କବିତା
ତାଳଦଣ୍ଡା ରୁ ଚିତ୍ରକୋଣ୍ଡା

ମହାନଦୀରୁ ତ ନାଳ ବାହାରିଛି
ନଆଁ ତାର ତାଳଦଣ୍ଡା
ତାଳଦଣ୍ଡା ଯୋଗୁ ହସୁଅଛି କେତେ
ବିଲବାଡି ଗାଁଆ ଗଣ୍ଡା।
ସୁଆଦିଆ ଆଉ ଦେହ ପାଇଁ ଭଲ
ଦେଶି କୁକୁଡ଼ାଙ୍କ ଅଣ୍ଡା
ଅଣ୍ଡାପରି ପୁଣି ଦେହକୁତ ହିତ
ପାଚିଲା ଅମୃତଭଣ୍ଡା ।
ସକାଳେ ସଞ୍ଜରେ ନିଇତି ଦେଉଳେ
ଠାକୁର ପୁଜନ୍ତି ପଣ୍ଡା
ପୂଜାପଣ୍ଡାଙ୍କର ମୁଣ୍ଡରେ ଚୁଟୀକୁ
ମୁଣ୍ଡ ସବୁବେଳେ ଲଣ୍ଡା।
ପାଟିରୁ ଛାଡେନି ଖାଉଥିଲେ ଯେତେ
ଆଈ ହାତ ଗଢା ମଣ୍ଡା
ଅଥାର ସଜାଡି ମଣ୍ଡାଗଢେ ଆଈ
ଚୂଲିରେ ବସାଇ ହଣ୍ଡା ।
ପାଇକ ଙ୍କୁ ଆମ ଡରୁଥିଲେ ସବୁ
ହାତେ ଥିଲେ ତାଙ୍କ ଖଣ୍ଡା
ଚଉଦିଗ ବୀର ଜୟ କରିଥିଲେ
ଉଡାଇ ବିଜୟ ଝଣ୍ଡା।
ଧାନ କ୍ଷେତ ରେ ତ ଝଲମଲ ହୁଏ
ପାଚିଗଲେ ଧାନକେଣ୍ଡା
ଧାନ କୁଟା ହୋଇ ବାହାରେ ଚାଉଳ
ବାହାରଇ ପୁଣି କୁଣ୍ଡା।
ବରଷା ଋତୁରେ ବିଲ ବାଡି ସାରା
ସାଲୁବାଲୁ କୁଜି ଗେଣ୍ଡା
ଘାସ ପଡିଆରେ ମନ ଖୁସିରେ ତ
ଚରୁଥାନ୍ତି ଛେଳି ମେଣ୍ଢା ।
ପିଆଜ ପାଚିଲେ ଗଛରେ ବାହାରେ
କିସୁନ୍ଦର ତାର ଶଣ୍ଡା
ଫସଲ ରେ ପାଣି ମଡାଇବା ପାଇଁ
ନାଳ ରେ ଲାଗିଛି ତେଣ୍ଡା।
ନୀରିହ ଯେମିତି ସରଳ ସେମିତି
ମାଲକାନଗିରି ବଣ୍ଡା
ତାଙ୍କରି କଥାକୁ ବଖାଣୁ ଥାଏ ରେ
ଗୀତ ଗାଇ ଚିତ୍ରକୋଣ୍ଡା।
