡରେ ଥାଏ ଗୋଟିଏ ନଈ। ସେଥିରେ ବର୍ଷକ ବାରମାସ ପାଣି ଥାଏ। ଜଙ୍ଗଲର ପଶୁପକ୍ଷୀମାନେ ସେଇ ନଈରୁ ପାଣି ପିଅନ୍ତି। ଦିନେ ସେଇ ନଈରେ ଆସି ରହିଲା ଗୋଟାଏ କୁମ୍ଭୀର। ସେ କୁମ୍ଭୀର ଭାରି ଦୁଷ୍ଟ। ଯୋଉ ପଶୁମାନେ ନଈକୁ ପାଣି ପିଇବାକୁ ଆସିଲେ, ନଈ ଭିତରକୁ ପାଦ ବଢ଼ାଇବା ମାତ୍ରେ କୁମ୍ଭୀର ତାଙ୍କୁ ଆକ୍ରମଣ କଲା। ଯୋଉମାନେ କୂଳରେ ଥାଇ ନଈ ପାଣିକୁ ମୁହଁ ଲମ୍ବାଇଲେ, ସେମାନଙ୍କ ମୁହଁକୁ କାମୁଡ଼ିଲା କୁମ୍ଭୀର।
ଜଙ୍ଗଲରେ ଆତଙ୍କ ଖେଳିଗଲା। ସମସ୍ତେ ଡରିମରି ରହୁଥାଆନ୍ତି। ଭୟରେ କେହି ପାଣି ପିଇବାକୁ ନଈକୁ ଗଲେ ନାହିଁ। ପାଣି ନପିଇ ଭାରି ଡହଳ ବିକଳ ହେଉଥାନ୍ତି। ଖବରଟା ପହଞ୍ଚିଲା ଜଙ୍ଗଲର ରାଜା ସିଂହଙ୍କ ପାଖରେ। ସେ ଗର୍ଜି ଉଠିଲା : ନା, ସେ ସେମିତି କରିପାରିବ ନାହିଁ। ଏ ଜଙ୍ଗଲର ନିୟମ ତାକୁ ମାନିବାକୁ ପଡ଼ିବ। ତାକୁ ମୋ ଆଗରେ ହାଜର କରାଅ।
କୁମ୍ଭୀରକୁ ଡାକିବା ପାଇଁ ବିଲୁଆ ନଈ କୂଳରେ ପହଞ୍ଚିଲା। କୁମ୍ଭୀରକୁ କହିଲା: ମହାରାଜ ସିଂହଙ୍କର ଆଦେଶ। ତୁମକୁ ରାଜ ଦରବାରରେ ହାଜର ହେବାକୁ ପଡ଼ିବ।
କୁମ୍ଭୀର କଥାଟାକୁ ହସରେ ଉଡ଼େଇ ଦେଲା। କହିଲା: ସିଂହ କିଏ? ତାକୁ ରାଜା କଲା କିଏ? ଆମେ କୋଉ ରାଜାଫାଜାକୁ ମାନୁନା।
ବିଲୁଆ କହିଲା: ଏଇ ଜଙ୍ଗଲରେ ମହାରାଜ ସିଂହଙ୍କର ଶାସନ ଚାଲେ। ସବୁ ପଶୁପକ୍ଷୀ ଜଙ୍ଗଲର ନିୟମମାନି ଚଳନ୍ତି।
କୁମ୍ଭୀର କହିଲା: ଆମେ ପଶୁ ନୋହୁଁ କି ପକ୍ଷୀ ନୋହୁଁ। ଆମେ ମଧ୍ୟ ଜଙ୍ଗଲରେ ବାସ କରୁ ନାହୁଁ। ଆମେ ନଦୀରେ ରହୁ ଓ ଆମେ ହେଉଛୁ ନଦୀର ମହାରାଜା। ଆମେ ଆଉ କୋଉ ମହାରାଜାଙ୍କୁ ଖାତିର କରୁନା।
କୁମ୍ଭୀରର ଏ ପ୍ରକାର ବେଖାତିର କଥା ଶୁଣି ବିଲୁଆ ଅପମାନରେ ମୁହଁ ପୋତି ସେଠୁ ପଳାଇଲା। ମହାରାଜ ସିଂହଙ୍କ ନିକଟରେ ପହଞ୍ଚି କହିଲା: ମହାରାଜ, ସେ କୁମ୍ଭୀର ବହୁତ ଦୁଷ୍ଟ। ସେ ଆମ ଜଙ୍ଗଲର ନୀତିନିୟମ ମାନିବାକୁ ପ୍ରସ୍ତୁତ ନୁହେଁ। ସେ କହୁଛି ନଈଟା ତାହାର ରାଜ୍ୟ ଓ ସେ ନିଜେ ନଈର ମହାରାଜା।
ମହାରାଜା ସିଂହ କହିଲା: ତେବେ ତ ବହୁତ ଅସୁବିଧା ହେଲା। କୁମ୍ଭୀରକୁ ଉପଯୁକ୍ତ ଶାସ୍ତି ଦେବାକୁ ହେବ। ନୋହିଲେ ଏ ଜଙ୍ଗଲରେ ସୁଶାସନ ଚାଲିପାରିବ ନାହିଁ। ତାର ଉତ୍ପାତରେ ପ୍ରଜାମାନେ ବହୁତ କଷ୍ଟ ପାଇଲେଣି। ଆଉ ତାହାର ଦୌରାତ୍ମକୁ ସହ୍ୟ କରା ଯାଇ ପାରିବ ନାହିଁ।
ଜଙ୍ଗଲ ରାଜାଙ୍କ ଦରବାର ଡକାଗଲା। ସବୁ ପଶୁପକ୍ଷୀ ସେଥିରେ ଯୋଗ ଦେଇଥିଲେ। ସେଇଠାରେ ସବୁ କଥା ଆଲୋଚନା ହେଲା। ମହାରାଜା ସିଂହ ସେନାପତି ବାଘକୁ କହିଲା: ସେନାପତି, ତୁମେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ। ଆମକୁ କୁମ୍ଭୀର ବିରୋଧରେ ଯୁଦ୍ଧ କରିବାକୁ ପଡ଼ିବ। କୁମ୍ଭୀରକୁ ବାନ୍ଧି କାରାଗାରରେ ନ ପକାଇଲେ ସେ ଜବତ ହେବ ନାହିଁ।
ବାଘ ନିଜର ଅସହାୟତା ପ୍ରକାଶ କଲା। କହିଲା: ମହାରାଜ! କୁମ୍ଭୀରର ପାଣି ଭିତରେ ବହୁତ ବଳ। ତାକୁ ପାଣି ଭିତରେ ହରାଇବା ସମ୍ଭବ ନୁହଁ।
ସିଂହ କହିଲା: ତମର ତୀକ୍ଷ୍ଣ ନଖରେ ତାକୁ ଚିରି ପକାଅ।
ବାଘ କହିଲା: ସମ୍ଭବ ନୁହେଁ ଆଜ୍ଞା। ତାର ଚମଡ଼ା ବହୁତ ଟାଣ। ମୋ ନଖ ପଛେ ଭାଙ୍ଗି ଯିବ ତା ଚମଡ଼ାରେ ଟିକେ ଦାଗବି ହେବ ନାହିଁ।
ସିଂହ କହିଲା: ତେବେ ତାକୁ ଜବତ କରାଯିବ କିପରି?
ବହୁତ ଆଲୋଚନା ହେଲା। କିନ୍ତୁ କୁମ୍ଭୀରକୁ ଆକ୍ରମଣ କରିବାକୁ କେହି ରାଜି ହେଲେ ନାହିଁ। କୁମ୍ଭୀର ବହୁତ ବଳୁଆ। ପାଣି ଭିତରେ ତାର ଅମାପ ଶକ୍ତି। ତାର ଦାନ୍ତ ବହୁତ ବଡ଼ବଡ଼। ସେ ସମସ୍ତଙ୍କୁ କାମୁଡ଼ି ପାଣି ଭିତରକୁ ଟାଣି ନେଇ ପାରିବ। ହାତୀ ଭଳି ଏତେ ବିରାଟ ଜନ୍ତୁକୁ ମଧ୍ୟ କୁମ୍ଭୀର ଟାଣି ନେଇପାରେ।
ମହାରାଜା ସିଂହ କହିଲା: ତେବେ ଆକ୍ରମଣ ଦାୟିତ୍ୱ ପକ୍ଷୀମାନଙ୍କୁ ଦିଆଯାଉ। ସେମାନେ ଆକାଶମାର୍ଗରୁ ଆକ୍ରମଣ କରନ୍ତୁ। ନଖ ଓ ଥଣ୍ଟରେ କୁମ୍ଭୀରର ଚମଡ଼ାକୁ ଚିରି ଦିଅନ୍ତୁ।
ପକ୍ଷୀମାନଙ୍କ ପ୍ରତିନିଧି ହୋଇ କାଉ କହିଲା: ସମ୍ଭବ ନୁହେଁ ଆଜ୍ଞା। ତାର ଚମଡା ଏତେ ମୋଟା ଯେ ଆମ ଥଣ୍ଟ ଭାଙ୍ଗିଯିବ।
ମହାରାଜ ସିଂହ ହତାଶ ଦେଖାଗଲା। କହିଲା: ତେବେ କରାଯିବ କଣ?
ବିଲୁଆ କହିଲା: ଆମକୁ ବୁଦ୍ଧି ବଳରେ କିଛି କରିବାକୁ ହବ। ନୋହିଲେ କୁମ୍ଭୀରକୁ ହରାଇବା ବହୁତ କଷ୍ଟ।
ସିଂହ ବିଲୁଆର ବହୁତ ପ୍ରଶଂସା କଲା। କହିଲା: ତୁମକୁ ସମସ୍ତେ ଏକ ଚତୁର ପ୍ରାଣୀ ବୋଲି କହନ୍ତି। ତୁମେ ନିଜର ବୁଦ୍ଧି ପ୍ରୟୋଗ କର ଓ ଏଇ ଯୁଦ୍ଧରେ ଜିତିବାର ଉପାୟ ବାହାର କର।
ବିଲୁଆ କିଛି ସମୟ ଚିନ୍ତା କଲାପରେ କହିଲା: ମହାରାଜ! କୁମ୍ଭୀର ବିଷୟରେ ମୁଁ ଯାହା ଯେତିକି ଜାଣିଛି ସେତିକି କହୁଛି। ସେ କାହାକୁ ଖାତିର କରେନା। ସେ କେବଳ ଦୁଇ ଜଣଙ୍କୁ ଭୟ କରେ। ଗୋଟିଏ ପ୍ରାଣୀ ଜଳହସ୍ତୀ ଏବଂ ଆଉ ଜଣେ ହେଲା ମଣିଷ। ଅବଶ୍ୟ ମଣିଷକୁ ସୁବିଧା ପାଇଲେ ସେ ମାରି ଦେଇ ପାରେ। ତେବେ ଏକମାତ୍ର ମଣିଷ ହିଁ ତାକୁ କାବୁ କରି ପାରିବ।
ମହାରାଜା ସିଂହ କହିଲା: ତେବେ କଣ କରାଯିବ ବୋଲି କହୁଛ।
ବିଲୁଆ କହିଲା: ଜଳହସ୍ତୀ ତ ଆମ ଜଙ୍ଗଲରେ ନାହାନ୍ତି। ଆଖପାଖ କୋଉ ନଦୀ କି ହ୍ରଦରେ ନାହାନ୍ତି। ତେଣୁ ତାଙ୍କଠାରୁ ସାହାଯ୍ୟ ପାଇବା ସମ୍ଭବ ନୁହେଁ। ଯଦି କୌଣସି ଉପାୟରେ ମଣିଷକୁ ଜଣାଇ ଦିଆଯିବ ଯେ, ଏଠାରେ ଗୋଟିଏ କୁମ୍ଭୀର ଅଛି ତେବେ ସେ ନିଶ୍ଚୟ ୟାକୁ ଧରି ନେବ। କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।
ମହାରାଜା ସିଂହ କହିଲା: ତାହା ହିଁ ହେଉ। ମଣିଷକୁ ଜଣେଇ ଦିଆ ଯାଉ ଯେ ଏଠାରେ ଗୋଟିଏ କୁମ୍ଭୀର ରହୁଛି। କିନ୍ତୁ ସେ କଥା କିପରି ମଣିଷକୁ ଜଣାଇଦିଆ ଯିବ?
ବିଲୁଆ କହିଲା: ଏ କାର୍ଯ୍ୟ ଅତି ସହଜ। ପାଖ ଗାଁର ଗାଈଗୋରୁଙ୍କୁ ନଈ ଆଡ଼କୁ ଡାକି ଆଣିବା। କୁମ୍ଭୀର ନିଶ୍ଚୟ ତାଙ୍କୁ ଆକ୍ରମଣ କରିବ। ଜଣେ ଅଧେଙ୍କୁ ମାରି ଖାଇ ଦେଇପାରେ। ଏକଥା ଗାଁରେ ମଣିଷମାନେ ନିଶ୍ଚୟ ଜାଣି ପାରିବେ ଓ କୁମ୍ଭୀରକୁ ଧରିବା ପାଇଁ ଉପାୟ ବାହାର କରିବେ।
ସିଂହ ଏ ପ୍ରସ୍ତାବରେ ରାଜିହେଲା ନାହିଁ। କହିଲା: ଆମ ସ୍ୱାର୍ଥ ପାଇଁ ଆଉ ଗୋଟେ ପ୍ରାଣୀର ଜୀବନ ନେଇ ଯିବାଟା ଠିକ ଶୁଣାଯାଉ ନାହିଁ। ଆଉ କିଛି ଉପାୟ ଚିନ୍ତା କର।
ବିଲୁଆ ପୁଣି ଚିନ୍ତା କରି କହିଲା: କୁମ୍ଭୀର ସିନା ଏତେ ମୋଟା ଚମଡାବାଲା ପ୍ରାଣୀ। ସେ କିନ୍ତୁ ଶୀତ ସମ୍ଭାଳି ପାରେ ନାହିଁ। ସେ ଖରା ପୁଇଁବା ପାଇଁ ମାଟି ଉପରକୁ ଆସେ। ଆଉ ଗୋଟେ କଥା ହେଲା ସେ ଉଚ୍ଚ ଶବ୍ଦକୁ ସହିପାରେ ନାହିଁ। ଯଦି ତା କାନ ପାଖରେ ହୋହୋ ଘୋଘୋ କରାଯିବ ସେ ନିଶ୍ଚୟ ପାଗଳ ଭଳି ହେବ। ତେଣୁ କାଉମାନଙ୍କୁ ଦାୟିତ୍ୱ ଦିଆଯାଉ ସେ କୁମ୍ଭୀର କାନ ପାଖରେ କା’କା’ ଶବ୍ଦ କରି ତାକୁ ବିରକ୍ତ କରନ୍ତୁ। ବେଶି ବିରକ୍ତ ହେଲେ ସେ ପାଗଳ ଭଳି ହେବ। ସେତିକିବେଳେ ତାକୁ ଆକ୍ରମଣ କରାଯାଇ ପାରିବ।
ଏତିକିବେଳେ ବଗ କହିଲା: ମୁଁ ଦେଖିଛି କେତେଜଣ କେଉଟ ନଈକୂଳରେ ଜାଲ ଶୁଖାନ୍ତି। ଯଦି ଜାଲ ଖଣ୍ଡେ ଆଣି କୁମ୍ଭୀର ଉପରେ ପକାଇ ଦିଆଯାଏ, ସେ ଛନ୍ଦି ହୋଇ ପଡ଼ିବ।
ବିଲୁଆ କହିଲା: ଏ ସବୁ କାମ ସେତିକିବେଳେ କରାଯିବ ଯେତେବେଳେ ସେ ମାଟି ଉପରେ ଥିବ। ପାଣିରୁ ବାହାରି ମାଟି ଉପରକୁ ଆସିବା ପାଇଁ ତାକୁ ଲୋଭ ଦେଖାଇ ପାରିବା। ଗୋଟେ ଯୋଡ଼େ ମଲାମାଛ ମାଟି ଉପରେ ପକାଇଦେଲେ ସେ ଲୋଭରେ ମାଟି ଉପରକୁ ଆସିବ।
ମହାରାଜା ସିଂହ କହିଲା: ଠିକ ଉପାୟ। ଏହିପରି କାର୍ଯ୍ୟକ୍ରମ ପ୍ରସ୍ତୁତ ହେଉ।
ଏହିପରି ଭାବରେ ଜଙ୍ଗଲ ଶାସନ ପକ୍ଷରୁ କୁମ୍ଭୀର ଦମନ କାର୍ଯ୍ୟକ୍ରମ ଆରମ୍ଭ ହେଲା।
କୁମ୍ଭୀର ସେଦିନ ସକାଳେ ନଈପାଣିରୁ ବାହାରି ମାଟି ଉପରେ ଶୋଇ ଖରା ପୁଉଁଥିଲା। ବଗ ତାଠୁ କିଛି ଦୂରରେ ଗୋଟାଏ ମାଛ ପକାଇଦେଲା। କୁମ୍ଭୀର ମାଛକୁ ଦେଖିପାରିଲା ଓ ଖାଇବାକୁ ଆଗେଇଲା। ସେ ମାଛର ଠିକ ପାଖରେ ପହଞ୍ଚିଛି କି ନାହିଁ ଚିଲ ମାଛଟାକୁ ଝାମ୍ପି ନେଇ ଆଉଟିକେ ଦୂରରେ ପକାଇଲା। କୁମ୍ଭୀର ମାଛ ପଛେପଛେ ଚାଲିଲା। ଏହିପରି କୁମ୍ଭୀର ସହିତ ଛଳନା କରି ସେମାନେ ତାକୁ ନଈଠାରୁ ଅନେକ ଦୂରକୁ ନେଇଗଲେ। କୁମ୍ଭୀର ଶେଷରେ ମାଛଟାକୁ ଧରି ପକାଇଲା ଓ ଆରାମରେ ଖାଇଲା। ଖାଇସାରି ସେ ଟିକେ ବିଶ୍ରାମ ନେଲା। ଆଖି ବୁଜି ପଡ଼ିଥାଏ । ଏତିକିବେଳେ ହଜାର ହଜାର କାଉ ତା କାନ ପାଖରେ କା’କା’ ରଡ଼ି କରି ତା କାନ ମୁଣ୍ଡା ଭାଁଭାଁ କରି ଦେଲେ। କୁମ୍ଭୀର ରାଗି ଯାଇ କାଉମାନଙ୍କୁ ମାରିବାକୁ ଗୋଡ଼ାଇଲା। କିନ୍ତୁ କାହାରିକୁ ହେଲେ ଧରି ପାରିଲା ନାହିଁ। କାଉମାନେ ସତର୍କତାର ସହ ଦୂରକୁ ଘୁଞ୍ଚି ଯାଉଥାଆନ୍ତି ଓ କା’କା’ ରଡ଼ି ପକାଉଥାଆନ୍ତି।
ନଈକୂଳରେ କେଉଟମାନେ ଜାଲ ଶୁଖାଇଥିଲେ। ବଗମାନେ ସେଇ ଜାଲରୁ ଗୋଟାଏ ଜାଲ ଉଡ଼େଇ ଆଣିଆସିଲେ। ଜାଲଟାକୁ ସେମାନେ କୁମ୍ଭୀର ଉପରେ ପକାଇଦେଲେ। କୁମ୍ଭୀର ଜାଲରେ ପଡ଼ି ଗଡ଼ିବାକୁ ଲାଗିଲା। ତା ହାତଗୋଡ଼ ଜାଲରେ ଛନ୍ଦି ହୋଇଗଲା। ସେ ଆଉ କୁଆଡ଼େ ଯାଇ ପାରିଲା ନାହିଁ। ଖାଲି ଛାଟିପିଟି ହେଇଥାଏ।
କାଉମାନେ ତା ଚାରିପଟେ ବୁଲିବୁଲି କା’କା’ ରଡ଼ି କରୁଥାଆନ୍ତି। ତାକୁ ବିରକ୍ତ କରୁଥାଆନ୍ତି।
ନଈ ଆରପଟେ ଯାଉଥିଲେ ଦଳେ ଲୋକ। ସେମାନେ କାଉଙ୍କ ପାଟିଶୁଣି ସେ ଆଡ଼କୁ ଚାହିଁଲେ। ଦେଖିଲେ କୁମ୍ଭୀରଟାଏ ଛାଟିପିଟି ହେଇ ଗଡ଼ୁଛି। ତା ଚାରିପଟେ ଜାଲ ଗୁଡ଼େଇ ହେଇ ଯାଇଛି।
ବାସ୍, କାମ ହୋଇଗଲା ବୋଲି ଜାଣ। ମଣିଷମାନେ କୁମ୍ଭୀରକୁ ଦେଖିବା ମାତ୍ରେ ଗାଁରେ ଖବର ଦେଲେ। ନଈରେ କୁମ୍ଭୀରଟାଏ ଆସି ରହିବା ବିପଦ ବୋଲି ସମସ୍ତେ ଏକମତ ହୋଇଗଲେ। ବନବିଭାଗ ଓ ପୋଲିସକୁ ଖବର ଦିଆଗଲା। ସେମାନେ ଆସିଲେ ଓ କୁମ୍ଭୀରକୁ ଧରିନେଲେ।
ଗ୍ରାମବାସୀ ତ ଖୁସି ହେଲେ। କାରଣ ନଈରୁ କୁମ୍ଭୀର ଧରାହେଲା। ତେବେ ସବୁଠୁ ବେଶି ଖୁସି ହେଲେ ଜଙ୍ଗଲର ପଶୁପକ୍ଷୀମାନେ। ନଈରୁ ପାଣି ପିଇବା ପାଇଁ କେହି ତାଙ୍କୁ ଆଉ ବାଧା ଦେଇ ପାରିବ ନାହିଁ। ଏହି ଅଭିଯାନରେ ସାମିଲ ହୋଇଥିବା କାଉ ଓ ବଗଙ୍କୁ ସମସ୍ତେ ଧନ୍ୟଧନ୍ୟ କହିଲେ।

ଜଙ୍ଗଲରେ ଫଟୋଗ୍ରାଫର

ଜଙ୍ଗଲରେ ଆସି ପହଞ୍ଚିଲା ଗୋଟେ ଫଟୋଗ୍ରାଫର। ସେ ଜଙ୍ଗଲର ବଡ଼ବଡ଼ ଗଛ, ସବୁଜ ପତ୍ର ଦେଖି ଖୁସି ହୋଇଗଲା। ଗଛ ସବୁ ଆକାଶ ଆଡ଼କୁ ମୁହଁ କରି ଲମ୍ବି ଯାଇଥିଲେ। ଖୁବ ହୃଷ୍ଟପୃଷ୍ଟ ଓ ଘଞ୍ଚ ହୋଇଥିଲା ଡାଳ ଓ ପତ୍ର। ବିଭିନ୍ନ ରଙ୍ଗର ସୁନ୍ଦର ଫୁଲ ଫୁଟିଥିଲା। ଫଳ ଭାରରେ ନଇଁ ପଡ଼ିଥିଲେ ଗଛସବୁ । ଖୁସି ହୋଇ ଫଟୋଗ୍ରାଫର ବିଭିନ୍ନ କୋଣରୁ ଫଟୋ ଉଠେଇବାକୁ ଲାଗିଲା।
ଜଙ୍ଗଲରେ ରହୁଥିବା ପଶୁପକ୍ଷୀମାନେ ଏ ନୂଆ ଲୋକ ଓ ତାର କ୍ୟାମେରା ଦେଖି ତରକିଲେ। ଜଙ୍ଗଲରାଜ ସିଂହକୁ ଜଣାଇ ଦେଲେ। ମହାରାଜ ସିଂହଙ୍କର ଦରବାର ଡକାହେଲା।
ଜଙ୍ଗଲରାଜ ସିଂହ ପଚାରିଲା: କିଏ ସେ ମଣିଷ? କଣ ତାର ଉଦ୍ଦେଶ୍ୟ? ହାତରେ ସେ ଧରିଛି କଣ? ସେ କରୁଛି କଣ?
ବିଲୁଆ ଜଣାଇଲା : ମହାରାଜ! ସେ ହେଉଛି ଫଟୋଗ୍ରାଫର। ସେ ଯୋଉ ଯନ୍ତ୍ରଟାକୁ ଧରିଛି, ତାକୁ କହନ୍ତି କ୍ୟାମେରା। ସେଥିରେ ଫଟୋ ଉଠାହୁଏ।
ସିଂହ ପଚାରିଲା : ସେ ଯନ୍ତ୍ରଟା ଆମ ପଶୁପକ୍ଷୀଙ୍କ ପାଇଁ ବିପଦ ନୁହେଁଟି? ମାନେ ତା’ ଭିତରୁ ଗୁଳି କି ତୀର ଆସି ଆମ ଦେହରେ ବାଜିବନି ତ?
ବିଲୁଆ କହିଲା: ନାଇଁ ଆଜ୍ଞା, ସେଥିରୁ ଗୁଳିଗୋଳା କିଛି ବାହାରିବ ନାହିଁ। କେବଳ ଫଟୋ ଉଠିଯିବ।
: ଏ ଫଟୋ ପୁଣି କଣ? ସମସ୍ତେ ପଚାରିଲେ।
ବିଲୁଆ କହିଲା : ଫଟୋଟା ଗୋଟାଏ ଚିତ୍ର। ଆପଣଙ୍କ ଫଟୋ ଉଠାଗଲା ମାନେ ଠିକ ଆପଣଙ୍କ ଭଳିଆ ଗୋଟେ ସିଂହର ଚିତ୍ର ବାହାରି ଆସିଲା।
ସିଂହ କହିଲା: ଭାରି ମଜା ତ! ସେମାନେ ଏମିତି ଫଟୋ ଉଠାନ୍ତି କାହିଁକି?
ବିଲୁଆ କହିଲା: ସେଇଟା ମଣିଷମାନଙ୍କର ସଉକ। ସେମାନେ ଫଟୋ ଉଠାଇ ନିଜ ଘରେ ଟାଙ୍ଗନ୍ତି। ତାକୁ ଦେଖନ୍ତି ଓ ଖୁସି ହୁଅନ୍ତି।
ସିଂହ କହିଲା : ତେବେ ସେ ଲୋକକୁ ସାହାଯ୍ୟ ସହଯୋଗ କର। ସିଏ ଆମର ଫଟୋ ବି ଉଠାଉ।
ଭାଲୁ କହିଲା : ସେକଥା ତାକୁ କୁହାଯିବ କିପରି? କିଏ କହିବ? କେମିତି କହିବ?
ସିଂହ କହିଲା : ଆମେ ତା ପାଖକୁ ଯିବା, ତା ଆଗରେ ଠିଆ ହେବା। ସିଏ ଆମର ଫଟୋ ଉଠାଇବ।
ବିଲୁଆ କହିଲା: ସେପରି ହେବ ନାହିଁ ଆଜ୍ଞା। ସେ ଆପଣଙ୍କୁ ଦେଖିଲେ ଡରିଯିବ। ଡରିକି ମୂର୍ଚ୍ଛା ହେଇଯିବ। ପ୍ରାଣ ବିକଳରେ ଦଉଡ଼ି ପଳାଇବ।
ସିଂହ ପଚାରିଲା : ସେ କଣ ସିଂହର ଫଟୋ ଉଠାଏ ନାହିଁ?
ବିଲୁଆ କହିଲା : ଉଠାଇବ ନାହିଁ କେମିତି? ଉଠାଏ। କିନ୍ତୁ ପିଞ୍ଜରା ଭିତରେ ଥିବା ସିଂହର ଫଟୋ ଉଠାଏ । ନୋହିଲେ ଗଛ ଉପରେ ବସି ଫଟୋ ଉଠାଏ। ବେଳେବେଳେ ଗୋଟଏ ଜାଲି ଦିଆ ମୋଟର ଗାଡ଼ି ଭିତରେ ବସି ବାହାରକୁ ଚାହିଁ ଫଟୋ ଉଠାଉଥାଏ। ସେ ଆପଣଙ୍କୁ ବହୁତ ଡରେ ଆଜ୍ଞା!
ସିଂହ କହିଲା: ତାକୁ ଧରି ଆଣ! ସେ ଆମର ଫଟୋ ଉଠାଇବ।
ସବୁ ପଶୁପକ୍ଷୀ ବିଚାର କଲେ। ଫଟୋଉଠାବାଲାକୁ କେମିତି ଧରା ହେଇ ଅଣାଯିବ। ତାକୁ ଜବରଦସ୍ତ ଧରି ଆଣିଲେ ସେ ବିଚରା ମରିଯିବ। ତାକୁ କେମିତି ବୁଝାଯାଇ ପାରିବ ଯେ, ଆମେ ତମର କୌଣସି କ୍ଷତି କରିବୁ ନାହିଁ। ଆମକୁ ବିଶ୍ୱାସ କର। ସେ ବା ଆମକୁ ବିଶ୍ୱାସ କରିବ କେମିତି? ମଣିଷ ଭାରି ସନ୍ଦେହୀ ପ୍ରାଣୀ। ସେ କାହାକୁ ସହଜରେ ବିଶ୍ୱାସ କରେ ନାହିଁ।
ସିଂହ କିନ୍ତୁ ଅଡ଼ି ବସିଥିଲା। ତାର ଫଟୋ ଉଠାହବ। ସେ ଫଟୋ ଦେଶ ବିଦେଶକୁ ଯିବ। ଲୋକମାନଙ୍କ ଡ୍ରଇଂ ରୁମରେ ଟଙ୍ଗା ହବ। ପତ୍ରପତ୍ରିକାରେ ଛପା ହବ। ମଜା ଆସିଯିବ। ସବୁ ପଶୁପକ୍ଷୀ କିଛି ସମୟ ବିଚାର କଲେ। ସିଂହକୁ ବୁଝାଇଲେ। ମାତ୍ର ସିଂହ ବୁଝିଲା ନାହିଁ। କହୁଥାଏ : ତାକୁ ଧରି ଆଣ!
ଶେଷରେ ବିଲୁଆ କହିଲା: ମହାରାଜ, ଗୋଟାଏ ଉପାୟ ଅଛ।
ସିଂହ ପଚାରିଲା:କଣ?
ବିଲୁଆ କହିଲା: ସେ ଫଟୋଗ୍ରାଫରଠୁ ଆମେ କ୍ୟାମେରା ଛଡ଼ାଇନେଇ ଆସିବା। ଆମ ସମସ୍ତଙ୍କର ଫଟୋ ଆମେ ମନଇଚ୍ଛା ଉଠାଇବା।
ଭାଲୁ ପଚାରିଲା: ଫଟୋ ସିନା ଉଠାଇ ଦେବା, ତାଙ୍କୁ ଚିତ୍ର କରି ବାହାର କରିବା କିପରି? ଲୋକଙ୍କ ଡ୍ରଇଂ ରୁମକୁ ସେ ଚିତ୍ର ନେବ କିଏ? ପତ୍ରପତ୍ରିକାରେ ଛପେଇବ କିଏ?
ବିଲୁଆ କହିଲା: ଆମେ ଫଟୋ ଉଠେଇ ସାରି ତା’କୁ କ୍ୟାମେରା ଫେରେଇ ଦେବା। ସେ ଫଟୋ ଛପାଛପି କଥା ସିଏ ବୁଝିବ।
ଭାଲୁ କହିଲା: ପ୍ରସ୍ତାବଟା ଠିକ ଅଛି ଯେ, କିନ୍ତୁ ଏ କାମଟି କରିବ କିଏ?
ବିଲୁଆ କହିଲା: ଏ କାମ ମାଙ୍କଡ଼ ଭାଇ କରି ପାରିବେ। ମଣିଷଠୁ ସୁବିଧା ଦେଖି ଜିନିଷ ଝାମ୍ପି ଆଣିବାରେ ମାଙ୍କଡ଼ ଭାଇଙ୍କର ଅଭିଜ୍ଞତା ଅଛି। ସେ ମଣିଷ ହାତରୁ କଦଳୀ, ଖାଇବା ଜିନିଷ ଓ ସ୍ତ୍ରୀଲୋକଙ୍କ କାନ୍ଧରୁ ଭ୍ୟାନିଟି ବ୍ୟାଗ ଝାମ୍ପି ନେଇ ପାରନ୍ତି। ଏ କ୍ୟାମେରା ଝାମ୍ପି ଆଣିବା ତ ତାଙ୍କ ପାଇଁ ସାଧାରଣ କଥା। ମାଙ୍କଡ଼ ମଧ୍ୟ ଭଲ ଫଟୋ ଉଠାଇ ପାରିବ। କାରଣ ତାଙ୍କ କାମ ସବୁ ମଣିଷ ଭଳିଆ। ସେ ମଧ୍ୟ ମଣିଷକୁ ଭଲରେ ଅନୁକରଣ କରି ପାରନ୍ତି।
ଏ ପରାମର୍ଶକୁ ସମସ୍ତେ ଗ୍ରହଣ କଲେ।
ମାଙ୍କଡ଼ ଚାଲିଲା ଫଟୋଗ୍ରାଫରର ସନ୍ଧାନରେ। ଫଟୋଗ୍ରାଫର ଜଙ୍ଗଲର ଶୋଭା ଦେଖି ଖୁସି ହେଉଥିଲା ଓ ଗୋଟିକ ପରେ ଗୋଟିଏ ଫଟୋ ଉଠାଇବାରେ ଲାଗିଥିଲା। ମାଙ୍କଡ଼ ଛପିଛପି ତା ପଛେପଛେ ଗଲା ଓ ସୁବିଧା ଦେଖି କ୍ୟାମେରା ଭିଡ଼ି ନେଇ ପଳାଇଲା। ଫଟୋଗ୍ରାଫର ତାଟକା ହୋଇ ଚାହିଁଥାଏ। ମାଙ୍କଡ଼ କ୍ୟାମେରା ଧରି ଟିକିଏ ଦୂରରେ ଗଛ ଉପରେ ବସି ଥାଏ। ଫଟୋଗ୍ରାଫର ତାକୁ ଆ’ଆ’ ଚୁ’ଚୁ’ କରି ଡାକିଲା। ପକେଟରୁ ଗୋଟିଏ କାକୁଡି କାଢ଼ି ତାକୁ ଦେଖାଇଲା। ମାତ୍ର ମାଙ୍କଡ଼ ପ୍ରଲୋଭିତ ହେଲା ନାହିଁ। କ୍ୟାମେରା ନେଇ ଘଞ୍ଚ ଜଙ୍ଗଲ ଭିତରେ ଅଦୃଶ୍ୟ ହୋଇଗଲା।
ଫଟୋଗ୍ରାଫର ମନଦୁଃଖରେ ବସିଥାଏ। ମାଙ୍କଡ଼ ଜଙ୍ଗଲ ମଝିରେ ଯାଇ ପଶୁପକ୍ଷୀଙ୍କ ସଭାରେ ପହଞ୍ଚିଲା। ସମସ୍ତେ ଖୁସି ହୋଇ ଫଟୋ ଉଠାଇବାକୁ ଭିନ୍ନଭିନ୍ନ ଭଙ୍ଗୀରେ ଠିଆ ହେଲେ। ମାଙ୍କଡ଼ ଫଟୋ ଉଠାଇଲା। ସମସ୍ତେ ମନଭରି ଫଟୋ ଉଠାଇଲେ। ମହାରାଜ ସିଂହ ସବୁଠୁ ବେଶି ଫଟୋ ଉଠାଇଥିଲା।
ବିଲୁଆ କହିଲା: ମାଙ୍କଡ଼ ଭାଇ, ଏବେ ସେ କ୍ୟାମେରା ଫେରାଇ ଦିଅ। ନୋହିଲେ ସେ ଲୋକଟା ଫେରି ପଳାଇବ। ଆମେ ତାକୁ ପାଇବା ନାହିଁ। ଆମର ଫଟୋ ସବୁ ଦୁନିଆ ଦେଖିପାରିବ ନାହି।
ମାଙ୍କଡ଼ କହିଲା: ଠିକ କଥା କହିଲ।
ଫଟୋଗ୍ରାଫର କ୍ୟାମେରା ହରାଇ ମନଦୁଃଖରେ ଘରକୁ ଫେରୁଥିଲା। ଜଙ୍ଗଲର ଶେଷ ମୁଣ୍ଡରେ ପହଞ୍ଚି ସାରିଥିଲା। ମାଙ୍କଡ଼ ଡାଳରୁ ଡାଳ କୁଦା ମାରି ଆସି ପହଞ୍ଚିଗଲା ତା’ ପାଖରେ। କ୍ୟାମେରା ଫଟୋଗ୍ରାଫର ସାମ୍ନାରେ ଯତ୍ନର ସହ ଥୋଇଦେଲା। ପୁଣି ଫେରିଗଲା ଗଛ ଡାଳକୁ।
ଫଟୋଗ୍ରାଫର ଖୁସି ହୋଇ ଗଲା। କ୍ୟାମେରାଟାକୁ ଭଲ କରି ଦେଖିଲା। କ୍ୟାମେରା ଠିକ ଥିଲା। କୋଉଠି କିଛି ଭଙ୍ଗାରୁଜା ହେଇ ନାହିଁ। ସେ କ୍ୟାମେରା ଭିତରେ ଉଠା ଯାଇଥିବା ଫଟୋସବୁକୁ ଦେଖିଲା। ଆଶ୍ଚର୍ଯ୍ୟ ହେଲା ଯେ ଜଙ୍ଗଲି ଜୀବଜନ୍ତୁଙ୍କର ବଢ଼ିଆବଢ଼ିଆ ଫଟୋ ତା ଭିତରେ ଥିଲା। ଆରେ! ଏ ସବୁ ଫଟୋ କୋଉଠୁ ଆସିଲା? ମୁଁ ତ ଉଠାଇ ନାହିଁ। କିଏ ଉଠାଇଲା?
ସେ ମାଙ୍କଡ଼ ଆଡ଼କୁ ଚାହିଁଲା। ମାଙ୍କଡ଼ ଟିକଏ ଦୂରରେ ଗଛ ଡାଳରେ ବସିଥିଲା। ଫଟୋଗ୍ରାଫର ପକେଟରୁ କାକୁଡ଼ିଟିଏ କାଢ଼ି ମାଙ୍କଡ଼ ଆଡ଼କୁ ବଢ଼ାଇଲା। ମାଙ୍କଡ଼ ଧୀରେଧୀରେ ଆସି ତାଙ୍କ ହାତରୁ କାକୁଡ଼ିଟିକୁ ନେଲା। ଫଟୋଗ୍ରାଫର ତା ଆଡ଼କୁ ହାତ ହଲାଇ ଟା’ଟା’ କଲା। ମାଙ୍କଡ଼ ହିଁ ହିଁ ହସି ଡେଇଁ ପଳାଇଲା ।
ଜଙ୍ଗଲ ଭିତରେ କୁଆଡ଼େ ଅଦୃଶ୍ୟ ହୋଇଗଲା।
ଫଟୋଗ୍ରାଫର ଖୁସିଖୁସି ଗୀତ ଗାଇ ଘରକୁ ଫେରିଲା।
ଖୁବ ଭଲ ଫଟୋସବୁ ଉଠିଥିଲା। ସେସବୁ ପତ୍ରପତ୍ରିକାରେ ମଧ୍ୟ ପ୍ରକାଶ ପାଇଲା। ଦୁଃଖ କେବଳ ଏତିକି ଯେ, ତାକୁ ଜଙ୍ଗଲର ପଶୁପକ୍ଷୀମାନେ ଦେଖିପାରିଲେ ନାହିଁ।

ଜଙ୍ଗଲରେ ଶିକାରୀ

ଗୋଟେ ବାଣୁଆ ଥିଲା। ସେ ଧନୁତୀର ଧରି ଜଙ୍ଗଲରେ ଶିକାର କରେ। ତାର ଲକ୍ଷ୍ୟ ଭାରି ନିର୍ଭୁଲ। ତା’ ତୀର ନିଶ୍ଚୟ ବାଜେ। ଦିନକୁ ଦିନ ତାର ଶିକାର କରିବା ବଢ଼ିଲା। ଜଙ୍ଗଲର ପଶୁପକ୍ଷୀମାନେ ପ୍ରମାଦ ଗଣିଲେ। ଏ ବାଣୁଆ ଆମ ସମସ୍ତଙ୍କୁ ମାରି ଜଙ୍ଗଲ ପଦା କରି ପକେଇବ। ସେମାନେ ଏକାଠି ହୋଇ ସିଂହ ପାଖକୁ ଗଲେ। କହିଲେ, ମହାରାଜ! ଆପଣ ଜଙ୍ଗଲର ରାଜା। ଆମକୁ ରକ୍ଷା କରନ୍ତୁ।
ସିଂହ କହିଲା : ନାଇଁ ନାଇଁ। ମୋ ଦ୍ୱାରା ସେ କାମ ହେବ ନାହିଁ। ଶୁଣିଛି, ସେ ବାଣୁଆର ଲକ୍ଷ୍ୟ କେବେ ଭୁଲ ହୁଏ ନାହିଁ। ସେ ମୋତେ ମାରି ପକେଇବ। ମୁଁ ଏ ମହାରାଜ ପଦ ପଛେ ଛାଡ଼ିଦେବି। ଶିକାରୀ ସାମ୍ନାକୁ ଯିବି ନାହିଁ।
ଜୀବଜନ୍ତୁମାନେ ସିଂହଠୁ ନିରାଶ ହୋଇ ବାଘ ପାଖକୁ ଗଲେ। କହିଲେ, ତମେ ସବୁଠୁ ବଳୁଆ ଜୀବ। ତମେ ଆମ ପାଇଁ କିଛି କର।
ବାଘ କହିଲା : ନାଇଁ ନାଇଁ। ମୁଁ ପାରିବିନି। ମୁଁ ବି ଶୁଣିଛି, ବଜାରରେ ବାଘ ଛାଲର ଭାରି ଚାହିଦା। ସେ ବାଣୁଆ କୋଉଠି ବାଘ ମାରିବାକୁ ଭଲପାଏ। ସେ ମୋ ଛାଲ ଉତାରି ଦେବ।
ଜୀବଜନ୍ତୁମାନେ ବାଘଠୁ ଭରସା ନ ପାଇ ଭାଲୁ ପାଖକୁ ଗଲେ। ତାକୁ କହିଲେ : ତମେ ଭାରି ବୁଦ୍ଧିଆ ଜୀବ। ଆମକୁ ବାଣୁଆ କବଳରୁ ରକ୍ଷା କର।
ଭାଲୁ କହିଲା : ମୁଁ ପାରିବିନି। ଭାଲୁ ନଖ ବଜାରରେ ଏବେ ବିକ୍ରି ହଉଛି। ସେ ମୋତେ ମାରି ମୋ ନଖ କାଟି ନେବ।
ଜୀବଜନ୍ତୁମାନେ ହତାଶ ହୋଇ ଜଙ୍ଗଲରେ ଗୋଟିଏ ସଭା କଲେ। କେମିତି ଏ ବାଣୁଆ କବଳରୁ ରକ୍ଷା ପାଇବା।
ଏତିକି ବେଳେ ବାହାରିଲା ବିରୁଡ଼ି। କହିଲା, ମୁଁ ବାଣୁଆକୁ ଜବତ କରିଦେବି। କିନ୍ତୁ ମୋତେ ବାଣୁଆ କୋଉ ପଟୁ ଆସୁଛି, କୋଉଠି ବସୁଛି, ଜଣାଇବ।

କାଉ କହିଲା : ମୁଁ ଜଣାଇଦେବି। ମୁଁ ଆକାଶରେ ଉଡ଼େ। ଜଙ୍ଗଲରେ କିଏ କୋଉ ପଟୁ ଆସିଲା, ସବୁ ମୁଁ ଦେଖିପାରେ। ମୁଁ ଖବର ଦେଇଦେବି।
ବିରୁଡ଼ି କହିଲା : ବେଶି ଦୂର ବାଟ ହେଲେ ମୁଁ ଉଡ଼ିକି ଯାଇପାରିବି ନାହିଁ।
ପାରା କହିଲା : ମୁଁ ମୋ ପିଠିରେ ବସେଇ ତୋତେ ନେଇଯିବି।
ତା ପରଦିନ ବାଣୁଆ ଆସି ଗୋଟିଏ ବୁଦା ମୂଳେ ଲୁଚି ବସିଲା। ତାର ଧନୁତୀର ସଜାଡ଼ିଲା। କାଉ ତାର ଗତିବିଧି ଲକ୍ଷ୍ୟ କରୁଥାଏ। ଏଥର ସେ ବିରୁଡ଼ି ଆଉ ପାରାକୁ ଖବର ଦେଇଦେଲା। ପାରା ପିଠିରେ ବସି ବିରୁଡ଼ି ସେଠି ପହଞ୍ଚିଗଲା। ବାଣୁଆ ଯେମିତି ଧନୁରେ ତୀର ଯୋଖିଛି, ବିରୁଡ଼ି ତା କାନମୁଣ୍ଡାକୁ ବିନ୍ଧି ଦେଲା। ବାଣୁଆ ମରିଗଲି ବୋଲି ଡାକ ଛାଡ଼ି ତଳେ ଗଡ଼ିଗଲା। ସେଦିନ ଆଉ ଶିକାର କରି ପାରିଲା ନାହିଁ।
ଏମିତି ଯେତେଥର ସେ ବଣ ଭିତରେ ପଶିଲା, କାଉ ତାକୁ ଠାବ କରି ବିରୁଡ଼ିକୁ ଖବର ଦେଲା। ବିରୁଡ଼ି ପାରା ପିଠିରେ ବସି ପହଞ୍ଚିଲା। ଏମିତି କାମୁଡ଼ା ଦେଲା ଯେ ବାଣୁଆର ଅବସ୍ଥା ବେହାଲ। ଏମିତି ବାରମ୍ବାର ହେବାରୁ ବାଣୁଆ ଜଙ୍ଗଲକୁ ଆସିବାକୁ ଡରିଲା। କିଛି ଦିନ ପରେ ସେ ଆଉ ଜଙ୍ଗଲରେ ପଶିବାକୁ ସାହସ କଲା ନାହିଁ।
ଜୀବଜନ୍ତୁମାନେ ଜଙ୍ଗଲରେ ସୁଖରେ ରହିଲେ।
ବିରୁଡ଼ି ଭଳି ଛୋଟ ଜୀବ, କାଉ ଏବଂ ପାରାଙ୍କ ସହଯୋଗରେ ସମସ୍ତ ଜୀବଜନ୍ତୁଙ୍କୁ ରକ୍ଷା କରିପାରିଲା, ଯାହା କରିବାକୁ ବାଘ ସିଂହ ବି ଡରୁଥିଲେ। ତେଣୁ ଛୋଟଙ୍କୁ ଛୋଟ ବୋଲି ଭାବିବ ନାହିଁ। ସେମାନେ ସମୟ ପଡ଼ିଲେ ବଡ଼ବଡ଼ କାମ କରି ଦେଖାଇ ପାରନ୍ତି।